Unknown

 

 

 

 

 

 

 

 

 

 

 

ସାଗର ସମ୍ରାଟ୍‍

ଗୁଇନ୍ଦା ସାହେବ

 

ସାଗର ସମ୍ରାଟ୍‍

-ଏକ-

 

ରାତି ଗୋଟାଏଠୁଁ କିଛି ବଳେଇ ଯାଇଚି, ସୃଷ୍ଟି ନିସ୍ତବ୍‌ଧ । କେବଳ ଆକାଶର ଅଗଣିତ ତାରା ଆଖି ମିଟି ମିଟି କରି ସୁପ୍ତ ପୃଥିବୀକୁ ନିରୀକ୍ଷଣ କରୁଛନ୍ତି ଯେମିତି । ସପ୍ତମୀ ତିଥିର ଚନ୍ଦ୍ର ବୁଡ଼ିଗଲାଣି ଅନେକ ବେଳୁଁ ।

ବଙ୍ଗୋପସାଗରର ସ୍ତବ୍‌ଧ ଜଳରାଶି, ତା’ରି ବୁକୁ ଉପରେ ଘନଘନ ସିଟି ଦେଇ ଚାଲିଛି–ଯାତ୍ରୀବାହୀ ‘ଅଜନ୍ତା’ । ଭାରତୀୟ କମ୍ପାନୀର ଏଇ ଜାହାଜ ଖଣ୍ଡି ଇଂଲଣ୍ଡ ଦେଇ ଆମେରିକା ଯାତ୍ରା କରିବ । ହୁଏତ ଯାତ୍ରା ଶୁଭ ହେଲେ, ଅର୍ଥାତ୍‍ ବାଟରେ କିଛି ଆପାଦ ବିପଦ ନ ଘଟିଲେ ଆଠମାସ ପରେ ଅଜନ୍ତା ପୁଣି ଲାଗିବ ବମ୍ବେ ବନ୍ଦରରେ । ମାତ୍ର ତିନିଦିନ ହେବ ସେ ବମ୍ବେ ଛାଡ଼ିଛି । ଫେରିବାକୁ କାହିଁ କେତେ ଦିନ ?

ଏଥର ଜାହାଜରେ ବିଭିନ୍ନ ଦେଶକୁ ଯିବାପାଇଁ ଯାତ୍ରୀ ପ୍ରାୟ ପାଞ୍ଚଶହ ପର୍ଯ୍ୟନ୍ତ । ଜାହାଜର ଚାଳକ, ସାହାଯ୍ୟକାରୀ, ଖଲାସୀ, କର୍ମଚାରୀ ପ୍ରଭୃତି ସମସ୍ତଙ୍କୁ ମିଶାଇଲେ ପ୍ରାୟ ସାତଶହ ପର୍ଯ୍ୟନ୍ତ ଲୋକ । ଏଇ ଜନସମୂହକୁ କୋଳରେ ଧରି ଯନ୍ତ୍ର-ଜୀବ ଅଜନ୍ତା ଭାସି ଚାଲିଚି ଏକମୁହାଁ । ଯାତ୍ରୀମାନେ ଆପଣା ଆପଣା କେବିନରେ ବେଶ୍‌ ଆରାମରେ ଶୋଇ ପଡ଼ିଛନ୍ତି । ଆଗକୁ କୌଣସି ବିପଦର ସୂଚନା ନାହିଁ; ପ୍ରକୃତି ଶାନ୍ତ । ସମୁଦାୟ ଜାହାଜଟି ଆଲୋକିତ । ଡେକ୍‌ ଉପରେ ଜଗୁଆଳ କେତେଜଣ ପଏନ୍ତରା ମାରୁଛନ୍ତି । ସମୁଦ୍ରର ସ୍ଥିର ଜଳରାଶି ଉପରେ ମନ୍ଥର ଗତିରେ ଦୋହଲି ଦୋହଲି ବେଶ୍‌ ଆଗେଇ ଚାଲିଛି ଅଜନ୍ତା ।

ଏତେ ନୀରବତା ସତ୍ତ୍ୱେ ବି ଜାହାଜର ତ୍ରିତଳରେ ଆଲୋକ ଏ ପର୍ଯ୍ୟନ୍ତ ଜଳୁଛି । ତ୍ରିତଳରେ ଗୋଟିଏ ମାତ୍ର କୋଠରୀ । ସେଇଟି କପ୍ତାନ୍‌ ଉଇଲି୍ୟମ୍‌ ଜୋନସ୍‌ଙ୍କର । ଉଇଲିୟମ୍‌ ଜୋନସ୍‌ ଯୁବକ, କାର୍ଯ୍ୟଦକ୍ଷ । ନିଜର ପୋଷାକର ମୂଲ୍ୟବାନ୍‌ ପରିପାଟିର ଊଣା ନଥାଏ କେତେବେଳେ । ମି: ଜୋନସ୍‍ ଇଂଲଣ୍ଡର ଅଧିବାସୀ । ସେ ଥିଲେ ଉଚ୍ଚ ଶିକ୍ଷିତ ଆଉ ସମ୍ଭ୍ରାନ୍ତ ବଂଶଜ । ମାତ୍ର ତାଙ୍କର ଗୋଟାଏ ଅସମ୍ଭବ ରକମର ଦୁର୍ବଳତା ଥିଲା ସ୍ତ୍ରୀ ଜାତି ପ୍ରତି । ସୁନ୍ଦରୀ ସ୍ତ୍ରୀଟିଏ ଦେଖିଲେ ସେ ଜୋକପରି ତା’ରି ପଛରେ ଲାଗି ଯାଉଥିଲେ । କଳେ, କୌଶଳେ ବା ବଳେ, ଯେ କୌଣସି ପ୍ରକାରେ ହେଉ,ତାକୁ ହସ୍ତଗତ କରିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । ତାଙ୍କର କୁଦୃଷ୍ଟିରେ ପଡ଼ି କେତେ ଯେ ଯୁବତୀ ବିପଥଗାମିନୀ ହୋଇଚନ୍ତି, କେତେ ନବପରିଣିତା ଯେ ସ୍ୱାମୀହରା ହୋଇଛନ୍ତି, କେତେ କୁଳକନ୍ୟା କୁଳଭ୍ରଷ୍ଟା ହୋଇଛନ୍ତି ତା’ର ସୀମା ନାହିଁ ।

ମି: ଜୋନସ୍‌ଙ୍କର ଏହି କୁ-ପ୍ରବୃତ୍ତି ଚରିତାର୍ଥ କରାଇବା ନିମିତ୍ତ ତାଙ୍କୁ ଉପଯୁକ୍ତ ସାଥି ଓ ସହକାରୀମାନେ ମଧ୍ୟ ମିଳି ଯାଇଥିଲେ । ସେମାନଙ୍କ ଦ୍ୱାରା ସେ ଶିକାର ଖୋଜାଇ ଧରୁଥିଲେ । ସମୟେ ସମୟେ ଅର୍ଥାଭାବ ମୋଚନ ନିମିତ୍ତ ସେମାନେ ଦସ୍ୟୁବୃତ୍ତି ଯେ କରୁ ନ ଥିଲେ ତାହା ନୁହେଁ । ଅବଶ୍ୟ ଏକଥା କେହି କେବେ ସାହସର ସହିତ କହି ପାରୁ ନ ଥିଲେ । କାରଣ ଉଇଲିୟମ୍‌ ଜୋନସ୍‌ ଥିଲେ ଖୁବ୍‌ ପ୍ରତିଭାଶାଳୀ ଲୋକ ଓ ତାଙ୍କର ସାଥୀମାନେ ମଧ୍ୟ ଥିଲେ ଅତ୍ୟନ୍ତ ଦୁର୍ଦ୍ଧର୍ଷ ।

ଯେଉଁ ରାତିର ଘଟଣା ଏଠାରେ ବର୍ଣ୍ଣନା କରାଯାଇଛି, ସେ ଦିନ ମି: ଜୋନସ୍‌ ଆଉ ତାଙ୍କର ଦୋସ୍ତ ଦୁଇଜଣ ଗଭୀର ଭାବରେ କୌଣସି ବିଷୟର ଆଲୋଚନାରେ ମଗ୍ନ ରହିଥିଲେ । ଟେବୁଲ୍‍କୁ ଘେରି ତିନିଜଣ ବସିଥିଲେ । ଆଗରେ ପୂର୍ଣ୍ଣ ମଦ୍ୟ ପାତ୍ର ରଖାଯାଇଥିଲା । ମ୍ଳାନ ବିଦ୍ୟୁତ୍‌ର ଆଲୋକ ରେଖା ଯେଉଁ ପରିମାଣରେ କେବିନ୍‌ଟିକୁ ଆଲୋକିତ କରି ପାରିଥିଲା ସେତିକିରେ କେବିନ୍‌ର ପ୍ରତ୍ୟେକ ଜିନିଷ ଥିଲା ଅସ୍ପଷ୍ଟ ।

ମି: ଜୋନସ୍‌ ଗ୍ଲାସରେ ମଦ ଢାଳୁ ଢାଳୁ କହିଲେ, ‘‘ତୁ ଯାହା କହ ଫତୁରାମ୍‌ ! ଏମିତିକା ଲେଡି ଖାଲି ଭାରତରେ କାହିଁକି ସାରା ଜଗତରେ ବି ମୁଁ ଦେଖିନି । ତୁ ଫାନ୍ଦ ବସା, ଯିମିତି ଠିକଣା ଜାଗାରେ ଶିକାର ଧରା ପଡ଼ିଯିବ ।’’

‘‘ଆରେ ଜୋନସ୍‍ ସାହେବ ! ତୁମେ ତ ସବୁ ଶିକାରକୁ ସେମିତି ଆଗରୁ ଦେଖି ନ ଥାଅ-। ଫାନ୍ଦ ବସାଇବା କ’ଣ ବଡ଼ କଥା ! ଅବ୍ବି ଚାହିଁଲେ କାମ ଫତେ । କେଉଁ ଦିନ ଦରକାର କହ ?’’ ପାଖରେ ଯେଉଁ ଲୋକଟି ବସିଥିଲା ମୁଣ୍ଡଟା ଥିଲା ତା’ର ଚନ୍ଦା । ଗୋଜିଆ ମୁହଁକୁ ଅଧା ନିଶ; ତାହା ସାଥୀକୁ ଦାମିକା ସାହେବୀ ପୋଷାକ ଆଦୌ ମାନୁ ନଥାଏ । ସେ କହିଲା, ସେସବୁ ବାଜେ ବକା ବକି ଛାଡ଼ । ଅସଲ କଥା ପକା । ଜାହାଜ ଆଉ ପନ୍ଦର ଦିନ ପରେ ଲାଗିବ ଇଂଲଶ୍‌ ଚେନାଲରେ । ସେଠି ପହଞ୍ଚିବାମାତ୍ରେ ହଣ୍ଡର୍‍ସନ୍‌କୁ ତିରିଶ ହଜାର ଟଙ୍କା ରୋକ୍‌ ଠୋକ୍‌ ଦେବାକୁ ହେବ । ତା’ର କିଛି ବ୍ୟବସ୍ଥା କରିଚ ? ଖାଲି ଚିଡ଼ିଆ, ଚିଡ଼ିଆ ! ଚିଡ଼ିଆ !! ତୃତୀୟ ଲୋକଟି କଥା କହିବା ସଙ୍ଗେ ସଙ୍ଗେ ବିରକ୍ତିରେ ଫାଟି ପଡ଼ୁଥାଏ ।

‘‘ଆରେ ସତେ ତ ?’’ ମି: ଜୋନସ୍‍ ଆଉ ଫତୁରାମ୍‌ ଦୁହେଁ ଏକ ସଙ୍ଗରେ କହି ପକାଇଲେ । ଟଙ୍କା କଥା ଶୁଣି ଦୁହିଁଙ୍କ ମୁହଁରୁ ରକ୍ତ ଶୁଖିଗଲା ଯେମିତି । ନିତାନ୍ତ ବିମର୍ଷ ହୋଇ ମି: ଜୋନସ୍‍ କହିଲେ–‘‘ଶୋଭାନ ସିଂ । ତୁମ ଛଡ଼ା ଏ ବିପଦରୁ କେହି ଉଦ୍ଧାର କରିବା ଲୋକ ନାହିଁ । ତୁମେ ଯାହା କରିବ । ଆମକୁ ଏଥିରୁ ଉଦ୍ଧାର କରି ଦୋସ୍ତିର ପରିଚୟ ଦିଅ ।’’

‘‘ସେ ଜମାନା ବଦଳି ଯାଇଛି ମି: ଜୋନସ୍‍ ! ଦିନ ଥିଲା ଯେତେବେଳେ ମୁଁ ଥିଲି ଲକ୍ଷ ଲକ୍ଷ ଟଙ୍କାର ମାଲିକ । କିନ୍ତୁ ନୀଳ ଦରିଆର ଟାପୁ ଯାଇଛି, ତା’ ସାଙ୍ଗରେ ଶୋଭାନ୍‌ ସିଂର ଅକଳନ ସମ୍ପତ୍ତି ବି । ମୋର ସର୍ବନାଶ କରିଚି ଗୋଏନ୍ଦା ମି: ଚୈଧୁରୀ ।’’ ଅତ୍ୟନ୍ତ ନୈରାଶ୍ୟ ଭାବ ଦେଖାଇ କହିଲା ଶୋଭାନ୍‌ ସିଂ ।

‘‘କ’ଣ କରିବା ତେବେ ?’’ –ହତାଶ ହୋଇ ପଚାରିଲେ ମି: ଜୋନସ୍‌ !

‘‘ଉପାୟ ଅଭାବ ନାହିଁ । ଶୋଭାନ୍‌ ସିଂର ଆଜି ଧନ ସିନା ନାହିଁ; କିନ୍ତୁ ମନ କଲେ ସେ ସବୁ କରିପାରେ । ଏକା ରାତିରେ ଅମୀର୍‌ ବି ବନିଯାଇ ପାରେ । ଭାଗ୍ୟ ବଦଳିବା ବଡ଼କଥା ନୁହେଁ ମି: ଜୋନସ୍‌ । ଗୋଟାଏ ଘଣ୍ଟାରେ ସବୁ ଏପାଖ ସେପାଖ–’’ କହିଲା ଶୋଭାନ୍‌ ସିଂ ।

‘‘ତୁମେ ଭରସା ଶୋଭାନ୍‌ ସିଂ ! ଆମର କର୍ତ୍ତବ୍ୟ କିଛି ନାହିଁ ।’’ –ନିତାନ୍ତ ବିମର୍ଷ ହୋଇ କହିଲେ ମି: ଜୋନସ୍‌ ।

‘‘କର୍ତ୍ତବ୍ୟ ନାହିଁ କାହିଁକି ? ଅଲବତ୍‌ ଅଛି । ତୁମେ ଖାଲି ସାହାଯ୍ୟ ଦିଅ, ମୁଁ ସବୁ ଠିକ୍‌ କରିଦେବି ।’’–ଟେବୁଲ୍‍ ଉପରେ ହାତଚାପୁଡ଼ା ମାରି କହିଲା ଶୋଭାନ୍‌ ସିଂ ।

‘‘କ’ଣ ଉପାୟ କରିବାକୁ ହେବ କହ ?’’ –ବ୍ୟଗ୍ରହୋଇ କହିଲେ ମି: ଜୋନସ୍‌ ।

‘‘ଶୁଣ ! କାଲି ‘ଗୋଲଡେନ୍‌ ସ୍ୱାନ୍‌’ ଲଣ୍ଡନ ଛାଡ଼ିଚି । ତା’ର ଆମର ଭେଟ ହେବ ବୋଧହୁଏ ଛଅଦିନ ପରେ । ସେତିକି ବେଳେ ଆମେ ଇଚ୍ଛାକଲେ ସବୁ ହୋଇପାରିବ’’–ଖୁବ୍‌ ନିମ୍ନ ସ୍ୱରରେ କହିଲା ଶୋଭାନ୍‌ ସିଂ ।

‘‘ସେ କ’ଣ ସହଜ ?’’ –ବିସ୍ମୟ ପ୍ରକାଶ କରି ପଚାରିଲେ ମି: ଜୋନସ୍‌ ।

‘‘କଷ୍ଟ କ’ଣ ?’’ –କହିବା ସଙ୍ଗେ ସଙ୍ଗେ ମି: ଜୋନସ୍‌ଙ୍କ କାନ ପାଖକୁ ମୁହଁ ନେଇ ଫୁସ୍‌ଫୁସ୍‌ କରି କେତେ କ’ଣ କହିଲା ଶୋଭାନ୍‌ ସିଂ । କଥା ଶେଷରେ ହସ ଫୁଟି ଉଠିଲା,ମି: ଜୋନସ୍‌ଙ୍କ ମୁହଁରେ । ‘‘ବହୁତ ଆଚ୍ଛା ।’’ କହି ସେ ବୋତଲରୁ ମଦ ଢାଳିଲେ ।

ମିସ୍‌ ସୁନନ୍ଦା ପଟ୍ଟନାୟକ ତାଙ୍କ କେବିନରେ ବସି ଗୋଟାଏ ଇଂରେଜୀ ନଭେଲ୍‌ ଉପରେ ଆଖି ବୁଲାଉ ଥିଲେ । ତାଙ୍କର ଭାବଭଙ୍ଗୀରୁ ଜଣାଯାଉଥିଲା–ଯେପରି ସେ ବହିଟିକୁ ନିତାନ୍ତ ଅନିଚ୍ଛାସତ୍ତ୍ୱେ ଦେଖୁଛନ୍ତି ଖାଲି ସମୟ ଅତିବାହିତ କରିବା ପାଇଁ । ବିରକ୍ତିକର ଜାହାଜଯାତ୍ରା ପାଇଁ ସେ ଆଗରୁ ପ୍ରସ୍ତୁତ ଥିଲେ ସୁଦ୍ଧା ବର୍ତ୍ତମାନ ବଡ଼ ବ୍ୟସ୍ତ ହୋଇ ପଡ଼ିଚନ୍ତି । ସାଙ୍ଗ ନାହିଁ, ସାଥି ନାହିଁ, ସ୍ଥଳ ନାହିଁ, ଯେଉଁଆଡ଼େ ଚାହିଁଲେ ଖାଲି ଅନନ୍ତ ଜଳରାଶି । ନୂଆ ନୂଆ ଦିନେ ଦୁଇଦିନ ଅବଶ୍ୟ ଖୁବ୍‌ ଭଲ ଲାଗୁଥିଲା ମିସ୍‌ ପଟ୍ଟନାୟକଙ୍କୁ, କିନ୍ତୁ ତା’ପରେ ସେ ଖୁବ୍‌ ନିଃସହାୟ ବୋଧ କରୁଚନ୍ତି ନିଜକୁ ।

ମିସ୍‌ ସୁନନ୍ଦା ପଟ୍ଟନାୟକ ଧନକୁବେର ରାୟଚୂଡ଼ାମଣି ହରିଶଙ୍କର ପଟ୍ଟନାୟକଙ୍କର ଏକମାତ୍ର ସନ୍ତାନ, ଅଲୀଅଳ କନ୍ୟା । ପିଲା ଦିନରୁ ଆଭିଜାତ୍ୟ ଓ ପ୍ରାଚୁର୍ଯ୍ୟର କୋଳରେ ବଢ଼ି ଦୁଃଖମୟ ନିଃସଙ୍ଗ ଅନୁଭୂତି କେବେହେଲେ ଲାଭ କରି ନାହାନ୍ତି । ଟେବୁଲ୍‌ ଉପରେ ବହିଟା ଓଲଟାଇ ରଖି ସେ କେବିନ୍‌ର ଝରକା ପାଖରେ ଠିଆହୋଇ ବାହାରକୁ ଚାହିଁଲେ....ଦିଗନ୍ତ ବିସ୍ତାରି ଲହରୀମାଳା ! ବମ୍ବେ ବନ୍ଦରରେ ତାଙ୍କୁ ସେଦିନ ବିଦାୟ ଦେବାବେଳେ ରାୟଚୂଡ଼ାମଣି ହରିଶଙ୍କର ପଟ୍ଟନାୟକଙ୍କ ଛଳ ଛଳ ଆଖିର ଛବି ତାଙ୍କ ଆଖି ଆଗରେ ନାଚିଗଲା । ସେଦିନ ସେ ଭାବିଥିଲେ–ଉଚ୍ଚ ଶିକ୍ଷା ପାଇଁ ବିଦେଶ ନଯିବେ ପଛେ, କିନ୍ତୁ ବାବାଙ୍କୁ ଏ ଅବସ୍ଥାରେ ଛାଡ଼ିଯିବେ ନାହିଁ । କିନ୍ତୁ ଉପାୟ କ’ଣ ? ସବୁ ବ୍ୟବସ୍ଥା ତ ସରିଛି । ହଉ ଦେଖାଯାଉ, ଯୋଡ଼ାଏ ବର୍ଷ ତ । କାଲି ପରି ଗଡ଼ିଯିବ । ଏଇ ସାନ୍ତ୍ୱନା ସେ ଦେଇଥିଲେ ନିଜକୁ । କିନ୍ତୁ ଆଜି ସେ ସାନ୍ତ୍ୱନା ନିଜକୁ ବୋଧ ଦେଉନି-। ପ୍ରତିଟି ମୁହୂର୍ତ୍ତରେ ନିଜର ଘର, ବାପାଙ୍କ କଥା ମନେ ପଡ଼ୁଚି । ସେ ବଡ଼ ଅସୁସ୍ଥ ବୋଧ କରୁଚନ୍ତି ଏଇଥିଲାଗି ।

ମିସ୍‌ ପଟ୍ଟନାୟକ ଉଚ୍ଚ ଶିକ୍ଷିତା । କଲିକତା ଇଉନିଭରସିଟିରେ ଏମ୍‌.ଏ. ପାଶ୍‌ କରିଚନ୍ତି-। ସେ ସୁନ୍ଦରୀ, ବିଂଶତିବର୍ଷ ବୟସ୍କ । ତାଙ୍କ ବାପା କଲିକତାବାସୀ ହରିଶଙ୍କର ପଟ୍ଟନାୟକ–ବିଶାଳ ଭୂ-ସମ୍ପତ୍ତିର ମାଲିକ; ଠିକାଦାର । ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ । ଅଭାବ କ’ଣ ସେ ତାଙ୍କ ଜନ୍ମରୁ ଜାଣି ନାହାନ୍ତି । ଆଜି ସେ ନିଜ ଇଚ୍ଛାରେ ନିଜର ଏକମାତ୍ର ସନ୍ତତିକୁ ଉଚ୍ଚଶିକ୍ଷା ପାଇଁ ବିଲାତ ପଠାଉଚନ୍ତି; ପେଟ ପାଟଣାର ଚିନ୍ତାପାଇଁ ନୁହେଁ, ନିଜ ବଂଶରେ ସ୍ୱୀ-ଶିକ୍ଷାର ମର୍ଯ୍ୟାଦା ରକ୍ଷାପାଇଁ ।

ହରିଶଙ୍କର ପଟ୍ଟନାୟକ କିନ୍ତୁ ଏକମାତ୍ର ସନ୍ତାନକୁ ବିଦେଶକୁ ପଠାଇ ଏତେ ଚିନ୍ତିତ ନୁହନ୍ତି । ତାଙ୍କର ସୁନନ୍ଦାଦେବୀଙ୍କ ଉପରେ ଅଗାଧ ବିଶ୍ୱାସ । ସୁନନ୍ଦାଙ୍କର ଆର୍ଥିକ ଅଭାବ ତ ହେବ ନାହିଁ, ଏକଥା ସେ ଭଲ ଭାବରେ ଜାଣନ୍ତି । ଖାଲି ଚଳିବା କଥା । ସୁନନ୍ଦା ଦେବୀ ଯେପରି ଆଧୁନିକା ଓ ସରଳା ପ୍ରକୃତିର, ସେ ସମସ୍ତଙ୍କ ସାଥିରେ ଭଲ ଭାବରେ ଚଳିପାରିବେ, ଏ ବିଶ୍ୱାସ ଦୃଢ଼ ଥିଲା ତାଙ୍କର । ଏଇ ବିଶ୍ୱାସହିଁ ତାଙ୍କୁ ନିଶ୍ଚିନ୍ତରେ ରହିବାକୁ ଆସ୍ଥା ଦେଇଥିଲା । ଏଥି ସତ୍ତ୍ୱେ ବି ସେ ଅନୁଭବ କରୁଥିଲେ, ତାଙ୍କ ହୃଦୟର କେଉଁ କୋଣ ଯେମିତି ଅପୂର୍ଣ୍ଣ ରହିଯାଇଛି ।

ସୂର୍ଯ୍ୟ ଦିଗ୍‌ବଳୟ ତଳେ ମୁହଁ ଲୁଚାଇଲେଣି କେତେବେଳୁ । କେବିନ୍‌ର କଣେ କଣେ ଅନ୍ଧକାର ରାଜୁତି କରି ଆସୁଚି । ସ୍ୱିଚ୍‌ ଟିପି ଘରଟିକୁ ଆଲୋକିତ କଲେ ମିସେସ୍‌ ପଟ୍ଟନାୟକ । ତା’ପରେ ଶାଲ ଖଣ୍ଡି ଦେହରେ ପକାଇ ଟିକେ ବୁଲିଆସିବାପାଇଁ ଚାଲି ଆସିଲେ ଡେକ୍‌ ଉପରକୁ ।

ଡେକ୍‌ ଉପରଟା ବିଜୁଳି ଆଲୋକରେ ଉଦ୍‌ଭାସିତ । ବହୁତ ଲୋକ ଚଲାବୁଲା କରୁଥାନ୍ତି ବା କେହି କେହି ବସି ବସି ନୀଳ ସମୁଦ୍ରର ଶୋଭା ଉପଭୋଗ କରିବାରେ ଲାଗିଥାନ୍ତି । ମିସ୍‌ ପଟ୍ଟନାୟକ ବି ଗୋଟିଏ ବେଞ୍ଚ୍‌ ଦଖଲକରି ନୀଳ ସମୁଦ୍ରର ଶୋଭା ଉପଭୋଗ କରିବାରେ ଲାଗିଲେ ।

 

ପାଖ ବେଞ୍ଚରେ ବସିଥିଲେ ଜଣେ ସୌମ୍ୟ ଦର୍ଶନ ଯୁବକ । ଦେହରେ ତାଙ୍କର ସାହେବୀ ପୋଷାକ । ସେ ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ଥରେ ଥରେ କଣେଇ କଣେଇ ମିସ୍‌ ପଟ୍ଟନାୟକଙ୍କ ଆଡ଼କୁ ଚାହୁଁଛନ୍ତି । ମିସ୍‌ ପଟ୍ଟନାୟକ ତାହା ଲକ୍ଷ୍ୟ କରି ପାରିଥିଲେ ସୁଦ୍ଧା ସେଥିରୁ ନିଜକୁ ବଞ୍ଚାଇବାକୁ ଆଦୌ ଇଚ୍ଛା କରୁ ନ ଥିଲେ । କାରଣ ଏଇ କେତେଦିନ ଖୁସି ଗପରେ କଟାଇ ଦେବାକୁ ସେ ଜଣେ ବନ୍ଧୁ ଲୋଡ଼ୁଥିଲେ । ତେଣୁ ଯୁବକଙ୍କର ଏହି ଭଙ୍ଗୀ ତାଙ୍କୁ ବେଶ୍‌ ଆମୋଦଦାୟକ ବୋଧ ହେଉଥିଲା ।

 

‘‘ଆପଣ ଓଡ଼ିଆ ବୋଧହୁଏ ?’’ ନିତାନ୍ତ ଅପ୍ରତ୍ୟାଶିତ ଭାବରେ ଯୁବକ ଜଣକ ପ୍ରଶ୍ନ କଲେ ।

 

ଯୁବକଙ୍କ ପ୍ରଶ୍ନରେ ମିସ୍‌ ପଟ୍ଟନାୟକଙ୍କ ମନରେ ଆଶାର ସଞ୍ଚାର ହେଲା । ସେ ମୁହଁ ଫେରାଇ ଦେଖିଲେ ଯୁବକ ତାଙ୍କରି ଆଡ଼କୁ ଏକ ଧ୍ୟାନରେ ଚାହିଁଛନ୍ତି । ତାଙ୍କର ମୁହଁରୁ କଥା ବାହାରିଲା ନାହିଁ । ଖାଲି ସମ୍ମତିସୂଚକ ମୁଣ୍ଡଟି ହଲାଇଦେଲେ । ତା’ପରେ ଦୁହେଁ ଏକଜାତୀୟ ବୋଲି ଆଳାପରେ ମାତି ରହିଲେ । ମିସ୍‌ ସୁନନ୍ଦା ଯୁବକଙ୍କ ବିଷୟରେ ଏତିକି ଜାଣିଲେ ଯେ, ତାଙ୍କର ନାମ ସୁଶୀଲ ମହାପାତ୍ର । ଇଉନିଭରସିଟିର ଜଣେ କୃତିଛାତ୍ର ସେ । ଏହି ନାମ ମିସ୍ ପଟ୍ଟନାୟକ ଖବର କାଗଜରୁ ପାଇଥିଲେ । ମାତ୍ର ସାକ୍ଷାତର ସୁଯୋଗ ପାଇ ନ ଥିଲେ । ମି: ମହାପାତ୍ର ଉଚ୍ଚ ଶିକ୍ଷା ପାଇବାପାଇଁ ସରକାରୀ ବୃତ୍ତି-ପାଇ ଆମେରିକା ଯାତ୍ରା କରୁଚନ୍ତି । ମିସ୍‌ ପଟ୍ଟନାୟକ ମଧ୍ୟ ଉପରୋକ୍ତ ସ୍ଥାନକୁ ଯାତ୍ରା କରୁଚନ୍ତି । ମାତ୍ର ଶିକ୍ଷାସ୍ଥଳୀ ଅଲଗା ହେଉପଛେ, ସେଥିରେ କିଛି ବିଶେଷ ଯା’ଆସ ନାହିଁ, ଦୁହେଁ ଗୋଟିଏ ପଥର ଯାତ୍ରୀ ତ ? ବର୍ଷ ଦୁଇଟା ବେଶ୍‌ କଟିଯିବ ।

 

ଦୁହିଁଙ୍କ ଭିତରେ ଆଳାପ ଜମିଥିଲା ବେଶ୍‌ ଖୁସିରେ । ମି: ମହାପାତ୍ର ମଧ୍ୟ ଥିଲେ ଜଣେ ଫାଷ୍ଟକ୍ଲାସ୍‌ ଯାତ୍ରୀ । ଦୁହିଁଙ୍କର କେବିନ୍‌ ମଧ୍ୟ ଅଳ୍ପ ବ୍ୟବଧାନରେ । ସେହି ଦୃଷ୍ଟିରୁ ଘନିଷ୍ଠତା ଆହୁରି ଟିକିଏ ନିବିଡ଼ ହୋଇଉଠିଥିଲା ।

 

-ଦୁଇ-

 

ସୁନୀଳ ସାଗରର ଛାତି ଚିରି ଚାଲିଥିଲା ‘‘ଗୋଲଡେନ୍‌ ସ୍ୱାନ୍‌ ।’’ ପାଶ୍ଚାତ୍ୟ ଧନରେ ଗଠିତ ପାଶ୍ଚାତ୍ୟ କମ୍ପାନୀର ଏହି ବୃହତ୍‌ ଜାହାଜଟି । ଯାତ୍ରା ତା’ର ବମ୍ବେ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ । ଯାତ୍ରୀ ଅଧିକାଂଶ ଭାରତୀୟ । ଭାରତୀୟମାନଙ୍କ ମଧ୍ୟରେ ବହୁସଂଖ୍ୟକ ହେଉଛନ୍ତି ଧନୀ-ବ୍ୟବସାୟୀ । ଅବଶିଷ୍ଟ ଶିକ୍ଷାର୍ଥୀ ଓ ବୈଦ୍ୟୁତିକ ଦୁତାବାସର କର୍ମଚାରୀ, ଦୀର୍ଘ ଦିନର ରହଣି ପରେ ଫେରୁଚନ୍ତି ସ୍ୱ-ଦେଶକୁ ।

ଗୋଲଡେନ୍‍ ସ୍ୱାନ୍‍ର କପ୍ତାନ୍‍ ସାର୍‌ ହଣ୍ଡର୍‍ସନ୍‌ ବୃଦ୍ଧ । ବୃଦ୍ଧ କହିଲେ ଠିକ୍‌ ହେବନି କେବେ–କାରଣ ବୟସ ତାଙ୍କର ପଚାଶ ଉପରେ ହେଲେ ମଧ୍ୟ ଦେହର ଗଠନ ଦେଖିଲେ ଯେ କେହି ତାଙ୍କୁ ପଇଁତିରିଶରୁ ଚାଳିଶ ବର୍ଷ ଭିତରେ ଅନୁମାନ କରିବ । ସେ ଦୂରଦୃଷ୍ଟି ସମ୍ପନ୍ନ, ବିଚକ୍ଷଣ, କର୍ତ୍ତବ୍ୟପରାୟଣ ଓ ଖୁବ୍‌ ଭଦ୍ର । ତାଙ୍କର ବ୍ୟବହାର ଅତି ଅମାୟିକ । ଯେ କୌଣସି ପ୍ରକୃତିର ଲୋକ ହେଉ ପଛେ, ତାଙ୍କ ସହିତ ସାମାନ୍ୟ ଆଳାପରେ ମୁଗ୍‌ଧ ନହୋଇ ରହିପାରେନା-। ଜାହାଜର କପ୍ତାନ୍‌ ହିସାବରେ ମଧ୍ୟ ସେ ଅତି କର୍ତ୍ତବ୍ୟ ପରାୟଣ । ତାଙ୍କ ତତ୍ୱାବଧାନରେ ଯାତ୍ରୀମାନେ ନିଜକୁ ନିରାପଦ ମନେକରନ୍ତି । ଜାହାଜ କମ୍ପାନୀର କର୍ମକର୍ତ୍ତାମାନେ ତାଙ୍କୁ ଯେପରି ବିଶ୍ୱାସ କରନ୍ତି ସେପରି ସମ୍ମାନ ମଧ୍ୟ କରନ୍ତି ।

ସେ ଦିନସାରା ଥିଲା ଆକାଶ ମେଘାଚ୍ଛନ୍ନ । ସମୁଦ୍ରର ଶାନ୍ତ ଜଳରାଶି ଉପରେ ଜାହାଜ ବେଶ୍‌ ଖୁସିରେ ଚାଲିଥିଲା । ମାତ୍ର ସୂର୍ଯ୍ୟ ଅସ୍ତହେବା ସଙ୍ଗେ ସଙ୍ଗେ ଖୁବ୍‌ ଧୀରେ ଧୀରେ ପବନ ଟିକେ ବହିବାକୁ ଲାଗିଲା । ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ପବନର ବେଗ ଝଡ଼ର ଆକାର ଧାରଣା କଲା । ତା’ପରେ ବର୍ଷା । ସାର୍‌ ହଣ୍ଡର୍‍ସନ୍‌ ପ୍ରମାଦ ଗଣିଲେ–କିଛି ବିପଦ ଘଟିବ ନାହିଁ ତ ? ସେ ଓୟାରଲେସ୍‌ଟି ଫିଟାଇ ପାଗର ସମ୍ବାଦ ନେଲେ, ନିକଟବର୍ତ୍ତୀ ଜାହାଜ ‘ଅଜନ୍ତା’ରୁ–‘ଝଡ଼ ଅବିଶ୍ରାନ୍ତ ଲାଗିରହିଚି ।’ –ତେବେ ଅଜନ୍ତା ମଧ୍ୟ ଅଳ୍ପ ଦୂରରେ ଲଙ୍ଗର କରି ରହିଚି;–‘ହଉ ଦେଖାଯାଉ !’ ଅସ୍ପଷ୍ଟ ସ୍ୱରରେ ଏତକ କହି ସେ ଓୟାରଲେସ୍‌ଟିକୁ ବନ୍ଦ କରି ବିପଦ ଘଣ୍ଟିର ସ୍ୱିଚରେ ହାତମାରିଲେ-

ବିପଦ ଘଣ୍ଟିଟା ସଶବ୍ଦରେ ଗର୍ଜି ଉଠିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଯାତ୍ରୀଙ୍କ ହୃଦୟ କେଉଁ ଏକ ଅଜଣା ଆଶଙ୍କାରେ ଶିହରି ଉଠିଲା । ସମସ୍ତେ ଘଟଣାଟା କ’ଣ ଜାଣିବାପାଇଁ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲେ । କେହି କେହି ବା ନିଜ କେବିନ୍‌ରୁ ବାହାରି କପ୍ତାନ୍‍ଙ୍କ କୋଠରୀ ପର୍ଯ୍ୟନ୍ତ ଘଟଣାଟା ସମ୍ବନ୍ଧରେ ସନ୍ଧାନ ନେବାକୁ ଧାଇଁଗଲେ । ନିର୍ଦ୍ଦେଶ କ୍ରମେ ଜାହାଜର ଖଲାସୀ, କୁଲିମାନେ ରବର ଥଳିଆମାନ କାଖରେ ଜାକିଧରି ଡେକ୍‌ ଉପରେ ଧାଡ଼ି ବାନ୍ଧି ଠିଆ ହୋଇଗଲେ-

ଅଳ୍ପ ସମୟ ପରେ ସମସ୍ତଙ୍କ ମନର ଉଦ୍‌ବିଘ୍ନତା ମେଣ୍ଟାଇ ଦେଇ କପ୍ତାନ୍‌ ସାର୍‌ ହଣ୍ଡର୍‍ସନ୍‍ ପ୍ରକାଶ କଲେ–‘‘ବର୍ତ୍ତମାନ ଆମ ଜାହାଜ ଏକ ବେଗବାନ୍‌ ଝଡ଼ର ସମ୍ମୁଖୀନ । ଆଶଙ୍କାର କାରଣ ବିଶେଷ ନାହଁ ଯଦିଓ, ତେବେ ସମ୍ପୂର୍ଣ୍ଣ ନିରାପଦ ବୋଲି କେହି ଯେପରି ନିଜକୁ ମନେ ନ କରନ୍ତି ।’’

ଯାତ୍ରୀମାନେ ନିତାନ୍ତ ଆଶଙ୍କାକୁଳିତ ହୃଦୟରେ ଯେ ଯାହାର କେବିନରେ ଚୁପ୍‌ଚାପ୍‌ ବସିରହିଲେ । କେହି କେହି ଧାର୍ମିକ ଯାତ୍ରୀ ଗୀତା, ରାମାୟଣ ପାଠରେ ମନପ୍ରାଣ ଢାଳିଦେଲେ; କେହି ବା ଭାବି-ବିପଦରେ ଆଶଙ୍କାରେ କାନ୍ଦିବାରେ ଲାଗିଲେ ।

ସହସ୍ରାଧିକ ଯାତ୍ରୀ-ମୁଖର ବିଶାଳ ଜାହାଜଟି ଏ ସମ୍ବାଦରେ ସମ୍ପୂର୍ଣ୍ଣ ନୀରବ ହୋଇଗଲା-। ଲୋକପୂର୍ଣ୍ଣ ଡେକ୍‌ଗୁଡ଼ିକ କେଇଟି ମୁହୂର୍ତ୍ତ ମଧ୍ୟରେ ହେଲା ନିର୍ଜନ । କେବଳ ଜଣେ ଦୁଇଜଣ ଜଗୁଆଳି ବର୍ଷାତିରେ ଦେହକୁ ଆବୃତ କରି ପଏନ୍ତରା ଦେବା ଛଡ଼ା ବାହାରେ ଆଉ କେହି ରହିଲେ ନାହିଁ । ସବା ଉପର ମହଲାରେ ସାର୍‌ ହଣ୍ଡର୍‍ସନ୍‌ ଓୟାରଲେସ୍‌ର ଯୋଗାଯୋଗ ନିକଟତମ ଜାହାଜ ଅଜନ୍ତା ସହିତ ସ୍ଥାପନ କରି ଝଡ଼ର ବେଗ ନିରୂପଣ କରୁଥାନ୍ତି । –‘‘ଝଡ଼ର ବେଗ ବଢ଼ୁଛି; ତା’ରି ସାଙ୍ଗରେ ତାଳ ଦେଇ ଶାନ୍ତ ସମୁଦ୍ର ଆଜି ଉନ୍ମତ୍ତ ହୋଇଛି ।’’

 

ରାତି ଗୋଟାଏ । ଝଡ଼ର ବେଗ କମିଛି । ଆଶଙ୍କାର କୌଣସି କାରଣ ନାହିଁ । ସାର୍‌ ହଣ୍ଡର୍‍ସନ୍‌ ଖବର ନେଇ ବୁଝିଲେ–ଆଗାମୀ ଛତିଶ ଘଣ୍ଟା ମଧ୍ୟରେ ଆଉ ଝଡ଼ ବର୍ଷାର ସମ୍ଭାବନା ନାହିଁ । ଏଥର ଜାହାଜ ଛାଡ଼ିବ । ଯାତ୍ରୀମାନେ ଏ ସମ୍ବାଦ ପାଇବାମାତ୍ରେ ଆଶ୍ୱସ୍ତିର ନିଃଶ୍ୱାସ ପକାଇଲେ । ଯାହାହେଉ, ଗୋଟାଏ ବିପଦରୁ ରକ୍ଷା ପାଇଲା ମଣିଷ । ଏଥର ଟିକିଏ ଶୋଇବାକୁ ଅବସର ହେଲେ ମିଳିବ । ଯାତ୍ରୀମାନେ ନିଶ୍ଚିନ୍ତରେ ଆପଣା ଆପଣା ବିଛଣା ଧରିନେଲେଣି । ଘନ ଘନ ସିଟି ଦେଇ ଜାହାଜ ଛାଡ଼ିବାକୁ ପ୍ରସ୍ତୁତ ହେଉଚି । ଆକାଶରୁ ମେଘ ହଟିଯାଇ ତାରକାପୁଞ୍ଜ ମୁହଁ ଦେଖାଉଛନ୍ତି । କ୍ରମେ ବାହାରେ କୁଲି, ଖଲାସୀ ଯେ କେତେଜଣ ଲଣ୍ଡଭଣ୍ଡ ହେଉଥିଲେ, ସେମାନେ ଗଲେଣି ଶୋଇବାକୁ କେତେବେଳୁ । ଚାରିଆଡ଼ ଶୂନ୍‌ଶାନ୍‌, ଅଧିକାଂଶ କେବିନ୍‌ରୁ ଆଲୁଅ ଲିଭିଗଲାଣି । ଅଳ୍ପ କେତୋଟି ଆଲୋକ ବାହାରେ ଜଳୁଛି । ଜାହାଜର ହେଡ୍‍ଲାଇଟ୍‌ଟା ନୀଳ ସମୁଦ୍ର ଉପରେ ବିସ୍ତୃତ ହୋଇ ପଡ଼ିଛି ବହୁ ଦୂରଯାଏ । ସବୁ ନିଃଶବ୍ଦ । ଖାଲି ଇଞ୍ଜିନ୍‌ର ସେଁ ସେଁ ଶବ୍ଦ ଆଉ ଚାଳକ, ସାହାଯ୍ୟକାରୀ କେଇଜଣଙ୍କର ଟୁପ୍‌ଟାପ୍‌ କଥାବାର୍ତ୍ତା ଛଡ଼ା ଆଉ କିଛି ଶୁଣାଯାଉନାହିଁ ସେପଟେ ।

 

ସେଇ ନିବିଡ଼ ନିର୍ଜନତା ଆଉ ଅନ୍ଧକାର ଭିତରେ ଶକ୍ତିଶାଳୀ ମଟରଲଞ୍ଚ୍‌ ଖଣ୍ଡିଏ ଜାହାଜର ପଛପଟେ ଲାଗିଲା । ଲଞ୍ଚ୍‍ଟା ଘୋର ଅନ୍ଧକାର । ଆଲୁଅ ଗୋଟାଏ ହେଲେ ନାହିଁ । ଆରୋହୀମାନେ ସମସ୍ତେ କଳା ପୋଷାକରେ ଆବୃତ । ମୁହଁରେ କଳା ମୁଖାମାନ । ଖୁବ୍‌ ସତର୍କତାର ସହିତ ଜାହାଜର କଡ଼େ କଡ଼େ ଲକ୍ଷ୍ୟ କରି ଲଞ୍ଚ୍‍ଟି ଆଗେଇ ଯାଉଥିଲା ଇଞ୍ଜିନ୍‌ ଘରଆଡ଼େ । ଜାହାଜର ଠିକ୍‌ ମଝା ମଝିରେ ଠକ୍‌ କରି ସ୍ଥିର ହୋଇଗଲା ଲଞ୍ଚ୍‍ଟା । ଜାହାଜ ଉପରୁ ଝୁଲିଆସିଚି ଦଉଡ଼ିଟାଏ । ହୁଏ ତ ଜାହାଜର ତଳିରେ ରଙ୍ଗ ଦେଇସାରି ଖଲାସୀମାନେ ସେଟା ଉଠାଇ ନେଇ ନାହାନ୍ତି ।

 

ଯାହାହେଉ, ଲଞ୍ଚ୍‍ରୁ କଳା ପୋଷାକଧାରୀ ଆରୋହୀମାନେ ଗୋଟି ଗୋଟି ହୋଇ ସେଇ ଦଉଡ଼ିକୁ ଧରି ଉପରକୁ ଉଠିଗଲେ । ତା’ପରେ ଯେ ଯାହାର ସୁବିଧା ଅନୁସାରେ ଜାହାଜର ଚାରିପଟେ ଜଗିଗଲେ । ଏତେ ଅଳ୍ପ ସମୟ ମଧ୍ୟରେ ଏତେଗୁଡ଼ାଏ କାମ ସମ୍ପନ୍ନ ହୋଇଗଲା ଯେ, କେହି ତା’ର ପତ୍ତା ସୁଦ୍ଧା ପାଇପାରିଲେ ନାହିଁ ।

 

ପ୍ରାୟ ଦଶ ପନ୍ଦର ମିନିଟ୍‍ ପରେ ଇଞ୍ଜିନ୍‍ ଘର ନିକଟରେ ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଗଲା । ଶବ୍ଦ ସଙ୍ଗେ ସଙ୍ଗେ ଉତ୍କଟ ଗନ୍ଧ ଚାରିଆଡ଼େ ଖେଳିଗଲା । ଠିକ୍‌ ତା’ର ପରମୁହୂର୍ତ୍ତରେ ସମୁଦାୟ ଜାହାଜର ବିଜୁଳିବତୀଗୁଡ଼ା ଦପ୍‌କରି ଲିଭିଗଲା ।

 

ଏ ପ୍ରକାର ଆକସ୍ମିକ ଦୁର୍ଘଟଣାରେ ସାର୍‌ ହଣ୍ଡର୍‍ସନ୍‌ ଅତି ବିଚଳିତ ହୋଇ ଘଟଣାଟା କ’ଣ ଜାଣିବାପାଇଁ ବ୍ୟସ୍ତ ହୋଇ ନିଜ କେବିନ୍‌ର ଦ୍ୱାର ଖୋଲିବାମାତ୍ରେ କାହାର ପ୍ରଚଣ୍ଡ ମୁଷ୍ଟି ଆଘାତରେ ସଜ୍ଞାହୀନ ହୋଇ ତଳେ ଲୋଟିପଡ଼ିଲେ । ଏଣେ ବାହାରେ ଗାର୍ଡ଼ମାନଙ୍କର ଚିତ୍କାର । ତା’ ସାଙ୍ଗକୁ ଗୁଳି ଫୁଟିବାର ଗୁଡ଼ୁମ୍‌ ଗୁଡ଼ୁମ୍‌ ଶବ୍ଦ ଓ ଯାତ୍ରୀମାନଙ୍କର ଚିତ୍କାର ମିଶି ଗୋଟାଏ ବିରାଟ କୋଳାହଳ ସୃଷ୍ଟି କଲା ନିର୍ଜନ ସାଗର ବକ୍ଷରେ ।

 

ପନ୍ଦର ମିନିଟ୍‍ ମଧ୍ୟରେ ସବୁ ଶେଷ । ପୁଣି ଲାଗେ ଲାଗେ ଦୁଇ ତିନିଟା ଭୟଙ୍କର ବିସ୍ଫୋରଣ ହେଲା ଜାହାଜ ଉପରେ । ତା’ ସଙ୍ଗେ ଲଞ୍ଚ୍‍ଟି ଦ୍ରୁତ ଗତିରେ ଆଗେଇ ଚାଲିଲା ସେଇ ଘୋର ଅନ୍ଧାର ଭିତରେ । ବିସ୍ଫୋରଣ ଫଳରେ ଜାହାଜରେ ଭୟକାତର ଯାତ୍ରୀମାନେ ଭୟର ଶେଷ ସୀମାରେ ପହଞ୍ଚି ଯାଇଥିଲେ । କେଇ ମୁହୂର୍ତ୍ତ ପର୍ଯ୍ୟନ୍ତ ଘଟଣାଟା କ’ଣ ଘଟୁଚି ବୁଝିବା ସେମାନଙ୍କ ପକ୍ଷରେ ମହା ସମସ୍ୟା ହୋଇ ପଡ଼ିଥିଲା । ଯେତେବେଳେ ଭୟର ପ୍ରଭାବ କମିଗଲା, ସମସ୍ତେ ଏକାଥରକେ ଚିତ୍କାର କରିଉଠିଲେ । ଯେ କେତେ ଜଣ ସାହସୀ କୁଲି, ଖଲାସୀ ଥିଲେ, ସେମାନେ ବଡ଼ ବଡ଼ ଟର୍ଚ୍ଚଲାଇଟ ଆଣି ସମୁଦ୍ର ଉପରକୁ ପକାଇଲେ; କିନ୍ତୁ କାହିଁ ? କାହାରି ଚିହ୍ନ ବର୍ଣ୍ଣ ତ ନାହିଁ-। ସବୁ ଯେପରି ସମୁଦ୍ରର ଅତଳ ଗର୍ଭରେ ଅଦୃଶ୍ୟ ହୋଇଯାଇଚି ।

 

ସକାଳ ହେଲାବେଳକୁ ଅଳ୍ପ କେତେଜଣ ସାହସୀ ଯାତ୍ରୀ ଉଠି ଡେକ୍‌ ଉପରେ ଶଙ୍କିତ ହୃଦୟରେ ବୁଲା ବୁଲି ଆରମ୍ଭ କଲେ । ତାଙ୍କ ଦେଖାଦେଖି ଅନ୍ୟମାନେ ବି ବାହାରି ପଡ଼ିଲେ । ଇଞ୍ଜିନ୍‌ ଘରେ ସବୁ ଚୁପ୍‌ଚାପ୍‌ । ଜାହାଜ ଚାଲିବାକୁ ନାହିଁ । ଏଣେ କପ୍ତାନ୍‍ଙ୍କର ମଧ୍ୟ ଏତେବେଳେଯାଏ ଦେଖାନାହିଁ । ଜଣେ ଦୁଇ ଜଣ ତାଙ୍କ କୋଠରୀ ଆଡ଼କୁ ଧାଇଁଲେ ।

 

ସାର୍‌ ହଣ୍ଡର୍‍ସନ୍‌ଙ୍କର ଚେତା ଫେରି ନଥିଲା ସେତେବେଳକୁ । ଇଞ୍ଜିନ୍‌ ଘରେ ଜାହାଜ ଚାଳକ ଆଉ ସାହାଯ୍ୟକାରୀମାନେ ମଧ୍ୟ ବିଷାକ୍ତ ବାଷ୍ପ ପ୍ରୟୋଗ ଫଳରେ ବେହୋସ୍‌ । କେତେଜଣ ଯାତ୍ରୀଙ୍କର ଶୁଶ୍ରୂଷା ଫଳରେ ସାର୍‌ ହଣ୍ଡର୍‍ସନ୍‌, ଇଞ୍ଜିନ୍‌ ଚାଳକ ଓ ସାହାଯ୍ୟକାରୀମାନଙ୍କର ଚେତା ଫେରି ଆସୁଥିଲା କ୍ରମେ ।

 

ତିନି ଘଣ୍ଟା ପରେ....

 

ସାର୍‌ ହଣ୍ଡର୍‍ସନ୍‌ ଜ୍ଞାନ ଫେରି ପାଇଲେଣି ଯଦିଓ, ତଥାପି ଦୁର୍ବଳତା ଯୋଗୁ ସେ ବିଶେଷ କଥାବାର୍ତ୍ତା କରିପାରୁ ନ ଥାନ୍ତି । ତଥାପି କର୍ତ୍ତବ୍ୟତ ଅଛି ? ଶହ ଶହ ଯାତ୍ରୀଙ୍କର ପ୍ରାଣରକ୍ଷା ଦାୟିତ୍ୱ ତାଙ୍କ ଉପରେ । କୌଣସି ପ୍ରକାରେ ନିଜର କେବିନ୍‌ ଭିତରକୁ ଯାଇ ଓୟାରଲେସ୍‌ ଲାଇନ୍‌ ଧରାଇଲେ–ପାଖ ସାହାଯ୍ୟ କେନ୍ଦ୍ରକୁ । ଖୁବ୍‌ ଶୀଘ୍ର ସାହାଯ୍ୟ ଆସୁଥିବାର ପ୍ରତିଶ୍ରୁତି ପାଇ ସେ ଟିକିଏ ଆଶ୍ୱସ୍ତ ହେଲେ ।

 

ଯଥାର୍ଥରେ ସାହାଯ୍ୟ ଆସିବା ମଧ୍ୟ ଡେରି ହେଲାନି । ଗୋଟାଏ ରିଲଫ୍‍ ଲଞ୍ଚରେ ଡାକ୍ତର, ପୋଲିସ୍‍ ଆସି ପହଞ୍ଚିଗଲେ । ଧମାଧମ୍‌ ଅନୁସନ୍ଧାନ କରାଗଲା । ଯୁବକ ପୋଲିସ୍‍ ଅଫିସ୍‍ର ଜନ୍‌ ଡେଭିଡ୍‍ଙ୍କ ତୀକ୍ଷ୍ଣ ଅନୁସନ୍ଧିତ୍ସୁ ଦୃଷ୍ଟି ପ୍ରତିଟି ବିଷୟ ଉପରେ ତନ୍ନ ତନ୍ନ କରି ବୁଲିଗଲା ଥରେ । ତାଙ୍କର ବାହାର ଅନୁସନ୍ଧାନ ଶେଷ ହେବାପରେ ସେ ଜଣ ଜଣ କରି ଯାତ୍ରୀମାନଙ୍କଠାରୁ ସାକ୍ଷ୍ୟ ନେଲେ । ଦସ୍ୟୁମାନଙ୍କୁ କଳା ପୋଷାକରେ ଆବୃତ ଥିବା ଛଡ଼ା ଆଉ ବିଶେଷ କିଛି ଦେଖିବା ବିଷୟରେ ସେମାନଙ୍କଠାରୁ ଜଣାଗଲା ନାହିଁ ।

 

ଜନ୍‌ ଡେଭିଡ୍‍ କେବିନ୍‌ଗୁଡ଼ାକ ଥରେ ଦେଖି ନେବାକୁ ସ୍ଥିର କରି ଆପଣା ବସିବା ସ୍ଥାନରୁ ଉଠିଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଯାତ୍ରୀଙ୍କର ନାମ ଓ ତାଲିକା ଅନୁସାରେ ସେ ଜଣ ଜଣ କରି ଯାତ୍ରୀଙ୍କୁ ତଲାସ କଲେ । ତୃତୀୟ ଶ୍ରେଣୀ, ତା’ପରେ ଦ୍ୱିତୀୟ ଶ୍ରେଣୀ, ସବା ଶେଷରେ ପ୍ରଥମ ଶ୍ରେଣୀ କେବିନ୍‌ଗୁଡ଼ିକ ଆଡ଼କୁ ସେ ଚାଲିଲେ ।

 

ଗୋଲଡେନ୍‍ ସ୍ୱାନରେ ପ୍ରଥମଶ୍ରେଣୀ କେବିନ୍‌ର ସଂଖ୍ୟା ବେଶି ଥିଲେ ମଧ୍ୟ ସେଥିର ପ୍ରଥମ ଶ୍ରେଣୀ ଯାତ୍ରୀ ଥିଲେ ମାତ୍ର ଚାରିଜଣ । ସେଥିରୁ ତିନିଜଣ ଭାରତୀୟ ଅଫିସ୍‍ର । ଜଣେ ବମ୍ବେର ବିଶିଷ୍ଟ ବ୍ୟବସାୟୀ ମାଣିକ ଲାଲ୍‌ ।

 

ସେଠ୍‌ ମାଣିକ ଲାଲ୍‌ ଆସୁଥିଲେ ଲଣ୍ଡନରୁ । ଭାରତର ପ୍ରଧାନ ସ୍ୱର୍ଣ୍ଣ ବ୍ୟବସାୟୀ ସେ । ଉଭୟ ଦେଶର ଅନୁମତି କ୍ରମେ ସେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ସୁନା ଧରି ଆସୁଥିଲେ ସେଇ ଜାହାଜରେ ଲଣ୍ଡନରୁ ଭାରତକୁ ! ସତେଇଶି ନମ୍ବର କେବିନ୍‌ଟା ତାଙ୍କର ରିଜର୍ଭ । ଜନ୍‌ ଡେଭିଡ୍‍ ସବୁ କେବିନ୍‌ଗୁଡ଼ିକ ଦେଖି ସାରିବା ପରେ ସେଇ କେବିନ୍‌ ନିକଟରେ ପହଞ୍ଚିଲେ । କାରଣ ସେହିଟାହିଁ ଥିଲା ଶେଷ କେବିନ୍‌ ।

 

କିନ୍ତୁ କେବିନ୍‌ ଆଗରେ ପହଞ୍ଚି ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କି ଆଶ୍ଚର୍ଯ୍ୟ । କେବିନ୍‌ର ଦ୍ୱାର ଏ ପର୍ଯ୍ୟନ୍ତ ବନ୍ଦ୍‍ ଅଛି । ରାତିରେ ଏତେ ଗଣ୍ଡଗୋଳରେ କ’ଣ ୟାଙ୍କର ନିଦ ଭାଙ୍ଗି ନାହିଁ । ନା ଭୟ ଯୋଗୁ ଏ ପର୍ଯ୍ୟନ୍ତ ଉଠିବାକୁ ସାହସ କରୁ ନାହାନ୍ତି ? ଜନ୍‌ ଡେଭିଡ୍‍ ଦରଜାରେ ହାତ ମାରିଲେ । ଦରଜାଟା ଆପଣା ଛାଏଁ ଖୋଲିଗଲା । ଦୁଆରଠାରୁ କୋଠରୀ ଭିତରଟା ସ୍ପଷ୍ଟ ବାରି ହୋଇ ଯାଉଥାଏ । ସେ ଦେଖିଲେ ଭିତରେ ଛାଇ ଅନ୍ଧାର ଘୋଟି ରହିଛି । ତାଙ୍କ ଆଦେଶରେ ଜଣେ ପୋଲିସ୍‍ ଭିତରକୁ ଯାଇ ସ୍ୱିଚ୍‌ ଟିପିଦେଲା । ସଙ୍ଗେ ସଙ୍ଗେ ଆଲୁଅ ବିଛାଡ଼ି ହୋଇ ପଡ଼ିଲା କୋଠରୀଟା ସାରା । ପୋଲିସ୍‍ ଜଣକ ସେ କୋଠରୀଟା ଭିତରେ ଥରେ ଆଖି ବୁଲେଇ ନେଇ ଚିତ୍କାରଟାଏ କରି ଏକାଥରେ ବାହାରେ ହାଜର । ଘଟଣାଟା କ’ଣ ଜାଣିବା ପାଇଁ ଉତ୍ସୁକ ହୋଇ ଜନ୍‌ ଡେଭିଡ୍‍ ଦରଜା ନିକଟରେ ମୁଣ୍ଡ ଗଳାଇ ଦେଖିଲେ–ଦୁଇଟି ମୃତ ଦେହ ଗୋଟିଏ ଖଟିଆ ଉପରେ । ଗୋଟାକର ଛାତିରେ ଛୁରୀଟାଏ ଲାଖି ରହିଚି; ଆଉ ଗୋଟାଏ ତଳେ ଲମ୍ବ ହୋଇ ପଡ଼ିଚି–ସମଗ୍ର ଶରୀରଟା ତା’ର କଳା ପୋଷାକରେ ଆବୃତ ।

 

ଜନ୍‌ ଡେଭିଡ୍‍ ଘଟଣାଟା ଆଉ ଟିକିଏ ଭଲଭାବରେ ଜାଣିବା ପାଇଁ କୋଠରୀ ଭିତରକୁ ପାଦ ପକାଇଲେ । ତାଙ୍କ ଦେଖାଦେଖି ଜଣେ ଦୁଇଜଣ ପୋଲିସ୍‍ ବି ଗଲେ । ମୃତଦେହ ଦୁଇଟାର ଫଟୋ ନେଇ ସାରି ସେ ରୁମ୍‌ଟାର ଚାରିପଟେ ଦୃଷ୍ଟି ପକାଇଲେ । କୋଠରୀଟାର ଜିନିଷ ପତ୍ର ଏଣେ ତେଣେ ବିପର୍ଯ୍ୟସ୍ତ ହୋଇ ପଡ଼ିଚି । ଗୋଟାଏ କଡ଼କୁ ଲୁହା ଟ୍ରେଜେରୀଟା ଭଙ୍ଗା ହୋଇଚି । ଭିତରେ ସବୁ ଶୂନ୍‌ । କଳା ପୋଷାକ ଆବୃତ ମୃତ ଦେହଟା ପରୀକ୍ଷା କରି ସେ ଦେଖିଲେ । ଛାତିରେ ରିଭଲ୍‍ଭର୍‍ର ଗୁଳି ବାଜିଚି; ଦେହଟା ଶକ୍ତ ହୋଇଗଲାଣି । ମୃତ୍ୟୁ ହୁଏତ, ଦଶ ବାର ଘଣ୍ଟା ଭିତରେ ହେବା ସମ୍ଭବ । ତା’ ଦେହରୁ ପୋଷାକ ଉତାରିଦେଇ ସେ ପୁଣି ଗୋଟାଏ ଫଟୋ ଉଠାଇନେଲେ । ତା’ପରେ ସେଠ୍‌ ମାଣିକଲାଲ୍‌ଙ୍କ ଶବ । ଛାତିରେ ଛୁରୀର ଆଘାତ ହେଇଚି ଖୁବ୍‌ ସାଂଘାତିକ ଭାବରେ । ଆଘାତ ପାଇବାର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ହୋଇଚି ଏବଂ ଦଶ ବାର ଘଣ୍ଟାରୁ କମରେ ମୃତ୍ୟୁ ହୋଇନି, ଏହା ନିଃସନ୍ଦେହ; କାରଣ ରକ୍ତଗୁଡ଼ା ପୋଷାକରେ ଶୁଖି ଜମିଯାଇଚି । ସେଥିର ବି ଗୋଟାଏ ଫଟୋ ଉଠାଇନେଲେ ସେ । ଏଥର ଘଣଣାଟା ବୁଝିବା ତାଙ୍କ ପକ୍ଷରେ ବିଶେଷ ଅସୁବିଧାଜନକ ହେଲା ନାହିଁ; ପ୍ରଥମେ ଦସ୍ୟୁ ସେ କୋଠରୀରେ ପ୍ରବେଶ କରିଚି ଏବଂ ମାଣିକଲାଲ୍‍ ନିଜର ଧନ, ଜୀବନର ନିରାପତ୍ତା ପାଇଁ ରିଭଲ୍‍ଭର୍‍ ଚଳାଇଛନ୍ତି । ସେଥିରେ ଦସ୍ୟୁ ଟଳିପଡ଼ିବା ମାତ୍ରେ ଦଳର ଆଉ ଜଣେ କେହି ମାଣିକଲାଲ୍‍ଙ୍କୁ ଛୁରୀରେ ଆଘାତ କରିଚି ଏବଂ ନିଜର ଉଦ୍ଦେଶ୍ୟ ସାଧନ କରିଚି ।

 

ସେଇ ଉଦ୍ଦେଶ୍ୟ ରଖି ସେ ଛୁରାଟି ଆସ୍ତେ ଉଠାଇ ନେଇ ତା’ର ବେଣ୍ଟ ଉପରେ ମାଗ୍ନିଫାଇଙ୍ଗ୍‍ ଗ୍ଲାସ୍‍ ପକାଇଲେ । ଟିପଚିହ୍ନଗୁଡ଼ିକ ବେଶ୍‌ ପରିଷ୍କାର ଦେଖାଯାଉଥିଲା । ସାବଧାନରେ ତା’ର ଗୋଟାଏ ଫଟୋ ଉଠାଇ ନେଲେ । ତା’ପରେ ମାଣିକଲାଲ୍‍ଙ୍କ ବିଛଣା ଉପରୁ ପିସ୍ତଲଟା ଉଠାଇନେଇ ଖୋଲି ଦେଖିଲେ ଯେ ମାତ୍ର ଗୋଟାଏ ଗୁଳି ବ୍ୟବହାର କରାଯାଇଛି ।

 

ଜନ୍‌ ଡେଭିଡ୍‍ ଦେଖିଲେ ଏଇ ଗୋଟାଏ ଦୁର୍ଘଟଣା ବ୍ୟତୀତ ଜାହାଜରେ ଆଉ କାହାର କିଛି ବିଶେଷ କ୍ଷତି ହୋଇନି । ସେ ସେଠାରୁ ବିଦାୟ ନେଇ ନିଜର ହେଡ୍‍କ୍ୱାଟର୍‌କୁ ଫେରି ଆସିଲେ-

 

‘ଗୋଲଡେନ୍‍ ସ୍ୱାନ୍‌’ ପୁଣି ଭାସିଚାଲିଲା ଆପଣାର ଗନ୍ତବ୍ୟ ପଥରେ । ଏଥର ଯାତ୍ରା କିନ୍ତୁ ଆନନ୍ଦ କୋଳାହଳ ମଧ୍ୟରେ ନୁହେଁ, ସମ୍ପୂର୍ଣ୍ଣ ନିରାନନ୍ଦ ଆଉ ଆଶଙ୍କାପୂର୍ଣ୍ଣ ବାତାବରଣ ଭିତରେ-

 

ଯେଉଁ ଝଡ଼ଝଞ୍ଜାମୟ ରାତ୍ରିରେ ଗୋଲଡେନ୍‍ ସ୍ୱାନ୍‌ ଉପରେ ଅଚାନକ ବିପଦର ଢେଉ ମାଡ଼ିଗଲା ସେଇ ରାତିରେ ‘ଅଜନ୍ତା’ରେ ମଧ୍ୟ ସେପରି ଗୋଟିଏ ବିଭତ୍ସ କାଣ୍ଡ ଘଟିଗଲା । ସେଦିନ ତୋଫାନ ଆରମ୍ଭ ହେବାମାତ୍ରେ ଉଇଲିୟମ୍‌ ଜୋନସ୍‌ ବିପଦର ଆଶଙ୍କା କରି ପ୍ରତ୍ୟେକ ଯାତ୍ରୀଙ୍କୁ ନିଜ ନିଜର କେବିନରେ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି ସମୟ ପରେ ତାଙ୍କ ନିର୍ଦ୍ଦେଶ ପାଳିତ ହେଲା କି ନାହିଁ ତାହା ମଧ୍ୟ ନିଜେ ବୁଲି ବୁଲି ଦେଖିଥିଲେ ।

 

ସବୁ ଶ୍ରେଣୀର କେବିନ୍‌ଗୁଡ଼ିକ ବୁଲିସାରି ସେ ପ୍ରଥମ ଶ୍ରେଣୀର ସତର ନମ୍ବର କେବିନ୍‌ ନିକଟରେ ପହଞ୍ଚିଲେ । ଖୁବ୍‌ ସାବଧାନରେ ଦ୍ୱାର ପାଖରେ କାନ ପାତିଲେ । ଭିତରୁ କିଛି ଶବ୍ଦ ନାହିଁ; ମାତ୍ର ଆଲୁଅ ଜଳୁଚି ଯେ ? କିଛି ସମୟ ସେଠାରେ ଅପେକ୍ଷା କରି ସେ ପୁଣି ବାହାରି ଆସିଲେ ସେଠୁ ଆପଣା ରୁମ୍‌କୁ ।

 

ସତର ନମ୍ବର କେବିନ୍‌–ଶ୍ରୀମତୀ ସୁନନ୍ଦା ପଟ୍ଟନାୟକଙ୍କର । ସେ ଦିନ ଶ୍ରୀମତୀ ପଟ୍ଟନାୟକ ଅନ୍ୟମାନଙ୍କ ପରି ଭୟ କରିନଥିଲେ । ସାମୁଦ୍ରିକ ଝଡ଼ ତୋଫାନ ସମ୍ବନ୍ଧରେ ସେ ଆଗରୁ ଅନେକ କଥା ଶୁଣିଥିଲେ, ତେଣୁ ବିଶେଷ ଭୟ ନକରି ସେ ଆପଣାର ବେଡିଂଟା ଖୋଲି ଦେଇ ତାରି ଉପରେ ନିଜକୁ ଲୋଟାଇ ଦେଇ ଭାବୁଥିଲେ ନିଜ ଘର କଥା, ବାପାଙ୍କ କଥା । ଭାବୁ ଭାବୁ ନିଦ ଯେ ଲାଗିଯାଇଛି କେତେବେଳେ ତାହା ଅଜଣା ତାଙ୍କୁ ।

 

ରାତି ପ୍ରାୟ ଦୁଇଟାରୁ କିଛି ବେଶି ହେବ । କେବିନ୍‌ର ଦରଜାରେ ଠକ୍‌ ଠକ୍‌ ଶବ୍ଦ ଶୁଣି ସୁନନ୍ଦା ଦେବୀଙ୍କର ନିଦ ଭାଙ୍ଗିଗଲା । ପ୍ରଥମେ ସେ ଅନୁମାନ କଲେ, କେହି ହୁଏତ କୌଣସି ବିଶେଷ ଦରକାରରେ କିଛି ସାହାଯ୍ୟ ଚାହୁଁଛି । ରାତି ଅଧିକ ହେଲେ ବି ଭୟର ବିଶେଷ କାରଣ ନଥିଲା । ସେତେବେଳେ ଝଡ଼ର ବେଗ ଥମି ଯାଇଥିଲା । ଜାହାଜ ଧୀରେ ଧୀରେ ଚାଲୁଥିଲା । ସୁନନ୍ଦା ଦେବୀ ଜାଣିଥିଲେ–ରାତିରେ ଜାହାଜରେ ସତର୍କ ପହରା ବ୍ୟବସ୍ଥା । ତେଣୁ ନିର୍ଭୟରେ ଘଟଣାଟା ଜାଣିବାପାଇଁ ଦରଜା ଖୋଲିଦେଲେ ।

 

ଦରଜା ଖୋଲିଦେବା ସଙ୍ଗେ ସଙ୍ଗେ ସେ ଯେଉଁ ଦୃଶ୍ୟ ଦେଖିଲେ–ସେଥିରେ କୌଣସି ସାଧାରଣ ପ୍ରକୃତିର ସ୍ତ୍ରୀ ଲୋକ ମୂର୍ଚ୍ଛା ହୋଇଯିବା କଥା; ମାତ୍ର ସୁନନ୍ଦା ଦେବୀ ଥିଲେ ଖୁବ୍‌ ସାହସିନୀ । ସେ ଭୟରେ ଖୁବ୍‌ ଜୋରରେ ଚିତ୍କାରଟାଏ କଲେ । ଆଉ ଥରେ ଚିତ୍କାର କରିବାକୁ ଅବସର ମିଳିଲା ନାହିଁ ତାଙ୍କୁ । ମେଞ୍ଚାଏ ତୁଳାର ଗୋଟାଏ ବିଣ୍ଡା କିଏ ମାଡ଼ିଦେଲା ତାଙ୍କ ମୁହଁରେ । ତା’ପରେ ଛଅ ସାତଟା କଳାପୋଷାକଧାରୀ ବଳିଷ୍ଠ ଲୋକ ତାଙ୍କୁ ଟେକି ନେଇଗଲେ ଶୂନ୍ୟେ ଶୂନ୍ୟେ । ସୁନନ୍ଦା କେବଳ ଗଁ ଗଁ ଶବ୍ଦ କରିବା ଛଡ଼ା ଆଉ କିଛି କରିପାରି ନଥିଲେ ।

ଅଜନ୍ତାରେ ଗୋଟାଏ ଏଡ଼େ ବଡ଼ କାଣ୍ଡ ଘଟିଯିବା ଜାହାଜର ଏତେ ଯାତ୍ରୀଙ୍କ ମଧ୍ୟରୁ କେହି ଜାଣି ପାରିଲେ ନାହିଁ, କେବଳ ସୁଶୀଲ ମହାପାତ୍ରଙ୍କ ଛଡ଼ା । ଜାହାଜର ଅନ୍ୟମାନେ ବହୁତ ଡେରିରେ ଶୋଇଥିବାରୁ ସେମାନଙ୍କର ନିଦର ମାତ୍ରା ଥିଲା ବେଶି । ସୁଶୀଲ ମହାପାତ୍ରଙ୍କର ନିଦର ମାତ୍ରା ଯେ ଊଣା ଥିଲା, ତାହା ନୁହେଁ । ତାଙ୍କ କେବିନ୍‌ଟା ଥିଲା ସୁନନ୍ଦା ଦେବୀଙ୍କର ନିକଟତମ କେବିନ୍‌ । ସୁନନ୍ଦା ଦେବୀଙ୍କ ଚିତ୍କାରରେହିଁ ତାଙ୍କର ନିଦ ଭାଙ୍ଗି ଯାଇଥିଲା । ସେ ଦ୍ୱାର ଖୋଲିବା ସଙ୍ଗେ ସଙ୍ଗେ ଗଁ ଗଁ ଶବ୍ଦ ଶୁଣିପାରିଥିଲେ । ତା’ପରେ ସେ ଶବ୍ଦ ଧୀରେ ଧୀରେ ମିଳାଇ ଯାଇଥିଲା ଦୂରକୁ ଦୂରକୁ । ଘଟଣାଟା କ’ଣ ଜାଣିବାପାଇଁ ସୁଶୀଲବାବୁ ଗାର୍ଡ଼ଙ୍କୁ ଡାକ ପକାଇବା ପାଟିରେ ଅନ୍ୟମାନଙ୍କର ନିଦ ଭାଙ୍ଗିଥିଲା । ଆସ୍ତେ ଆସ୍ତେ ଜନ ସମାଗମ ବୃଦ୍ଧି ହୋଇ ମହା କୋଳାହଳ ସୃଷ୍ଟି ହେଲା ଜାହାଜ ଉପରେ ।

ଏ ଘଟଣା ଘଟିବାର ପ୍ରାୟ ଅଧଘଣ୍ଟାକ ପରେ କପ୍ତାନ୍‍ ଜୋନସ୍‌ ସାହେବ ନିଦ ମଳ ମଳ ଆଖିରେ ଆପଣାର କେବିନ୍‌ ଦ୍ୱାରଟା ଧଡ଼୍‍କରି ଖୋଲି ଦେଇ ବାହାରି ପଡ଼ିଲେ । ବାହାରେ ଗୁଡ଼ାଏ ଲୋକଙ୍କ କୋଳାହଳ । କେହି କେହି ଘଟଣା କପ୍ତାନ୍‌ଙ୍କ ଅସାବଧାନତା ଓ ଅବହେଳାରୁ ଘଟିଲା ବୋଲି କାପ୍ତାନ୍‍ଙ୍କ ମୁଣ୍ଡରେ ଦୋଷ ଦେଇଦେଲେ । ମାତ୍ର କପ୍ତାନ୍‍ ଜୋନସ୍‌ ଠିକେ ଠିକେ ଘଟଣାଟା ବୁଝିନେଇ ସଙ୍ଗେ ସଙ୍ଗେ ସମୁଦ୍ର ନିରାପତ୍ତା ପୋଲିସ୍‍ଙ୍କୁ ଖବରଟା ଦେଇଦେଲେ ।

ସେତେବେଳକୁ ପୋଲିସ୍‍ ଅଫିସ୍‍ର ଗୋଲଡେନ୍‍ ସ୍ୱାନ୍‍ର ଦୁର୍ଘଟଣା ବିଷୟ ଣୁଣି ନଥିଲେ । ତେଣୁ ସଙ୍ଗେସଙ୍ଗେ ସେ ଖଣ୍ଡିଏ ରିଲିଫ୍‌ ଲଞ୍ଚରେ ଘଟଣା ସ୍ଥଳରେ ପହଞ୍ଚିଗଲେ । ପୋଲିସ୍‍ ଅଫିସ୍‍ର ଜନ୍‌ ଡେଭିଡ୍‍ ଯୁବକ ହେଲେ କ’ଣ ହେବ, ବୟସ୍କସୁଲଭ ଚିନ୍ତା ଓ ଦୁରଦୃଷ୍ଟି ତାଙ୍କର ଥିଲା । ସେଥିପାଇଁ ଅଳ୍ପଦିନ ଚାକିରି କାଳ ମଧ୍ୟରେ ସେ ବିଶେଷ ସୁନାମ ଅର୍ଜ୍ଜନ କରିପାରିଥିଲେ । ବର୍ତ୍ତମାନ ଅଜନ୍ତାରେ ଏପରି ଗୋଟାଏ କାଣ୍ଡ–ରାତି ଅଧରେ, ସମୁଦ୍ର ମଝିରେ, ଜଣେ ସମ୍ଭ୍ରାନ୍ତ ବଂଶୀୟା, ଶିକ୍ଷିତା ମହିଳାଙ୍କ ଅନ୍ତର୍ଦ୍ଧାନ କିଛି କମ୍‌ କଥା ନୁହେଁ । ଅପହରଣକାରୀ ଯେତେ ଶକ୍ତିମାନ୍‌ ହେଉ ପଛେ–ଏଇ ସମୁଦ୍ରଛଡ଼ା କୁଆଡ଼େ ଅଦୃଶ୍ୟ ହୋଇ ଯାଇନଥିବେ । ଏହା ମନରେ ଦୃଢ଼ ଭାବରେ ସ୍ଥିର କରି ସେ ଆଖପାଖ ସବୁ ନିରାପତ୍ତା କେନ୍ଦ୍ରକୁ ଖବର ଦେଇ ଦେଲେ । ନିଜେ ମଧ୍ୟ ଅଜନ୍ତାର ପ୍ରତି କୋଣ ବିକୋଣ ପର୍ଯ୍ୟନ୍ତ ଖୋଜି ଦେଖିଲେ–ଦୁର୍ବୃତ୍ତ କିଛି ଚିହ୍ନ ବର୍ଣ୍ଣ ରଖି ଯାଇଚି କି ନାହିଁ । କିନ୍ତୁ ତାଙ୍କର ଆଶା ଆଶାରେହିଁ ରହିଲା । ଗୋଟିଏ ପାଦଚିହ୍ନ କି ଟିପଚିହ୍ନ ପର୍ଯ୍ୟନ୍ତ ଆବିଷ୍କାର କରିବାକୁ ସେ ସକ୍ଷମ ହୋଇପାରିଲେ ନାହିଁ । ଖାଲି ସୁଶୀଲବାବୁଙ୍କ କହିବାରୁ ସେ ଅନୁମାନ କଲେ–ସୁନନ୍ଦା ଦେବୀଙ୍କୁ ବଳପୂର୍ବକ ଅପହରଣ କରାଯାଇଚି ନିଶ୍ଚୟ ।

ସୁନନ୍ଦା ଦେବୀଙ୍କ ଅନ୍ତର୍ଦ୍ଧାନ ବିଷୟ ସୁଶୀଲବାବୁଙ୍କୁ ବାଧିଥିଲା ବେଶି । କାରଣ ଗୋଟିଏ ଦିନର ଆଳାପ, ପରିଚୟ ଭିତରେ ଉଭୟଙ୍କ ମଧ୍ୟରେ ଆନ୍ତରିକତା ଜନ୍ମିଯାଇଥିଲା । ସେ ବର୍ତ୍ତମାନ ତାଙ୍କର ଅନୁପସ୍ଥିତି ପ୍ରାଣେ ପ୍ରାଣେ ଅନୁଭବ କଲେ । ତହିଁ ଆରଦିନ ସେ ସୁନନ୍ଦା ଦେବୀଙ୍କ ବାପା ହରିଶଙ୍କର ପଟ୍ଟନାୟକଙ୍କ ନିକଟକୁ ସବିସ୍ତୃତ ବିବରଣ ଜଣାଇ ଚିଠି ଖଣ୍ଡିଏ ଲେଖିଥିଲେ ।

ଅଜନ୍ତା ଚାଲିଥିଲା ଧୀରେ ଧୀରେ ।

 

–ତିନି–

 

ଏଇ ଯେଉଁ ମର୍ମନ୍ତୁଦ ଦୁର୍ଘଟଣା ‘ଅଜନ୍ତା’ ଆଉ ‘ଗୋଲଡେନ୍‍ ସ୍ୱାନ୍‌’ ଜାହାଜରେ ଘଟିଗଲା, ତାହା ଦିନେ ଦୁଇଦିନ ପରେ ସବୁ ଦେଶରେ, ସବୁଭାଷାରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଗଲା ।

 

ରାୟଚୂଡ଼ାମଣି ହରିଶଙ୍କର ପଟ୍ଟନାୟକ ମଧ୍ୟ ସମ୍ବାଦପତ୍ରରୁ ସେହି ଖବର ଜାଣି ବଡ଼ ବ୍ୟଗ୍ର ହୋଇପଡ଼ିଲେ । ଅଜନ୍ତାରେ ସୁନନ୍ଦା ଦେବୀ ଯାତ୍ରା କରିଚନ୍ତି, ସେ ନିଜେ ତାଙ୍କୁ ବିଦାୟ ଦେଇ ଆସିଚନ୍ତି, ଏଥିରେ ସନ୍ଦେହ ନାହିଁ; ମାତ୍ର କାଗଜରେ ପ୍ରକାଶିତ ହୋଇଛି–‘ଜଣେ ଭାରତୀୟା ଅପହୃତା’ । ହେଡ଼ିଂଟା ଉପରେ ଆଉ ଥରେ ଆଖି ବୁଲାଇନେଇ ପ୍ରକୃତ ଖବରଟା ଜାଣିବା ପାଇଁ ମନଟା ତାଙ୍କର ଛଟପଟ ହୋଇ ଉଠିଲା । ଝିଅଟି ତାଙ୍କର ସର୍ବସ୍ୱ । ଶୈଶବରୁ ମାତୃହୀନା । ଯଦି ପ୍ରକୃତରେ ତା’ର କିଛି ଭଲ ମନ୍ଦ ହୋଇଯାଏ ତେବେ ଦୁର୍ବୃତ୍ତମାନଙ୍କ କବଳରେ ପଡ଼ି କି ଅପଦସ୍ଥ ହେଉ ନଥିବ ସେ–ଏଇସବୁ କଥା ଭାବୁ ଭାବୁ ତାଙ୍କୁ ନିଜର ପ୍ରାସାଦ, ମୂଲ୍ୟବାନ ରାଜୋପଯୋଗୀ ଆସବାବାପତ୍ର ସବୁ କଣ୍ଟାପରି ଜଣାଗଲା । ସେ ଚଟାପଟ୍‌ ପୋଷାକଟା ବଦଳାଇ ପକାଇ ତଳକୁ ଓହ୍ଲାଇ ଆସି କାର୍‌ ଛୁଟାଇ ଦେଲେ ପୋର୍ଟ ଅଫିସ୍‌ ଆଡ଼େ ।

 

–ଦୁଇ ଘଣ୍ଟା ପରେ.....

 

ପୋର୍ଟ ଅଫିସ୍‍ରୁ କୌଣସି ସନ୍ତୋଷଜନକ ସମ୍ବାଦ ନ ପାଇ ନିରାଶ ହୃଦୟରେ ରାୟଚୂଡ଼ାମଣି ସାହେବ ଫେରିଆସି ଆପଣାର ଡ୍ରଇଂରୁମରେ ଖଣ୍ଡିଏ ସୋଫା ଉପରେ ବସିବାକୁ ଯାଉଚନ୍ତି, ଏତିକିବେଳେ ଚାକର ସେ ଦିନର ଡାକଗୁଡ଼ିକ ଦେଇଗଲା । ଡାକ କହିଲେ–ତାଡ଼ାଏ ଚିଠି । ଚିଠିଗୁଡ଼ାକ ଆଡ଼କୁ ଥରେ ଚାହିଁ ଦେଇ ଟେବୁଲ୍‍ ଉପରେ ରଖିବାକୁ ସେ ନୀରବରେ ଅଙ୍ଗୁଳି ସଙ୍କେତ ଦେଲେ । ବିନା ବାକ୍ୟ ବ୍ୟୟରେ ଚାକର ତା’ର କର୍ତ୍ତବ୍ୟ ପାଳନ କରି ସେଠାରୁ ଚାଲିଗଲା-। ରାୟଚୂଡ଼ାମଣି ସାହେବ ଚିଠିଗୁଡ଼ାକ ଆଡ଼କୁ ଚାହିଁନେଲେ । ସେଥି ମଧ୍ୟରୁ ଖଣ୍ଡିଏ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ଚିଠି ଖଣ୍ଡି ଲଫାପା, ଆକାରରେ ଅନ୍ୟଗୁଡ଼ିକ ଅପେକ୍ଷା ଟିକିଏ ବଡ଼ । ତା’ ଭିତରେ ବେଶି ପରିମାଣରେ କାଗଜ ଥିଲା ପରି ମଧ୍ୟ ଜଣାଯାଉଥିଲା ।

 

ଚିଠି ଖଣ୍ଡିକୁ ଦେଖି ଏତେ କ୍ଳାନ୍ତି ଓ ନୈରାଶ୍ୟ ମଧ୍ୟରେ ସୁଦ୍ଧା ରାୟଚୂଡ଼ାମଣିଙ୍କର ସେଖଣ୍ଡି କାଢ଼ି ଦେଖିବାକୁ ଆଗ୍ରହ ହେଲା । ସେ ହାତ ବଢ଼ାଇ ତାଡ଼ା ଭିତରୁ ସେ ଖଣ୍ଡି ଟାଣି ଆଣିଲେ । ଉପରଟା ଖୋଲି ଦେଖିଲେ–ପରିଷ୍କାର ହସ୍ତାକ୍ଷରରେ ତାଙ୍କରି ଠିକଣା ଲେଖା । ସବା ଉପରେ ତାଙ୍କର ଦୃଷ୍ଟି ପଡ଼ିଲା; ମୋହର ବସିଚି–ଅଜନ୍ତା ଜାହାଜରୁ ଚିଠିଟା ଆସିଚି । ମୋହରଟା ଦେଖି ନେଇ ସେ ଚମକି ପଡ଼ିଲେ । ଚଟ୍‌କରି ସଜାଡ଼ି ହୋଇ ବସି ଖୋଳଟା ଖୋଲି ଚିଠିଟା ପଢ଼ିବସିଲେ । ଧାଡ଼ି ପରେ ଧାଡ଼ି ପଢ଼ି ଯାଉଥାନ୍ତି । ବୁକୁର ସ୍ପନ୍ଦନ ତାଙ୍କର ବଢ଼ି ଉଠୁଥିଲା କ୍ରମେ । ଚିଠିଟା ଶେଷ ହେଇନି–ରାୟଚୂଡ଼ାମଣିଙ୍କ ଆଖି ପତା ବିସ୍ଫାରିତ ହୋଇ ଉଠିଲା–ଖୁବ୍‌ ଜୋରରେ ‘ସୁନନ୍ଦା’ ବୋଲି ଚିତ୍କାରଟାଏ କରି ସେ କାନ୍ଦି ଉଠିଲେ । ତା’ପରେ ଠିଆ ହେଉ ହେଉ ଢଳି ପଡ଼ିଲେ ସେଇ ସୋଫା ଉପରେ । ତାଙ୍କର ଚେତନା ଲୋପ ହୋଇ ଆସୁଥିଲା କ୍ରମେ ।

 

ଚିତ୍କାର ଓ ପରେ ପରେ ପଡ଼ିଯିବାର ଶବ୍ଦ ଶୁଣି ଘରର ଚାକର ବାକର ମାନେ ଡ୍ରଇଂରୁମ୍‌କୁ ଧାଇଁ ଆସିଲେ । ସେତେବେଳକୁ ରାୟଚୂଡ଼ାମଣି ସମ୍ପୂର୍ଣ୍ଣ ଅଜ୍ଞାନ । ଚାକର, ଗୁମାସ୍ତାମାନେ ନିଜର ବୁଦ୍ଧି ବିଦ୍ୟା ଅନୁସାରେ ମୁହଁରେ ପାଣି ଛିଟା ମାରିବାଠାରୁ ପଙ୍ଖା କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଉପଚାର କରିବା ପରେ ଯେତେବେଳେ ଚେତା ନ ହେଲା, ସେତେବେଳେ ସେମାନେ ଡାକ୍ତରଙ୍କୁ ଫୋନ୍‌ କଲେ ।

 

ଅଳ୍ପସମୟ ପରେ ଡାକ୍ତର ଆସି ପହଞ୍ଚିଲେ । ରାୟଚୂଡ଼ାମଣିଙ୍କ ଅଚେତ ଦେହଟାକୁ ଭଲ ଭାବରେ ପରୀକ୍ଷା କରିନେଇ ଔଷଧାଦିର ବ୍ୟବସ୍ଥା କରିବାକୁ ଗଲାବେଳେ ଗୁମାସ୍ତାମାନଙ୍କୁ କହିଲେ–ଦେଖି ସାବଧାନ ! ଏ ଅଜ୍ଞାନତା ସାମାନ୍ୟ ନୁହେଁ, ମାରାତ୍ମକ; ହୁଏତ ଆଉ ଘଣ୍ଟାକ ପରେ ଚେତା ଫେରିପାରେ । ଯଦି ଚେତା ଆସେ ତେବେ ମୁଁ ଯେପରି ସଙ୍ଗେ ସଙ୍ଗେ ଖବର ପାଏ ।

 

ବର୍ତ୍ତମାନ ଚାକର ଗୁମାସ୍ତାମାନେ ରାୟଚୂଡ଼ାମଣିଙ୍କୁ ନେଇ ବଡ଼ ମୁସ୍କିଲରେ ପଡ଼ିଲେ । ମିନିଟ୍‌ ମିନିଟ୍‌ ହୋଇ ଘଣ୍ଟାଏ ଗଲା । ଚାକର ବାକରମାନେ ବଡ଼ ଉଦ୍‌ଗ୍ରୀବ ହୋଇପଡ଼ିଲେ । ପ୍ରାୟ ଦଶ ମିନିଟ୍‍ ପରେ ଧୀରେ ଧୀରେ ରାୟଚୂଡ଼ାମଣିଙ୍କ ଦେହରେ ଚେତନାର ସଞ୍ଚାର ହେବାପରି ଜଣାଗଲା । କିଛି ସମୟ ପରେ ସେ ଆଖି ଫିଟାଇ କହିଲେ–‘ସୁନନ୍ଦା କ’ଣ ନାହିଁ ?’ ଏଇ ପଦୁଟିଏ କଥା କହି ସେ କଇଁ କଇଁ ହୋଇ କାନ୍ଦି ଉଠିଲେ । ଏତିକିବେଳେ ଡାକ୍ତରବାବୁ ଆସି ପହଞ୍ଚିଗଲେ । ରାୟଚୂଡ଼ାମଣିଙ୍କୁ ଥରେ ପରୀକ୍ଷା କରିନେଇ କହିଲେ–ଆଉ ଭୟର କାରଣ ନାହିଁ । ଏଥର ମନକୁ ଟିକେ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

 

ଡାକ୍ତରଙ୍କ କଥା ରାୟଚୁଡ଼ାମଣିଙ୍କ କାନରେ ବାଜୁଥିଲା କି ନାହିଁ କିଏ ଜାଣେ ? ସେ ଖାଲି ‘ସୁନନ୍ଦା, ସୁନନ୍ଦା’ ବାଉଳି ହେଉଥାନ୍ତି । ବହୁ ସମୟ ବୁଝା ବୁଝି କଲାପରେ ସୁଦ୍ଧା କୌଣସି ଫଳ ନ ହେବାରୁ ଡାକ୍ତରବାବୁ ହତାଶ ହୋଇ ପଡ଼ିଲେ । ଚାକର ଗୁମାସ୍ତାମାନଙ୍କୁ ସାବଧାନରେ ରାୟଚୂଡ଼ାମଣିଙ୍କୁ ରଖିବାକୁ ନିର୍ଦ୍ଦେଶ ଦେଇ ସେ ବିଦାୟ ନେଇଗଲେ ।

 

ସେ ଦିନଟା କଟିଗଲା ସେଇମିତି । ରାୟଚୂଡ଼ାମଣି ନିଜକୁ ସଚେତ ମନେ କରୁଥିଲେ ସୁଦ୍ଧା, କେବଳ ସୁନନ୍ଦା ଦେବୀଙ୍କ ବ୍ୟତୀତ ଅନ୍ୟ କାହାରି ଚିନ୍ତା ତାଙ୍କ ମନରାଜ୍ୟ ଅଧିକାର କରିପାରୁନଥିଲା । କଥାଟା ମଧ୍ୟ ଠିକ୍‌ । ଯେଉଁ ମାତୃହୀନାକୁ ସେ ଆଜନ୍ମରୁ ମାତୃତ୍ୱ ଓ ପିତୃତ୍ୱ ଏ ଉଭୟ ଅଧିକାରରୁ ତିଳେ ହେଲେ ବଞ୍ଚିତ କରି ନାହାନ୍ତି, ଆଜି ତା’ର ଚିନ୍ତା ମନରୁ ପୋଛି ଦେବେ କିପରି ? ସେଇ ମାତୃହୀନାଟି କଥା ଭାବି ଭାବି ତାଙ୍କ ମନରେ ଉଠୁଥିଲା ତୋଫାନ ।

 

ରାତି ଦଶଟା ହେବ । ଯେ ଯୁଆଡ଼େ ଶୋଇଗଲେଣି । କେବଳ ବିଶ୍ୱାସୀ ଚାକର ମଧୁ ତଳେ ବସିଚି, ଏକ ଲୟରେ ତାଙ୍କରି ଆଡ଼କୁ ଚାହିଁ । ସେ ତାକୁ ଗ୍ଲାସେ ପାଣି ଆଣିଦେବାକୁ କହିଲେ । ତତ୍‌କ୍ଷଣାତ୍‌ ମଧୁ ପାଣି ଗ୍ଲାସେ ଆଣି ପହଞ୍ଚାଇ ଦେଲା । ରାୟଚୂଡ଼ାମଣି ସେତକ ପିଇ ଟିକିଏ ସୁସ୍ଥ ଅନୁଭବ କଲେ । ବର୍ତ୍ତମାନ ତାଙ୍କର ଚିନ୍ତା–ତାଙ୍କୁ ଏ ବିପଦରୁ ରକ୍ଷା କରିବ କିଏ ? କାହିଁ କେତେଦୂରରେ ସମୁଦ୍ର ମଝିରେ ସୁନନ୍ଦା ଦେବୀ ନିଖୋଜ; କିଏ ତାଙ୍କୁ ଆଣି ଦେବ ତା’ର ସୁଖବର ? ଯାଉପଛେ ନିଜର ମାନ, ସମ୍ମାନ, ସମ୍ପତ୍ତି, ସବୁ କିଛି; କିନ୍ତୁ ତାଙ୍କର ଏକମାତ୍ର ଦରକାର କନ୍ୟାର ସୁସମ୍ବାଦ । ସେ କିପରି ଭଲରେ ଫେରିଆସୁ; ଲୋଡ଼ାନାହିଁ ତା’ର ଉଚ୍ଚ ଶିକ୍ଷା । କିଏ ତାଙ୍କୁ ଆଣିଦେବ ଏ ଖବର ?

 

କ୍ରମେ ରାତି ବଢିଲା; ତା’ ସଙ୍ଗେ ସଙ୍ଗେ ରାୟଚୂଡ଼ାମଣିଙ୍କ ଚିନ୍ତା ବି । ଏହିପରି ଭାବୁ ଭାବୁ କେତେବେଳେ ଯେ ତାଙ୍କୁ ନିଦ୍ରା ଦେବୀ ଆପଣାର ପଣତ ତଳେ ଘୋଡ଼ାଇ ପକାଇଲେ ତାହା କେହି ଜାଣିପାରିଲେ ନାହିଁ ।

 

-ଚାରି-

 

ଅଜନ୍ତାରେ ଯେଉଁ ଚମକପ୍ରଦ ଦୁର୍ଘଟଣା ଘଟିଲା, ତାହା ସବୁ ଦେଶର ପୋଲିସ୍‍ ଓ ଡିଟେକ୍‌ଟିଭ୍‍ମାନଙ୍କର ମଥାକୁ ଚହଲାଇ ଦେଇଥିଲା । ଏଟା କିଛି ଘରୋଇକଥା ନୁହେଁ–ସମ୍ପୂର୍ଣ୍ଣ ଆନ୍ତର୍ଜାତିକ ବ୍ୟାପାର । ଏପରି ଦୁର୍ଘଟଣା ଯଦି ଯାତ୍ରୀବାହୀ ଜାହାଜମାନଙ୍କରେ ଘଟେ, ତେବେ ସବୁରକମ ଜାହାଜ ଚଳାଚଳ ବନ୍ଦ ହୋଇଯିବାର ପୁରା ଆଶଙ୍କା । ସେଇଥିପାଇଁ ସବୁ ଦେଶର ଡିଟେକ୍‌ଟିଭ୍‍ ଓ ପୋଲିସ୍‍ମାନେ ଏଦିଗରେ ମୁଣ୍ଡ ଖେଳାଇ ଘଟଣାଟା ଟିକିଏ ବୁଝିବାକୁ ଚେଷ୍ଟା କରୁଥିଲେ । ଜାହାଜ କମ୍ପାନୀଗୁଡ଼ିକ ମଧ୍ୟ ନିଜ ନିଜ ଜାହାଜର ଅଧିକ ନିରାପତ୍ତା ପାଇଁ ଦୃଢ଼ ବ୍ୟବସ୍ଥା କରିଦେଲେ । ଉଦ୍ଦେଶ୍ୟ–‘ଖର୍ଚ୍ଚ ଅଧିକ ହେଉ ପଛେ, କମ୍ପାନୀ ବଦନାମ ନହେଉ ।’

 

ସୁନନ୍ଦା ଦେବୀ ହରଣଚାଳ ହୋଇ କେଉଁଠି ରଖାଗଲେ, କେଉଁଆଡ଼େ ବା ଗଲେ, ବର୍ତ୍ତମାନ ଜୀବିତ ବା ମୃତ କି ଅବସ୍ଥାରେ ଅଛନ୍ତି, ତାହା ସ୍ଥିର କରିବା ଯାତ୍ରୀମାନଙ୍କ ପକ୍ଷେ ଅତି ଦୁରୂହ ବ୍ୟାପାର ଥିଲେ ସୁଦ୍ଧା, ସେ ଚିନ୍ତା ପ୍ରାୟ ସମସ୍ତଙ୍କ ମନକୁ ଘାରିଥିଲା । ମାତ୍ର କେହି ତିଳେମାତ୍ର ତା’ର ସନ୍ଧାନ ପାଇପାରି ନଥିଲେ ।

 

ଜାହାଜର ଶହ ଶହ ଯାତ୍ରୀଙ୍କ ମଧ୍ୟରେ ବେଶି ଚିନ୍ତିତ ଥିଲେ ସୁଶୀଲବାବୁ । ସୁନନ୍ଦା ଦେବୀ ଯେ ତାଙ୍କର କେହି ଆତ୍ମୀୟା ବା ତାଙ୍କୁ ସେ ପ୍ରେମ କରୁଥିଲେ, ଏପରି ନୁହେଁ; ତଥାପି ଉଭୟଙ୍କ ମଧ୍ୟରେ ଆନ୍ତରିକତା ଟିକିଏ ଜମିଉଠିଥିଲା । ତା’ପରେ ସୁନନ୍ଦା ଦେବୀଙ୍କୁ ଦୁବୃର୍ତ୍ତମାନେ ହରଣଚାଳ କରିନେଲାବେଳେ ତାଙ୍କର କରୁଣ ଚିତ୍କାର ସେ ଶୁଣିଥିଲେ । ସେ ପୁରୁଷ । ଜଣେ ଅସହାୟା ଅବଳାକୁ ରକ୍ଷା କରିପାରିଲେ ନାହିଁ, ଏହାହିଁ ତାଙ୍କ ପ୍ରାଣକୁ ବେଶି ବାଧିଥିଲା । ସୁନନ୍ଦା ଦେବୀଙ୍କ ହରଣଚାଳ ହେବା ଦିନଠାରୁ ସେ ବଡ଼ ଅନ୍ୟମନସ୍କ ହୋଇପଡ଼ିଥିଲେ । ଜାହାଜର ଆମୋଦପ୍ରମୋଦ ଆଦି କାହିଁରେ ତାଙ୍କର ମନ ରହୁ ନଥିଲା । ସବୁବେଳେ ଏକାକୀ ସେ ଡେକ୍‌ ଉପରେ ବୁଲି ବୁଲି ଚାହିଁ ରହୁଥିଲେ ଦିଗନ୍ତ ବିସ୍ତାରୀ ଜଳରାଶି ଆଡ଼କୁ । ରାତି ନିର୍ଜନ ହେଲେ, ଯେତେବେଳେ ଜାହାଜର ସବୁଯାତ୍ରୀ ନିଦ୍ରାରେ ଅଭିଭୂତ ହୋଇ ଯାଆନ୍ତି ସେତେବେଳେ ସେ ଧୀରେ ଧୀରେ ଫେରନ୍ତି ଆପଣା କେବିନ୍‌କୁ । ପ୍ରତି ମୁହୂର୍ତ୍ତରେ ତାଙ୍କ କାନରେ ଯେପରି ସେଦିନର ସୁନନ୍ଦା ଦେବୀଙ୍କର କରୁଣ ଚିତ୍କାର ପ୍ରତିଧ୍ୱନି ସୃଷ୍ଟି କରିଉଠୁଥାଏ । ସୁଶୀଲବାବୁ ଭାବନ୍ତି–ଯଦି ତାଙ୍କର ପ୍ରାଣ ବିନିମୟ ଆବଶ୍ୟକ ହୁଏ ସୁନନ୍ଦା ଦେବୀଙ୍କ ରକ୍ଷାପାଇଁ ତେବେ ସେ ତାହା ଦେବାକୁ ପଛାଇବେ ନାହିଁ ।

 

ସେ ଦିନ ରାତି ଗୋଟାଏ ହେବ । ଜାହାଜରେ ଯେ ଯୁଆଡ଼େ ଶୋଇ ପଡ଼ିଲେଣି । ଅଜନ୍ତା ଚାଲିଚି ଧୀରେ ଧୀରେ । ସୁନନ୍ଦା ଦେବୀଙ୍କ ହରଣଚାଳ ହେବାର ପ୍ରାୟ ପାଞ୍ଚଦିନ ବିତି ଗଲାଣି ଏହା ମଧ୍ୟରେ । ଯାତ୍ରୀମାନଙ୍କର ମନର ଆଶଙ୍କା ଲୋପ ପାଇ ନ ଥିଲେ ସୁଦ୍ଧା ବହୁ ପରିମାଣରେ ଲାଘବ ହୋଇଯାଇଚି । ଆକାଶ ପରିଷ୍କାର । ଶୁକ୍ଳପକ୍ଷ ରାତି । ବିଞ୍ଚିହୋଇ ପଡ଼ିଛି ଚନ୍ଦ୍ରାଲୋକ ସମୁଦ୍ର ଉପରେ । ବାହାରେ ଟିକିଏ ଟିକିଏ ବ୍ୟବଧାନରେ ଗୋଟିଏ ଗୋଟିଏ ଆଲୁଅ ଛଡ଼ା ଆଉ ସବୁଆଡ଼େ ଅନ୍ଧକାର ।

 

ସୁଶୀଲବାବୁ ପୂର୍ବରୁ ତାଙ୍କର ରାତ୍ରିଭୋଜନ ଶେଷ କରିଥିଲେ ସୁଦ୍ଧା ସେ ପର୍ଯ୍ୟନ୍ତ ଶୋଇପାରି ନାହାନ୍ତି । ନାନା ପ୍ରକାର ଚିନ୍ତା ତାଙ୍କର ମନକୁ ବାରମ୍ବାର ଆନ୍ଦୋଳିତ କରିବା ଫଳରେ ନିଦ୍ରାଦେବୀ ସମ୍ପୂର୍ଣ୍ଣ ବିଦାୟ ନେଇଚନ୍ତି ।

 

ସେଇ ଦିଗନ୍ତବିସ୍ତାରୀ ଝାପ୍‌ସା ଚନ୍ଦ୍ରାଲୋକ ଭିତର ଦେଇ ସୁଶୀଲବାବୁ ଚାହିଁ ରହିଥିଲେ ଆଗକୁ । ଆଗରେ ବହୁ ଦୂରର ପର୍ବତ ମାଳା ସେଇ ଝାପ୍‌ସା ଅନ୍ଧାର ଭିତରେ ବି ଆପଣାର ସତ୍ତା ଦେଖାଇ ଦେଉଚି । ସମୁଦ୍ରଗାମୀ ଜାହାଜଗୁଡ଼ିକୁ ବାଟ ଦେଖାଇବା ଆଉ ସାବଧାନ କରାଇଦେବା ପାଇଁ ଏହି ପର୍ବତମାଳାର ଉପରେ ସ୍ଥାନେ ସ୍ଥାନେ ଲାଲ, ନୀଳ, ଧଳା ରଙ୍ଗର ଆଲୋକମାନ ଖଞ୍ଜା ଯାଇଚି । ସେଇ ଝାପ୍‌ସା ଅନ୍ଧାର ଭିତରେ ସେଇ ଆଲୋକ କେତୋଟି ଦିଶୁଥିଲା ଖୁବ୍‌ ସୁନ୍ଦର ।

 

ସୁଶୀଲବାବୁ ଏ ଦୃଶ୍ୟ ଦେଖୁ ଦେଖୁ ଜାହାଜ ଖଣ୍ଡେଦୂର ଆଗେଇ ଗଲାଣି । ପର୍ବତମାଳା ଖୁବ୍‌ ପାଖେଇ ଆସୁଚି । ଆଲୋକଗୁଡ଼ା ମଧ୍ୟ ଅପେକ୍ଷାକୃତ ଉଜ୍ଜ୍ୱଳ ଦିଶୁଚି । ସମ୍ଭବତଃ; ଜାହାଜ ପର୍ବତ ମାଳାର ପାଖେ ପାଖେ ଚାଲିଚି । ଗତି ଖୁବ୍‌ ଧୀର । ବିପଦର ଆଶଙ୍କା ଅଛି ପ୍ରତି ମୁହୂର୍ତ୍ତରେ । ଚାଳକ ସଜାଗ ଦୃଷ୍ଟି ରଖି ଗତି ନିୟନ୍ତ୍ରଣ କରିବାରେ ବ୍ୟସ୍ତ ।

 

ଚିନ୍ତାମଗ୍ନ ହୋଇ ସୁଶୀଲବାବୁ ବାହାରର ଦୃଶ୍ୟ ଉପଭୋଗ କରୁଥିବା ସମୟରେ ଗୋଟିଏ ବିଚିତ୍ର ଦୃଶ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ଦେଖିଲେ–ଜାହାଜର ଇଞ୍ଜିନ୍‌ଘର ପାଖରୁ ସର୍ଚ୍ଚଲାଇଟ୍‍ର ଉଜ୍ଜ୍ୱଳ ଆଲୋକ ରେଖା ପର୍ବତମାଳାର ଗୋଟାଏ ଅଂଶରେ ବୁଲି ଆସିଲା । ତାହା ପୁଣି ଥରେ ନୁହେଁ, ଲାଗେ ଲାଗେ ତିନିଥର । ତା’ର କିଛି ସମୟ ପରେ ପର୍ବତାମାଳାର ଯେଉଁ ଅଂଶରେ ସର୍ଚ୍ଚଲାଇଟ୍‌ର ଆଲୋକ ପଡ଼ିଥିଲା ସେଠାରୁ ଉଜ୍ଜ୍ୱଳ ଆଲୋକରେଖା ପଡ଼ିଲା ଜାହାଜ ଉପରେ । ସୁଶୀଲବାବୁଙ୍କୁ ବଡ଼ ଅସ୍ୱାଭାବିକ ବୋଧହେଲା ଘଟଣାଟା । ଏଟା ତ ଜାହାଜର ସଙ୍କେତ ନୁହେଁ; ତେବେ କି ଉଦ୍ଦେଶ୍ୟରେ ଆଲୋକ ରେଖାର ଏପରି ଆଦାନ ପ୍ରଦାନ କରାଗଲା ? ଏହାପରେ ଘଟଣା ଆଉ କ’ଣ ଘଟୁଚି ଦେଖିବାପାଇଁ ସେ ଗୋଟା ଅନ୍ଧାରିଆ ସ୍ଥାନରେ ଠିଆହୋଇ ଏକ ଦୃଷ୍ଟିରେ ଚାହିଁ ରହିଲେ ପର୍ବତମାଳା ଆଡ଼କୁ ।

 

ତାଙ୍କର ଅନୁମାନ ଠିକ୍‌ । ବିଚିତ୍ର ଘଟଣା ଘଟିଲା ମଧ୍ୟ । ପ୍ରାୟ ପନ୍ଦର ମିନିଟ୍‍ ପରେ ଖଣ୍ଡେ ଦୂରରେ ଧଳା ଧଳା ହୋଇ କ’ଣ ଗୋଟାଏ ଦେଖାଗଲା । ସୁଶୀଲବାବୁ ପ୍ରଥମେ ଭାବିଥିଲେ–ଉପକୂଳଟା ଏଠାରେ ଖୁବ୍‌ ନିକଟ । ଏଟା ବୋଧହୁଏ ମାଛଧରାଳୀଙ୍କର ବୋଟ୍‌ ହେବ; ମାତ୍ର ଅଳ୍ପ ସମୟ ମଧ୍ୟରେ ତାଙ୍କର ସେ ଅନୁମାନକୁ ବ୍ୟର୍ଥ କରି ଧଳା ଜିନିଷଟା କ୍ରମେ ପରିଷ୍କାର ହୋଇଉଠିଲା ତାଙ୍କ ପାଖରେ । ବଡ଼ ଲଞ୍ଚ୍‍ଟାଏ । ଗତି ମଧ୍ୟ ଖୁବ୍‌ ତୀବ୍ର । ସତେ ଯେମିତି ଏକାଥରେ ଜାହାଜ ଦେହରେ ପିଟି ହୋଇଯିବ କି କ’ଣ ? ସେଥିରେ ଆରୋହୀ ଥିଲେ କି ନଥିଲେ ଜାଣିବା କଷ୍ଟ । ଭିତରଟା ଥିଲା ପୂରାପୂରି ଅନ୍ଧାର ।

 

ଜାହାଜର ଖଣ୍ଡେ ଦୂରରୁ ଲଞ୍ଚ୍‍ଟାର ଗତି ଶିଥିଳ ହୋଇଗଲା । ଆସ୍ତେ ଆସ୍ତେ ଆସି ସେଟା ଜାହାଜରେ ଲାଗି ରହିଲା । ସୁଶୀଲବାବୁ ଘଟଣାଟା ଟିକେ ଭଲ ଭାବରେ ଦେଖିବା ପାଇଁ ଆଉ ଟିକିଏ ଆଗକୁ ଚାଲିଗଲେ । ଦେଖିଲେ ଝାପ୍‌ସା ଝାପ୍‌ସା ଆଲୁଅ ଭିତରେ ଚାରି ପାଞ୍ଚଜଣ ଲୋକ ଦଉଡ଼ା ସିଡ଼ି ଦେଇ ଲଞ୍ଚ୍‍ରୁ ଉପରକୁ ଆସୁଚନ୍ତି । ସୁଶୀଲବାବୁ ଖଣ୍ଡେ ଦୂରରେ ଥାଇ ଗୋଟାଏ ଅନ୍ଧାରୁଆ ଜାଗାରେ ଆତ୍ମଗୋପନ କରି ରହିଲେ । ପ୍ରାୟ ଦଶମିନିଟ୍‍ ମଧ୍ୟରେ ତଳ ତାଲାର କେବିନ୍‌ଆଡ଼ୁ ସାମାନ୍ୟ ଖଡ଼୍‌ଖଡ଼୍‌ ଶବ୍ଦ ଶୁଣାଗଲା । ତା’ର ପରମୁହୂର୍ତ୍ତରେ ସେ ଲୋକଗୁଡ଼ା କ’ଣ ଗୋଟାଏ ଜିନିଷ ଖୁବ୍‌ ସାବଧାନରେ ଧରାଧରିକରି ଆଣି ଅତି ସାବଧାନରେ ସିଡ଼ି ଦେଇ ଓହ୍ଲାଇ ଗଲେ ତଳକୁ । ସୁଶୀଲବାବୁଙ୍କ ମନକୁ ପାପ ଛୁଇଁଲା, ଏ ସୁନନ୍ଦା ଦେବୀ ନୁହନ୍ତି ତ ଆଉ ?

 

ତା’ର ଟିକକ ପରେ ଲଞ୍ଚ୍‍ଟା ପୁଣି ଫେରି ଚାଲିଲା ଆସିଥିବା ଆଡ଼କୁ । ସୁଶୀଲବାବୁ ଘଟଣା ସମ୍ବନ୍ଧରେ ଘୋର୍‍ ସନ୍ଧିହାନ ହୋଇ ଫେରିଲେ ଆପଣାର କେବିନ୍‌କୁ । ଆଉ ମୁହୂର୍ତ୍ତେ ବିଳମ୍ବ ନକରି ସଂକ୍ଷେପରେ ସମସ୍ତ ବିଷୟ ଜଣାଇ ଏ ବିଷୟରେ ଅନୁସନ୍ଧାନ କରିବାପାଇଁ ଭାରତର ସି:ଆଇ:ଡି: ବ୍ରାଞ୍ଚକୁ ଲେଖି ବସିଲେ ।

 

-ପାଞ୍ଚ-

 

ସି:ଆଇ:ଡି: ହେଡ଼୍‌କ୍ୱାଟର୍‌....

 

ଇନ୍‌ସପେକ୍ଟର-ଜେନେରାଲ ମି: ଆୟଙ୍ଗାର ବଡ଼ ଉଦ୍‌ବିଘ୍ନ ହୋଇ ଫାଇଲଟି ପରୀକ୍ଷା କରୁଥିଲେ । ଫାଇଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ସାମୁଦ୍ରିକ ସୀମାମଧ୍ୟରେ ବିଶିଷ୍ଟ ସ୍ୱର୍ଣ୍ଣ ବଣିକ ମାଣିକ୍‍ଲାଲ୍‍ଙ୍କ ମୃତ୍ୟୁ, ତାହା ସହିତ ପ୍ରାୟ ପାଞ୍ଚଲକ୍ଷ ଟଙ୍କାର ସୁନା ହରଣଚାଳ । ଦ୍ୱିତୀୟ ଘଟଣା ରାୟଚୂଡ଼ାମଣି ହରିଶଙ୍କର ପଟ୍ଟନାୟକଙ୍କର ଉଚ୍ଚ ଶିକ୍ଷାର୍ଥିନୀ କନ୍ୟା ସୁନନ୍ଦା ଦେବୀଙ୍କର ହରଣଚାଳ-। ସେଇ ହତ୍ୟା ଆଉ ହରଣଚାଳର ଯେଉଁ ଅନୁସନ୍ଧାନ କାର୍ଯ୍ୟ ସାମୁଦ୍ରିକ ନିରାପତ୍ତା ପୋଲିସ୍‍ ଅଫିସ୍‍ର ଜନ ଡେଭିଡ୍‍ କରିଥିଲେ ତା’ର ଗୋଟିଏ ନକଲ ଏବଂ ଉଠାଇଥିବା ଫଟୋର ନକଲଗୁଡ଼ିକ ସେ ପରୀକ୍ଷା କରି ଦେଖୁଥିଲେ । ଦେଖିବା ସଙ୍ଗେ ସଙ୍ଗେ ବଡ଼ ଚିନ୍ତିତ ମଧ୍ୟ ହୋଇ ପଡ଼ିଥିଲେ । ଏହା କିଛି ସାମାନ୍ୟ ବ୍ୟାପାର ନୁହେଁ । ଗୋଟାଏ ଦେଶର ବାଣିଜ୍ୟ ଓ ଯାତାୟତ ସମ୍ପର୍କ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଚି । ତାଙ୍କର ସୁନାମ ଏବଂ ପଦୋନ୍ନତି ମଧ୍ୟ ସେହି ପରିମାଣରେ ନିର୍ଭର କରୁଚି । ଏ ଯେଉଁ ବିରାଟ ସମସ୍ୟା ଘଟିଚି ତା’ର ସମାଧାନ ଦାୟିତ୍ୱ ତାଙ୍କର-। ଏଥିପାଇଁ ସରକାର ତାଙ୍କ ଛଡ଼ା ଆଉ କାହାରିକୁ କଦାପି ଦାୟୀ କରିବେ ନାହିଁ । କି ଉପାୟ ଉଦ୍ଭାବନ କଲେ ଯେ ଏସବୁର ସମାଧାନ ହେବ ତାହା ସେ ମନେ ମନେ ଭାବି କିଛି ଥଳକୂଳ ପାଉ ନ ଥିଲେ । ଅତ୍ୟଧିକ ଚିନ୍ତା ଯୋଗୁ ତାଙ୍କର ମୁଖମଣ୍ଡଳ ଥିଲା ଖୁବ୍‌ ଗମ୍ଭୀର । କୋଠରୀଟିରେ ନିସ୍ତବ୍‌ଧତା ପୂରା ମାତ୍ରାରେ ରାଜୁତି କରୁଥିଲା ।

 

ମି: ଆୟଙ୍ଗାର ଜଣେ ଖୁବ୍‌ ଟାଣୁଆ ଅଫିସ୍‍ର । ସେ ଥିଲେ ଅସମ୍ଭବ ଜିଦଖୋର । ଯାହାକୁ ସେ ଯାହା କରିବେ ବୋଲି ଥରେ ଭାବିଥିବେ, ତାକୁ ଯେ କୌଣସି ପ୍ରକାରେ ନିଶ୍ଚୟ କରିବେ । ତାଙ୍କୁ ଏଥିପାଇଁ ଅନେକେ ସମାଲୋଚନା କରୁଥିଲେ ସୁଦ୍ଧା କହିବାକୁ ସାହସ କରନ୍ତି ନାହିଁ, କାରଣ ଏ ପ୍ରକାର ଜିଦ୍‌ର ସୁଫଳ ମିଳେ ବହୁତ ।

 

ମି: ଆୟଙ୍ଗାର ଫାଇଲଟା ରଖିଦେଇ ଟେଲିଫୋନ୍‌ ରିସିଭର୍‌ ଉଠାଇ ଡାକିଲେ–ହ୍ୟାଲୋ...ମି: ଚୌଧୁରୀ !

 

ଉତ୍ତରରେ ମି: ଚୌଧୁରୀଙ୍କ ଶବ୍ଦ ଶୁଣାଗଲା । ମି: ଆୟଙ୍ଗାର କିଛି ସମୟ ତାଙ୍କ ସହ କଥାବାର୍ତ୍ତା କରି ରିସିଭର୍‌ ରଖିଦେଇ ଅନ୍ୟ କାମରେ ମନ ଦେଲେ ।

 

ପ୍ରାୟ ଅଧଘଣ୍ଟାକ ପରେ କଳା ରଙ୍ଗର କାର୍‌ ଖଣ୍ଡିଏ ପ୍ରବେଶ କଲା ମି: ଆୟଙ୍ଗାରଙ୍କ ଅଫିସ୍‍ ହତା ମଧ୍ୟରେ । କାର୍‌ଟି ବ୍ରେକ୍‌ କଲାପରେ ତା’ ଭିତରୁ ଓହ୍ଲାଇ ପଡ଼ିଲେ ବିଖ୍ୟାତ ଡିଟେକ୍‌ଟିଭ୍‌ ମି: ଚୌଧୁରୀ ଆଉ ତାଙ୍କର ସହକାରୀ ଶରତ୍‍ବାବୁ ।

 

ମି: ଚୌଧୁରୀଙ୍କୁ ଦେଖି ଜଗୁଆଳ ପୋଲିସ୍‍ ସାଲ୍ୟୁଟ ଦେଇ ବାଟ ଛାଡ଼ିଦେଲା । ମି: ଚୌଧୁରୀ ଆଉ ଶରତ୍‍ବାବୁ ପ୍ରବେଶ କଲେ ମି: ଆୟଙ୍ଗାରଙ୍ଗ ଅଫିସ୍‍ ଭିତରେ ।

 

ମି: ଆୟଙ୍ଗାର କିନ୍ତୁ କି ଗୋଟାଏ ଫାଇଲ ଦେଖିବାରେ ଏତେ ତନ୍ମୟ ଥିଲେ ଯେ, ମି: ଚୌଧୁରୀଙ୍କ ଆସିବା ସୁଦ୍ଧା ଜାଣିପାରିଲେ ନାହିଁ, ମାତ୍ର ମି: ଚୌଧୁରୀ ସାମାନାର ଚୌକିଟା ଟିକିଏ ଘୁଞ୍ଚାଇଦେବା ଫଳରେ ଯେଉଁ ଶବ୍ଦ ହେଲା, ସେଥିରେ ମି: ଆୟଙ୍ଗାରଙ୍କ ଅନ୍ୟମନସ୍କତା ତୁଟିଗଲା । ସେ ଚମକି ପଡ଼ି ଆଗକୁ ଚାହିଁଦେଇ ଦେଖନ୍ତି ତ ଆଗରେ ମି: ଚୌଧୁରୀ ଆଉ ତାଙ୍କର ସହକାରୀ ଶରତବାବୁ । ‘‘ଆରେ ଆପଣ ? ମୁଁ ତ ଆଦୌ ଜାଣିପାରିଲି ନାହିଁ, ଏ ଫାଇଲଟା ଦେଖିବାରେ ବ୍ୟସ୍ତ ରହି’’–ସୌଜନ୍ୟତା ଦେଖାଇ ବସିବାକୁ ଆସନ ଦେଲେ ମି: ଆୟଙ୍ଗାର ।

 

ଧନ୍ୟବାଦ ଦେଇ ମି: ଚୌଧୁରୀ ଆଉ ଶରତ୍‍ବାବୁ ଆସନ ଗ୍ରହଣ କଲେ । ଏଣୁତେଣୁ ଦୁଇଚାରିପଦ କଥାବର୍ତ୍ତା ପରେ ମି: ଆୟଙ୍ଗାର ଆରମ୍ଭ କଲେ–ହ’ ମି: ଚୌଧୁରୀ ! ମୁଁ ଯେଉଁ ଗୁରୁତର ବିଷୟଟି ପାଇଁ ଆପଣଙ୍କୁ ଡକାଇଥିଲି, ବର୍ତ୍ତମାନ ସେ ବିଷୟଟି ପକାଏ ।

 

‘‘ମୁଁ ସେ କଥା ଜାଣେ ସାର୍‌ ।’’–ମି: ଚୌଧୁରୀ କହି ପକାଇଲେ ମି: ଆୟଙ୍ଗାର କିଛି ନ କହୁଣୁ ।

 

‘‘ଆପଣ ଜାଣନ୍ତି, ମାନେ–ଏଇ ଖବରକାଗଜରୁ ତ ?’’–ବିସ୍ମିତ ହୋଇ ପ୍ରଶ୍ନ କଲେ ମି: ଆୟଙ୍ଗାର ।

 

–ନା, ସାର୍‌ ! ରାୟଚୂଡ଼ାମଣି ହରିଶଙ୍କର ପଟ୍ଟନାୟକ, ଯାହାଙ୍କର ଝିଅ ହରଣଚାଳ ହୋଇଚନ୍ତି ବା ନିଖୋଜ ହୋଇଚନ୍ତି, ସେ ହେଉଚନ୍ତି ମୋର ବାଲ୍ୟ ବନ୍ଧୁ । ଛାତ୍ର ଜୀବନରେ ଆମେ ଦୁହେଁ ଘନିଷ୍ଠ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଥିଲୁ । ତାଙ୍କର ଝିଅ ସୁନନ୍ଦାର ହରଣଚାଳ ବିଷୟ ସେ ସୁନନ୍ଦାର ଜଣେ ସହଯାତ୍ରୀଙ୍କ ଠାରୁ ପତ୍ର ପାଇ ଅତି ମର୍ମାହତ ହୋଇ ପଡ଼ିଚନ୍ତି । ଆଜି ସକାଳେ ମୋତେ ଡାକିନେଇ ସେ ସମସ୍ତ କଥା କହି ଏଥିର ସନ୍ଧାନ ନେବାକୁ ଅନୁରୋଧ କରିଚନ୍ତି । ତା’ ଛଡ଼ା ସ୍ୱର୍ଣ୍ଣବଣିକ ମାଣିକ୍‍ଲାଲ୍‍ଙ୍କ ବିଷୟ ତ ଦୈନିକ କାଗଜରୁ....’’

 

‘‘ବେଶ୍‌ ! ସେଥିରେ ଆପଣଙ୍କ ମତ କ’ଣ ? ମୋ ମତରେ ସେ ରହସ୍ୟଜାଲ ଭେଦ କରିବାକୁ ଆପଣହିଁ ଉପଯୁକ୍ତ । ତେଣୁ ଆପଣ ଅମତ ହେବା ଉଚିତ ହେବନାହିଁ । ଭାରତ ସରକାରଙ୍କ ପକ୍ଷରୁ ମୁଁ ମଧ୍ୟ ଆପଣଙ୍କୁ ଉକ୍ତ ବିଷୟର ଅନୁସନ୍ଧାନ କରିବାକୁ ଅନୁରୋଧ କରୁଚି ।’’

 

‘‘ଏ ସବୁ କାମରେ ମୁଁ ଆପତ୍ତି କରେ ନାହିଁ; ତେବେ ମୁଁ ଏଥିରେ ରାଜି, ଯଦି ଆପଣ ସବୁପ୍ରକାର ବନ୍ଦୋବସ୍ତ କରାଇ ଦିଅନ୍ତି’’–କହିଲେ ମି: ଚୌଧୁରୀ ।

 

‘‘ତା’’ ଅବଶ୍ୟ ମୁଁ କରିଦେବି । ବର୍ତ୍ତମାନ ଆପଣ ଏ ଫାଇଲପତ୍ର, ଦେଖନ୍ତୁ ଆଉ ଆପଣଙ୍କର କର୍ମପନ୍ଥା ସ୍ଥିର କରି ଆଜି ସନ୍ଧ୍ୟା ପୂର୍ବରୁ ମୋତେ ଜଣାନ୍ତୁ ।’’

 

‘‘ଅଲ୍‌ରାଇଟ୍‌’’ କହିବା ସଙ୍ଗେ ସଙ୍ଗେ ମି: ଚୌଧୁରୀ ଅଭିବାଦନ ଜଣାଇ ବାହାରିଲେ । ତାଙ୍କ ସଙ୍ଗେ ସଙ୍ଗେ ଶରତବାବୁ ମଧ୍ୟ ।

 

ମି: ଚୌଧୁରୀ ତାଙ୍କ ବାସଭବନରେ ଗୋଟିଏ କକ୍ଷରେ ନିଜର କେତେକ ଆବଶ୍ୟକୀୟ ଜିନିଷପତ୍ର ଗୋଟିଏ ଏୟାରବ୍ୟାଗରେ ଭର୍ତ୍ତି କରୁଥିଲେ; ଏତିକିବେଳେ ଝଡ଼ପରି ସେ ଘରେ ପ୍ରବେଶ କଲେ ତାଙ୍କ ସହକାରୀ ଶରତ୍‍ବାବୁ । ତାଙ୍କୁ ଦେଖି ମି: ଚୌଧୁରୀ ବ୍ୟଗ୍ର ହୋଇ ପଚାରିଲେ–‘‘କ’ଣ ବୁଝିଲ ?’’

 

‘‘ସବୁ ଠିକ୍‌ଅଛି ସାର୍‌ ! ଅଜନ୍ତା ପହଞ୍ଚୁ ପହଞ୍ଚୁ ଆଉ ଦୁଇଦିନ; ତେବେ କୌଣସି ଯାନ୍ତ୍ରିକ ବ୍ୟତିକ୍ରମ ଘଟିଲେ ଆହୁରି ଡେରି ହୋଇପାରେ ।’’

 

‘‘ଡେରି ହେବା ତ ମଙ୍ଗଳ । ଆଚ୍ଛା ! ଏୟାର କଥା କ’ଣ ବୁଝିଲ ?’’–ପଚାରିଲେ ମି: ଚୌଧୁରୀ ।

 

‘‘ଏୟାର ଅଫିସ୍‍ରୁ ବୁଝିଲି, ଆଜି ରାତି ଦୁଇଟା ପଇଁତିରିଶି ମିନିଟରେ ଲଣ୍ଡନ ମେଲ୍‌ ଛାଡ଼ିବ ।’’

 

‘‘ବେଶ୍‌, ତୁମେ ଆମର ଦୁଇଟା ସିଟ୍‌ ରିଜର୍ଭ କର । ହଁ; ଟାଇଗର୍‍ର ବି ।’’

 

‘‘ଟାଇଗର୍‍ କ’ଣ ଆମ ସାଙ୍ଗରେ–?’’

 

‘‘ନିଶ୍ଚୟ ! ନିଶ୍ଚୟ । ତା’ଠାରୁ ବଳି ବନ୍ଧୁ ଆଉ ବିଦେଶରେ କିଏ ? ହଁ, ତୁମକୁ ଗୋଟାଏ କଥା କହିବାକୁ ଭୁଲି ଯାଇଚି । ଆମ ନାଁ ଯେପରି’’–ମି: ଚୌଧୁରୀଙ୍କର ଅବଶିଷ୍ଟ କଥା ଆଖିର ଇଙ୍ଗିତରେ ଜଣାଇ ଦେଲେ ଶରତ୍‍ବାବୁଙ୍କୁ ।

 

‘‘ସେ ଠିକ୍ ଅଛି ।’’

 

‘‘ତେବେ ତୁମେ ଆଜି ଯିବାକୁ ପ୍ରସ୍ତୁତ ହୁଅ । ମୁଁ ଟିକେ ଆଇ:ଜି: ମି: ଆୟଙ୍ଗାରଙ୍କଠାରେ କେତେକ କଥାବାର୍ତ୍ତା କରି ଆସେ ।’’

 

-ଛଅ-

 

ସେଦିନ ରାତି ଦୁଇଟା ତିରିଶରେ କଳା ରଙ୍ଗର କାର୍‌ ଖଣ୍ଡିଏ ଉଲ୍‌କା ବେଗରେ ଛୁଟି ଆସି ବ୍ରେକ୍ କଲା ସାନ୍ତାକୃଜ୍‌ ବିମାନ ଘାଟି ଫାଟକ ପାଖରେ । କାର୍‌ର ପଛ ସିଟ୍‌ରୁ ଓହ୍ଲାଇ ଆସିଲେ ଦୁଇଜଣ ଶିଖ୍‍ ଭଦ୍ରଲୋକ । ହାତରେ ଖଣ୍ଡିଏ ଖଣ୍ଡିଏ ଏୟାର ବ୍ୟାଗ୍‌ ଛଡ଼ା ଆଉ କିଛି ନାହିଁ । ପୋଷାକ ପରିଚ୍ଛଦରୁ ଜଣାଯାଏ, ଦୁହେଁ ଖୁବ୍‌ ମାର୍ଜିତ ଆଉ ସମ୍ଭ୍ରାନ୍ତ ବଂଶଜ ହେବେ ବୋଧେହୁଏ । ସେ ଦୁହେଁ କାର୍‌ରୁ ଓହ୍ଲାଇ ସିଧା ଚାଲିଲେ ଏୟାର୍‌ ଲାଇନ ଅଫିସ୍‌ ଆଡ଼କୁ । ଡ୍ରାଇଭର ଗାଡ଼ି ଫେରାଇ ଚାଲିଗଲା ।

 

ସେତେବେଳକୁ ଲଣ୍ଡନଗାମୀ ଉଡ଼ାଜାହାଜ ଯିବାକୁ ପ୍ରସ୍ତୁତ ହେଉଛି । ପଙ୍ଖାଗୁଡ଼ାକ ଘୂରାଇ ଚାଳକ ତାକୁ ଭଲକରି ପରୀକ୍ଷା କରି ନେଉଛନ୍ତି । ଆଉ ମାତ୍ର ପାଞ୍ଚମିନିଟ୍‌ ବାକି । ଆଗନ୍ତୁକ ଶିଖ୍‌ ଭଦ୍ରଲୋକ ଦୁଇଜଣ ଟିକଟ ଦୁଇଖଣ୍ଡ ହସ୍ତଗତ କରି ଚଟ୍‌କରି ଯାଇ ଜାହାଜରେ ନିଜ ଆସନ ଅଧିକାର କରିନେଲେ । ଯଥା ସମୟରେ ବୋଇଙ୍ଗ୍‌ ଜେଟ୍‌ ବିମାନଟା ଘେରାଏ ଦୁଇଘେରା ଉଡ଼ି ମହାଶୂନ୍ୟରେ ଏକମୁହାଁ ଉଡ଼ି ଚାଲିଲା ।

 

ସକାଳ ଆଠଟା । ଅଜସ୍ର ଧାଇଁ ଧାଇଁ ଆକାଶ ପୋତଟା ଲଣ୍ଡନ ସହର ଉପରେ ଘୂରି ବୁଲିଲା ଏରୋଡ୍ରମ ଠଉରାଇବାପାଇଁ । ଅଳ୍ପ ସମୟ ମଧ୍ୟରେ ଏରୋଡ୍ରମରେ ଓହ୍ଲାଇ ଖୁବ୍‌ ବେଗରେ ଧାଇଁ ଧାଇଁ ଅଟକି ଗଲା । ସଙ୍ଗେ ସଙ୍ଗେ ସିଡ଼ି ପକାଇ ଦିଆଗଲା । ସେଇ ବାଟ ଦେଇ ବୋଇଂ ଜେଟ୍‌ ଭିତରୁ ଜଣ ଜଣ କରି ଯାତ୍ରୀ ଓହ୍ଲାଇଗଲେ । ଲଣ୍ଡନ ଆକାଶରେ ସେ ପର୍ଯ୍ୟନ୍ତ କୁହୁଡ଼ିର ଗାଢ଼ ଧୂସର ଆବରଣ ଭେଦି ସୂର୍ଯ୍ୟକିରଣ ତଳେ ପଡ଼ିନି ।

 

ଗରମ ମଫଲରଟା ବେକ ଚାରିପଟେ ଭଲ ଭାବରେ ଗୁଡ଼ାଉ ଗୁଡ଼ାଉ ଶିଖ୍‍ ଭଦ୍ରଲୋକ ଦୁଇଜଣ ଓହ୍ଲାଇ ଆସିଲେ ତଳକୁ, ସେମାନଙ୍କ ପଛେ ପଛେ ପ୍ରକାଣ୍ଡକାୟ ଆଲ୍‌ସିସିଆନ୍‍ କୁକୁରଟା ମଧ୍ୟ । ଆଗନ୍ତୁକ ଭୂମିରେ ପାଦ ଦେଲାମାତ୍ରେ କଳା ପୋଷାକଧାରୀ ଜଣେ ଭଦ୍ରଲୋକ ଆଗେଇ ଆସି ଦୁହିଁଙ୍କ ସହ ଦୃଢ଼ କରମର୍ଦ୍ଦନ କଲେ । ତା’ପରେ ସଂକ୍ଷେପରେ ପରସ୍ପରର କୁଶଳାଦି ପ୍ରଶ୍ନୋତ୍ତର ପରେ ତିନିଜଣ ଯାକ ଚାଲିଲେ ବାହାରକୁ । ବାହାରେ ମୂଲ୍ୟବାନ କାର୍‌ ଖଣ୍ଡିଏ ଅପେକ୍ଷା କରିଥିଲା । ସେଥିରେ ବସିଲା ମାତ୍ରେ ସେ-ଖଣ୍ଡି ଛୁଟି ଚାଲିଲା ରାଜପଥ ଉପରେ ।

 

ଲଣ୍ଡନ ସହରରର ଉପକଣ୍ଠରେ ସଦୃଶ୍ୟ ଗୋଟିଏ ଦୁଇମହଲା ପ୍ରାସାଦ । ବେଶ୍‍ ଆଧୁନିକ ରୁଚିରେ ତିଆରି । ସେଇ ପ୍ରାସାଦର ଆଗରେ ବ୍ରେକ୍‌ କଲା କାର୍‍ଖଣ୍ଡି । ତା’ ଭିତରୁ ଓହ୍ଲାଇ ପଡ଼ିଲେ ପୂର୍ବୋକ୍ତ ଶିଖ୍‍ ଭଦ୍ରଲୋକ ଦୁଇଜଣ ଏବଂ କଳା ପୋଷାକଧାରୀ ସାହେବ ଜଣକ-। ସବା ପଛରେ କୁକୁର ।

 

ଦୁଇ ତିନିଟା କୋଠରୀ ପାରି ହେଇଗଲା ପରେ ଖୁବ୍‌ ବଡ଼ କୋଠରୀଟାଏ । ମଝିରେ ତା’ର ଇଲେକ୍‌ଟ୍ରିକ୍‌ ହିଟରଟା ଦପ୍‌ଦପ୍‌ କରିଉଠୁଚି । ଲଣ୍ଡନ ସହରରେ ଏବେ ବି ଶୀତର ପ୍ରକୋପ କମିନାହିଁ, ସେଥିପାଇଁ ଘରେ ଘରେ ସେକି ହେବାପାଇଁ ଏପରି ଭାବରେ ଚୁଲିଦ୍ୱାରା ଉତ୍ତାପର ବ୍ୟବସ୍ଥା ।

 

ତିନିଜଣଯାକ ହିଟର୍‌ ନିକଟରେ ଖଣ୍ଡିଏ ଖଣ୍ଡିଏ ଆସନ ଗ୍ରହଣ କଲାପରେ ବୟ ଆସି ସମସ୍ତଙ୍କୁ କପେ ଲେଖାଏଁ ଗରମ କଫି ଦେଇଗଲା । କଫି ପିଉ ପିଉ କଳା ପୋଷାକଧାରୀ ଜଣକ କହିଲେ–‘‘ବାସ୍ତବିକ ମି: ଚୌଧୁରୀ ! ଛଦ୍ମ ବେଶରେ ମୋ ପକ୍ଷରେ ବି ଆପଣଙ୍କୁ ଚିହ୍ନିବା କଷ୍ଟହେଲା । ଆପଣଙ୍କ ପଛରେ ଟାଇଗର୍‌କୁ ଦେଖି ନଥିଲେ ମୁଁ କଦାପି ଠଉରେଇ ପାରିନଥାନ୍ତି ।’’

 

ଛଦ୍ମବେଶଧାରୀ ମି: ଚୌଧୁରୀ ହସୁ ହସୁ କହିଲେ–‘‘ବୁଝିଲେ ମିଷ୍ଟର୍‍ ଯୋଶେଫ୍‌ ! ଆତତାୟୀ ଯେ କେତେବେଳେ କେଉଁଠି ଥାଏ ତା’ ତ ଆଉ ଜଣା ନ ଥାଏ । ସେମାନେ ଯେପରି ଆମ ଆଗରୁ ଲୁଚି ରହିବା ପାଇଁ ବ୍ୟାକୁଳ, ଆମର ତାଙ୍କ ଆଗରୁ ମଧ୍ୟ ସେପରି ହେବା ଉଚିତ୍‌ ।’’

 

ତିନିଜଣଙ୍କ ମଧ୍ୟରେ ଖୁବ୍‌ ଗୋଟାଏ ହାସ୍ୟରୋଳ ଉଠିଲା ଏଥିରେ । ବହୁ ସମୟ ଧରି ତିନିଜଣ ଯାକ ନାନାଦି ଆଳାପ ଆଲୋଚନାରେ ବ୍ୟସ୍ତ ରହି ପ୍ରକୃତ ପ୍ରସଙ୍ଗ ପକାଇବାକୁ ଭୁଲି ଯାଇଥିଲେ । ଏତିକିବେଳେ ମି: ଚୌଧୁରୀ କହିପକାଇଲେ–‘‘ଆଚ୍ଛା, ମିଷ୍ଟର୍‍ ଯୋଶେଫ୍‌ ! ଅଜନ୍ତା ଠିକ୍‌ କେଉଁଦିନ ବନ୍ଦର ଧରୁଚି ଆପଣ ବୁଝିଥିଲେ କି ?’’

 

‘‘ବୁଝିଥିଲି, କାଲି ଦିନ ବାରଟା ସୁଦ୍ଧା ।’’ –କହିଲେ ମିଷ୍ଟର୍‍ ଯୋଶେଫ୍‌ । ‘‘ତେବେ ଆମର କାର୍ଯ୍ୟପନ୍ଥା ଆଜିଠୁ ସ୍ଥିର କରି ନେଲେ ଠିକ୍‌ ହେବ । କାଲି ସକାଳେ ଏଠା ପୋଲିସ୍‍ କମିଶନରଙ୍କୁ ଦେଖା କରି ନେଇ ହେବ’’ –ମି: ଯୋଶେଫ୍‌ କହିଲେ । ‘‘ତେବେ ଆଜିର ପ୍ରୋଗ୍ରାମ-?’’ –ପଚାରିଲେ ମି: ଚୌଧୁରୀ ।

 

‘‘ବିଶେଷ କିଛି ନାହିଁ । ବିଶ୍ରାମ, ଆଉ ଇଚ୍ଛା ହେଲେ ଭ୍ରମଣ’’–ହସୁ ହସୁ କହିଲେ ମି: ଯୋଶେଫ୍‌ ।

 

‘ବିଶ୍ରାମ’ ଏଇ କଥା ପଦକ ମି: ଚୌଧୁରୀଙ୍କୁ କିମିତି ଅଡ଼ୁଆ ଲାଗିଲା ଟିକେ । ସେ ଆସିଛନ୍ତି ଏକ ବିରାଟ ଦାୟିତ୍ୱର ବୋଝ ମୁଣ୍ଡରେ ନେଇ । ସେଥିରେ ଲଣ୍ଡନ ସହରର ସୁରମ୍ୟ ପ୍ରାସାଦରେ ବିଶ୍ରାମର ପ୍ରଶ୍ନ ବା କାହିଁ ? ତା’ପରେ ଘନିଷ୍ଠ ବନ୍ଧୁ ହରିଶଙ୍କରଙ୍କ ଅଲିଅଳି କନ୍ୟା ଅପହୃତା । ସେ ତାଙ୍କର କନ୍ୟାତୁଲ୍ୟା ମଧ୍ୟ । ଯେ କୌଣସି ଉପାୟରେ ହେଉ ତାଙ୍କୁ ଉଦ୍ଧାର କରିବାର ପ୍ରତିଜ୍ଞା ସେ କରିଛନ୍ତି । ସେକ୍ଷେତ୍ରରେ ବିଶ୍ରାମର ସାମାନ୍ୟ ପ୍ରୟୋଜନ କାହିଁ ? ପ୍ରୟୋଜନ କେବଳ ପ୍ରାଣପାତ କରି କାର୍ଯ୍ୟ ସାଧନର ।

 

ମି: ଚୌଧୁରୀଙ୍କୁ ଅନ୍ୟମନସ୍କ ଦେଖି ମି: ଯୋଶେଫ୍‌ ବୋଧହୁଏ ତାଙ୍କର ମନୋଭାବ ଠଉରାଇ ନେଲେ । ସେ ପୁଣି କଥାର ପ୍ରସଙ୍ଗ ବଦଳାଇ କହିଲେ–‘‘ଆଚ୍ଛା ମିଷ୍ଟର୍‍ ! ବର୍ତ୍ତମାନ ଆପଣ କେଶ୍‌ଟାକୁ କି ଭାବରେ ଗ୍ରହଣ କରିଛନ୍ତି ଏବଂ ଆପଣଙ୍କର ଅନୁମାନ ଉପରେ ନିର୍ଭର କରି ଆମେ କି ବ୍ୟବସ୍ଥା କରିବା ଦରକାର, ବର୍ତ୍ତମାନ ତାହାହିଁ ଆଲୋଚନା କରାଯାଉ ।’’

 

ଏଥିରେ ମିଁ ଚୌଧୁରୀ ଖୁସି ହେଲେ । ସେ ନିଜର ସମସ୍ତ କ୍ଳାନ୍ତି ଭୁଲିଯାଇ ଚୌକିଟା ମି: ଯୋଶେଫ୍‌ଙ୍କ ଆଡ଼କୁ ଟିକିଏ ଘୁଞ୍ଚାଇ ନେଇ କହିଲେ–‘‘ଶୁଣନ୍ତୁ ! କେଶ୍‌ଟା ଏପର୍ଯ୍ୟନ୍ତ ଅନ୍ଧକାରରେ; ତଥାପି ଯାହା ଅନୁମାନ କରାଯାଇ ପାରିଛି ସେତିକି କହୁଚି–

 

‘‘ହରିଶଙ୍କର ପଟ୍ଟନାୟକ ଜଣେ ଭାରତୀୟ ସମ୍ଭ୍ରାନ୍ତ ଜମିଦାର । ତାଙ୍କର ଏକମାତ୍ର ଉତ୍ତରାଧିକାରୀ କନ୍ୟା ସୁନନ୍ଦା ଉଚ୍ଚଶିକ୍ଷା ଉଦ୍ଦେଶ୍ୟ ରଖି ବମ୍ବେ ବନ୍ଦରଠାରୁ ‘ଅଜନ୍ତା’ ଜାହାଜରେ ଇଂଲଣ୍ଡ ଆସୁଥିଲେ । ବାଟରେ ଗୋଟିଏ ଝଡ଼ଝଞ୍ଜାମୟ ରାତ୍ରିରେ ଦଳେ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଚନ୍ତି । ଦ୍ୱିତୀୟ କଥା–ସେଇ ରାତିରେ ସୁନନ୍ଦା ଅପହରଣ ହେବାର କିଛି ସମୟ ପରେ ଭାରତ ଅଭିମୁଖରେ ଯାତ୍ରା କରୁଥିବା ‘ଗୋଲଡେନ୍‍ ସ୍ୱାନ୍‌’ ଜାହାଜରେ ଭାରତର ବିଶିଷ୍ଟ ସ୍ୱର୍ଣ୍ଣ ବ୍ୟବସାୟୀ ସେଠ୍‌ ମାଣିକ୍‍ଲାଲ୍‍ଙ୍କୁ ଖୁନ୍‍ କରାଯାଇ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ସୁନା ଲୁଟି ନିଆଯାଇଚି । ଏଥିରେ ବାଧା ଦେବାକୁ ଯାଇ ସେହି ଜାହାଜର କପ୍ତାନ୍‍ ସାର୍‌ ହଣ୍ଡର୍‌ସନ୍‌ ଗୁରୁତର ଭାବେ ଆହାତ ହୋଇଛନ୍ତି । ମାଣିକ୍‍ଲାଲ୍‍ ନିଜର ସମ୍ପତ୍ତି ରକ୍ଷା କରିବାକୁ ଯାଇ ରିଭଲ୍‍ଭର୍‍ ଚଳାଇବା ଦ୍ୱାରା ଘଟଣା ସ୍ଥଳରେ ଆତତାୟୀ ଦଳରୁ ଜଣକର ମୃତ୍ୟୁ ହୋଇଛି ।’’

 

‘‘ଆଚ୍ଛା ! ସେଠ୍‌ ମାଣିକ୍‍ଲାଲ୍‍ଙ୍କୁ ଖୁନ୍‌କରି ପାଞ୍ଚଲକ୍ଷ ଟଙ୍କା ମୂଲ୍ୟର ସୁନା ଲୁଟିବା ଉଦ୍ଦେଶ୍ୟ ମୂଳକ ବୋଲି ପରିଷ୍କାର ଧାରଣା ହେଉଛି । କିନ୍ତୁ ସୁନନ୍ଦା ଯେ ଅପହୃତା, ଏହାର ଉଦ୍ଦେଶ୍ୟ ବା କ’ଣ ? ତା’ପରେ ଆପଣ ଅପହୃତା ଉପରେ ଏତେ ଜୋର ଦେଉଛନ୍ତି କାହିଁକି ? ସେ ଯେ ମୃତା ନୁହଁନ୍ତି, ତା’ର କ’ଣ କାରଣ ଅଛି ?’’ –ପଚାରିଲେ ମି: ଯୋଶେଫ୍‌ ।

 

‘‘ଯଥେଷ୍ଟ ଅଛି । ଆପଣ ମଧ୍ୟ କଥାର ଖିଅ ଠିକ୍‌ ଧରିଚନ୍ତି । ମାଣିକ୍‌ଲାଲ୍‌ ଖୁନ୍‌ ହେବା ପରିଷ୍କାର । ସୁନନ୍ଦାଙ୍କ ପାଖରେ ସେମିତି ମୂଲ୍ୟବାନ ଧନ ଅବଶ୍ୟ ନଥିଲା । କିନ୍ତୁ ସେ ଥିଲେ ଅସାମାନ୍ୟ ସୁନ୍ଦରୀ । ହୁଏତ ଏହାହିଁ ତାଙ୍କର ଅପହରଣର କାରଣ ହୋଇପାରେ । ଦ୍ୱିତୀୟତଃ, ଆତତାୟୀ ଯଦି ସୁନନ୍ଦା ଦେବୀଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥାନ୍ତା, ତେବେ ସେ ଜାହାଜରେ ତାଙ୍କ କେବିନରେ ତାଙ୍କୁ ହତ୍ୟା କରିଥାନ୍ତା, ଆଉ ଏତେ ବିପୁଳ ଆୟୋଜନ କରି ନଥାନ୍ତା । ଆଉରି ବି ସେଥିରେ କଥା ଅଛି । ସୁନନ୍ଦାଙ୍କର ଜଣେ ସହଯାତ୍ରୀ ଯେ କି ଉଚ୍ଚଶିକ୍ଷା ପାଇଁ ଏଠାକୁ ଆସୁଛନ୍ତି, ସେ ମଧ୍ୟ ଏହି ସବୁ ବିଷୟ ଜଣାଇ ହରିଶଙ୍କର ପଟ୍ଟନାୟକଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିଥିଲେ । ସେ ଚିଠିରେ ସେ ଯାହା ବର୍ଣ୍ଣନାକରିଥିଲେ, ସେଥିରୁ ସ୍ପଷ୍ଟ ଧାରଣା କରିହୁଏ ଯେ ସେ ମୃତା ନୁହନ୍ତି, ଅପହୃତା ।

 

‘‘ଆଚ୍ଛା ! ସହଯାତ୍ରୀ ଭଦ୍ରଲୋକଙ୍କର ଠିକଣା ଆପଣଙ୍କୁ ଜଣାଅଛି ?’’–ପଚାରିଲେ ମି: ଯୋଶେଫ୍‌ ।

 

‘‘ନାଁ । ତାଙ୍କ ନାମ ସୁଶୀଲକୁମାର ମହାପାତ୍ର । ସେ ଅଜନ୍ତାରେ ଆସିଚନ୍ତି ଏବଂ ଏଇ ଲଣ୍ଡନରେ ହିଁ ଓହ୍ଲାଇବେ ।’’

 

‘‘ଅଲ୍‌ରାଇଟ୍‌ । ଆମେ ତାଙ୍କୁ ଏଠି ବନ୍ଦରରେ ହିଁ ଚିହ୍ନିନେବା ।’’ –କ’ଣ ଭାବୁ ଭାବୁ ଅନ୍ୟମନସ୍କ ଭାବରେ କହିଲେ, ମି: ଯୋଶେଫ୍‌ ।

 

ଆଲୋଚନା ହୁଏତ ଆହୁରି ଅନେକ ସମୟ ଧରି ଚାଲିଥାନ୍ତା କି କ’ଣ; ବୟ ଆସି ‘ଆହାର ପ୍ରସ୍ତୁତ’ ବୋଲି ଜଣାଇଲାରୁ ତିନିହେଁ ଉଠିଲେ ।

 

-ସାତ-

 

ଲଣ୍ଡନ ବନ୍ଦର–

 

ଶିଖ୍‌ ଭଦ୍ରବ୍ୟକ୍ତି ବେଶରେ ଡେକ୍‍ ଉପରେ ଚାଲବୁଲ କରୁଥିଲେ ଭାରତୀୟ ସି:ଆଇ:ଡି: ଅଫିସ୍‍ର ମି: ଚୌଧୁରୀ, ଆଉ ତାଙ୍କର ସହକର୍ମୀ ଶରତ୍‍ବାବୁ ! ଆଉ ଅଳ୍ପ ସମୟ ପରେ, ଏପରି କି ଖୁବ୍‌ ବେଶି ହେଲେ ଘଣ୍ଟାଏ ଦୁଇଘଣ୍ଟା ମଧ୍ୟରେ, ଇଂଲଣ୍ଡଗାମୀ ଭାରତୀୟ ଜାହାଜ ଅଜନ୍ତା ଲାଗିବ ଏ ଡେକରେ । ସେଥିପାଇଁ ଡେକ୍‌ ଉପରେ କୁଲି, ଖଲାସୀମାନଙ୍କର ଅସମ୍ଭବ ଭିଡ଼ । ଯଥା ସମ୍ଭବ ଶୀଘ୍ର ଡେକରେ ସ୍ଥାନ କରି ଦେବାକୁ ହେବ ମାଲପତ୍ର ଓହ୍ଲାଇ ରଖିବାପାଇଁ ।

 

କୁଲି, ଖଲାସୀମାନଙ୍କ ସାଙ୍ଗକୁ ଆଗନ୍ତୁକ ବି ଅନେକ । ସେମାନଙ୍କ ମଧ୍ୟରୁ କେହି ଆସିଛନ୍ତି ବନ୍ଧୁ ସଙ୍ଖୋଳିବା ପାଇଁ, କେତେକ ହୋଟେଲବାଲା ମଧ୍ୟ ଗରାଖ ଖୋଜି ଆସିଚନ୍ତି । ମୋଟାମୋଟି ଭାବରେ ଏହି ସର୍ବଶ୍ରେଣୀୟ ଲୋକପୂର୍ଣ୍ଣ ଡେକ୍‌ଟି ଉପରେ ମି: ଚୌଧୁରୀ ଆଉ ଶରତ ଛଦ୍ମ ବେଶରେ । ଜଣେ ସାଧାରଣ ଇଉରୋପୀୟ ଭଦ୍ରବ୍ୟକ୍ତି ବେଶରେ ମୁହଁରେ ବହୁତ ଦାଢ଼ି ଲଗାଇ ମି: ଯୋଶେଫ୍‌ ମଧ୍ୟ ସେହି ଡେକ୍‌ ଉପରେ ଚାଲବୁଲ କରୁଥାନ୍ତି । ଉଭୟଙ୍କର ଉଦ୍ଦେଶ୍ୟ ଏକ ହେଲେ ମଧ୍ୟ ଅନୁସନ୍ଧାନର ଦିଗ ଅଲଗା–ଯେ ଯାହାର କୌଶଳ ନେଇ କାର୍ଯ୍ୟବ୍ୟସ୍ତ-

 

ପ୍ରାୟ ଘଣ୍ଟାକ ପରେ ବିଶାଳ ଟେମ୍‌ସ ନଦୀ ବକ୍ଷକୁ ଉଦ୍ବେଳିତ କରି ଅଜନ୍ତା ଦୂରରୁ ଆତ୍ମପ୍ରକାଶ କଲା । ଜାହାଜ ଦେଖିବାମାତ୍ରେ ଡେକ୍‌ ଉପରେ ହୈ ଚୈ ଅପେକ୍ଷାକୃତ ଟିକିଏ ବଢ଼ିଗଲା । ଜାହାଜ ବନ୍ଦରର ନିକଟବର୍ତ୍ତୀ ହୋଇ ଆସିବା ସଙ୍ଗେ ସଙ୍ଗେ ସମୁଦାୟ ଅଙ୍ଗଟା ତା’ର ପରିଷ୍କାର ହୋଇଉଠୁଥାଏ ।

 

ଅଳ୍ପ ସମୟ ମଧ୍ୟରେ ବନ୍ଦରରେ ପ୍ରବେଶ କଲା ଅଜନ୍ତା । ଜାହାଜର ଡେକ୍‌ ଉପରେ ଲୋକମାନେ ଛିଡ଼ା ହୋଇ ବନ୍ଦର ଆଡ଼କୁ ଆନନ୍ଦ ଉତ୍‌ଫୁଲ୍ଲ ହୋଇ ଚାହିଁ ରହିଥାନ୍ତି । ତା’ ସହିତ ସମସ୍ତଙ୍କ ଦୃଷ୍ଟିରେ ରହିଥାଏ ଗୋଟାଏ କିପରି ଆଶଙ୍କାର ଛାୟା ।

 

ଅଜନ୍ତା ଡେକରେ ପହଞ୍ଚିଲାମାତ୍ରେ ଲମ୍ବ ଲମ୍ବ ସିଡ଼ି କେତୋଟି ପକାଇ ଦିଆଗଲା ତଳକୁ । ତାରି ଉପର ଦେଇ ଯାତ୍ରୀମାନେ ଓହ୍ଲାଇ ଆସିଲେ ତଳକୁ । କେତେ ମିନିଟ୍‍ ପାଇଁ ଗହଳ ଚହଳ, ଧାଁ ଦଉଡ଼ ଖୁବ୍‌ ବଢ଼ିଗଲା । ସେହିଦିନ ସମୁଦ୍ର ମଧ୍ୟରେ ମି: ଚୌଧୁରୀ ମନେମନେ ଖୋଜୁଥିଲେ ସୁଶୀଲକୁମାର ମହାପାତ୍ରଙ୍କୁ । ତାଙ୍କୁ ଅଧିକ ସମୟ ଧରି ଖୋଜିବାକୁ ପଡ଼ିଲା ନାହିଁ ମଧ୍ୟ । ଯାତ୍ରୀ ସମାଗମ ଟିକିଏ କମିଗଲାରୁ ସୁଶୀଲବାବୁ ଓହ୍ଲାଇ ଆସିଲେ ଜାହାଜରୁ । ଦେହରେ ସାହେବୀ ପୋଷାକ, ହାତରେ ଖଣ୍ଡିଏ ଚମଡ଼ା ବ୍ୟାଗ୍‌; ପଛରେ ଜଣେ ଆଫ୍ରିକୀୟ କୁଲି ଜିନିଷ ପତ୍ର ମୁଣ୍ଡରେ ବୋଝ କରି ।

 

ସୁଶୀଲବାବୁ ଡେକରେ ପହଞ୍ଚି ସିଧା ଚାଲିଲେ କଷ୍ଟମ୍‌ ଅଫିସ୍‍କୁ । ନିୟମ ଅନୁଯାୟୀ ତାଙ୍କର ଜିନିଷ ଓ କାଗଜ ପତ୍ର ଯାଞ୍ଚ କରାଗଲା । ଅଳ୍ପ ସମୟ ମଧ୍ୟରେ ସେ ବାହାରକୁ ଆସିଲେ । ବ୍ୟବସ୍ଥା ଅନୁସାରେ ତାଙ୍କର ଗୋଟିଏ ହୋଟେଲରେ ଅସ୍ଥାୟୀ ଭାବରେ ରହିବାକୁ ସ୍ଥିର କରଯାଇଥିଲା । ହୋଟେଲ ତରଫରୁ ଟ୍ୟାକ୍‌ସି ମଧ୍ୟ ଅପେକ୍ଷା କରିଥିଲା ତାଙ୍କୁ । ତେଣୁ ସେ ଆପଣାର ଜିନିଷ ପତ୍ର ସହ ଟ୍ୟାକ୍‌ସିରେ ବସିଲେ । ଟ୍ୟାକ୍‌ସି ଛୁଟି ଚାଲିଲା ଲଣ୍ଡନର ଜନଗହଳି ରାଜପଥରେ । ଠିକ୍‌ ସେହି ମୁହୂର୍ତ୍ତରେ ମି: ଚୌଧୁରୀଙ୍କ ଇଙ୍ଗିତକ୍ରମେ ଶରତ୍‍ବାବୁ ମଧ୍ୟ ଖଣ୍ଡିଏ ଟ୍ୟାକ୍‌ସିରେ ତାଙ୍କ ଟ୍ୟାକ୍‌ସିର ପିଛା ଧରିଲେ ।

 

ଜିନିଷପତ୍ର ବୋଝେଇ ଓ ଖଲାସ କରିବା ପାଇଁ ଅଜନ୍ତା ଅନ୍ତତଃ ବାର ତେର ଘଣ୍ଟା ସେହି ବନ୍ଦରରେ ରହିବାର କଥା । ତାହାହିଁ ହେଲା । ଜାହାଜର କର୍ମଚାରୀମାନେ ବହୁଦିନ ପରେ ସ୍ଥଳଭାଗରେ ପହଞ୍ଚିଛନ୍ତି । ପ୍ରତ୍ୟେକଙ୍କର ମନ ଆନନ୍ଦରେ ଉତ୍‌ଫୁଲ୍ଲ । ପ୍ରାୟ ସମସ୍ତେ ତଳକୁ ଓହ୍ଲାଇ ସହରର ନିକଟବର୍ତ୍ତୀ ଅଞ୍ଚଳଟା ବୁଲିବାକୁ ବାହାରି ପଡ଼ିଲେଣି । କପ୍ତାନ୍‌ ସାହେବ ଉଇଲିୟମ୍‌ ଜୋନସ୍‌ ମଧ୍ୟ ଆପଣାର କେବିନ୍‌ରୁ ବାହାରି କେତେକ ଫାଇଲପତ୍ର ଧରି ପୋର୍ଟ ଅଫିସ୍‍କୁ ବାହାରି ପଡ଼ିଲେଣି । ଏହି ସୁଯୋଗରେ ଜାହାଜଟା ଥରେ ଦେଖିନେବାପାଇଁ ମି: ଯୋଶେଫ୍‌ ଜାହାଜ ଉପରକୁ ଉଠିଲେ ।

 

ଏଡ଼େବଡ଼ ଜାହାଜଟା, ଯେଉଁଟା କି କେଇ ଘଣ୍ଟା ପୂର୍ବରୁ ଜନଗହଳିରେ ପୂରି ଉଠିଥିଲା, ଶୂନ୍ୟ ହୋଇ ପଡ଼ିଚି । ଖାଲି ଇଞ୍ଜିନ୍‌ଘରୁ ସାମାନ୍ୟ ସେଁ ସେଁ ଶବ୍ଦ ଶୁଣାଯାଉଚି । ମି: ଚୌଧୁରୀ ଆଉ ମି: ଯୋଶେଫ୍‌ ଜାହାଜର ଉପର ମହଲା ଆଡ଼ୁ ପ୍ରଥମେ ଯାଞ୍ଚ୍‍କରି ଆସିଲେ । ସବା ଉପର ମହଲାର ଗୋଟିକିଆ କୋଠରୀ ଉଇଲିୟମ୍‌ ଜୋନସ୍‍ଙ୍କର । ସେଟା ଯାଞ୍ଚକରି ଦେଖିବାର ଆବଶ୍ୟକତା ଅନୁଭବ କରି ନଥିଲେ ମି: ଚୌଧୁରୀ । କାରଣ ଉଇଲିୟମ୍‍ ଜୋନସ୍‍ ଥିଲେ ସନ୍ଦେହର ବାହାରେ ।

 

ତା’ପରେ ପ୍ରଥମ ଶ୍ରେଣୀ କୋଠରୀଗୁଡ଼ିକ । ମି: ଚୌଧୁରୀ ସେ ସବୁ ଟିକେ ଭଲଭାବରେ ଦେଖିନେବାକୁ ଇଚ୍ଛା କରୁଥିଲେ । କାରଣ ସୁନନ୍ଦା ଯେଉଁ ରୁମ୍‌ରୁ ହରଣଚାଳ ହୋଇଚନ୍ତି ସେଇ ରୁମ୍‍ଟା ଥରେ ଭଲକରି ଦେଖିନେବା ଥିଲା ତାଙ୍କର ଉଦ୍ଦେଶ୍ୟ । ସେଇ ଉଦ୍ଦେଶ୍ୟ ନେଇ ସେ ମଧ୍ୟ ସତର ନମ୍ବର କେବିନରେ ପହଞ୍ଚିଲେ । ମାତ୍ର ଦେଖିଲେ–ସେଠି କିଛି ନାହିଁ । ରୁମ୍‌ଟା ପୂରାପୂରି ପରିଷ୍କାର କରିଦିଆଯାଇଚି । ଏ ପ୍ରକାର ହୋଇଥିବ ବୋଲି ତାଙ୍କ ମନରେ ଧାରଣା ମଧ୍ୟ ପୂର୍ବରୁ ଆସିଥିଲା ।

 

ଉପର ତାଲାଟା ଦେଖିନେବା ପରେ ତଳ ମହଲାଟା ଥରେ ଦେଖିନେବା ପାଇଁ ତାଙ୍କର ଆଗ୍ରହ । ସୁଶୀଲବାବୁ ସେ ଦିନ ରାତି ଗୋଟାଏ ପରେ ଅଜନ୍ତାରେ ଯେଉଁ ଦୃଶ୍ୟ ଦେଖିଥିଲେ ତାହା ଭାରତର ସି:ଆଇ:ଡି: ବ୍ରାଞ୍ଚକୁ ଲେଖି ଦେଇଥିଲେ । ସେଇ ଚିଠିଟାହିଁ ମି: ଚୌଧୁରୀଙ୍କ ମନରେ ସନ୍ଦେହର ଚାରା ପୋତିଥିଲା । ‘ନିର୍ଜନ ରାତିରେ ଲଞ୍ଚରେ ଏଡ଼େ ଗୋପନୀୟ ଜିନିଷ ଆଉ କ’ଣ ପଠାଯାଇପାରେ ? ଯଦି ବା ତାହା କିଛି ଗୋପନୀୟ ଜିନିଷ ହୋଇଥିବ, ତେବେ ତାକୁ ତ ଆଉ ଜାହାଜର ପ୍ରକାଶ୍ୟ ସ୍ଥାନରେ ରଖାଯାଇ ନଥିବ କଦାପି । ତାକୁ ରଖିବାପାଇଁ ଏଠାରେ ସେପରି ଗୋପୀନୟ ସ୍ଥାନଟିଏ ଥିବ ନିଶ୍ଚୟ । ସେ ସ୍ଥାନଟା ତେବେ କେଉଁଠି ? ସ୍ଥାନଟା ଥରେ ଦେଖି ଦେଲେ ସେଠାରେ କି ଜିନିଷ ଥିଲା, ତାହା ଅନୁମାନ କରାଯାଇ ପାରିବାର ଆଶା’–ଏହି ଚିନ୍ତା ମି: ଚୌଧୁରୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ତା’ ସଙ୍ଗେ ସଙ୍ଗେ ତାଙ୍କର ଆଖି ଦୁଇଟା ଜାହାଜର ପ୍ରତ୍ୟେକ ଅଂଶରେ ଖୋଜି ବୁଲୁଥିଲା–‘ସେ ସ୍ଥାନଟା କେଉଁଠି ?’

 

ଏହି ଭାବନା ନେଇ ସେ ପ୍ରତ୍ୟେକ କୋଠରୀ ପରୀକ୍ଷା କରି ଦେଖୁଥିଲେ । ମି: ଯୋଶେଫ୍‌, ମି: ଚୌଧୁରୀଙ୍କ କାର୍ଯ୍ୟକୁ ନିତାନ୍ତ ପରିହାସସୂଚକ ଦୃଷ୍ଟିରେ ଦେଖୁ ଦେଖୁ ତାଙ୍କ ପଛେ ପଛେ ଅନୁସରଣ କରୁଥାନ୍ତି । ମି: ଚୌଧୁରୀଙ୍କ ଏ କାର୍ଯ୍ୟ ତାଙ୍କୁ ବଡ଼ ଅନାବଶ୍ୟକ ବୋଧ ହେଉଥାଏ । ତଥାପି ଜଣେ ସୁଖ୍ୟାତ ଡିଟେକ୍‌ଟିଭ୍‍ଙ୍କୁ ସେ ସାହସ କରି କିଛି ପଚାରି ପାରୁନଥାନ୍ତି । କାଳେ ସେ ତାଙ୍କୁ ଅଜ୍ଞ ମନେ କରି ନେବେ ।

 

ତାଲାଗୁଡ଼ିକ ଦେଖି ସାରିବା ପରେ ମି: ଚୌଧୁରୀ ସବା ତଳ ମହଲାରେ ପହଞ୍ଚିଲେ । ତାଙ୍କ ପଛେ ପଛେ ମି: ଯୋଶେଫ୍‌ । ତଳ ମହଲାଟା ନିତାନ୍ତ ଅପରିଷ୍କାର, ଦୁର୍ଗନ୍ଧ ପୂର୍ଣ୍ଣ, ସର୍ବୋପରି ସନ୍ତସନ୍ତିଆ । ସାଧାରଣତଃ ମାଲପତ୍ର, ଗୃହ ପାଳିତ ପଶୁ ପକ୍ଷୀ ସେଇ ମହଲାରେ ବୋଝେଇ କରାଯାଏ । ମହଲାକୁ ସାମାସ୍ୟ ଆଲୋକିତ କରିବାପାଇଁ ମଝିରେ ମଝିରେ ଗୋଟାଏ ଗୋଟାଏ ବିଜୁଳିବତୀର ବ୍ୟବସ୍ଥା ଆଦୌ ଯଥେଷ୍ଟ ନୁହେଁ । ସେଇ ଝାପ୍‌ସା ଅନ୍ଧାର ଭିତରେ ପ୍ରବୀଣ ଗୋଏନ୍ଦା ଦୁଇଜଣ ପାଦପରେ ପାଦ ଆଗେଇ ଯାଉଥାନ୍ତି । ଜଣକର ସତର୍କ ଦୃଷ୍ଟି ମହଲାର ପ୍ରତ୍ୟେକ କୋଣ ଖୋଜି ବୁଲିଲା ବେଳେ ଅନ୍ୟ ଜଣକର ଦୃଷ୍ଟି ପ୍ରଥମର ଅନୁସନ୍ଧାନ ଉପରେ । ମହଲାର ଚାରିଆଡ଼େ ବସ୍ତା, ଆଉ କାଠପେଟିଗୁଡ଼ା ବହୁ ଉଚ୍ଚରେ ରଖାଯାଇଥାଏ । ତା’ରି ଭିତରେ ଗୃହପାଳିତ ଜୀବନମାନଙ୍କର ମଳ, ଖାଦ୍ୟାବଶିଷ୍ଟ ନଡ଼ା କୁଟା ମଧ୍ୟ ଅଧିକ ଆବର୍ଜନା ସୃଷ୍ଟି କରିଥାଏ-

 

ତା’ରି ଭିତର ଦେଇ ଯାଇ ମି: ଚୌଧୁରୀଙ୍କ ଦୃଷ୍ଟି ଗୋଟାଏ ସ୍ଥାନରେ ଆବଦ୍ଧ ରହିଲା; ତା’ ସଙ୍ଗେ ସଙ୍ଗେ ପାଦ ଦୁଇଟାର ଗତି ମଧ୍ୟ ଅଟକି ଗଲା । ସେ ଦେଖିଲେ ଗୋଟାଏ ସ୍ଥାନରେ ବସ୍ତାଗୁଡ଼ାକ ଆଡ଼େଇ ଦିଆଯାଇ ମଝିରେ ଜଣେ ଲୋକ ଯାଇ ପାରିଲା ଭଳି ବାଟ ରହିଚି । ଏଟା ତାଙ୍କୁ ନିତାନ୍ତ ଅସ୍ୱାଭାବିକ ବୋଧ ହେଲା । ସେ ଲକ୍ଷ୍ୟ କରି ଦେଖିଲେ–ଏପରି ଭାବରେ ବସ୍ତା ରଖିବାର ଏଠି କୌଣସି କାରଣ ନାହିଁ । ତା’ ଛଡ଼ା ଜାହାଜର ଆଉ କେଉଁଠି ମଧ୍ୟ ଏପରି ଭାବରେ ବସ୍ତା ସଜା ହୋଇ ନାହିଁ । ଏଟା ଏଠି ହେବାର କାରଣ ତେବେ କ’ଣ ? –ତାଙ୍କ ମନରେ ଆଗ୍ରହ ହେବା ସଙ୍ଗେ ସଙ୍ଗେ ସେ ସେଇ ଆଡ଼କୁ ଗତି ବଦାଇଲେ ।

 

ପ୍ରାୟ ପନ୍ଦର କୋଡ଼ିଏ ପାହୁଣ୍ଡ ଗଲା ପରେ ମନରେ ସନ୍ଦେହ ବହୁ ପରିମାଣରେ ବଢ଼ିଗଲା । ତା’ ସଙ୍ଗେ ସଙ୍ଗେ ଆଶାର କ୍ଷୀଣ ଆଲୋକ ରେଖାଟିଏ ସେ ମନରେ ଦେଖି ପାରିଲେ-। ଆଗରେ ସେ ଦେଖିଲେ ସଂକୀର୍ଣ୍ଣ ରାସ୍ତାଟି କ୍ରମେ ପ୍ରଶସ୍ତ ହୋଇ ଉଠିଚି । ତାରି ଭିତର ଦେଇ ସେ ସ୍ପଷ୍ଟ ଦେଖି ପାରୁଥିଲେ ଗୋଟିଏ ଚଟାଣ ଦ୍ୱାର । ଦ୍ୱାରଟାର ଢାଙ୍କୁଣୀ ଖୋଲା । ସେ ଅନୁମାନ କଲେ–ଜାହାଜର ତଳେ ମଧ୍ୟ ଗୋଟାଏ କୋଠରୀ ରହିଚି ।

 

ମି: ଚୌଧୁରୀ ମି: ଯୋଶେଫ୍‌ଙ୍କୁ ଆଙ୍ଗୁଳି ସଙ୍କେତଦ୍ୱାରା ସେ ଦୃଶ୍ୟ ଦେଖାଇ ଦେଲେ । ତାହା ଦେଖିବାମାତ୍ରେ ମି: ଯୋଶେଫ୍‌ଙ୍କର ମଧ୍ୟ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏତେବେଳେକେ ସେ ବୁଝିପାରିଲେ ଯେ ମି: ଚୌଧୁରୀ କ’ଣ ଖୋଜୁଥିଲେ । ତାଙ୍କର ଗଭୀର ସନ୍ଧାନ ପ୍ରବୃତ୍ତି ପ୍ରତି ସାହେବ ଗୋଏନ୍ଦାଙ୍କ ମୁଣ୍ଡ ନଇଁଗଲା ।

 

ଦୁହେଁ ସେହି ଚଟାଣ ଦ୍ୱାର ପାଖରେ ଠିଆ ହୋଇ ତଳକୁ ଚାହିଁଲେ–ଘୋର ଅନ୍ଧାର । ଭିତରୁ କିପରି ଗୋଟାଏ ଉଷୁମ ବାମ୍ଫ ବାହାରୁଚି । ସେ ଯାହା ହେଉନା କାହିଁକି, ହଠାତ୍‌ ତା’ ଭିତରକୁ ପଶିଯିବାଟା ଆଦୌ ବୁଦ୍ଧିମାନର କାମ ନୁହେଁ, ଏକଥା ଖୁବ୍‌ ଭଲ ଭାବରେ ଜାଣିଥିଲେ ମି: ଚୌଧୁରୀ । ସେ ପକେଟରୁ ଶକ୍ତିଶାଳୀ ଛୋଟ ଟର୍ଚ୍ଚଟିଏ କାଢ଼ି ପ୍ରଥମେ ତା’ ଭିତରକୁ ପକାଇଲେ । ଟର୍ଚ୍ଚର ଉଜ୍ଜ୍ୱଳ ଆଲୋକରେ ସେ ତଳଟା ପରିଷ୍କାର ଦେଖି ପାରିଲେ । ଖାଲି ପଟାଗୁଡ଼ାକ ଦିଶୁଚି । ସେ ଗୁଡ଼ା ପୁଣି ଓଦାଳିଆ । ମି: ଚୌଧୁରୀ ଅନୁମାନ କଲେ–ସେଇଟା ହୁଏତ ଜାହାଜର ସର୍ବନିମ୍ନ ଅଂଶ ହେବ । ତା’ପରେ ଧୀରେ ଧୀରେ ଦ୍ୱାର ଦେଇ ମୁଣ୍ଡଟା ଗଳାଇଲେ ଭିତରକୁ । ଭିତରକୁ ଆଲୁଅ ପକାଇଲାମାତ୍ରେ ଉଜ୍ଜ୍ୱଳ ଆଲୋକରେଖା ବିଛାଡ଼ି ହୋଇ ପଡ଼ିଲା ଛୋଟ କୋଠରୀଟା ସାରା । ସେଇ ଆଲୋକରେ ସେ ଦେଖିଲେ–ଭିତରେ କେହି ନାହିଁ । ଗୋଟାଏ କଣକୁ ଖଣ୍ଡିଏ ଦଦରା ଖଟିଆ ପଡ଼ିଚି । ତା’ ଭିତରଟା ଟିକିଏ ଭଲ କରି ଦେଖିବା ପାଇଁ ଇଚ୍ଛା ହେଲା ମି: ଚୌଧୁରୀଙ୍କର । ମି: ଯୋଶେଫ୍‌ଙ୍କୁ ବାହାରେ ଅପେକ୍ଷା କରିବାକୁ କହି ଖୁବ୍‌ ସାବଧାନରେ ପଟା ଧରି ଓହ୍ଲାଇ ପଡ଼ିଲେ ସେ ତଳକୁ ।

 

ଜାହାଜରେ ସେ କୋଠରୀର ଛାତଟା ପ୍ରାୟ ଛ’ଫୁଟ ଉଚ୍ଚରେ । ସାଧାରଣ ଉଚ୍ଚତା ବିଶିଷ୍ଟ ଲୋକ ସହଜରେ ତା’ ଭିତରେ ଠିଆ ହୋଇପାରେ । ଭିତରର ବାୟୁମଣ୍ଡଳ ସମ୍ପୁର୍ଣ୍ଣ ଦୂଷିତ । ଭିତରର ସବୁ ଅଂଶକୁ ଟିକିଏ ଦେଖିନେଇ ସେ ଖଟିଆ ଉପରେ ଆଲୁଅ ପକାଇଲେ । ଖଟିଆଟା ଦଦରା । ଉପରେ ବିଛଣା ନାହିଁ । ତା’ରି ଉପରେ କିଛି ଗୋଟାଏ ଚକ୍‌ଚକ୍‌ ଦିଶିଲା ତାଙ୍କୁ । ଆଲୁଅଟା ଫେରାଇ ନେଉ ନେଉ ସେ ପୁଣି ସେଇ ଜିନିଷଟା ଉପରକୁ ପକାଇ ଦେଖିଲେ ମୁଦିଟାଏ । ଖୁବ୍‌ ସାବଧାନରେ ସେଟାକୁ ହାତରେ ଉଠାଇ ନେଲେ । ଗୋଟାଏ ସୁନା ମୁଦି; ତା’ ଉପରେ ମୀନା କରାଯାଇ ହିନ୍ଦୀରେ ଲେଖା ଯାଇଛି ତିନୋଟି ଅକ୍ଷର ‘ସୁ-ନ ନ୍ଦା’ ।

 

ମୁଦିର ଅକ୍ଷର କୋତୋଟ ପଢ଼ିଲାମାତ୍ରେ ମି: ଚୌଧୁରୀ ଆନନ୍ଦରେ ଅଧୀର ହୋଇ ଉଠିଲେ । ତାଙ୍କର ଏତେ ପରିଶ୍ରମ ଯେ ସାର୍ଥକ ହେବ ସେ କଥା ଭାବି ସେ ଉତ୍‌ଫୁଲ୍ଲ ହୋଇ ଉଠିଲେ । ପରକ୍ଷଣରେ ତାଙ୍କର ମନ ସୁନନ୍ଦା ପ୍ରତି ସହାନୁଭୂତିରେ ପୂରି ଉଠିଲା । ଆହା ! ବିଚାରି ଅଭାଗିନୀ ! ଅଲିଅଳି ପୁଣି ବନ୍ଦିନୀ ଥିଲା ଏଇଠି ? ଯାହାକୁ ନରମ ଶେଯ ବି କାଟେ, ସେ ଏ ଦଦରା ଖଟିଆରେ ଏ ମରଣ କୂପରେ ଥିଲା କେମିତି ? ତା’ର ପରମୁହୂର୍ତ୍ତରେ ନିଜର ଅବସ୍ଥିତି ସମ୍ପର୍କରେ ସଜାଗ ହୋଇ ଉଠିଲେ ସେ । ଭାବିବାର ସମୟ ଏ ନୁହେଁ । ଖୁବ୍‌ ତରତର ହୋଇ ସେ ପୁଣି ଉଠିଆସିଲେ ଉପରକୁ । ନିଜକୁ ଥରେ ସଳଖି ନେଇ ମି: ଚୌଧୁରୀ ମି: ଯୋଶେଫ୍‌ଙ୍କୁ ଲକ୍ଷ୍ୟ କରି କହିଲେ–ଯିବା ଏଥର ।

 

‘‘କ’ଣ କିଛି ମିଳିଲା ?’’ –ବ୍ୟଗ୍ର ହୋଇ ପଚାରିଲେ ମି: ଯୋଶେଫ୍‌ ।

 

‘‘ବହୁତ କିଛି’’ –କହୁ କହୁ ଆଗକୁ ପାଦ ବଢ଼ାଇଲେ ମି: ଚୌଧୁରୀ ।

 

ତାଙ୍କୁ କେବଳ ଅନୁସରଣ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ମି: ଯୋଶେଫ୍‌ଙ୍କର-

 

-ଆଠ-

 

ଜନପୂର୍ଣ୍ଣ ଡେକ୍‌ର ଗୋଟିଏ ନିରୋଳା ସ୍ଥାନରେ ଠିଆ ହୋଇ ମି: ଚୌଧୁରୀ ସଂକ୍ଷେପରେ ସବୁ କଥା ବୁଝାଇ ଦେଉଥିଲେ ମି: ଯୋଶେଫ୍‌ଙ୍କୁ । ମି: ଯୋଶେଫ୍‌ ଭାରତୀୟ ଗୋଏନ୍ଦା ମି: ଚୌଧୁରୀଙ୍କର ପ୍ରତିଟି କଥା ଆଗ୍ରହର ସହିତ ଶୁଣିବା ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟ ହେଉଥିଲେ ।

 

ବର୍ତ୍ତମାନ ସେ ମି: ଚୌଧୁରୀଙ୍କ ଅନୁସନ୍ଧାନ କାର୍ଯ୍ୟ ଦେଖି ଯେପରି ବିସ୍ମିତ ହୋଇପଡ଼ୁଥାନ୍ତି ପୂର୍ବରୁ ସେପରି ସେ ଧାରଣା କରିନଥିଲେ ।

 

ମି: ଚୌଧୁରୀଙ୍କର ଧାରଣା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ମି: ଯୋଶେଫ୍‌ ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରି କହିଲେ, ‘‘ତେବେ ଆପଣ କ’ଣ କହିବାକୁ ଯାଉଚନ୍ତି ଯେ, ଉଇଲିୟମ୍‍ ଜୋନସ୍‍ ଏଥିରେ ସମ୍ପୃକ୍ତ ?’’

 

‘‘ନିଶ୍ଚୟ ! ନିଃସନ୍ଦେହ ରୂପେ; ଏକଥା କହିବାକୁ ମୁଁ କୁଣ୍ଠା ବୋଧ କରିବି ନାହିଁ । ଆପଣ ଦେଖନ୍ତୁ, ଜାହାଜର କପ୍ତାନ୍‍ ଯଦି ଏଥିରେ ସମ୍ପୃକ୍ତ ନ ଥାନ୍ତେ, ତେବେ ଜାହାଜ ଭିତରେ ଶୟତାନର କାରଖାନା ସୃଷ୍ଟି ହୁଅନ୍ତା କିପରି ?’’ –ଜୋର୍‌ ଦେଇ କହିଲେ ମି: ଚୌଧୁରୀ ।

 

‘‘ଆପଣଙ୍କ କଥାରେ ମୁଁ ଏକମତ । ବର୍ତ୍ତମାନ ତେବେ ଆମକୁ କ’ଣ କରିବାକୁ ହେବ-?’’ –ପଚାରିଲେ ମି: ଯୋଶେଫ୍‌ ।

 

‘‘ବର୍ତ୍ତମାନ ଆମର ସର୍ବପ୍ରଥମ କାମ ହେଉଚି, ଉଇଲିୟମ୍‌ ଜୋନସ୍‍ଙ୍କ ଉପରେ କଡ଼ା ଦୃଷ୍ଟି ରଖିବା । ଦଳର ପ୍ରତ୍ୟେକ ଲୋକଙ୍କୁ ଜାଣି ସେମାନଙ୍କ ଆଡ୍‌ଡା କେଉଁଠି ତାହା ଆବିଷ୍କାର କରିବା ।’’ –କହିଲେ ମି: ଚୌଧୁରୀ ।

 

‘‘ସୁନନ୍ଦା ତେବେ ବର୍ତ୍ତମାନ କେଉଁଠି ବୋଲି ଆପଣଙ୍କର ମନେହୁଏ-?’’ –ପଚାରିଲେ ମି: ଯୋଶେଫ୍‌ ।

 

‘‘ମୋର ଯେତେଦୂର ଅନୁମାନ ହୁଏ, ସୁନନ୍ଦା ଏପର୍ଯ୍ୟନ୍ତ ଅଣାଯାଇ ନାହାନ୍ତି । ସମୁଦ୍ର ପଥରୁହିଁ ତାଙ୍କୁ ହସ୍ତାନ୍ତର କରିଦିଆଯାଇଛି । ସେଇଟାହିଁ ଆମକୁ ବର୍ତ୍ତମାନ ମହା ଅସୁବିଧାରେ ପକାଇଚି । କାରଣ ସୁନନ୍ଦାଙ୍କୁ କେଉଁଠାରୁ, କିପରି ଭାବରେ, କେଉଁଆଡ଼କୁ ପଠାଗଲା, ତାହା ଆମ ପାଖରେ ଅଜ୍ଞାତ ରହିଲା । ତାହାଫଳରେ ସେତକ ଜାଣିବାପାଇଁ ଆମକୁ ମହା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତେବେ ଉପଯୁକ୍ତ ଭାବରେ ଚେଷ୍ଟା କରାଗଲେ ଏହାର ଆଶୁ ସମାଧାନ ଆଶା କରାଯାଇପାରେ ।’’ –କହିଲେ ମି: ଚୌଧୁରୀ ।

 

ମି: ଯୋଶେଫ୍‌ କ’ଣ କହିବାକୁ ଯାଉଥିଲେ, ମାତ୍ର ହଠାତ୍‌ ମି: ଚୌଧୁରୀଙ୍କଠାରୁ ଆଖିର ଇଶାରା ପାଇ ଚୁପ୍‌ ହୋଇ ପଛ ଆଡ଼କୁ ମୁହଁ ବୁଲାଇ ଦୂରକୁ ଦୃଷ୍ଟି ପକାଇଲେ; ଦେଖିଲେ ଉଇଲିୟମ୍‌ ଜୋନସ୍‍ ଅସ୍ତବ୍ୟସ୍ତ ହୋଇ ଜାହାଜ ଉପରକୁ ଉଠୁଚନ୍ତି । ତାଙ୍କ ପଛେ ପଛେ ଜଣେ ପହିଲମାନ୍‌ ଚେହେରାର ନିଗ୍ରୋ ମଧ୍ୟ ବ୍ୟସ୍ତ ହୋଇ ଚାଲିଛି । ମି: ଚୌଧୁରୀଙ୍କୁ ଦେଖାଇ ଦେଇ ମି: ଯୋଶେଫ୍‌ କହିଲେ–‘‘ଏଇ ଯେଉଁ ନିଗ୍ରୋ ଲୋକଟାକୁ ଉଇଲିୟମ୍‌ ଜୋନସ୍‍ଙ୍କ ପଛେ ପଛେ ଦେଖୁଛନ୍ତି–ତା’ପରି ମରାତ୍ମକ ଲୋକ ଏ ଲଣ୍ଡନ, ଏପରିକି ସମସ୍ତ ଏସିଆରେ ଥିବେ ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ । ଏପରି କୁକର୍ମ ନାହିଁ, ଯାହାକୁ କି ଏ ପାଷଣ୍ଡ ନକରି ପାରେ । ଅବଧି ବହୁ ନରହତ୍ୟା, ନାରୀ ହରଣ, ଲୁଣ୍ଠନ, ଡକାୟତି ପ୍ରଭୃତିରେ ଏ ସମ୍ପୃକ୍ତ ରହିଚି । ମାତ୍ର ଏ ଲୋକଟା ଏତେ କୌଶଳୀ ଯେ, ପ୍ରମାଣ ଅଭାବରୁ ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ପାରୁନି ।’’

 

‘‘ବର୍ତ୍ତମାନ ମିଷ୍ଟର୍‍ ଜୋନସ୍‍ଙ୍କ ପଛରେ ସେଇ ଲୋକଟାକୁ ଦେଖି ଆପର ଏ ଘଟଣା ସମ୍ପର୍କରେ କ’ଣ ଅନୁମାନ କରୁଛନ୍ତି ?’’–ପଚାରିଲେ ମି: ଚୌଧୁରୀ ।

 

‘‘ଆଦୌ ଶୁଭ ଲକ୍ଷଣ ନୁହେଁ’’–କହିଲେ ମି: ଯୋଶେଫ୍‌ ।

 

‘‘ତେବେ ଗୋଟିଏ ସାଙ୍ଗକୁ ଆଉ ଗୋଟିଏ ଚଢ଼େଇର ସନ୍ଧାନ ମିଳିଚି । ଏଥର ୟାଙ୍କୁ ହାତଛଡ଼ା କରିବା ଆଦୌ ଠିକ୍‌ ନୁହେଁ । ଏଥର ଯେମିତି ଜାଲରେ ସବୁ ଧରା ପଡ଼ିବେ ତା’ର ଉଦ୍ୟମ ହେବା ନିହାତି ଦରକାର’’–କହିଲେ ମି: ଚୌଧୁରୀ ।

 

‘‘ତା’ ଜରୁର୍‌ ହେବ’’ ଜୋର୍‌ ଦେଇ ସମ୍ମତି ଜଣାଇଲେ ମି: ଯୋଶେଫ୍‌ ।

 

କଥାବାର୍ତ୍ତା କରୁଥିଲେ ମଧ୍ୟ ଦୁହିଁଙ୍କର ଦୃଷ୍ଟି ଥିଲା ଜାହାଜ ଉପରେ । ମିନିଟିଏ କି ଦୁଇ ମିନିଟ୍‍ ମଧ୍ୟରେ ଉଇଲିୟମ୍‌ ଜୋନସ୍‌ ପୁଣି ସିଡ଼ି ଦେଇ ଓହ୍ଲାଇ ଆସିଲେ ତଳକୁ । ତାଙ୍କ ପଛେ ପଛେ ସେଇ ନିଗ୍ରୋଟା ଗୁଡ଼ାଏ ଜିନିଷପତ୍ର କାନ୍ଧରେ ବୋଝ କରିଥାଏ । ସମ୍ଭବତଃ, ସେଗୁଡ଼ା ମି: ଜୋନସ୍‍ଙ୍କର ହେବ ।

 

ମି: ଜୋନସ୍‍ ଡେକ୍‌ ଉପର ଦେଇ ଖୁବ୍‌ ଶୀଘ୍ର ପାଦ ପକାଇ ଚାଲିଗଲେ ବାହାରକୁ । ଏଥିରେ ବଡ଼ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଥିଲେ ମି: ଚୌଧୁରୀ ଆଉ ମି: ଯୋଶେଫ୍‍ । ଆଉ ମାତ୍ର ସାତ ଆଠଘଣ୍ଟା ପରେ ଅଜନ୍ତା ଛାଡ଼ିବ । ଏପରି ପରିସ୍ଥିତିରେ ଉଇଲିୟମ୍‌ ଜୋନସ୍‍ଙ୍କର ଜିନିଷପତ୍ର ସହ ଜାହାଜ ପରିତ୍ୟାଗ କରିବାଟା ବଡ଼ ଅସ୍ୱାଭାବିକ ବୋଧହେଲା ତାଙ୍କୁ । ସେ ମି: ଜୋନସ୍‍ଙ୍କ ସାଙ୍ଗରେ ଶୀଘ୍ର ବାହାରକୁ ବାହାରି ଆସିଲେ, ମି: ଜୋନସ୍‍ଙ୍କୁ ଅନୁସରଣ କରିବା ଉଦ୍ଦେଶ୍ୟରେ ।

 

ବାହାରକୁ ଆସି ଦୁହେଁ ଦେଖିଲେ ଉଇଲିୟମ୍‌ ଜୋନସ୍‍ ଖଣ୍ଡିଏ ଦାମିକା କାରରେ ବସିଚନ୍ତି । ନିଗ୍ରୋ ଲୋକଟା ତାଙ୍କର ଜିନିଷପତ୍ରଗୁଡ଼ା ପଛ ସିଟରେ ଲଦୁଚି । ଉଇଲିୟମ୍‌ ଯୋଶେଫ୍‌ ଚଟ୍‍କରି କାର୍‌ର ନମ୍ବରଟା ଟିପିନେଇ ଆଗକୁ ପାଦ ପକାଉଚନ୍ତି–ଏତିକେବେଳେ କାର୍‌ଟା ଷ୍ଟାର୍ଟ୍‍ ଦେଇ ଛାଡ଼ିଦେଲା । କାର୍‌ଟା ଯିବା ଦେଖି ମି: ଯୋଶେଫ୍‌ ପାଖର ଗୋଟାଏ ରୁମ୍‌କୁ ପଶିଯାଇ ଟେଲିଫୋନ୍‍ ଯୋଗେ ଜଣାଇ ଦେଲେ ଉକ୍ତ କାର୍‍ଟାର ଗତିବିଧି ଉପରେ ଲକ୍ଷ୍ୟ ରଖିବାପାଇଁ ।

 

ବର୍ତ୍ତମାନ ସମସ୍ୟା ହେଲା ଉଇଲିୟମ୍‌ ଜୋନସ୍‍ଙ୍କର ଗତି ନିରୂପଣ କରିବା । ପୋର୍ଟ ଅଫିସରେ ମଧ୍ୟ ଗୋଏନ୍ଦା କର୍ମଚାରୀଙ୍କ ଅଭାବ ନାହିଁ ଲଣ୍ଡନ ପରି ବନ୍ଦରରେ । ତା’ ନହୋଇଥିଲେ ଏଡ଼େ ବଡ଼ ସହରଟାରେ ଦୈନିକ କେତେ ଯେ ହତ୍ୟା, ଲୁଣ୍ଠନ, ହରଣ ଚୋରି ଡକାୟତି ଘଟୁଚି, ତାହା ଧରି ଶୃଙ୍ଖଳ ରକ୍ଷା କରିବା ପୋଲିସ୍‍ ପକ୍ଷରେ ଅସମ୍ଭବ ବ୍ୟାପାର ହୋଇପଡ଼ନ୍ତା । ମି: ଯୋଶେଫ୍‌ ପୋର୍ଟ ଅଫିସ୍‍କୁ ଯାଇ ସେଇପରି ଜଣେ କର୍ମଚାରୀଙ୍କଠାରୁ ମି: ଜୋନସ୍‍ଙ୍କ ଖବର କିଛି ଜାଣିବାକୁ ଚାହିଁଲେ । ଖବର ସଂଗ୍ରହ କରିବାରେ ବିଶେଷ ଅସୁବିଧା ମଧ୍ୟ ହେଲା ନାହିଁ । ଅଳ୍ପ ସମୟ ମଧ୍ୟରେ ଜଣାଗଲା–‘ଉଇଲିୟମ୍‍ ଜୋନସ୍‍ ଅସୁସ୍ଥ । ତେଣୁ ସେ ଇଂଲଣ୍ଡରୁ ଆଫ୍ରିକା ନଯାଇ ଏଇଠାରେହିଁ ବିଶ୍ରାମ ନେବେ । ଆଫ୍ରିକାକୁ ଆଉ ଜଣେ କପ୍ତାନ୍‍ ତାଙ୍କ ବଦଳରେ ଯିବେ । ସେଠାରୁ ଫେରିଲା ବେଳକୁ ମି: ଜୋନସ୍‍ ପୁଣି ଏଠାରୁ ଅଜନ୍ତାରେ ଭାରତ ଯାତ୍ରା କରିବେ ।’

Unknown

 

ଖବରଟା ମି: ଯୋଶେଫ୍‌ ସଙ୍ଗେ ସେଙ୍ଗେ ମି: ଚୌଧୁରୀଙ୍କ କର୍ଣ୍ଣଗୋଚର କରାଇ ଦେଲେ । ମି: ଚୌଧୁରୀ ତାହା ଶୁଣି ମନେ ମନେ ସ୍ଥିରନିଶ୍ଚିତ କରିନେଲେ ଯେ–‘ଏହି ଅବସରରେ ବୋଧହୁଏ ସବୁ ସମସ୍ୟାର ସମାଧନ ହୋଇ ପାରିବ । ଉଇଲିୟମ୍‍ ଜୋନସ୍‌ ଯଦି ଦୋଷୀ ହୋଇଥାନ୍ତି ତେବେ ତାଙ୍କର ସ୍ୱରୂପ ଏଥର ଜଣାପଡ଼ିଯିବ ।’

 

ସେଦିନ ପାଇଁ ଯାହା କରାଯିବାର ଆଶା କରାଯାଇଥିଲା, ତାହା ପ୍ରାୟ ଶେଷ ହୋଇଥିଲା । ମି: ଚୌଧୁରୀ ଭାବିଲେ–‘ଉଇଲୟମ୍‌ ଜୋନସ୍‍ଙ୍କୁ ଅନୁସରଣ କରିବା ବୃଥା । କାରଣ ତାଙ୍କର ଯାତ୍ରା ଅନିର୍ଦ୍ଦିଷ୍ଟ । ତେବେ ଟ୍ରାଫିକ୍‌କୁ ଫାଙ୍କି ଦେଇ ଅବଶ୍ୟ ଶୂନ୍ୟରେ ଅଦୃଶ୍ୟ ହୋଇଯାଇନଥିବେ ସେ । ଯୁଆଡ଼େ ଯାଆନ୍ତୁ ପଛେ, ଟ୍ରାଫିକ୍‌ ସମ୍ବାଦ ଦେବ ନିଶ୍ଚୟ ।’ ଏଣେ ଶରତ୍‌ବାବୁଙ୍କ କଥା ଭାବି ମଧ୍ୟ ସେ ବିଚଳିତ ହୋଇ ପଡ଼ୁଥିଲେ । ସେ ସୁଶୀଲବାବୁଙ୍କ ରହିବା ଜାଗା ଖୋଜି ପାଇଚନ୍ତି । ପୋର୍ଟରେ ଅବଶ୍ୟ ତାଙ୍କ ସହ ସିଧା ସଳଖ କଥାବାର୍ତ୍ତା କରି ହୋଇଥାନ୍ତା; ମାତ୍ର ସେଠାରେ ଯେ ବିପକ୍ଷର ଚର ନଥିବେ ଏକଥା କିଏ କହିବ ? ଏଥିପାଇଁ ଶରତ୍‍ବାବୁଙ୍କୁ ପଠାଇବାର କଥା । ସେ ତାଙ୍କ ରହିବା ସ୍ଥାନଟା ଦେଖି ଆସିଲେ, ପରେ ତାଙ୍କ ସହ ସାକ୍ଷାତ କରିବାକୁ ହେବ ।

 

ମି: ଯୋଶେଫ୍‌ଙ୍କ ସମ୍ମତି ନେଇ ସେ ଆପଣାର ବସାଆଡ଼େ ଯିବାକୁ ପ୍ରସ୍ତୁତ ହେଲେ । ମଧ୍ୟାହ୍ନ ଭୋଜନର ସମୟ ବହୁତ ଗଡ଼ି ଗଲାଣି ସେତେବେଳକୁ ।

 

-ନଅ-

 

ମି: ଯୋଶେଫ୍‌ଙ୍କର ବାସଭବନରେ ପହଞ୍ଚିଲା ବେଳକୁ ଶରତବାବୁ ସେଠାକୁ ପୂର୍ବରୁ ଆସିଯାଇଥିଲେ । ମି: ଚୌଧୁରୀ ତାଙ୍କୁ ଦେଖି ଟିକିଏ ଆଶ୍ୱସ୍ତ ହେଲେ । ସେ ଶରତ୍‍ବାବୁଙ୍କୁ ସୁଶୀଲବାବୁଙ୍କ ରହିବା ଜାଗାଟା ଦେଖି ଆସିବାପାଇଁ ପଠାଇ ସାରିବାପରେ ଠିକ୍‌ କାମଟାଏ କରିନାହାନ୍ତି ବୋଲି ବୁଝି ପାରିଥିଲେ । ଏହା ମଧ୍ୟ ହେବା ସ୍ୱାଭାବିକ । କାରଣ ଲଣ୍ଡନ ପରି ସହରରେ ଜଣକୁ ଫଲୋ କରିବା କି କଷ୍ଟ ତା’ କେବଳ ଅନୁଭବୀ ମାତ୍ରେ ଜାଣେ । ଯାହାହେଉ; ବର୍ତ୍ତମାନ ସେ ଅପେକ୍ଷାକୃତ ଆଶ୍ୱସ୍ତ ହେଲେ ।

 

ମଧ୍ୟାହ୍ନ ଭୋଜନ ସମୟରେ ସୁଶୀଲବାବୁଙ୍କୁ ଫଲୋ କରିବା ବିଷୟ ଶରତ୍‍ବାବୁଙ୍କ ଠାରୁ ଶୁଣୁଥିଲେ ମି: ଚୌଧୁରୀ ଆଉ ମି: ଯୋଶେଫ୍‍ । ସବୁ ଶୁଣିସାରି ମି: ଯୋଶେଫ୍‍ କହିଲେ–‘‘ଆପଣ ତେବେ ‘ଲୁଇସ୍‌ ହୋଟଲ’କୁ ଯାଇ ସୁଶୀଲବାବୁଙ୍କ ସହ ଦେଖା କରନ୍ତୁ । ମୁଁ ଏଣେ ଟ୍ରାଫିକ୍‌ ହେଡ୍‍କ୍ୱାଟରକୁ ଯାଇ ଉଇଲିୟମ୍‌ ଜୋନସ୍‍ଙ୍କ ଖବର ବୁଝେ ।’’

 

ମି: ଚୌଧୁରୀଙ୍କର ସେଥିରେ ଅସମ୍ମତ ହେବାର କୌଣସି କାରଣ ନଥିଲା । କାରଣ ସେ ନିଜେ ସୁଶୀଲବାବୁଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁଥିଲେ ଏବଂ ନିଜର ମନରେ ସେଥିପାଇଁ ଉପଯୁକ୍ତ ସମୟ ଖୋଜୁଥିଲେ । ଏପରି ଖୋଜିବାର କାରଣ, ମି: ଚୌଧୁରୀ ଭାବିଥିଲେ–‘ସୁଶୀଲବାବୁ ଦୀର୍ଘଦିନ ସମୁଦ୍ର ଯାତ୍ରା ପରେ ଆଜି ସ୍ଥଳଭାଗରେ ପଦାର୍ପଣ କରିଚନ୍ତି । ସେ ହୁଏତ ଆହାରାନ୍ତେ ଦିନର ଅବଶିଷ୍ଟ ସମୟ ବିଶ୍ରାମ କରିବେ । ଏପରି ଅବସ୍ଥାରେ ତାଙ୍କୁ ଏଣୁ ତେଣୁ ନାନା କଥା ପଚାରି ବିବ୍ରତ କରିବାଟା ସେତେ ଭଦ୍ରତାସୂଚକ ହେବନାହିଁ । ମାତ୍ର ବର୍ତ୍ତମାନ ପରିସ୍ଥିତି ଯାହା, ସେଥିଲେ ଅପେକ୍ଷା କରିବା ଆଦୌ ଉଚିତ ନୁହେଁ । ତେଣୁ ତାଙ୍କୁ ଆଜିହିଁ ସୁଶୀଲବାବୁଙ୍କ ସହିତ ସାକ୍ଷାତ କରି ପ୍ରତ୍ୟକ୍ଷ ଘଟଣାଟି ଜାଣି ନେବାକୁ ହେବ ।’ ଏହା ଭାବି ସେ ସେଇଦିନ ମଧ୍ୟାହ୍ନ ଭୋଜନ ପରେ ଲୁଇସ୍‍ ହୋଟେଲରେ ତାଙ୍କୁ ସାକ୍ଷାତ କରିବାକୁ ସ୍ଥିରକଲେ ।

 

ସେହି ପ୍ରସ୍ତାବ ଅନୁଯାୟୀ ମଧ୍ୟାହ୍ନ ଭୋଜନ ପରେ ପରେ ଖଣ୍ଡିଏ ଟ୍ୟାକ୍‌ସି ଭଡ଼ା କରି ମି: ଚୌଧୁରୀ ଯାତ୍ରା କଲେ ଲୁଇସ୍‍ ହୋଟେଲ ଅଭିମୁଖେ ।

 

ମି: ଯୋଶେଫ୍‌ଙ୍କର ସହରତଳି ବାସଭବନଠାରୁ ଲୁଇସ୍‌ ହୋଟେଲ ପ୍ରାୟ ଦଶ ମାଇଲରୁ ଅଧିକ ହେବ ପଛେ ଊଣା ନୁହେଁ କେବେ । ଟ୍ୟାକ୍‌ସିରେ ବସି ରାସ୍ତା ଦୁଇକଡ଼ର ଆଧୁନିକ ଛାଞ୍ଚରେ ଗଢ଼ା କୋଠାବାଡ଼ି, ବ୍ୟବସାୟ ବିଜ୍ଞାପନ, ଅସମ୍ଭବ ଜନଗହଳି ଦେଖୁ ଦେଖୁ କେତେବେଳେ ଯେ ଏତେଗୁଡ଼ାଏ ବାଟ କଟିଗଲା ତା’ ମି: ଚୌଧୁରୀ ଧାରଣା କରିପାରିଲେ ନାହିଁ । ହୋଟେଲ ଆଗରେ ଟ୍ୟାକ୍‌ସି ବ୍ରେକ୍‌ ଦେବା ସଙ୍ଗେ ସଙ୍ଗେ ଡ୍ରାଇଭରର ସୂଚନା ନପାଇଥିଲେ ସେ ହୁଏତ ଜାଣିପାରି ନଥାନ୍ତେ । ସେ ସଙ୍ଗେ ସଙ୍ଗେ ଡ୍ରାଇଭରକୁ ତା’ର ପ୍ରାପ୍ୟ ଛିଣ୍ଡାଇ ଦେଇ ହୋଟେଲ ଭିତରକୁ ପାଦ ପକାଇଲେ ।

 

ବେଶ୍‌ ଆଧୁନିକ ଧରଣର ହୋଟେଲ । ଏଠିକାର ବିଶେଷତ୍ୱ ଏହା ଯେ–ଏଠାରେ ସବୁ ଦେଶର ରୁଚି ଓ ରୀତି ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯାଇଥାଏ । ସେହି କାରଣରୁ ବିଭିନ୍ନ ଦେଶର ପର୍ଯ୍ୟଟକମାନେ ବର୍ଷର ସବୁ ସମୟରେ ଏହିଠାରେ ହିଁ ଆଶ୍ରୟ ନେଇଥାନ୍ତି । ବିଦେଶୀ ଆଗନ୍ତୁକମାନଙ୍କ ପାଇଁ ମଧ୍ୟ ଏଠାରେ ସବୁ ପ୍ରକାର ସୁବନ୍ଦୋବସ୍ତର ଅଭାବ ନାହିଁ । ଯାହାହେଉ, ଏଭଳି ଗୋଟିଏ ବ୍ୟବସାୟ ସଂସ୍ଥା ଦେଖି ମି: ଚୌଧୁରୀ ମନେ ମନେ ବଡ଼ ଖୁସି ହେଲେ ।

 

ହୋଟେଲ ଭିତରେ ପହଞ୍ଚି ପରିଚାଳକଙ୍କୁ ନିଜର ଅଭିପ୍ରାୟ ଜଣାନ୍ତେ, ସେ ସଙ୍ଗେ ସଙ୍ଗେ ଉପର ମହଲାରେ ଥିବା ସୁଶୀଲବାବୁଙ୍କ ରୁମ୍‍କୁ ଫୋନ୍‍ କଲେ । ସୁଶୀଲବାବୁ ସେଇମାତ୍ର ବିଶ୍ରାମ ନେବାକୁ ଯାଉଥାନ୍ତି । ଫୋନ୍‌ ଉଠାଇଧରି ସେ ଆଗନ୍ତୁକ ହରଜିତ୍‌ ସିଂଙ୍କ ଅପେକ୍ଷାରେ ରହିଲେ । ମି: ଚୌଧୁରୀ ସେ ପର୍ଯ୍ୟନ୍ତ ଛଦ୍ମବେଶ ପରିତ୍ୟାଗ କରି ନଥାନ୍ତି । ତାଙ୍କର ନାମ ହୋଟେଲ ପରିଚାଳକଙ୍କୁ ଆପଣାକୁ ଗୋପନ ରଖିବା ଉଦ୍ଦେଶ୍ୟରେ ହରଜିତ୍‍ ସିଂ ବୋଲି କହି ଦେଇଥିଲେ ।

 

ଏଣେ ‘ହରଜିତ୍‌ ସିଂ’ ନାମଟା ଶୁଣି ସୁଶୀଲବାବୁ ବଡ଼ ଅଡ଼ୁଆରେ ପଡ଼ିଲେ । କାରଣ ହରଜିତ୍‌ ସିଂ ନାମରେ ତାଙ୍କର କେହି ଥିଲାପରି ସେ ସ୍ମରଣ କରିପାରିଲେ ନାହିଁ । ଯାହାହେଉ, ନାମରୁ ଜଣେ ଭାରତୀୟ ବୋଲି ଜାଣି ସେ ତାଙ୍କୁ ଆସିବାକୁ ଅନୁମତି ଦେଲେ ଏବଂ ଅପେକ୍ଷା କରି ରହିଲେ ।

 

ଅଳ୍ପ ସମୟ ମଧ୍ୟରେ ଜଣେ ପରିଚାରିକା ସଙ୍ଗେରେ ଜଣେ ଶିଖ୍‌ ଭଦ୍ରଲୋକ ସେ କୋଠରୀରେ ପ୍ରବେଶ କଲେ । ସେଠାରେ ଭଦ୍ରଲୋକଙ୍କୁ ଛାଡ଼ିଦେଇ ପରିଚାରିକା ତଳକୁ ଫେରିଆସିଲା । ମି: ଚୌଧୁରୀ ଦ୍ୱାର ପାଖକୁ ପୁଣି ଥରେ ଫେରିଆସି ପରିଚାରିକା ଗଲା କି ନାହିଁ ଦେଖିନେଇ ଭିତରକୁ ଯାଇ କବାଟଟି ଭିତରୁ ଭଲକରି ବନ୍ଦ କରିଦେଲେ । ଆଗନ୍ତୁକ ଭଦ୍ରଲୋକଙ୍କର ଏ ପ୍ରକାର ଆଚରଣ ଶିଷ୍ଟତାନୁମୋଦିତ ନହେଲେ ସୁଦ୍ଧା ସୁଶୀଲବାବୁ ତାଙ୍କୁ କିଛି କହିବା ପରିବର୍ତ୍ତେ ବିଶେଷ କୌତୂହଳୀ ହୋଇ ତାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ । ବିଶେଷତଃ ଆଗନ୍ତୁକଙ୍କର ମାର୍ଜିତ ପରିପାଟୀ, ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଚେହେରା ତାଙ୍କୁ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ବୋଲି ସୂଚେଇ ଦେଉଥିଲା ।

 

ମି: ଚୌଧୁରୀ ଯେ ସୁଶୀଲବାବୁଙ୍କ କୌତୂହଳୀ ଭାବ ଲକ୍ଷ୍ୟ କରିନଥିଲେ ତା’ ନୁହେଁ । ସେ ଆହୁରି ଟିକିଏ କୌତୁକ କରିବାପାଇଁ ଦରଜାଟି ବନ୍ଦ କରିସାରି ବିନା ଅନୁରୋଧରେ ଆସନ ଖଣ୍ଡିଏ ଗ୍ରହଣ କଲେ । ତା’ପରେ ହସି ହସି କହିଲେ–‘‘ମୁଁ ଭାରତୀୟ ସି.ଆଇ.ଡି. ମି: ଚୌଧୁରୀ । ଆପଣଙ୍କର କ୍ରାଇମ୍‌ ହେଡ୍‌କ୍ୱାଟରକୁ ଲେଖିବା ପରେ ପରେ...’’

 

ମି: ଚୌଧୁରୀଙ୍କ କଥା କଥାରେହିଁ ରହିଲା । ସୁଶୀଲବାବୁ ଏକାବେଳେକେ ଉଠିଆସି ମି: ଚୌଧୁରୀଙ୍କ ସହ ଗାଢ଼ କରମର୍ଦ୍ଦନ କଲେ । ପ୍ରଥମତଃ ଶିଖ୍‌ ବେଶଧାରୀ ବ୍ୟକ୍ତିଙ୍କଠାରୁ ସେ ଓଡ଼ିଆ କଥା ତ ଆଶା କରୁ ନଥିଲେ । ଦ୍ୱିତୀୟରେ ଏଠାରେ ଆକସ୍ମିକ ଭାବରେ ବିଖ୍ୟାତ୍‌ ଗୋୟେନ୍ଦା ମି: ଚୌଧୁରୀଙ୍କ ଆବିର୍ଭାବ ତାଙ୍କୁ ବିଶେଷ ଆପ୍ୟାୟିତ କରିଥିଲା ।

 

ଦୀର୍ଘ ସମୟ ଧରି ଘଟଣାର ଆମୂଳଚୂଳ ଆଲୋଚନା ପରେ ମି: ଚୌଧୁରୀ ତା’ର ପରବର୍ତ୍ତୀ ଘଟଣାଗୁଡ଼ିକୁ ମନେ ମନେ ଯୋଡ଼ି ଦେଖୁଥିଲେ–ତାହା କେତେଦୂର ସଙ୍ଗତ । କିଛି ସମୟ ନୀରବରେ କଟିଗଲା ପରେ ସେ ପଚାରିଲେ–‘‘ଆଚ୍ଛା ! ଯେଉଁ ପାହାଡ଼ର ସନ୍ଧାନ ଆପଣ ନେଇଚନ୍ତି, ତାହା ଦିନବେଳେ ଜାଣିପାରିବେ ବା ଦୂରତାର ସଠିକ୍‍ କିଛି ପ୍ରମାଣ ଯୋଗାଇ ପାରିବେ-?

 

‘‘ହଁ; ତା’ ମୁଁ ପାରିବି । ଯଦିଓ ମୁଁ ସେଟା ଦେଖିଥିଲି ରାତି ଦୁଇଟା ବେଳେ ହେବ, ତଥାପି କୂଳଟା ତା’ର ବେଶି ଦୂର ନୁହେଁ; ପର୍ବତମାଳା ମଧ୍ୟ ଅଳ୍ପ ନୁହେଁ । ସେ ପର୍ବତମାଳା ଉପରେ ବିଜୁଳିବତୀର ଖୁଣ୍ଟ ଅଛି । ସର୍ବୋପରି ତାହା ଲଣ୍ଡନଠାରୁ ଅଧିକ ଦୂର ନୁହେଁ । କାରଣ ତା’ର ଦେଢ଼ ଦିନ ପରେ ଆମେ ଏଠି ପହଞ୍ଚିଚୁ । ଜଳ ପଥରେ ଯାତ୍ରୀବାହୀ ଜାହାଜର ଦେଢ଼ଦିନର ଗତି ଯାହା, ତା’ର ଦୂରତ୍ୱ ସେତିକି ବୋଲି ଧରି ନେବାକୁ ହେବ’’–ଟିକିଏ ଚିନ୍ତା । କରି କହିଲେ ସୁଶୀଲବାବୁ ।

 

ମି: ଚୌଧୁରୀ ସବୁ ଘଟଣା ପୁଣି ଥରେ ଆଦ୍ୟପ୍ରାନ୍ତ ଭାବି ଦେଖୁଥିଲେ । ସୁଶୀଲବାବୁଙ୍କୁ ଏ ସମ୍ପର୍କରେ ଆଉ ଅଧିକ ପଚରାପଚରି କରିବା ନିଷ୍ପ୍ରୟୋଜନ ମନେକରି ସେ ତାଙ୍କୁଠାରୁ ବିଦାୟ ନେଇ ଆସିଲେ । ଆସିଲାବେଳେ ସେ ବାରମ୍ବାର ତାଙ୍କୁ ସାବଧାନ କରି ଦେଇ ଆସିଲେ–‘ଯେପରି ତାଙ୍କର ପ୍ରକୃତ ପରିଚୟ ଏଠାରେ କେହି ନଜାଣନ୍ତି ।’

 

ବାହାରକୁ ଆସି ମି: ଚୌଧୁରୀ ଦେଖିଲେ–ଚାରିଟା ବାଜିଲାଣି ପ୍ରାୟ । ତଥାପି ଲଣ୍ଡନରେ ସନ୍ଧ୍ୟା ହେଲାପରି ଜଣାଯାଉଥାଏ । କୁହୁଡ଼ି ଆରମ୍ଭ ହୋଇଗଲାଣି ସେତେବେଳକୁ । ଭାରି ଶୀତ । ମେଘୁଆ ଆକାଶରେ ସୂର୍ଯ୍ୟଙ୍କର ସତ୍ତା ଲୋପ ପାଇଯାଇଥାଏ ପୂରାପୂରି ।

 

ବେକ ଚାରିପଟେ ମଫ୍‍ଲର୍‍ଟା ଭଲକରି ଘୋଡ଼ାଇ ଦେଇ ମି: ଚୌଧୁରୀ ଟ୍ୟାକ୍‌ସି ଖଣ୍ଡିଏ ଭଡ଼ାକରି ଚାଲିଲେ ମି: ଯୋଶେଫ୍‍ଙ୍କ ବାସଭବନ ଅଭିମୁଖେ ।

 

ମି: ଯୋଶେଫ୍‍ଙ୍କ ବାସଭବନରେ ପହଞ୍ଚିଲାବେଳକୁ ସନ୍ଧ୍ୟା ପ୍ରାୟ । ଭୀଷଣ ଶୀତ । ତା’ ସାଙ୍ଗକୁ ବରଫ ବୃଷ୍ଟି । ମି: ଯୋଶେଫ୍‍ ଆଉ ଶରତ୍‍ବାବୁ ସେତେବେଳକୁ ବାହାରୁ ବୁଲି ଆସିସାରି ନିଆଁକୁଣ୍ଡ ଆବୋରି ବସିଥାନ୍ତି । ମି: ଚୌଧୁରୀ ମଧ୍ୟ ସେଇଠି ପହଞ୍ଚି ଖଣ୍ଡିଏ ଆସନ ଗ୍ରହଣ କଲେ ।

 

ସୁଶୀଲବାବୁଙ୍କ ସହିତ ସାକ୍ଷାତ ଓ ଆଳାପରୁ ଯାହା କିଛି ସାର ମିଳିଲା ସେତକ କହିସାରିବା ପରେ ମି: ଚୌଧୁରୀ ମି: ଯୋଶେଫ୍‌ଙ୍କୁ କପ୍ତାନ୍‌ ଜୋନସ୍‍ କଥା ପଚାରିଲେ ।

 

ମି: ଚୌଧୁରୀ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ମି: ଯୋଶେଫ୍‌ ହୋ’ ହୋ’ ହୋଇ ହସି ଘର କମ୍ପାଇ ଦେଲେ । ‘‘ସେ ଉପଯୁକ୍ତ ସ୍ଥାନରେ ଅଛନ୍ତି ମିଷ୍ଟର୍‍ ! ଆପଣଙ୍କର ତାଙ୍କୁ ସନ୍ଦେହ କରିବାରେହିଁ ମୋର ଟିକିଏ କିମିତି ଆଶଙ୍କା ଥିଲା; ମାତ୍ର ବର୍ତ୍ତମାନ ତାଙ୍କର ରହିବା ସ୍ଥାନରୁ ତାଙ୍କର ପ୍ରକୃତି ଏବଂ ଚରିତ୍ର ସମ୍ବନ୍ଧରେ ସମ୍ୟକ୍‌ ଧାରଣା ହୋଇଛି ।’’

 

ମି: ଯୋଶେଫ୍‍ଙ୍କ କଥାରେ ଆଶାର ଆଲୋକ ଦେଖାଦେଇଥିଲେ ସୁଦ୍ଧା ମି: ଚୌଧୁରୀ ବୋକାଙ୍କ ପରି ତାଙ୍କ ମୁହଁକୁ ଅନାଇ ରହିଥିଲେ । ମି: ଚୌଧୁରୀଙ୍କର ଏ ଭାବ ଲକ୍ଷ୍ୟକରି ମି: ଯୋଶେଫ୍‍ ପୁଣି କହିଲେ–‘‘ବୁଝିଲେନି ! ମି: ଜୋନସ୍‌ ବର୍ତ୍ତମାନ ସହରଠାରୁ ବାହରେ ଯଥେଷ୍ଟ ଦୂରରେ ଥିବା ଗୋଟିଏ ଅଖ୍ୟାତନାମା ଗଳିରେ କୁଖ୍ୟାତନାମ୍ନୀ ବେଶ୍ୟା ଆଶ୍ରୟରେ ଅଛନ୍ତି–ଯେଉଁ ବେଶ୍ୟାଳୟରେ କି ଦସ୍ୟୁ, ଲୁଣ୍ଠନକାରୀ, ନରହନ୍ତା ଚୋର ପ୍ରଭୃତିଙ୍କର ଆଡ୍‌ଡା ବୋଲି ଆମର ସି.ଆଇ.ଡି. ରିପୋର୍ଟ ଅଛି ।’’

 

ମି: ଚୌଧୁରୀ କଥାଗୁଡ଼ା ଏତେବେଳେକେ ବୁଝି ପାରିଲେ । ଏଥର କୃତକାର୍ଯ୍ୟ ହେବା ଯେ ନିଶ୍ଚିତ ସେକଥା ସେ ଭଲଭାବରେ ଜାଣି ପାରିଲେ ।

 

‘‘ଆଜି ରାତିରେହିଁ ଆମେ ଗୋଟାଏ ଘେରା ମାରି ଆସିବା ସେଆଡ଼େ । କ’ଣ କହୁଚନ୍ତି ଆପଣ ?’’ ପଚାରିଲେ ମି: ଯୋଶେଫ୍‍ ।

 

‘‘ମୁଁ ପ୍ରସ୍ତୁତ’’–ସଂକ୍ଷେପରେ ଏତକ କହି ନୀରବ ରହିଲେ ମି: ଚୌଧୁରୀ ।

 

କିଛି ସମୟ ନୀରବରେ କଟିଗଲା ପରେ ହଠାତ୍‌ ମି: ଚୌଧୁରୀ ଚମକିପଡ଼ି କହିଉଠିଲେ–‘‘ଆଚ୍ଛା, ମି: ଯୋଶେଫ୍‍ ! ଲଣ୍ଡନଠାରୁ ଅନ୍ତତଃ ସତୁରି ଅଶୀ ମାଇଲ ବା ତା’ଠାରୁ କିଛି ବେଶି ଦୂରତା ମଧ୍ୟରେ ସମୁଦ୍ର ପଥରେ କୌଣସି ପାର୍ବତ୍ୟ ଘାଟି ଅଛି କି ?’’

 

‘‘ଥାଇପାରେ; ଆଚ୍ଛା ମୁଁ ଦେଖୁଚି’’–କହିବା ସଙ୍ଗେ ସଙ୍ଗେ ମି: ଯୋଶେଫ୍‍ ସେଠାରୁ ଉଠିଯାଇ ପାଖ ଆଲମିରା ଖୋଲିଲେ । ତା’ ଭିତରୁ ଖୋଜି ଖୋଜି ଖଣ୍ଡିଏ ମାନଚିତ୍ର ବାହାରକରି ଆଣି ଆଲୁଅରେ ଦେଖାଇଲେ ।

 

ମି: ଚୌଧୁରୀ ଦେଖିଲେ–‘ମାନଚିତ୍ରଖଣ୍ଡି ବହୁ ତଥ୍ୟ ସମ୍ବଳିତ ଜଳପଥର ମାନଚିତ୍ର ।’ ମି: ଯୋଶେଫ୍‍ ସେଥିରେ ନାଲି ରଙ୍ଗର ତୀର ଚିହ୍ନିତ କେତୋଟି ସ୍ଥାନ ଦେଖାଇଦେଇ କହିଲେ–‘‘ଏଇ ଯେଉଁ ତୀର ଚିହ୍ନିତ ସ୍ଥାନଗୁଡ଼ିକ ଦେଖୁଚନ୍ତି, ଏଗୁଡ଼ିକ ସମୁଦ୍ର ପଥରେ ପାର୍ବତ୍ୟ ଘାଟି । ଏଠାରେ ଚାଳକମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ହୁଏ । ଏହିପରି ଅନେକ ଗୁଡ଼ିଏ ଘାଟି ଏସିଆ ମହାଦେଶ ମଧ୍ୟରେ ରହିଚି । ଲଣ୍ଡନଠାରୁ ନିକଟତମ ଘାଟି ହେଉଚି–ଏଇଟି । ଏଠାରୁ ଶହେ ଦଶ ମାଇଲ ଦୂର । ଅବଶ୍ୟ ସ୍ଥଳପଥରେ ଆଉ କୋଡ଼ିଏ ମାଇଲ କମ୍‍ ପଡ଼ିପାରେ । ଏଗୁଡ଼ିକୁ ଚିହ୍ନିବାର ସୁବିଧା ପାଇଁ ନମ୍ବର ଦିଆଯାଇଚି । ଏଇଟି–ପାଞ୍ଚନମ୍ବର ଘାଟି । ଆପଣ କହୁଥିବା ଘାଟି ହୁଏତ ଏଇଟା ହୋଇପାରେ ।’’

 

ମି: ଚୌଧୁରୀ ମ୍ୟାପ୍‍ଟା ନିଜ ହାତକୁ ନେଇ ମାନଚିତ୍ରଟା ଥରେ ଭଲକରି ଦେଖିଲେ–‘ମି: ଯୋଶେଫ୍‌ ଯେଉଁ ଘାଟିଟାକୁ ଲକ୍ଷ୍ୟ କରିଥିଲେ, ସେଇ ଘାଟିଟାହିଁ ସୁଶୀଲବାବୁଙ୍କ କହୁଥିବା ସ୍ଥାନ, ଏଥିରେ ସନ୍ଦେହ ନାହିଁ । କାରଣ ସେଇଟାହଁ ଥିଲା ଭାରତ-ଲଣ୍ଡନର ଏକମାତ୍ର ପଥ । ସୁଶୀଲବାବୁଙ୍କ କହିବା ଅନୁସାରେ ଦୂରତା ପ୍ରାୟ ମିଳିଯାଉଚି ।’ ସେ କହିଲେ, ‘‘ଦେଖନ୍ତୁ ଏଥର ଏ ସ୍ଥାନକୁ ସ୍ଥଳପଥ ବାହାର କରିବା ହେଲା ଆମର ବର୍ତ୍ତମାନ କାମ ।’’

 

ମି: ଚୌଧୁରୀଙ୍କର ସେ ପାର୍ବତ୍ୟ ଘାଟିଟା ସହିତ ସମ୍ପର୍କ ବା କ’ଣ ସେକଥା ଭାବି ଯୋଶେଫ୍‍ ଆଶ୍ଚର୍ଯ୍ୟ ହେଉଥିଲେ । ମାତ୍ର ମନର କଥା ମନରେ ଗୋପନ ରଖି ସେ ମାନଚିତ୍ର ଆଡ଼କୁ ଟିକିଏ ଝୁଙ୍କିପଡ଼ି ଗୋଟିଏ କଳାରଙ୍ଗର ସରୁ ରେଖା ଉପରେ ଆଙ୍ଗୁଳି ଲଗାଇଲେ । ‘‘ଏଇଟାଇ ସେଠାକୁ ରାସ୍ତା । ମାତ୍ର ପାର୍ବତ୍ୟ ଘାଟି ପର୍ଯ୍ୟନ୍ତ ତ ରାସ୍ତା ନାହିଁ । ମାନଚିତ୍ରରୁ ଯାହା ଜଣାଯାଏ ଅନ୍ତତଃ ଦୁଇ ମାଇଲ ଦୂରତା ପର୍ଯ୍ୟନ୍ତ ସେ ସ୍ଥାନକୁ ଯୋଗାଯୋଗ ସମ୍ପର୍କ ନାହିଁ ବୋଲି ମୋର ଅନୁମାନ । ତେବେ ହଠାତ୍‌ ଆପଣଙ୍କର ଦୃଷ୍ଟି ସେଠି କାହିଁକି ?’’–କହି ଉତ୍ତର ଆଶାରେ ଚାହିଁଲେ ମି: ଚୌଧୁରୀଙ୍କ ମୁହଁକୁ । ‘‘ମୋର ଅନୁମାନ ଯଦି ସତ୍ୟ ହୁଏ, ତେବେ ସେଇ ଜାଗାଟାହିଁ ସବୁ ଗଣ୍ଡଗୋଳର କେନ୍ଦ୍ର ହେବ’’–କହିଲେ ମି: ଚୌଧୁରୀ । ତା’ପରେ ସୁଶୀଲବାବୁଙ୍କଠାରୁ ଶୁଣିଥିବା ଘଟଣା ସଂକ୍ଷେପରେ ବର୍ଣ୍ଣନା କଲେ ମି: ଯୋଶେଫ୍‍ଙ୍କ ପାଖରେ ।

 

‘‘ତା’ହେଲେ ତ ଘଟଣା ପରିଷ୍କାର ଆମ ପାଖରେ । ଏଥର ଦଳବଳ ସହ ଯାଇ ଆକ୍ରମଣ କରିନେଲେ କାମ ଫତେ’’–ଆନନ୍ଦର ସହିତ କହିଲେ ମି: ଯୋଶେଫ୍‍ ।

 

ମି: ଯୋଶେଫ୍‍ଙ୍କର ବୁଦ୍ଧିର ଅପରିପକ୍ୱତା ଦେଖି ଟିକିଏ ହସିଲେ ମି: ଚୌଧୁରୀ । ତଥାପି ବାହାରକୁ ପ୍ରକାଶ ପାଇଲା ଭଳି କୌଣସି ଭାବ ନଦେଖାଇ ସେ କହିଲେ–‘‘ନା ! ତା’ କଲେ ସେମାନେ ନିଶ୍ଚୟ ସାବଧାନ ହୋଇଯିବେ । ଆପଣ ସେମାନଙ୍କୁ ଯେଡ଼େ ସାମାନ୍ୟ ଭାବୁଛନ୍ତି ସେମାନେ ତାହା ନୁହଁନ୍ତି । ଲଞ୍ଚ୍‍ ବୋଟ ପ୍ରଭୃତି ତାଙ୍କର ଅଭାବ ନାହିଁ; କି ତାକୁ ଚାଳନା କରିବା, ରକ୍ଷା କରିବାର ଲୋକ ମଧ୍ୟ ସେଠାରେ ଅଭାବ ଥିବେ ବୋଲି ମୁଁ କହି ପାରୁନି । ହୁଏତ ‘ଗୋଲଡେନ୍‍ ସ୍ୱାନ୍‍’ର ସୁନାଲୁଟି ଘଟଣା ମଧ୍ୟ ସେଥିରେ ଜଡ଼ିତ ଥାଇପାରେ । ସୁନନ୍ଦା ଦେବୀ ମଧ୍ୟ ସେଠାରେ ବନ୍ଦିନୀ ଥାଇପାରନ୍ତି । ଅତର୍କିତ ଆକ୍ରମଣ କଲେ ଫଳ ଦୁଇପ୍ରକାର ହୋଇପାରେ । ହୁଏତ ସବୁ ଧରା ପଡ଼ି ପାରନ୍ତି, ନଚେତ୍‍ ଅଳ୍ପ କେତେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଖସିଯାଇ ପାରନ୍ତି । ତେଣୁ ଆମେ ଆଗ ଥରେ ଯାଇ ସେଠା ଦେଖି ଆସିବା ଦରକାର । ସେଠିକାର ପରିସ୍ଥିତି ନ ଦେଖି କିଛି ଗୋଟାଏ କରିବସିବାଟା ବୁଦ୍ଧିମାନର କାମ ବୋଲି ମୁଁ ଭାବୁନାହିଁ ।’’

 

‘‘ବେଶ୍‌, ତାହାହିଁ ହେବ । ତେବେ ଆମେ କାଲି ଦିନବେଳେ ସେଠିକୁ ଗଲେ ଭଲ ହେବ’’–କହିଲେ ମି: ଯୋଶେଫ୍‍ ।

 

‘‘ହଁ; ଭଲ ହେବ । କିନ୍ତୁ ଛଦ୍ମ ବେଶରେ’’–କହିଲେ ମି: ଚୌଧୁରୀ ।

 

‘‘ତେବେ ଆଜିକାର ଅଭିଯାନ ?’’–ପ୍ରଶ୍ନ କରି ଉତ୍ତର ଆଶାରେ ଉଭୟଙ୍କ ଆଡ଼କୁ ଚାହିଁଲେ ଶରତ୍‍ବାବୁ ।

 

‘‘ତା’ ତ ହେବ–କହିଲେ ମି: ଯୋଶେଫ୍‍ ।’’ ତା’ପରେ ହାତ ଘଡ଼ିକୁ ଚାହିଁ କହିଲେ–‘‘ସମୟ ତ ପ୍ରାୟ ହେଲା । ଆଉ ମାତ୍ର ପଇଁଚାଳିଶି ମିନିଟ୍‌ ବାକି । ୟା ମଧ୍ୟରେ ଆମକୁ ରାତ୍ରି ଭୋଜନ ଶେଷ କରିନେବାକୁ ହେବ ।’’

 

ତରବର ହୋଇ ଉଠିଲେ ତିନିହେଁ–ଖାଇବା କୋଠରୀକୁ ।

 

-ଦଶ-

 

ରାତି ପ୍ରାୟ ନଅଟା । ଶୀତରାତି । ଏଇ କେତେଦିନ ହେଲା ଲଣ୍ଡନରେ ପୁଣି ଶୀତର ମାତ୍ରା ଟିକିଏ ବଢ଼ି ଯାଇଚି । ଚାରିଆଡ଼େ ତୁଷାରର ଧବଳ ଛାୟା । ସେଇଥିଯୋଗୁ ଜନଗହଳି କେତେ ପରିମାଣରେ ମାନ୍ଦା ପଡ଼ିଯାଇଚି । ତଥାପି ଯେ ରାସ୍ତା ଘାଟ ଜନଶୂନ୍ୟ, ଏକଥା କେହି କହିବାକୁ ଦୁଃସାହସ କରିବ ନାହିଁ ।

 

ଘଣ୍ଟାରେ ନଅଟା ବାଜିବାର ସଙ୍କେତ ହେଲାମାତ୍ରେ ମି: ଯୋଶେଫ୍‍ଙ୍କର ବାସଭବନ ନିକଟରୁ ଖଣ୍ଡିଏ କଳାରଙ୍ଗର କାର୍‌ ବାହାରିଗଲା । ସେଥିରେ ଆରୋହୀ ଥିଲେ ମି: ଯୋଶେଫ୍‌, ମି: ଚୌଧୁରୀ ଆଉ ତାଙ୍କର ସହକାରୀ ଶରତ୍‍ବାବୁ ଏବଂ ପ୍ରଭୁଭକ୍ତ ଟାଇଗର୍‍ । ଚାଳକ ଆସନରେ ସ୍ୱୟଂ ମି: ଯୋଶେଫ୍‍ । ଗାଡ଼ିର ଗତି ହୁ’ ହୁ’ ହୋଇ ବଢ଼ି ଚାଲିଥିଲା ।

 

ଲଣ୍ଡନ ଭଳି ବିଶାଳ ଜନଗହଳିପୂର୍ଣ୍ଣ ସହରଟାକୁ ପଛରେ ପକାଇ କଳା ରଙ୍ଗର କାର୍‍ ଖଣ୍ଡି ଧାଇଁଥିଲା ଆଗକୁ । ସେଆଡ଼ଟାରେ ସହରର କୋଳାହଳ ନାହିଁ, କି ଆଲୋକର ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ । କାଁ ଭାଁ ରାସ୍ତା କଡ଼ରେ ବା ଗୋଟେ ଗୋଟେ ଘରେ ଆଲୁଅ ଦେଖାଯାଉଥାଏ-। ୟା ବୋଲି ଆଲୋକର ବ୍ୟବସ୍ଥା ଯେ ନଥାଏ ତାହା ନୁହେଁ । ମୋଟ୍‍ ଉପରେ ଶୀତାଧିକ୍ୟ ଯୋଗୁ ସନ୍ଧ୍ୟା ପରେ ପରେ ଯେ ଯେଉଁଠି ସୁବିଧା କରି ଶୋଇ ଯାଇଥାନ୍ତି । ଆଲୋକ ଜଳାଇ ରଖିବାର ଆବଶ୍ୟକତା ଆଉ କ’ଣ ସେଠି ?

 

ସେ ଅଞ୍ଚଳର ଆବହାୱାଟା ଯେମିତି ମାଡ଼ି ମାଡ଼ି ପଡ଼ୁଥାଏ । ମି: ଯୋଶେଫ୍‍ ଏପଟ, ଏଗଳି, ସେଗଳି କରି ଗାଡ଼ି ଘୂରାଉଥାନ୍ତି । ବେଳକୁବେଳ ରାସ୍ତା କଦର୍ଯ୍ୟ ଜଣା ଯାଉଥାଏ । ଶୀତ ଅନ୍ଧାର ରାତି । ରାସ୍ତା ଘାଟରେ ତୁଳାପରି ପାତଳ ବରଫ ବିଛେଇ ହୋଇ ରହିଥାଏ । ତା’ ଉପରକୁ ଏପ୍ରକାର ବିରକ୍ତିକର ପରିବେଷ୍ଟନୀରେ ବଡ଼ ଅଶ୍ୱସ୍ତି ବୋଧ କରୁଥାନ୍ତି ମି: ଚୌଧୁରୀ । ଲଣ୍ଡନପରି ସହରରେ ଏପରି ସ୍ଥାନ ଥାଇପାରେ, ଏକଥା ଥିଲା ତାଙ୍କର କଳ୍ପନାର ସୀମା ରେଖା ବାହାରେ । ତଥାପି କର୍ତ୍ତବ୍ୟସାଧନ ପାଇଁ ଧୈର୍ଯ୍ୟଧରି ବସି ରହିବାକୁ ହେବ । ସହିବାକୁ ହେବ । ମି: ଚୌଧୁରୀ ରାସ୍ତା ଦୁଇଧାରର ଦୃଶ୍ୟ ଦେଖିବା ସଙ୍ଗେ ସଙ୍ଗେ ଟାଇଗର୍‍ର ମୁଣ୍ଡ ସାଉଁଳୁ ଥାନ୍ତି । ଟାଇଗର୍‍ ତାଙ୍କର କୋଳ ଉପରେ ମୁଣ୍ଡରଖି ଶୋଇଥାଏ ।

 

ଏ ଗଳି ସେ ଗଳି ହୋଇ ଗୁଡ଼ାଏ ବାଟ ଗଲାପରେ ମି: ଯୋଶେଫ୍‍ ଗୋଟାଏ ଜାଗାରେ କାର୍‌ ବ୍ରେକ୍‍ କଲେ । ଜାଗାଟା ନିତାନ୍ତ ନିଛାଟିଆ ଆଉ ବଣୁଆ । ସେଠି ଠିଆ ହୋଇ ଚାରିଆଡ଼କୁ ଚାହିଁଲେ ଘର ଦିଶୁଥାଏ ଦୂରରେ; କିନ୍ତୁ ଖୁବ୍‌ ପାଖରେ ଖାଲି ବୁଦି ବୁଦିକିଆ କଣ୍ଟାଲଟା ଛଡ଼ା ଆଉ କିଛି ନ ଥାଏ । ଚାରିଆଡ଼େ ବରଫର ବାଡ଼ । ଗଛର ପତ୍ର ଉପରେ ବରଫ ଜମି ଗଲାଣି ସେତେବେଳକୁ । ଝିପି ଝିପି ବର୍ଷାପରି ବରଫ ଗୁଣ୍ଡ ଝଡ଼ୁଥାଏ ଆକାଶରୁ । ଦେହରେ ଯଥେଷ୍ଟ ଗରମ ପୋଷାକ ଥିଲେ ବି ଶୀତରେ ଦେହ, ହାତ ଖିଲି ମାରି ନେଉଥାଏ ତିନିଙ୍କର ।

 

‘‘ଆମକୁ ଏଇଠୁ ଖଣ୍ଡେ ବାଟ ଚାଲି ଚାଲି ଯିବାକୁ ହେବ । ମି: ଚୌଧୁରୀ !’’–ଗାଡ଼ି ଭିତରୁ ଓହ୍ଲାଇ ବାହାରକୁ ଆସୁ ଆସୁ କହିଲେ ମି: ଯୋଶେଫ୍‍ ।

 

ଅଜଣା ଜାଗାର ଅଜଣା ବାଟ । ମି: ଯୋଶେଫ୍‍ ଆଗକୁ ପାଦ ନ ପକାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମି: ଚୌଧୁରୀ । ମି: ଚୌଧୁରୀଙ୍କୁ ଅପେକ୍ଷା କରିଥାନ୍ତି ଶରତ୍‍ବାବୁ ଆଉ ଟାଇଗର୍‍ । ବହୁ ଆପଦ ବିପଦରେ ଟାଇଗର୍‍ହିଁ ତାଙ୍କର ସହଯାତ୍ରୀ ହୋଇ ସୁଖ ଦୁଃଖର ସାଥି ହୋଇଛି । ଆଜି ମଧ୍ୟ ସେ ସେହି ଜୀବଟି ଉପରୁ ଆସ୍ଥା ହରାଇ ନାହାନ୍ତି ।

 

ସେଇ ଆବର୍ଜନାମୟ ରାସ୍ତା ଦେଇ ମି: ଯୋଶେଫ୍‍ ଆଗକୁ ପାଦ ବଢ଼େଇଲେ । ପଛେ ପଛେ ମି: ଚୌଧୁରୀ ଆଉ ଶରତ୍‍ବାବୁ । ମି: ଚୌଧୁରୀଙ୍କ ପାଖେ ପାଖେ ଟାଇଗର୍‍ । ପ୍ରାୟ ଅଧ ଫର୍ଲଙ୍ଗେ ରାସ୍ତା ଗଲାପରେ ଗୋଟାଏ ସଂକୀର୍ଣ୍ଣ ଗଳି ଭିତରେ ଯିବାକୁ ପଡ଼ିଲା । ସେଟା ଏତେ ସଂକୀର୍ଣ୍ଣ ଯେ ଗୋଟାଏ ସାଧାରଣ ସ୍ୱାସ୍ଥ୍ୟର ଲୋକ ବି ତା’ ଭିତରେ ଗଲେ ଦୁଇ ପାଖର ଘରର କାନ୍ଥ ଦେହରେ ବାଜିବାର ପୂରା ଭୟ । ତା’ରି ଭିତରେ କଡ଼େଇ କଡ଼େଇ କିଛି ବାଟ ଗଲାପରେ ତିନିହେଁ ବେଶ୍‌ ଗୋଟାଏ ଚଉଡ଼ା ଜାଗାରେ ପହଞ୍ଚିଗଲେ । ମି: ଚୌଧୁରୀ ଅନୁମାନ କଲେ–‘ଏଇଟା କୌଣସି ଗୋଟାଏ ଘରର ପଛପଟେ ହେବ ବୋଧହୁଏ । ’

 

‘‘ଏଇ ଘରଟା ହେଉଚି ଠିକଣା ଜାଗା । ମି: ଜୋନସ୍‍ ଏଇଠି ବିଶ୍ରାମ ଗ୍ରହଣ କରିଚନ୍ତି’’–ମି: ଚୌଧୁରୀଙ୍କ କାନ ପାଖରେ ଫୁସ୍‌ଫୁସ୍‌ କରି କହିଲେ ମି: ଯୋଶେଫ୍‍ ।

 

ତା’ପରେ କି ଉପାୟରେ ଘର ଭିତରେ ପଶିବାକୁ ହେବ, ତାହାହିଁ ସ୍ଥିରହେଲା । ସିଦ୍ଧାନ୍ତ ଅନୁଯାୟୀ ଶରତ୍‍ବାବୁ ଟାଇଗର୍‍କୁ ସାଥିରେ ଧରି ରହିଲେ ବାହାରେ । ମି: ଚୌଧୁରୀ ଆଉ ମି: ଯୋଶେଫ୍‍ ଖୁବ୍‌ ସାବଧାନରେ ପାଦ ପକାଇଲେ ଘର ଆଡ଼କୁ । ଅଳ୍ପ ସମୟ ମଧ୍ୟରେ ସେମାନେ ଅନ୍ଧାରରେ ମିଶିଗଲେ । ଶରତ୍‍ବାବୁ ମଧ୍ୟ ଗୋଟାଏ ବୁଦାଉହାଡ଼ରେ ଆତ୍ମଗୋପନ କଲେ ବିଶ୍ୱାସୀ ଟାଇଗର୍‍କୁ ସାଥିରେ ଧରି ।

 

ସେଇ ନିବିଡ଼ ଅନ୍ଧକାର ଭିତରେ ମି: ଚୌଧୁରୀ ଆଉ ମି: ଯୋଶେଫ୍‌ ଘରର ଚାରିପାଖରେ ସତର୍କ ଦୃଷ୍ଟି ପକାଇ ଖୋଜୁଥିଲେ ଭିତରକୁ ଯିବାରାସ୍ତା । ଘରର ଭିତରକୁ ରାସ୍ତା ଯେ ନଥିଲା ତାହା ନୁହେଁ; କିନ୍ତୁ ସେ ଥିଲା ଖୁବ୍‌ ଦୃଢ଼ ଭାବରେ ବନ୍ଦ । ଘରଟା ଦୁଇମହଲା ହେଲେବି ତା’ର କୌଣସି ମହଲାରୁ ସୋର-ଶବ୍ଦ କିଛି ଶୁଣାଯାଉ ନଥିଲା । ଅଗତ୍ୟା ପାଣି ପାଇପ ଯେ ଏକମାତ୍ର ଆଶ୍ରୟ, ଏକଥା ମି: ଚୌଧୁରୀ ମନେ ମନେ ସ୍ଥିର କରିନେଲେ । ପ୍ରଥମେ ପାଇପ ଧରି ଉଠିବାକୁ ଚେଷ୍ଟାକଲେ ମି: ଯୋଶେଫ୍‌ । ମି: ଚୌଧୁରୀ ମନେ କରିଥିଲେ ମି: ଯୋଶେଫ୍‌ ଏଥିରେ ଅକ୍ଳେଶରେ କୃତକାର୍ଯ୍ୟ ହେବେ; ମାତ୍ର ତାଙ୍କର ମନର ଭାବନା ମନରେହିଁ ମିଳାଇଗଲା । ଖଣ୍ଡେଦୂର ଚଢ଼ିଯାଇ ମି: ଯୋଶେଫ୍‌ ବାଧ୍ୟ ହୋଇ ଖସିଲେ । ଶତଚେଷ୍ଟା ସତ୍ତ୍ୱେ ବି ଆଉ ଅଧିକ ଦୂର ଅଗ୍ରସର ହେବା ତାଙ୍କଦ୍ୱାରା ସମ୍ଭବ ହେଲାନାହିଁ । ସେ ଆଉ ଥରେ ଚେଷ୍ଟା କରିବାକୁ ଯାଉଥିଲେ; ମାତ୍ର ମି: ଚୌଧୁରୀ ତାଙ୍କୁ ବାରଣ କଲେ । କାରଣ–ସେ ଅକୃତକାର୍ଯ୍ୟ ତ ନିଶ୍ଚୟ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ; ଅଧିକନ୍ତୁ ଯଦି କୌଣସି ପ୍ରକାର ଶବ୍ଦ ହୁଏ, ତେବେ ଅବସ୍ଥା ଯେ କ’ଣ ହେବ ତା’ କହି ହେବନାହିଁ । ତେଣୁ ସେ ମି: ଯୋଶେଫ୍‌ଙ୍କୁ କେତୋଟି କଥା କହି ଅନାୟାସରେ ଉପରକୁ ଉଠିଲେ । ଅଳ୍ପ ସମୟ ମଧ୍ୟରେ ପ୍ରଥମ ମହଲାର ଛାତ ଧାର ଧରି ସେ ସେଠି ଠିଆ ହୋଇଗଲେ । ଖୁବ୍‌ ସତର୍କ ଭାବରେ ଥରେ ଚାରିଆଡ଼କୁ ଦୃଷ୍ଟି ଦେଇ ସେ ପକେଟରୁ ସରୁ ରେଶମର ଦଉଡ଼ି ଖଣ୍ଡିଏ କାଢ଼ି ତଳକୁ ଝୁଲାଇ ଦେଲେ । ତଳେ ମି: ଯୋଶେଫ୍‌ ଦଉଡ଼ିର ଗୋଟାଏ ପାଖ ଧରିବା ମାତ୍ରେ ମି: ଚୌଧୁରୀ ତାଙ୍କୁ ଧୀରେ ଧୀରେ ଉପରକୁ ଉଠାଇନେଲେ । ପରିଶ୍ରମ ଯୋଗୁ ଉଭୟଙ୍କର ଶ୍ୱାସ ରୁଦ୍ଧ ପ୍ରାୟ । ତେଣୁ ପ୍ରାୟ ଦୁଇ ମିନିଟ୍‍ଯାଏ ଦୁହେଁ ସାମାନ୍ୟ ପରିମାଣରେ ରୁଦ୍ଧ ଶ୍ୱାସକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଚୁପ୍‌ଚାପ୍‌ ଠିଆ ହୋଇଗଲେ । ଉପରଟା ନିବିଡ଼ ଅନ୍ଧକାର । ସେହି ନିର୍ଜନତା ଭିତରେ କିପରି ଗୋଟାଏ ପୈଶାଚିକ ଆବହାୱା ଖେଳି ବୁଲୁଥାଏ; ଏପରିକି ଚୋରା ବତୀଟା ଜାଳି ଆଖପାଖଟା ଥରେ ଦେଖି ନେବାକୁ ବି ମି: ଚୌଧୁରୀଙ୍କର ସାହସ ହେଉ ନ ଥାଏ ।

 

ହଠାତ୍‌ କାହାରି ପାଦ ଶବ୍ଦରେ ଚମକି ପଡ଼ିଲେ ମି: ଚୌଧୁରୀ ଆଉ ମି: ଯୋଶେଫ୍‍ । ଶବ୍ଦଟା ଖୁବ୍‌ ନିକଟରେ ତାଙ୍କ ପାଖ ହୋଇ ଆସୁଛି କ୍ରମେ । ସହସା କିଛି ଗୋଟାଏ କରିବାର ଉପାୟ ନାହିଁ । ପାଖରେ ବି ସେମିତି କିଛି ଅବଲମ୍ବନ ନାହିଁ, ଯାହା ଉହାଡ଼ରେ କି ଆତ୍ମଗୋପନ କରିହେବ । ନିରୁପାୟ ହୋଇ ମି: ଚୌଧୁରୀ ନିଃଶବ୍ଦରେ ସେଇଠି ବସି ପଡ଼ିଲେ । ତା’ପରେ ଦେହକୁ ନୁଆଁଇ ଛାତ ଦେହରେ ନିଜକୁ ଏକ ପ୍ରକାର ମିଶାଇ ନେଲେ । ତାଙ୍କ ଦେଖା ଦେଖି ମି: ଯୋଶେଫ୍‍ ‌ମଧ୍ୟ ତାହାହିଁ କଲେ ।

 

ମି: ଚୌଧୁରୀ ଦେଖିଲେ ଗୋଟାଏ ଲୋକ ଖୁବ୍‌ ତରତର ହୋଇ ତାଙ୍କର ପାଖଦେଇ ଚାଲିଗଲା । ଏ ଦୁହେଁ ଠିଆ ହୋଇଥିଲେ ନିଶ୍ଚୟ ତା’ ଦେହରେ ଧକ୍‌କା ଲାଗିଥାନ୍ତା ବା ସେ ଏମାନଙ୍କୁ ଦେଖି ପାରିଥାନ୍ତା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେ ସ୍ୱସ୍ତିର ନିଶ୍ୱାସ ମାରିଲେ । ମନେ ମନେ ଭାବିଲେ–ଯାହା ହେଉ, ଗୋଟାଏ ଆପଦ ତ ଗଲା; ତା’ ଛଡ଼ା ଏଘରେ ମନୁଷ୍ୟ ଯେ ଜାଗ୍ରତ ଅଛନ୍ତି, ତା’ବି ଜଣାପଡ଼ିଲା ।

 

ପ୍ରାୟ ସେଇ ଅବସ୍ଥାରେ ଚୁପ୍‌ଚାପ୍‌ ମିନିଟିଏ କଟିଗଲା । କାଳେ ଯାଇଥିବା ଲୋକଟା ପୁଣି ଫେରିଆସିପାରେ, ଏହି ଭୟରେ ସେ ମି: ଯୋଶେଫ୍‍ଙ୍କୁ ନୀରବ ରହିବାକୁ ଇଙ୍ଗିତ କଲେ । ମି: ଚୌଧୁରୀ ପରିଷ୍କାର ଧାରଣା କରି ନେଇଥିଲେ ଯେ, ଉପରକୁ ଯିବାର ରାସ୍ତା ହୁଏତ ପାଖରେ କେଉଁଠି । ଲୋକଟି ମଧ୍ୟ ଉପର ମହଲାକୁ ଚାଲିଯାଇଚି । ସମ୍ଭାବିତ ସମୟ କଟିଗଲା ପରେ ମି: ଚୌଧୁରୀ ନିଜେ ଧୀରେ ଧୀରେ ଉଠିଲେ ଏବଂ ହାତରେ ଇଙ୍ଗିତ ଦେଇ ମି: ଯୋଶେଫ୍‍ଙ୍କୁ ଉଠିବାକୁ ନିର୍ଦ୍ଦେଶ ଦେଲେ ।

 

ମି: ଚୌଧୁରୀଙ୍କ ଅନୁମାନ ଭୁଲ୍‍ ନୁହେଁ । ଲୋକଟି ଯେଉଁ ଆଡ଼କୁ ଯାଇଥିଲା–ଏ ଦୁହେଁ ସେଇ ଆଡ଼କୁ ପ୍ରାୟ କୋଡ଼ିଏ ପାହୁଣ୍ଡ ଗଲାପରେ ଉପରକୁ ଯିବାର ସିଡ଼ି ଦେଖାଗଲା । ଶଙ୍କିତ ହୃଦୟ; ସତର୍କ ପଦକ୍ଷେପ ଏବଂ ଦୃଷ୍ଟିରେ ଜଣକ ପଛରେ ଜଣେ ସିଡ଼ିରେ ପାଦ ଦେଇ ଉପରକୁ ଉଠିଲେ । ଗୋଟିଏ ପରେ ଗୋଟିଏ ପ୍ରାୟ ପନ୍ଦରଟି ପାହାଚ ଅତିକ୍ରମ କଲାପରେ ପାହାଚ ଶେଷ ହେଲା । ଏଥର ବାରଣ୍ଡାରେ ଯିବାକୁ ହେବ । ବାରଣ୍ଡାର କଡ଼େ କଡ଼େ କୋଠରୀ ଗୋଟିଏ ଦୁଇଟି; ଘର ଭିତରୁ ବନ୍ଦ । ଅନ୍ୟ ଘରଗୁଡ଼ିକ ବାହାରୁ ତାଲା ବନ୍ଦ । ଉପରର ଏ ଦୃଶ୍ୟ ଦେଖି ମି: ଚୌଧୁରୀ ବଡ଼ ହତାଶ ହୋଇ ପଡ଼ିଲେ । ତାଙ୍କ ମନରେ ଆଶଙ୍କା ହେଲା–‘ତେବେ ଏଠୁ କ’ଣ ନିରାଶ ହୋଇ ଫେରିବାକୁ ହେବ ?’

 

ହଠାତ୍‌ ତାଙ୍କର ଆଶଙ୍କାକୁ ଦୂର କରି ଖୁବ୍‌ ଗୋଟାଏ ହସର ରୋଳ ଉଠିଲା । କି ପୈଶାଚିକ ହସ ସେ ! ମି: ଚୌଧୁରୀ ଆଉ ମି: ଯୋଶେଫ୍‌ ସତର୍କ ହୋଇ ସେଇ ଅନ୍ଧାର ଭିତରେ କାନ୍ଥ କଡ଼କୁ ଲେସି ହୋଇ ରହିଗଲେ । ହସଟା ଯେଉଁଆଡ଼ୁ ଆସୁଥିଲା ସେଇଟା ଥିଲା ଶେଷ ଘର-। ଏ ଦୁହେଁ ସେ ଘରଟା ଉପରେ ସେମିତି ବିଶେଷ ଗୁରୁତ୍ୱ ନଦେଇ ସେ ଆଡ଼କୁ ଯିବାକୁ ଇଚ୍ଛା କରୁ ନଥିଲେ । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସେଇ ଘରଟାହିଁ ବେଶି ସାହାଯ୍ୟ କଲା । ତାଙ୍କ ମନରୁ ନିରାଶାର ଅନ୍ଧକାର ଘୁଞ୍ଚିଯାଇ ଆଶାର କ୍ଷୀଣ ଆଲୋକ ରେଖା ଦେଖାଦେଲା । ଆଉ ଡେରି ନ କରି ମି: ଯୋଶେଫ୍‌ଙ୍କୁ ସାଙ୍ଗରେ ଧରି ସେଇ କୋଠରୀଆଡ଼କୁ ସେ ମୁହାଁଇଲେ । କୋଠରୀର ଦ୍ୱାର ପାଖରେ ପହଞ୍ଚି ମି: ଚୌଧୁରୀ ଦେଖିଲେ–ସେଟା ଭିତରୁ ବନ୍ଦ । ହେଲେ ଭିତରେ କଥାବାର୍ତ୍ତା ଶୁଭୁଚି । ଶବ୍ଦରୁ ଜଣାଯାଏ ଚାରିଜଣ ହେବେ । ଏତକ ଅନୁମାନ କଲେ ତ ହେବ ନାହିଁ । ମି: ଚୌଧୁରୀଙ୍କ ମନ ବଡ଼ ବ୍ୟଗ୍ର ହୋଇ ଉଠିଲା ସେମାନଙ୍କୁ ଦେଖିବାପାଇଁ । ହୁଏତ ଉଇଲିୟମ୍‌ ଜୋନସ୍‍ ସେମାନଙ୍କ ଭିତରେ ଥାଇ ନପାରନ୍ତି । ଏଠି ତାଙ୍କର ଥିବା ନଥିବା ବିଷୟ ଜାଣିଲେ ତାଙ୍କର ସନ୍ଧାନ ନିଆଯିବ ବା ନଯିବ ।

 

‘କି ଉପାୟ କଲେ ଭିତରଟା ଦେଖିହେବ’–ଏହି କଥା ବାରମ୍ବାର ଆଲୋଡ଼ିତ ହୋଇ ଉଠିଲା ମି: ଚୌଧୁରୀଙ୍କ ମଥାରେ । ଘର ଚାରିପଟେ ବୁଲି ସେ ଭଲ ଭାବରେ ଦେଖି ନେଲେ–ଝରକାଗୁଡ଼ିକ ମଧ୍ୟ ଭଲଭାବରେ ବନ୍ଦ ଅଛି । ଉପର ଆଡ଼କୁ ଦୃଷ୍ଟି ତାଙ୍କର ପଡ଼ିଲା । ଦେଖିଲେ–‘ଉପରେ ସ୍କାଇ ଲାଇଟ୍‌ ବାଟ ଦେଇ ଆଲୋକର ରେଖା ସାମାନ୍ୟ ଭାବରେ ଦିଶୁଚି । କିନ୍ତୁ ସେଠି ଚଢ଼ିବାର ଉପାୟ କିଛି ନାହିଁ । ମି: ଚୌଧୁରୀ ସ୍କାଇ ଲାଇଟ୍‌ଟି ମି: ଯୋଶେଫ୍‍ଙ୍କୁ ଦେଖାଇ ଦେଇ ପୁଣି ଭାବନାରେ ବୁଡ଼ି ରହିଲେ ।

 

ଅଳ୍ପ ସମୟ ପରେ ମି: ଯୋଶେଫ୍‌ଙ୍କ ହାତ ସ୍ପର୍ଶରେ ତାଙ୍କର ଚମକ ଭାଙ୍ଗିଲା । ମି: ଯୋଶେଫ୍‌ ତାଙ୍କ କାନ ପାଖରେ ଫୁସ୍‌ଫୁସ୍‌ କରି କହି ଜଣାଇ ଦେଲେ ଯେ–‘ସେ ତାଙ୍କ କାନ୍ଧ ଉପରେ ଠିଆ ହୋଇ ଭିତରଟା ଭଲଭାବରେ ଦେଖି ନେଉନ୍ତୁ । ’

 

ମି: ଯୋଶେଫ୍‌ଙ୍କ ଆଡ଼ୁ ଏ ପ୍ରସ୍ତାବରେ ମି: ଚୌଧୁରୀଙ୍କ ଆନନ୍ଦର ସୀମା ରହିଲା ନାହିଁ । ତାଙ୍କ ମନକୁ ଯେ ସେକଥା ଆସି ନଥିଲା ଏପରି ନୁହେଁ । କିନ୍ତୁ ସେଇ ଅନୁରୋଧ ମି: ଯୋଶେଫ୍‍ଙ୍କୁ କରିବାପାଇଁ ସାମନ୍ୟ ଶିଷ୍ଟତାବିରୋଧୀ ବୋଲି ସେ ଭାବୁଥିଲେ । ବର୍ତ୍ତମାନ ତାଙ୍କ ପ୍ରସ୍ତାବରେ ସେ ମି: ଯୋଶେଫ୍‍ଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତୁତ ହେଲେ ।

 

ଖୁବ୍‌ ସାବଧାନରେ ମି: ଯୋଶେଫ୍‌ଙ୍କ କାନ୍ଧ ଉପରେ ଠିଆହୋଇ ମି: ଚୌଧୁରୀ ସ୍କାଇ ଲାଇଟ୍‌ ଫାଙ୍କରେ ଦେଖିଲେ–‘ଘର ଭିତରେ ଲାଗିଚି ବିଭତ୍ସ ଲୀଳା । ଗୋଟାଏ ଦୀର୍ଘ ଆସନ ଉପରେ ଉଇଲିୟମ୍‌ ଜୋନସ୍‍ ଆଉ ସେ କୁତ୍ସିତ ନିଗ୍ରୋଟା ଆସୀନ । ତାଙ୍କ ମଝିରେ ଅର୍ଦ୍ଧନଗ୍ନ ଗୋଟାଏ ଶ୍ୱେତାଙ୍ଗୀ ବେଶ୍ୟା ଉଇଲିୟମ୍‌ ଜୋନସ୍‍ଙ୍କ ଉପରେ ଅଧା ଶୁଆ ହୋଇ ରହିଚି । ସେ କୁତ୍ସିତ ନିଗ୍ରୋଟା ପୁଣି ତାକୁ ବେଳେ ବେଳେ ନିଜ ଆଡ଼କୁ ଟାଣି ଆଣି ଖେଳଣା ଭଳି ଜାକି ଧରୁଚି । ଆଉ ଗୋଟାଏ ସ୍ୱତନ୍ତ୍ର ଆସନରେ ବସିଚନ୍ତି ସ୍ୱୟଂ ଫତୁରାମ୍‌ । ଫତୁରାମ୍‌କୁ ମି: ଚୌଧୁରୀ ଦେଖିଲାମାତ୍ରେ ଚିହ୍ନି ନେଲେ । ସେ ମାର୍କାମରା । ଭାରତରେ ତା’ ନାଁରେ ୱାରଣ୍ଟ୍‌ ଅଛି । ଚାରିଜଣଙ୍କର ଆଖି ନିଶାରେ ଟୁଳ୍‌ଟୁଳ୍‌ । ତଥାପି ପାନୀୟର ମାତ୍ରା ଊଣା ନାହିଁ । ଟେବୁଲ୍‍ ଉପରେ ରହିଚି ଏବେ ବି ଦୁଇ ତିନିଟା ପୂରା ବୋତଲ । ଊଇଲିୟମ୍‌ ଜୋନସ୍‍ଙ୍କର ହାତ ଗୋଡ଼ ଆଉ ତାଙ୍କର ଅକ୍ତିଆରରେ ନଥିଲେ ବି ସେ ସୁରା ଆଉ ବେଶ୍ୟାର ଲାଳସା ଛାଡ଼ି ପାରିନାହାନ୍ତି ଯେମିତି-। ନିଗ୍ରୋଟାର ଅବସ୍ଥା ମଧ୍ୟ ତଦ୍ରୂପ । ନିଶାରେ ଆଖି ଦୁଇଟା ଟଳମଳ ହେଉଥିଲେ ବି ବେଳେ ବେଳେ ଗୋରୁପରି ଯଥାସମ୍ଭବ ବଡ଼ ଆଖି ଦୁଇଟା କାଢ଼ି ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହୁଁଚି-। ଆଉ ଫତୁରାମ–ସେ ବେଳେ ବେଳେ ବିଭିନ୍ନ ଭାଷାର କେତେବେଳେ ସବୁ ଭାଷାର ମିଶାମିଶି ଭାଷାରେ ପଦେ ପଦେ ଗୀତର ଲହରୀ ଛୁଟାଇ ଦେଇଚି । ତା’ରି ବେସୁରା ଗୀତରେ ହସର ଲହରୀ ଉଠୁଚି ଅନ୍ୟ ତିନିଜଣଙ୍କ ଛାତି ଭିତରୁ ।

 

ଘର ଭିତରେ ଏ ବିଭତ୍ସ ଲୀଳା ହୁଏତ ଆହୁରି କେତେ ସମୟ ପର୍ଯ୍ୟନ୍ତ ଚାଲିଥାନ୍ତା–ଯଦି କାନ୍ଥ ଘଣ୍ଟାଟା ଟଂ ଟଂ ହୋଇ ଶବ୍ଦ କରି ନ ଥାନ୍ତା । କାନ୍ଥ ଘଣ୍ଟାରେ ବାଜିଲା ଦୁଇଟା । ସଙ୍ଗେ ସଙ୍ଗେ ନିଗ୍ରୋ ଲୋକଟା ଆକାଶରୁ ଖସି ପଡ଼ିଲାପରି ଚମକି ଉଠିଲା । ଚଟ୍‌କରି । ସେ ଉଇଲିୟମ୍‌ ଜୋନସ୍‍ଙ୍କୁ ହଲାଇ ଦେଇ ସାମନ୍ୟ ଉଚ୍ଚ ଶବ୍ଦରେ କହିଲା–‘ଆମେ ସେଠିକୁ ଯିବାପରା !’

 

‘‘ଉଁ; ହଁ, ହଁ, !’’ ଚଟ୍‌କରି ଆଖିଖୋଲି ସଚେତ ହୋଇଗଲେ ମି: କୋନ୍‌ସ ଯେପରି । ତାଙ୍କ ସଙ୍ଗେ ସଙ୍ଗେ ଫତୁରାମ୍‌ ବି ।

 

‘‘ଶୀଘ୍ର, ଶୀଘ୍ର; ତେଣେ ମିଷ୍ଟର୍‍ ସିଂ ଅପେକ୍ଷା କରିଥିବେ । ନହେଲେ ସବୁ ଭଣ୍ଡୁର ହୋଇଯିବ’’–କହିବା ସଙ୍ଗେ ସଙ୍ଗେ ନିଗ୍ରୋ ଲୋକଟା ଠିଆ ହୋଇ ଆପଣାର କୋଟ୍‌ ବୋତାମଗୁଡ଼ା ଭିଡ଼ିବାରେ ଲାଗିଗଲା । ତା’ ଦେଖାଦେଖି ମି: ଜୋନସ୍‍ ଆଉ ଫୁତୁରାମ୍‌ ବି ଯିବାପାଇଁ ଉଠିଲେ । ଏମାନଙ୍କର ଯିବା ଦେଖି ଉଲଗ୍ନା ବେଶ୍ୟାଟା ମି: ଜୋନସ୍‍ଙ୍କ ବାଟ ଓଗାଳି ଆପଣାର ତନୁଲତାକୁ ଲଟେଇ ଦେବାକୁ ବସିଲା ତାଙ୍କ ଦେହରେ । ରସିକ ମି: ଜୋନସ୍‍ ମଧ୍ୟ ତା’ର ଗଣ୍ଡରେ ଚୁମ୍ବନ ପୁରସ୍କାରଟିଏ ଦେଇ ଆଗକୁ ପାଦ ପକାଇଲେ ।

 

ମି: ଚୌଧୁରୀ ସେମାନଙ୍କର ବାହାରିବା ଦେଖି ଖୁବ୍‌ ସାବଧାନରେ ମି: ଯୋଶେଫ୍‌ଙ୍କ କାନ୍ଧ ଉପରୁ ଓହ୍ଲାଇ ଯୋଶେଫ୍‌ଙ୍କୁ ଧରି ଟାଣିନେଇ କାନ୍ଥ ଉହାଡ଼କୁ ଚାଲିଗଲେ । ତା’ର ପରମୁହୂର୍ତ୍ତରେ କବାଟ ଖୋଲିବାର ଶବ୍ଦ ହେଲା । ଏ ତିନିଜଣ ବାହାରକୁ ଆସିବା ମାତ୍ରେ କବାଟ ପୁଣି ବନ୍ଦହେଲା । ଖୁବ୍‌ ତରତର ହୋଇ ତିନିଜଣ ଯାକ ତଳକୁ ଓହ୍ଲାଇ ଗଲେ । ମି: ଚୌଧୁରୀ ଆଉ ମି: ଯୋଶେଫ୍ ମଧ୍ୟ ଯେତେ ଶୀଘ୍ର ପାରନ୍ତି ତଳକୁ ଓହ୍ଲାଇଗଲେ ପାଣି ପାଇପ୍‌ ଧରି; କିନ୍ତୁ ଏ ଦୁହେଁ ତଳେ ପହଞ୍ଚିବାର ସଙ୍ଗେ ସଙ୍ଗେ ଗୋଟାଏ କାର୍‌ ଷ୍ଟାର୍ଟ୍‍ ହେବାର ଶବ୍ଦ ଶୁଣାଗଲା ।

 

ଆଉ ଅପେକ୍ଷା କରିବାର ଆବଶ୍ୟକ ନାହିଁ । ଶିକାର ଖସି ଯାଉଚି । ମି: ଯୋଶେଫ୍‌ ଆଉ ମି: ଚୌଧୁରୀ ଉର୍ଦ୍ଧ୍ୱଶ୍ୱାସରେ ଆପଣାର କାର୍‌ ପାଖକୁ ଛୁଟିଲେ । ସେ ପର୍ଯ୍ୟନ୍ତ ଶରତ୍‍ବାବୁ ସେଇଠି ଜଗିବସିଥାନ୍ତି । ଶୀଘ୍ର କାରରେ ବସିଯିବାକୁ କହି ମି: ଯୋଶେଫ୍‌ ଗାଡ଼ିରେ ଷ୍ଟାର୍ଟ୍‍ ଦେଲେ-। ଗାଡ଼ି ପୂରା ବେଗରେ ଆସି ପ୍ରଧାନ ରାସ୍ତାରେ ପହଞ୍ଚଲା ବେଳକୁ ଆଉ କିଛି ନଥିଲା ।

 

...ଶିକାର ଖସିଯାଇଚି ଜାଲ ଛିଣ୍ଡାଇଦେଇ ।

 

-ଏଗାର-

 

ସାରା ରାତିଟି ବାହାରେ ଥଣ୍ଡାରେ କଟାଇ ବଡ଼ କ୍ଳାନ୍ତି ଅନୁଭବ କରୁଥିଲେ ତିନିହେଁ । ମି: ଯୋଶେଫ୍‍ଙ୍କ ବାସଭବନରେ ନିଆଁ କୁଣ୍ଡ ପାଖରେ ବସି କପେ ଲେଖାଏଁ ଗରମ କଫିର ସଦ୍‌ବ୍ୟବହାର କରୁ କରୁ ମି: ଚୌଧୁରୀ ଭାବୁଥିଲେ ଗୋଟିଏ କଥା;–‘ନିଗ୍ରୋଟା ଯେଉଁ ମିଷ୍ଟର୍‍ ସିଂଙ୍କ କଥା କହିଲା ସେ କିଏ ? ସେ ଆଉ ‘ନୀଳ ଦରିଆ ଟାପୁ’ର ଦସ୍ୟୁ ସର୍ଦ୍ଦାର ଶୋଭନ୍‌ ସିଂ ନୁହେଁତ ? ତାଙ୍କ ହାତ ମୁଠାରୁ ସେଠୁ ଖସି ଆସି ସେ ଏଠାରେ ମିଳିତ ହେବା ଅସମ୍ଭବ ବା କ’ଣ-?’’ ମନର ଧାରଣାଟାକୁ ସେ ଯଥାଶୀଘ୍ର ମନରୁ ପୋଛି ଦେଇଥାନ୍ତେ; ମାତ୍ର ଫତୁରାମ୍‌କୁ ଦେଖିବା ବେଳୁ ତାଙ୍କର ଧାରଣା ବଳବତ୍ତର ହେଇଚି ପଛେ, ସେ ତାକୁ ଛାଡ଼ି ପାରିନାହାନ୍ତି । କାରଣ ଫତୁରାମ୍‌ ହେଉଚି ସୂଚକ ! ତା’ ପଛରେ ସବୁବେଳେ କିଛି ନା କିଛି ମାରାତ୍ମକ ରହସ୍ୟଟାଏ ଆତ୍ମଗୋପନ କରି ରହିଥାଏ । ଅଣ୍ଡିରା ବିଲୁଆ ଭୁକିଲେ ଯେପରି ଆଖି ପାଖରେ ମହାବଳ ବାଘ ଥିବାର ସୂଚନା ମିଳେ ସେପରି ଫତୁରାମ୍‌କୁ ଦେଖିଲେ କୌଣସି ନାମଜାଦା ଦସ୍ୟୁ ବା ହତ୍ୟାକାରୀ ଆଖି ପାଖରେ ଥିବା କଥା ଭାରତୀୟ ବିଜ୍ଞ ସି:ଆଇ:ଡି:ମାନେ ଧରିନିଅନ୍ତି ।’ ଏପରି ନାମଜାଦା ଲୋକଟାକୁ ଦେଖି ମି: ଚୌଧୁରୀ ବା ନିଜର ଧାରଣାଟାକୁ ମନରୁ ପୋଛି ଦିଅନ୍ତେ ବା କିପରି ?

 

ଦେହ ଚାହୁଁଥିଲା ବିଶ୍ରାମ; କିନ୍ତୁ ମନ ଘୋଡ଼ାରେ ପକ୍ଷୀ ଲାଗିଥିଲା । ମନ ତାଙ୍କର ଉଡ଼ି ବୁଲୁଥିଲା କାହିଁ କେଉଁଠି । ଆଖି ଆଗରେ ତାଙ୍କର ଗୋଟି ଗୋଟି ହୋଇ ନାଚିଯାଉଥିଲେ–ଶୋଭାନ୍‌ ସଂ, ମି: ଜୋନସ୍‍, ଫତୁରାମ୍‍ ଆଉ ସେ ନିଗ୍ରୋଟା; ତାଙ୍କ ସାଥିରେ ଆଉ କେତେ ଗୁଡ଼ାଏ ଭୀଷଣାକାର ଦସ୍ୟୁଙ୍କର ବିକୃତ ମୁଖ । ସମସ୍ତଙ୍କ ମଝିରେ ଛଳ ଛଳ ଆଖିରେ ସୁନନ୍ଦା ଦେବୀ–ଶିକାରୀ କୁକୁର ପଲରେ ହରିଣୀ ପରି କାକୁସ୍ଥ ହୋଇ ଠିଆହୋଇ ଆତ୍ମରକ୍ଷା ପାଇଁ ବ୍ୟାକୁଳିତା ହେଉଛନ୍ତି । ଅବଳା ସେ, ଝର ଝର ହୋଇ ତାଙ୍କ ଆଖିରୁ ଝରି ଆସୁଚି ଲୁହଧାର । କିଏ ପୋଛିବ ତାକୁ ?

 

ଭାବୁ ଭାବୁ ମି: ଚୌଧୁରୀଙ୍କ ରକ୍ତ ଗରମ ହୋଇ ଆସିଲା । ଯେପରି ହେଉ ସୁନନ୍ଦାକୁ ରକ୍ଷା କରିବାକୁ ହେବ । ବିଶ୍ରାମ ଅନାବଶ୍ୟକ । ସକାଳ ହେବାକୁ ଆଉ ହୁଏତ ଘଣ୍ଟାଏ ଦେଢ଼ଘଣ୍ଟା ବାକି । ଏତିକିବେଳୁ ପ୍ରସ୍ତୁତ ହୋଇ ସକାଳୁ ସକାଳୁ ଯାତ୍ରା କରିବାକୁ ହେବ । ହେଳାରୁ କାର୍ଯ୍ୟହାନି ଘଟିପାରେ ।

 

ମି: ଚୌଧୁରୀଙ୍କ ପ୍ରସ୍ତାବ ଅନୁଯାୟୀ ତିନିଜଣଯାକ ପ୍ରସ୍ତୁତ ହୋଇପଡ଼ିଲେ । ତିନିହେଁ ଛଦ୍ମବେଶରେ ସଜ୍ଜିତ । ଚିହ୍ନିବାର କୌଣସି ଉପାୟ ନାହିଁ । ଭୋର ହେବା ସଙ୍ଗେ ସଙ୍ଗେ ତିନିହେଁ ବାହାରି ପଡ଼ିଲେ କାରରେ । ସାଙ୍ଗରେ ଟାଇଗର୍‍ । ମି: ଯୋଶେଫ୍‌ ଚାଳକ ଆସନରେ ବସି ଷ୍ଟାର୍ଟ୍‍ ଦେଇ ଷ୍ଟିଅରଂ ଧରିଲେ । ଗାଡ଼ି ଗଡ଼ିଚାଲିଲା ମସୃଣ ରାଜପଥ ଉପରେ । ରାସ୍ତା, ଘାଟ ଚାରିଆଡ଼େ ଗଦା ଗଦା ବରଫ ଅଜାଡ଼ି ହୋଇ ପଡ଼ିଥାଏ । ଗଛଲତାର ଉପରେ ତୁଳାପରି ବରଫ ଜମି ରହିଥାଏ । ସେଇ ତୁଷାରଧବଳ ବରଫ ରାସ୍ତା ଉପରେ ଗାଡ଼ିର ଗତି ବଢ଼ୁଥିଲା ହୁ ହୁ ହେଇ । ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିଥିଲା ଯେତିକି, ସହରର ଘର ଗୁଡ଼ିକ ସେତିକି ପଛେଇ ଯାଉଥିଲା-। ଆଉ ସହର ତଳିର ପଲ୍ଲୀଗୁଡ଼ିକ ପାଖେଇ ଆସୁଥିଲା ।

 

ସକାଳ ହେଲାର ପ୍ରାୟ ଦୁଇଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ଆଠଟା ପରେ ସାମାନ୍ୟ ସୂର୍ଯ୍ୟ କିରଣ କୁହୁଡ଼ି ଭେଦି ବିଛେଇ ହୋଇ ପଡ଼ିଲା ତଳେ । ବରଫ ଉପରେ ସୁନେଲୀ ସୂର୍ଯ୍ୟ କିରଣର ଦୃଶ୍ୟ ବେଶ୍‌ ଉପଭୋଗ୍ୟ ବୋଧ ହୋଉଥିଲା ମି: ଚୌଧୁରୀଙ୍କୁ । ଉଭୟ ପଟର ଶସ୍ୟପୂର୍ଣ୍ଣ କ୍ଷେତ୍ର ଓ ବରଫର ପାତଳ ଆସ୍ତରଣ ତଳେ ସବୁଜ ଘାସର ଅଧାଲୁଚିଲା ରଙ୍ଗ ତାଙ୍ଗୁ ଖୁବ୍‌ ଆନନ୍ଦ ଦେଉଥିଲା ।

 

ଆଠଟା ପରେ ରାସ୍ତାଟା ବଡ଼ ନିଛାଟିଆ ବୋଧ ହେଉଥିଲା ମି: ଚୌଧୁରୀଙ୍କୁ । ରାସ୍ତା ପାହାଡ଼ିଆ–ଉଚ୍ଚା, ନୀଚା । ମି: ଯୋଶେଫ୍‌ ଖୁବ୍‌ ସାବଧାନରେ ଗାଡ଼ି ଚଳାଉଥାନ୍ତି । ଟିକିଏ ଅସାବଧାନ ହେଲେ ପଦେ ପଦେ ବିପଦ । ପ୍ରାୟ ଶହେ ମାଇଲ ଆସି ସାରିଲା ପରେ ଗୋଟାଏ ସମତଳ ଜାଗା ଦେଖି ମି: ଯୋଶେଫ୍‌ ଗାଡ଼ିର ବ୍ରେକ୍‌ ଦେଲେ । ଦୀର୍ଘ ପଥ ଅତିକ୍ରମ କରି ସମସ୍ତେ ବଡ଼ କ୍ଳାନ୍ତି ବୋଧ କରୁଥିଲେ । ଗାଡ଼ି ବନ୍ଦହେବା ସଙ୍ଗେ ସଙ୍ଗେ ତିନିଜଣଯାକ ଓହ୍ଲାଇ ପଡ଼ିଲେ । ଏଥର କିଛି ପ୍ରାତଃଭୋଜନ ଦରକାର । ମି: ଯୋଶେଫ୍‌ଙ୍କର ବରାଦ ଅନୁଯାୟୀ ଜିନିଷପତ୍ର ଗାଡ଼ିରେ ଆସିଥିଲା । ତିନିହେଁ ସେତକର ସଦ୍‌ବ୍ୟବାହାର କରିସାରିଲା ପରେ ମି: ଯୋଶେଫ୍‌ ମାନଚିତ୍ର ଖଣ୍ଡି ବାହାର କଲେ । ସେମାନେ ଏପର୍ଯ୍ୟନ୍ତ ଠିକ୍‌ ରାସ୍ତାରେ ଆସିଚନ୍ତି କି ନାହିଁ, ଯଦି ବା ଠିକ୍‌ ବାଟରେ ଆସିଥାନ୍ତି ତେବେ କେତେବାଟ ତାଙ୍କୁ ଅତିକ୍ରମ କରିବାକୁ ହେବ; ଏହାହିଁ ଥିଲା ମାନଚିତ୍ର ଖଣ୍ଡିକୁ ଦେଖିବାର ଉଦ୍ଦେଶ୍ୟ ।

 

ଉଦ୍ଦେଶ୍ୟ ମଧ୍ୟ ସଫଳ ହେଲା ବହୁପରିମାଣରେ । ଅଜଣା ରାସ୍ତା; ତଥାପି ସେମାନେ ଯେ ଠିକ୍‌ ବାଟରେ ଆସିଚନ୍ତି ଏବଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ବେଶି ଦୂର ନାହିଁ, ଏକଥା ମାନଚିତ୍ରରୁ ପରିଷ୍କାର ଜଣାପଡ଼ିଲା । ଯାହାହେଉ, ମି: ଚୌଧୁରୀ ଅପେକ୍ଷାକୃତ ଟିକିଏ ଆଶ୍ୱସ୍ତ ହେଲେ । ‘ଚଢ଼େଇର ବସାଟା ଦେଖିଗଲେ ଚଢ଼େଇଟାକୁ ଧରିନେବା ସହଜ’ ଏହା ଭାବି ସେ ମି: ଯୋଶେଫ୍‌ଙ୍କୁ ପୁଣି ରାସ୍ତା ଧରିବାକୁ ତରତର କଲେ । ଗାଡ଼ି ପୁଣି ଚାଲିଲା ।

 

ଏଥର ରାସ୍ତା ବଡ଼ ନିର୍ଜନ, ଜଙ୍ଗଲିଆ । ଅଳ୍ପ ଦୂରରେ ଉଚ୍ଚ ଉଚ୍ଚ ପାହାଡ଼ଗୁଡ଼ା ରାସ୍ତା ଦୁଇପଟରେ ଠିଆ ହୋଇଥାଏ । ରସ୍ତା ଧାରଠାରୁ କଣ୍ଟାଝଟାର ନିବିଡ଼ ଜଙ୍ଗଲ ପାହାଡ଼ର ମଥାଯାଏ ଏଭଳି ଲମ୍ବିଥାଏ ଯେ, ଚାହିଁଲେ ଦୃଷ୍ଟିସୀମା ବାହାରପର୍ଯ୍ୟନ୍ତ କେବଳ ଜଙ୍ଗଲ ଛଡ଼ା କିଛି ଦିଶୁନଥାଏ-। ସେଥି ଉପରକୁ ରାସ୍ତା ପୁଣି ଅତି କଦର୍ଯ୍ୟ । ଠାଏ ଠାଏ କାଦୁଅ; ଅଳ୍ପ କେତେ ଜାଗାରେ ପାଣି ବି ଠିଆ ହୋଇ ରହିଥାଏ । ବର୍ଷା ନହେଲେ ବି ଗତ ରାତିର ପ୍ରବଳ ବରଫ ବୃଷ୍ଟି ଫଳରେ ରାସ୍ତା ଆଉ ପାହାଡ଼ିଆ ଜଙ୍ଗଲର ଗଛ ଉପରେ ଜମି ରହିଥିବା ବରଫ ସବୁ ଖରାରେ ତରଳି ଆସି ଯେ ରାସ୍ତାରେ କାଦୁଅ ପାଣିର ସୃଷ୍ଟି କରିଚି ଏକଥାରେ ଆଉ ସନ୍ଦେହ ରହିଲା ନାହିଁ । ସେଇ ବିପଦପୂର୍ଣ୍ଣ ରାସ୍ତାରେ ଗାଡ଼ି ଚଳାଇଲାବେଳେ ତିନିହେଁ ବେଶ୍‌ ଆଶାୟୀ ଥିଲେ । କାରଣ ସେଇ କାଦୁଅ ଉପରେ ସେମାନେ ମୋଟର ଚକାର ଚିହ୍ନ ପରିଷ୍କାର ଦେଖିପାରୁଥିଲେ । ସେଇ ଚକା ଦାଗ ଯେ ଉଇଲିୟମ୍‍ ଜୋନସ୍‍ଙ୍କର, ଏକଥା ତିନିଜଣଯାକ ଅନୁମାନ କରିପାରୁଥିଲେ ଏବଂ ତାହା ନିଶ୍ଚିତ ବୋଲି ଧାରଣା ମଧ୍ୟ କରିନେଇଥିଲେ । ରାସ୍ତା କ୍ରମେ ଅଧିକ କଦର୍ଯ୍ୟ ଜଣାଯାଉଥିଲା ଏବଂ ତା’ ସାଙ୍ଗକୁ ଜଙ୍ଗଲର ନିବିଡ଼ତା ମଧ୍ୟ ବଢ଼ି ଉଠିଥିଲା ବହୁ ପରିମାଣରେ । ଆଉ କିଛି ବାଟ ଗଲାପରେ ମି: ଯୋଶେଫ୍‌ ହତାଶ ହୋଇ ଗାଡ଼ିର ବ୍ରେକ୍‌ ଦେଲେ । ‘ଆଉ ସମ୍ଭବ ନୁହେଁ’–କହି ସେ ଷ୍ଟାର୍ଟ୍‍ ବନ୍ଦ କରିବାର ଉଦ୍ୟମ କଲେ ।

 

ମି: ଯୋଶେଫ୍‌ଙ୍କ କଥାରେ ମି: ଚୌଧୁରୀ ଆଗକୁ ଚାହିଁ ଦେଖିଲେ–ଆଗ ରାସ୍ତା ଆହୁରି ଖରାପ । ବାସ୍ତବିକ ଗାଡ଼ି ଚଳାଇନେବା ବିପଦ । ଯାହାହେଉ ମି: ଯୋଶେଫ୍‌ଙ୍କ କଥାରେ ସମ୍ମତ ହୋଇ ସେ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ତାଙ୍କ ଦେଖାଦେଖି ଶରତ୍‍ବାବୁ ଆଉ ଟାଇଗର୍‍ ବି ।

 

ଏଥର ବିଚାର ହେଲା–ଗାଡ଼ିଟା ରହିବ କେଉଁଠି ? ସେପରି ସ୍ଥାନର ଏଠି ଅବଶ୍ୟ ଅଭାବ ନଥିଲା । ମି: ଯୋଶେଫ୍‌–କଡ଼ର ଗୋଟାଏ ବଣୁଆ ଲଟି ଭିତରେ ଗାଡ଼ିଟା ଲୁଚାଇ ଦେଲେ-। ବାହାରୁ ହଠାତ୍‌ ନଜର ଯେପରି କାହାରି ନପଡ଼େ ତା’ ଉପରେ, ସେଥିପାଇଁ କିଛି ଡାଳପତ୍ର ନୁଆଁଇ ଆଣି ତା’ ଉପରେ ଗଦେଇ ଦେଲେ ସେ । ଏଥର ପାଦରେ ଚାଲି ଚାଲି ଯିବାକୁ ହେବ । ଅନିର୍ଦ୍ଦିଷ୍ଟ ଦୂରତା, ଅଜ୍ଞାତ ରାସ୍ତା, ପ୍ରତି ପଦେ ପଦେ ବିପଦ ।

 

-ବାର-

 

ଗାଡ଼ିରୁ ଓହ୍ଲାଇ ପଡ଼ି ମି: ଚୌଧୁରୀ ଦେଖିଲେ–ରାସ୍ତା କଦର୍ଯ୍ୟ; ସଂକୀର୍ଣ୍ଣ ହେଲେ ବି ଚାରି ପାଞ୍ଚ ଘଣ୍ଟା ପୂର୍ବରୁ କାର୍‌ ବା ଜିପ୍‌ଟାଏ ତା’ ଉପରେ ଯିବାର ସ୍ପଷ୍ଟ ଜଣାଯାଉଛି । ଏବେ ରାସ୍ତା ନାହିଁ, ମାତ୍ର ଦିନେ ହୁଏତ ସେଟା ରାସ୍ତା ଥିଲା । କାରଣ ଅନ୍ୟ ସ୍ଥାନମାନଙ୍କ ଅପେକ୍ଷା ସେଇ ଅଳ୍ପ ଓସାରିଆ ସ୍ଥାନଟା ଥିଲା ପରିଷ୍କାର । ଖୁବ୍‌ ଛୋଟ ଛୋଟ କଣ୍ଟାଗଛ ମୁଣ୍ଡ ଟେକି ଉଠିଥିଲା ତାରି ଉପରେ ଥିବା ଲମ୍ବ ଲମ୍ବ ଘାସ ଗଛର ଉପର ଦେଇ । ସେଇ ଗଛଗୁଡ଼ାକ ମଧ୍ୟ ଗୋଟାଏ ଆଡ଼କୁ ମାଡ଼ି ହୋଇ ଯାଇଛି । ତା’ ଛଡ଼ା ଗାଡ଼ିର ଚକା ଗଡ଼ିଯିବା ଭଳି ସ୍ଥାନରୁ ମଧ୍ୟ ଘାସ ଦବି ଯାଉଚି ।

 

ବର୍ତ୍ତମାନ ଯିବାପାଇଁ ଆଉ ରାସ୍ତା ଖୋଜିବା ଦରକାର ହେଲାନାହିଁ । ସେଇ ଚକା ଦାଗକୁ ଅନୁସରଣ କରି ଚାଲିଲେ । ଉଭୟ ପଟର ଜଙ୍ଗଲରୁ କେଉଁ ମୁହୂର୍ତ୍ତରେ କି ବିପଦ ମାଡ଼ି ଆସିବ ତା’ କିଏ ଜାଣେ ? ତଥାପି ସାହସଧରି ତିନିହେଁ ଚାଲିଥାନ୍ତି । ସମସ୍ତଙ୍କ ଆଗରେ ଟାଇଗର୍‍ ବାଟ ଶୁଙ୍ଘି ଶୁଙ୍ଘି ଚାଲିଯାଏ । ବାଟରେ କେତେବେଳେ ଜଙ୍ଗଲ ସାମାନ୍ୟ ପାତଳା ଜଣାଯାଉଥାଏ ତ ପୁଣି କେତେବେଳେ ନିବିଡ଼ ହୋଇ ଉଠୁଥାଏ । ଚତୁର୍ଦ୍ଦିଗ ପୂରାପୂରି ନିର୍ଜନ । ଏଇ ତିନୋଟି ମଣିଷଙ୍ଗୁ ଛାଡ଼ିଦେଲେ ଆଉ କାହାର ଚିହ୍ନ ବର୍ଣ୍ଣ ଦିଶୁ ନ ଥାଏ ଦୃଷ୍ଟିସୀମା ଭିତରେ ।

 

ପ୍ରାୟ ଦୁଇ ମାଇଲ ଗଲାପରେ ଗାଡ଼ି ଚକାର ଚିହ୍ନ ଆଉ ସ୍ପଷ୍ଟ ଦିଶିଲା ନାହିଁ । ଏଠାରୁ ଜଙ୍ଗଲର ପରିମାଣ ବେଶି । ତଥାପି ଅନୁମାନ ଉପରେ ନିର୍ଭର କରି ଆହୁରି ଅଧମାଇଲିଏ ଯାଏ ରାସ୍ତା ଆଗେଇଗଲେ । ତିନିହେଁ ହଠାତ୍‌ କ’ଣ ଗୋଟାଏ ଜିନିଷ ଦେଖିଲେ । ମି: ଯୋଶେଫ୍‌ ବ୍ୟଗ୍ର ହୋଇ ସେ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ । ମି: ଚୌଧୁରୀ ସେ ଦିଗକୁ ଚାହିଁ ଦେଖିଲେ କଳା ରଙ୍ଗର କାର୍‍ଟାଏ ଥୁଆ ହୋଇଛି । କାର୍‌ଟା ତାଙ୍କଠାରୁ ପ୍ରାୟ ପଚାଶ ଗଜ ଦୂରରେ ଲଟି ଉହାଡ଼ରେ ଥିଲେ ସୁଦ୍ଧା ତା’ର ଛାତଟା ପରିଷ୍କାର ଦିଶୁଚି ଦୂରକୁ । ମି: ଚୌଧୁରୀ ଖୁବ୍‌ ସାବଧାନରେ ସେଠାକୁ ଯିବାକୁ ଅନ୍ୟମାନଙ୍କୁ ଇଙ୍ଗିତ କଲେ । ତାଙ୍କର ଧାରଣା ଥିଲା ଯେ, କାର୍‍ଟା ଯେତବେଳେ ଅଛି, ଆଖ ପାଖରେ ହୁଏତ କେହି ଥାଇପାରନ୍ତି; ଏପରିକି ସେ କାରରେ ଯେ ନଥିବେ, ତା’ ମଧ୍ୟ ନୁହେଁ ।

 

ମି: ଚୌଧୁରୀଙ୍କ କଥାଟା ସମସ୍ତଙ୍କ ମନକୁ ପାଇଲା । ସତର୍କ ପଦକ୍ଷେପରେ ତିନିହେଁ ଆଗେଇଗଲେ । ବିପଦର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ଥିଲେ ମଧ୍ୟ ପାଖରେ ରିଭଲ୍‍ଭର୍‍ ଅଛି; ବଳବାନ୍‌ ଆଉ ସୁଶିକ୍ଷିତ ଟାଇଗର୍‍ ଅଛି–ଆଉ ଭୟ କ’ଣ ?

 

ଲଟିବୁଦା ଆଡ଼େଇ ଆଡ଼େଇ ମି: ଚୌଧୁରୀ ଆଉ ଅନ୍ୟମାନେ କାର୍‌ଟାର ଖୁବ୍‌ ପା‌ଖାପାଖି ହୋଇଗଲେଣି ସେତେବେଳକୁ । ବୁଦା ଉହାଡ଼ରେ ଥାଇ ମି: ଚୌଧୁରୀ ତୀକ୍ଷ୍ଣ ସନ୍ଧାନୀ ଦୃଷ୍ଟିରେ କାର୍‌ଟାକୁ ଦେଖୁଥିଲେ ‘ସେଥିରେ ଆରୋହୀ କେହି ଅଛି କି ନାହିଁ ।’ ପ୍ରାୟ ଦଶମିନିଟ୍‌ ପର୍ଯ୍ୟନ୍ତ ଦେଖି ସେ ଯେତେବେଳେ ଆରୋହୀ ନଥିବା ସମ୍ପର୍କରେ ସ୍ଥିର ନିଶ୍ଚିତ ହେଲେ, ସେତେବେଳେ ସେ ଅନ୍ୟ ଦୁଇଜଣଙ୍କୁ ଆଗେଇବାକୁ ନିର୍ଦ୍ଦେଶ ଦେଇ ନିଜେ ଆଗକୁ ପାଦ ପକାଇଲେ ।

 

କାର୍‍ର ଖୁବ୍ ପାଖରେ ପହଞ୍ଚି ସେ ଦେଖିଲେ ତାଙ୍କର ଅନୁମାନ ନିର୍ଭୁଲ । ପ୍ରକୃତରେ ସେଥିରେ କେହି ଆରେହୀ ନାହାନ୍ତି । ତେବେ ଅଳ୍ପ କେତେ ଘଣ୍ଟା ପୂର୍ବେ ସେଥିରେ ଯେ ଲୋକ ବସିଥିଲେ ଏକଥା ଆସନରୁ ଜଣାଯାଉଚି । ଗାଡ଼ିଟା ମଧ୍ୟ ଗୁଡ଼ାଏ ବାଟ ଧାଇଁ ଧାଇଁ ଅଳ୍ପ ସମୟ ହେବ ସେଠି ଅଛି, ତା’ବି ଜଣାପଡ଼ିଲା । କାରଣ ସେପର୍ଯ୍ୟନ୍ତ ଇଞ୍ଜିନ୍‌ ଉପରୁ ଗରମ ଉଠୁଥାଏ ।

 

ଗାଡ଼ିଟା ଆଖି ଆଗରେ ଥିଲେ ବି ସମସ୍ୟାର ସମାଧାନ ସେତିକିରେ ହୋଇପାରିବା ଅସମ୍ଭବ । କାରଣ ଏଠାରୁ ପୁଣି ଠିକଣା ଜାଗାକୁ ରାସ୍ତା ଖୋଜିବାକୁ ହେବ । ଚାରିପାଖରେ ଘୋର ଜଙ୍ଗଲ । ମି: ଚୌଧୁରୀ ଶତଚେଷ୍ଟା କଲେ ବି ବାଟ ଠଉରାଇ ପାରିଲେ ନାହିଁ । ତାଙ୍କ ମନରେ ସନ୍ଦେହ ହେଲା–‘ଲୋକଗୁଡ଼ା କ’ଣ ଉଡ଼ିଗଲେ ଏଠୁ ? ଏଇ ବଣଭିତରେ ଯାଇଥିଲେ ତ ଗଛପତ୍ରଗୁଡ଼ା ଆଡ଼େଇ ହୋଇଯାଇଥାନ୍ତା; କିନ୍ତୁ ସେଥିର ବି କିଛି ନାହିଁ !’ ଅଗତ୍ୟା ଆବିଷ୍କାର କରିବାପାଇଁ ଟାଇଗର୍‍କୁହିଁ ନିଯୁକ୍ତ କରାଗଲା । ମି: ଚୌଧୁରୀ କାର୍‍ର ଦରଜା ଖୋଲି ଟାଇଗର୍‍କୁ ଚାଳକର ଆସନ ପାଖକୁ ଉଠାଇ ଦେଲେ । ଟାଇଗର୍‍ ଆସନଟାକୁ ଭଲକରି ଚାରି-ଛଅଥର ଶୁଙ୍ଘିଦେଇ ମି: ଚୌଧୁରୀଙ୍କ ପାଖକୁ ଫେରିଆସିଲା । ମି: ଚୌଧୁରୀ ତା’ର ମୁଣ୍ଡ ଟିକିଏ ସାଉଁଳାଇଦେଇ ଛାଡ଼ିଦେଲେ ।

 

ପ୍ରଭୁଭକ୍ତ ସୁଶିକ୍ଷିତ ଟାଇଗର୍‍ ବନ୍ଧନମୁକ୍ତ ହୋଇ ଚାରିଆଡ଼ ଖେଦିଯାଇ ବାସନା ବାରିନେଲା । ତା’ପରେ ଗୋଟାଏ ବୁଦା କଡ଼ଦେଇ ଶୁଙ୍ଘି ଶୁଙ୍ଘି ଆଗକୁ ଚାଲିଲା । ମି: ଚୌଧୁରୀ ଜାଣିଲେ–‘ଏଥର ସେ ରାସ୍ତା ପାଇଚି ।’ ତା’ପରେ ତିନିଜଣଯାକ ରିଭଲ୍‍ଭର୍‍ ବାଗେଇ ଧରି ଚାଲିଲେ ସେଇ ବିପଦସଙ୍କୁଳ ରାସ୍ତାରେ ।

 

ସେଇ କଣ୍ଟାଝଟା ଭିତରେ ବାଟ ଆଡ଼େଇ ନଇଁ ନଇଁ ଯାଉ ଯାଉ ସେମାନେ ତଳ କାଦୁଆମାଟି ଉପରେ ପାଦଚିହ୍ନ କେତୋଟି ଦେଖି ପାରିଲେ । ଜୋତାର ଚିହ୍ନ ପରିଷ୍କାର ବାରି ହୋଇଯାଉଥାଏ । ଅଳ୍ପ ସମୟ ପୂର୍ବରୁ କିଏ ଏଇବାଟେ ଯାଇଚି ନିଶ୍ଚୟ । ମି: ଚୌଧୁରୀ ଆନନ୍ଦରେ କୁରୁଳି ଉଠିଲେ–‘ଟାଇଗର୍‍ ତାଙ୍କୁ ଠିକ୍‌ ବାଟରେ ଆଣିଚି ତେବେ ।’ ମନେ ମନେ ଟାଇଗର୍‍କୁ ଅଜସ୍ର ଧନ୍ୟବାଦ ଦେଲେ ସେ ।

 

ଏ ଅଜ୍ଞାତ ପଥରେ ଏକମାତ୍ର ପଥପ୍ରଦର୍ଶକ ଟାଇଗର୍‌ । ତାକୁହିଁ ଅନୁସରଣ କରି ତିନିହେଁ ଚାଲିଥାନ୍ତି । ଆହୁରି ଖଣ୍ଡେବାଟ ଗଲାପରେ ପାହାଡ଼ର ଅଂଶ ଆରମ୍ଭ ହୋଇଗଲା । ଯଦିଓ ପାହାଡ଼ର ଉଚ୍ଚା ବେଶି ନୁହେଁ, ତେବେ ଗଦା ଗଦା ପଥର ଉପରେ ଚାଲିବା ବଡ଼ ଅସାଧ୍ୟ ବୋଧହେଲା ଏମାନଙ୍କୁ । କୌଣସି ପ୍ରକାରେ ହାମୁଡ଼େଇ ହାମୁଡ଼େଇ ଖଣ୍ଡେ ବାଟ ଯାଇ ଟିକିଏ ବିଶ୍ରାମ କରିବା ଛଡ଼ା ଅନ୍ୟ ଉପାୟ ନଥିଲା । ଏହିପରି ଯିବାର ପ୍ରାୟ ଘଣ୍ଟାକ ପରେ ସେମାନେ ସବୁଠାରୁ ଉଚ୍ଚ ପାହାଡ଼ଟାର ଶିଖର ଉପରେ ପହଞ୍ଚିଗଲେ । ସମସ୍ତଙ୍କ ଦୃଷ୍ଟି ଆଗକୁ । ଆଗରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା ସମସ୍ତଙ୍କ ମନକୁ ଆନନ୍ଦରେ ଉତ୍‍ଫୁଲ୍ଲ କରିଦେଲା । ଆଗରେ ନୀଳ ସମୁଦ୍ର । କଡ଼େ କଡ଼େ ପାହାଡ଼ମାଳା । ‘ସୁଶୀଲବାବୁଙ୍କ କହୁଥିବା ସ୍ଥାନ ତାହାହେଲେ ଏଇ’–ମନେ ମନେ ସ୍ଥିର କରିନେଲେ ମି: ଚୌଧୁରୀ ଆଉ ମି: ଯୋଶେଫ୍‌ ।

 

ଏଥର ପାହାଡ଼ରୁ ଗଡ଼ି ତଳକୁ ଯିବାକୁ ହେବ ସମୁଦ୍ର କୂଳ ପର୍ଯ୍ୟନ୍ତ । ଲକ୍ଷ୍ୟସ୍ଥଳ ଦିଶୁଚି-। ଟାଇଗର୍‍ର ଆବଶ୍ୟକତା ଆଉ ନାହିଁ । ତଳକୁ ଓହ୍ଲାଇବା ଆରମ୍ଭ ହେଲା । ଓହ୍ଲାଇ ପଡ଼ିବାଟା ଯେତେ ସହଜ ମନେ କରୁଥିଲେ ମି: ଚୌଧୁରୀ, ପ୍ରକୃତରେ କାମଟା ସେତେ ସହଜ ନୁହେଁ । ଓହ୍ଲାଇବା ତ ଦୂରର କଥା । ଗୋଟିଏ ପାଦ ରଖି ଆର ପାଦ ଉଠାଇବା ମୁଷ୍କିଲ୍‌ । ସେଥିରେ ପୁଣି ଗୋଡ଼ ଖସିଗଲେ ମହା ବିପଦ । ପଥରରେ ଛେଚି ହୋଇ ଅବସ୍ଥା ଯାହା ହେବ, ତା’ କଳ୍ପନାର ଅତୀତ ।

 

କୌଣସି ପ୍ରକାରେ ତଳେ ପହଞ୍ଚି ତିନିହେଁ ଦେଖିଲେ–ତଳେ ବି କିଛି ଦୂରଯାଏ ଜଙ୍ଗଲ । କିନ୍ତୁ ପାହାଡ଼ ଉପରୁ ସେମାନଙ୍କର ଧାରଣାଥିଲା ଯେ–‘ସେମାନେ ପାହାଡ଼ ତଳେ ପହଞ୍ଚିବା ମାତ୍ରେ ସମୁଦ୍ରର କୂଳ ପାଇବେ ।’ ଏ ଧାରଣା ଯେ କେଡ଼େ ଭୁଲ୍‍ ତା’ ଏଥର ସମସ୍ତେ ବୁଝିପାରିଲେ । ଯେପରି ହେଉ, ଆଗେଇବାକୁ ହେବ ନିଶ୍ଚୟ । ପୂର୍ବପରି ବଣ ଆଡ଼େଇ ଆଡ଼େଇ କିଛି ବାଟ ଗଲା ପରେ ସମୁଦ୍ର କୂଳରେ ପହଞ୍ଚିବାମାତ୍ରେ ତିନିଙ୍କର ଆଶା ରହିଲା ନାହିଁ ଆଉ ।

 

ସେମାନେ ଯେଉଁଠାରେ ଠିଆ ହୋଇଥିଲେ ସେଠାରୁ ପ୍ରାୟ ଚାରିପାଞ୍ଚ ଶହ ଗଜ ଦୂର ପର୍ଯ୍ୟନ୍ତ ଗଭୀର ସମୁଦ୍ର । ତା’ପରେ ପାହାଡ଼ମାଳାର ଆରମ୍ଭ । ଏଇ ଚାରିପାଞ୍ଚ ଶହ ଗଜ ଅତିକ୍ରମ କରିବାକୁ ହେବ । ମି: ଯୋଶେଫ୍‌ ପହଁରି ଯିବାକୁ ପ୍ରସ୍ତାବ କରିଥିଲେ । ମାତ୍ର ସେଟା ସହଜ ବ୍ୟାପର ନୁହେଁ । ସମୁଦ୍ରଜଳ ଯେତେ ଗଭୀର ବୋଲି ଅନୁମାନ କରାଯାଇଚି, ଯଦି ପ୍ରକୃତରେ ସେଟା ସେତେ ଗଭୀର ହୋଇଥାଏ, ତେବେ ନିଶ୍ଚୟ ଭୟଙ୍କର ଜଳଜନ୍ତୁ ଥିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ସମୁଦ୍ର କୂଳେ କୂଳେ ଅନ୍ତତଃ କିଛି ଦୂର ଯାଇ ଘାଟ ବା ଅନ୍ୟ କୌଣସି ଅବଲମ୍ବନ ଖୋଜିବାକୁ ମି: ଚୌଧୁରୀ ପ୍ରସ୍ତାବ କଲେ । ତାଙ୍କର ଧାରଣା ଥିଲା ଯେ, ଉଇଲିୟମ୍‌ ଜୋନସ୍‍ ଯଦି ଏଇ ପଟରୁ ଯାଇଥାନ୍ତି ତେବେ ସେ ପଟକୁ ଯିବାପାଇଁ ନିଶ୍ଚୟ ଡଙ୍ଗା ବା ବୋଟର ସାହାଯ୍ୟ ନେଇଥିବେ । ତାଙ୍କର ପ୍ରସ୍ତାବ ଉପରେ ଆସ୍ଥା ରଖି ତିନିହେଁ କୂଳେ କୂଳେ ଏକାମୁହାଁ ଚାଲିବାକୁ ଆରମ୍ଭ କଲେ । ଖଣ୍ଡେଦୂର ଆଗେଇ ଗଲା ପରେ ମି: ଚୌଧୁରୀ ଦେଖିବାକୁ ପାଇଲେ ସମୁଦ୍ର ସାମାନ୍ୟ ଅଣଓସାରିଆ ଦିଶୁଚି । ପାଖକୁଯାଇ ଦେଖିଲେ–ସେଇଠି ଦୁଇପଟ ପାହାଡ଼ର କିଛି ଅଂଶ ଗୋଜିଆ ହୋଇ ପରସ୍ପରର ବିପରୀତ ଦିଗକୁ ମାଡ଼ିଆସିଚି । ମଝିରେ ଯେଉଁ କେତେକ ଅଂଶ ଶୂନ୍ୟ ଅଛି ତାକୁ ଅକ୍ଳେଶରେ ଡେଇଁ ଯାଇ ହେବ । ଯାହାହେଉ, ଆରପଟକୁ ଯିବାର ବାଟ ପାଇ ମି: ଚୌଧୁରୀ ଆଉ ଅନ୍ୟମାନଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେମାନେ ସେଇ ବାଟରେ ସେପଟ ପାହାଡ଼ମାଳାରେ ପାଦ ଦେଲେ ।

 

ସେପଟ ପାହାଡ଼ମାଳାରେ ପହଞ୍ଚି ଦେଖିଲେ ସେଠି ବି ଖୁବ୍‌ ଜଙ୍ଗଲ; ସମୁଦ୍ରର କୂଳ ବୋଲି ସ୍ଥାନଟା ଭାରି ସନ୍ତସନ୍ତିଆ ହୋଇଥିବାରୁ ଜଙ୍ଗଲ ବି ଭାରି ଘଞ୍ଚ ହୋଇଚି । ମି: ଚୌଧୁରୀ ଜଙ୍ଗଲ ଭିତରକୁ ପଶିବା ପୂର୍ବରୁ ଆଗ ଖୋଲା ଜାଗାରେ ଠିଆ ହୋଇ ପାହାଡ଼ ଆଡ଼କୁ ଥରେ ଭଲ କରି ଲକ୍ଷ୍ୟ କଲେ । ନିଘଞ୍ଚ ଅରଣ୍ୟ । ବଣୁଆ ଫୁଲ କେତେ ରଙ୍ଗର ଫୁଟି ଚିକ୍‌ଚିକ୍‌ କରୁଚି ସୂର୍ଯ୍ୟକିରଣରେ । ଛୋଟ ଛୋଟ ଚଢ଼େଇଙ୍କର କେଁ କେଁ, କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ୁଚି । ଉପରଆଡ଼ୁ ତାଙ୍କର ଦୃଷ୍ଟି କ୍ରମେ ତଳ ଆଡ଼କୁ ପଡ଼ିଲା । ତଳେ ଅନ୍ୟସ୍ଥାନ ଅପେକ୍ଷା ଗୋଟାଏ ସ୍ଥାନ ବିଶେଷକରି ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ଟିକିଏ ଯାଇ ଦେଖିଲେ–ଗୋଟାଏ ଜାଗାରେ ବୁଦା ଆଡ଼ାଆଡ଼ି ହେଲାପରି ଦିଶୁଚି । ସେଠି ଘଟଣାଟା କ’ଣ ଦେଖିବାପାଇଁ ସେ ସେଇ ବୁଦାଟାକୁ ଟିକିଏ ଆଡ଼େଇ ଦେଲା । ବୁଦା ପଛରେ ଯେଉଁ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଲା ସେଥିରେ ହୃଦୟ ତାଙ୍କର ଆନନ୍ଦରେ ନାଚି ଉଠିଲା । ସେ ଦେଖିଲେ–ସେଇ ବୁଦା ପଛରେ ଭିତରକୁ ରାସ୍ତାଟା ସୁଡ଼ଙ୍ଗପରି ହୋଇ ରହିଚି । ଦୁଇକଡ଼ରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଉପରର ଲତା ମାଡ଼ି ଠିକ୍‍ ସୁଡ଼ଙ୍ଗପରି ଦେଖାଯାଉଚି । ଭିତରଟା ସାମାନ୍ୟ ଅନ୍ଧକାର । ମି: ଚୌଧୁରୀ ତଳର ମାଟିକୁ ଚାହିଁ ଦେଖିଲେ–ପାଦ ଚିହ୍ନ କେତେଟା । ପରିଷ୍କାର ପଡ଼ିଚି ଆଗକୁ ଆଗକୁ ।

 

ମି: ଚୌଧୁରୀ ସେଇ ଚିହ୍ନଗୁଡ଼ିକୁ ଆଉ ରାସ୍ତାକୁ ଅନ୍ୟମାନଙ୍କୁ ଡାକି ଦେଖାଇ ଦେଲେ । ସମସ୍ତେ ଦେଖି ଅବାକ୍‌ । ଦୁର୍ବୃତ୍ତ ଯେ ଏଡ଼େ ଚତୁର, ଏକଥା ମି: ଚୌଧୁରୀ କି ଅନ୍ୟ କେହି କଳ୍ପନା ସୁଦ୍ଧା କରିନଥିଲେ । ସେମାନେ ଯେଉଁ ବାଟେ ଆସିଚନ୍ତି ସେଇଟା ଯେ ଠିକ୍‌ ବାଟ ତାହା ପରିଷ୍କାର ଜଣାଗଲା ଏଥର । ସହରଠାରୁ ଏତେ ଦୂରରେ ଏତେ କଟକଣା ଭିତରେ ଘାଟି । ସେତେବେଳକୁ ସେଠି ଅଳ୍ପ କିଛି ରହସ୍ୟ ଥାଇପାରେ ଏ କଥା ସମସ୍ତଙ୍କୁ ଟିକିଏ ଅସ୍ୱଭାବିକ ବୋଧହେଲାଣି । ‘ଏହା ପଛରେ ବହୁ ରହସ୍ୟ ଲୁଚିରହିଛି ନିଶ୍ଚୟ’–ମି: ଚୌଧୁରୀ ଦୃଢ଼ଭାବରେ ଏ କଥା ମନେ ମନେ ସ୍ଥିର କରିନେଲେ ।

 

‘‘ଆମେ ବୋଧହୁଏ ଠିକ୍‌ ବାଟରେ ବହୁତ ପାଖାପାଖି ହୋଇଗଲେଣି ଲକ୍ଷ୍ୟସ୍ଥଳର, ମି: ଚୌଧୁରୀ !’’–ଖୁବ୍‌ ଆସ୍ତେ ଆସ୍ତେ କହିଲେ ମି: ଯୋଶେଫ୍‌ ।

 

‘‘ମୋର ମଧ୍ୟ ସେପରି ମନେହୁଏ । ଆମକୁ ବର୍ତ୍ତମାନ ଖୁବ୍‌ ସାବଧାନରେ ଆଗେଇବାକୁ ହେବ; ନଚେତ୍‌ ବିପଦର ସମ୍ଭାବନା ବହୁତ ବେଶି’’–ଉତ୍ତର ଦେଲେ ମି: ଚୌଧୁରୀ ।

 

ସେଇ ଅନ୍ଧାରୁଆ ରାସ୍ତା ଭିତର ଦେଇ ତିନିଜଣଯାକ ଖୁବ୍‌ ସାବଧାନରେ ଆଗଉଥିଲେ-। ରାସ୍ତା ଥିଲା ସନ୍ତସନ୍ତିଆ । ଗୋଟାଏ ବଡ଼ ଅସ୍ୱାସ୍ଥ୍ୟକର ଗନ୍ଧ ବାହାରୁଥିଲା ତା’ ଭିତରୁ । ପ୍ରାୟ ମାଇଲିଏ ଦେଢ଼ମାଇଲ ସେଇପରି ଭାବରେ ଗଲା ପରେ ଦୂରରେ ପଥରର କାନ୍ଥଟାଏ ଦିଶିଲା । ମି: ଚୌଧୁରୀ ଦଳର ଅଗ୍ରଣୀ ଥିଲେ । ତେଣୁ ସର୍ବପ୍ରଥମେ ତାକୁ ସେ ଦେଖି ଅଙ୍ଗୁଳି ନିର୍ଦ୍ଦେଶରେ ଅନ୍ୟମାନଙ୍କୁ ଦେଖିବାକୁ ଇଙ୍ଗିତ କଲେ ।

 

ମି: ଯୋଶେଫ୍‌ ଆଉ ଶରତ୍‍ବାବୁ ମି: ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଗଛଲତା ଗହଳିର ଫାଙ୍କରେ ସେଇ ଦୃଶ୍ୟ ଦେଖୁଥିଲେ । ମି: ଚୌଧୁରୀ ସମସ୍ତଙ୍କୁ ତାହା ଦେଖାଉଥିଲେ । ଆନନ୍ଦର ଅତିଶୟରେ ତିନିଙ୍କର ମୁହଁରେ ନଥିଲା ଭାଷା । ପ୍ରତ୍ୟେକଙ୍କର ଚକ୍ଷୁ ଦୀପ୍ତ ହୋଇ ଉଠିଥିଲା ବିଜୟ ଉଲ୍ଲାସରେ ।

 

ମି: ଚୌଧୁରୀ ଭାବୁଥିଲେ–ସୁଶୀଲବାବୁଙ୍କ କହିବା ଅନୁଯାୟୀ ଏଇ ହେଉଚି ସୁନନ୍ଦା ଦେବୀଙ୍କ କାରାଗାର । ଏଇ ପଥର କାନ୍ଥ ଉହାଡ଼ରେ କେତେ ବିଭତ୍ସତା ଲୁଚି ରହିଚି, ତାକୁ ବାହାର କରିବାକୁ ହେବ ତାଙ୍କୁ ନିଶ୍ଚୟ ।

 

-ତେର-

 

‘ଆତତାୟୀର ଆଡ୍‌ଡାଟା ତ ଏତେ ପାଖରେ, ସିଧା ସଳଖ ଆଗକୁ ଚାଲିଯିବାଟା ଆଦୌ ଠିକ୍‌ ହେବନି’–ଏଇଆ ସ୍ଥିର କରି ତିନିଜଣଯାକ ସେଇଠୁ ବାଟ ଭାଙ୍ଗିଲେ । କଣ୍ଟାବୁଦା, ଲଟି ଅଝାଲ ହୋଇ ମାଡ଼ିଥାଏ ଆଗରେ ଦିଶୁଥିବା କାନ୍ଥ ପର୍ଯ୍ୟନ୍ତ । ତାରି ଭିତରେ ଗୁରୁଣ୍ଡି ଗୁରୁଣ୍ଡି ଅତି କଷ୍ଟରେ ତିନିଜଣଯାକ ବାଟଠାରୁ ଖଣ୍ଡେଦୂର ହଟିଗଲେ । ଟାଇଗର୍‍କୁ ବିଶେଷ କିଛି କଷ୍ଟ ହେଉନଥାଏ । ସେ ମି: ଚୌଧୁରୀଙ୍କ ପାଖେ ପାଖେ ଚାଲିଥାଏ ଚାରିଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ପକାଇ ସତର୍କ ପ୍ରହରୀ ପରି ।

 

ଖଣ୍ଡେ ବାଟ ଗଲାପରେ ମି: ଚୌଧୁରୀ ଗୋଟାଏ ଜାଗାରେ ନିଜର ଗତି ବନ୍ଦ କରିଦେଲେ । ‘‘ଏଇ ଜାଗାଟାହିଁ ଠିକ୍‌ ହେବ ଆମର ଆତ୍ମଗୋପନ ପାଇଁ’’–ଖୁବ୍‌ ଅନୁଚ୍ଚ ସ୍ୱରରେ ଏତକ କହି ସେ ସେଇଠି ସିଧାହୋଇ ବସିଲେ । ଯାହା କହିଚନ୍ତି ତାହା ଯଥାର୍ଥ; ସେଇ ଜାଗାଟା ଚାରିପାଞ୍ଚ ହାତ ପର୍ଯ୍ୟନ୍ତ ଖୁବ୍‌ ପରିଷ୍କାର । ତା’ର ଚାରିପଟେ ଖୁବ୍‍ ଘଞ୍ଚ କଣ୍ଟାଲଟା ଘେରି ଯାଇଚି କାନ୍ଥପରି । ଜାଗାଟା ପୁଣି ଏପରି ଥିଲା ଯେ, ସେଇଠି ବସିଲେ ସେମାନଙ୍କୁ ତ କେହି ଦେଖିପାରିବ ନାହିଁ; କିନ୍ତୁ ସେମାନେ ଘର ଉପରେ ଦୃଷ୍ଟି ରଖିପାରିବେ । ଘରଠାରୁ ସେଟା ଥିଲା ପ୍ରାୟ ପଚିଶି ଗଜ ଛଡ଼ା ।

 

ବେଳ ହେଲାଣି ସେତେବେଳକୁ ପ୍ରାୟ ଦୁଇଟା । ମଧ୍ୟାହ୍ନ ହେଲେ ସୁଦ୍ଧା ସେଇ ଅନ୍ଧାରୁଆ ବଣ ଭିତରେ ଜଣାଯାଉଥାଏ–ଯେପରି ସନ୍ଧ୍ୟା ହେଲାଣି । ଏଣେ ସମସ୍ତେ କ୍ଷୁଧାରେ ଅସ୍ଥିର । ଖାଦ୍ୟ ବା ମିଳୁଚି କେଉଁଠୁ । ମି: ଯୋଶେଫ୍‌ଙ୍କର ଆଣିଥିବା ଖାଦ୍ୟରୁ ଯାହା ଅବଶିଷ୍ଟ ଥିଲା ସେତକ ଖାଇ ଦେଇ ସମସ୍ତେ ବର୍ତ୍ତମାନର କାର୍ଯ୍ୟପନ୍ଥା କ’ଣ ତାହାହିଁ ସ୍ଥିର କରିବାକୁ ଲାଗିଲେ ।

 

ମି: ଯୋଶେଫ୍‌ଙ୍କର ଇଚ୍ଛା–ଏକାବେଳେକେ ପୋଲିସ୍‍ ଫୌଜ ଆଣି ଆଡ୍‌ଡାଟାକୁ ଘେରାଉ କରି ଗୋଟି ଗୋଟି ବାନ୍ଧି ନେବାକୁ । କିନ୍ତୁ ମି: ଚୌଧୁରୀଙ୍କର ଇଚ୍ଛା ଅନ୍ୟ ପ୍ରକାର । ସେ ଚାହାନ୍ତି ଦସ୍ୟୁ ବନ୍ଧା ହେଉ: ତା’ ସଙ୍ଗେ ସଙ୍ଗେ ସବୁ ରହସ୍ୟର ଗୋଟାଏ ସମାଧାନ ହେଉ । ଏ ଦସ୍ୟୁ ମାମୁଲି ଦସ୍ୟୁ ନୁହେଁ । ତା’ପରେ ଏମାନଙ୍କର ସମୁଦ୍ର ପଥ ସହିତ ସମ୍ପର୍କ ଅଛି । ଯଦି କୌଣସି ପ୍ରକାରେ ସେମାନେ ପୋଲିସ୍‍ର ଗନ୍ଧ ପାଆନ୍ତି ତେବେ ସମୁଦ୍ର ପଥରେ ହୁଏତ କେଉଁଆଡ଼େ ପଳାଇଯାଇ ଆତ୍ମଗୋପନ କରିଦେବେ । ତଦ୍ଦ୍ୱାରା ସେମାନଙ୍କର ତ ସତ୍ତା ମିଳିବ ନାହିଁ; ତା’ ସଙ୍ଗେ ସଙ୍ଗେ ସୁନନ୍ଦା ମଧ୍ୟ ନ ମିଳିବାର ଆଶଙ୍କା । ତାଙ୍କର ସବୁ ଶ୍ରମ ପଣ୍ଡ ହେବ ସିନା-

 

ବହୁ ବାଦାନୁବାଦ ପରେ ସ୍ଥିରହେଲା–ମି: ଚୌଧୁରୀ ଏକା ସେଠାରେ ରହିବେ । ଶରତ୍‍ବାବବୁ ଆଉ ମି: ଯୋଶେଫ୍‌ ସହରକୁ ଫେରିଯିବେ । ଆଜି ରାତି ବାରଟା ସୁଦ୍ଧା ପୋଲିସ୍‍ ବାହିନୀର ପଥ ପ୍ରଦର୍ଶକ ହୋଇ ଶରତ୍‍ବାବୁ ଆସିବେ ଏଠାକୁ । ମି: ଯୋଶେଫ୍‌ ଜଳପଥରେ ପାଞ୍ଚନମ୍ବର ଘାଟିର ସବୁ ଗମନାଗମନ ପଥକୁ ଜଗି ରହିବେ । ପ୍ରତ୍ୟେକେ ନୀଳବର୍ଣ୍ଣର ଆଲୋକ ସଙ୍କେତରେ ପ୍ରତ୍ୟେକଙ୍କର ଉପସ୍ଥିତି ଜଣାଇବେ । ଏ ପ୍ରସ୍ତାବରେ ରାଜି ହୋଇ ମି: ଯୋଶେଫ୍‌ ଆଉ ଶରତ୍‍ବାବୁ ସହରକୁ ଫେରିଲେ । ମି: ଚୌଧୁରୀ ଏକୁଟିଆ ଟାଇଗର୍‍କୁ ସାଥିରେ ଧରି ରହିଲେ ସେଇ ନିର୍ଜନ, ବିପଦପୂର୍ଣ୍ଣ ଜଙ୍ଗଲରେ । ବିପଦ ଆପଦର ଚିର ସହରର ସାଇଲେନ୍‌ସର ଲଗା ଅଟୋମେଟିକ୍‌ ରିଭଲ୍‍ଭର୍‍ଟି ଥରେ ଭଲକରି ପରୀକ୍ଷା କାରିନେଇ ସେ ସଇ ବୁଦାଉହାଡ଼ରେ ବସିରହିଲା ।

 

ପ୍ରାୟ ପନ୍ଦର କୋଡିଏ ମିନିଟ୍‌ ଚୁପ୍‍ଚାପ୍‍ ବସି ରହିଲା ପରେ ମି: ଚୌଧୁରୀ ବଡ଼ ଅସ୍ୱସ୍ତି ବୋଧକଲେ । ଏକୁଟିଆ ଏମିତି ଅଳସୁଆଙ୍କ ପରି ବସିରହିବା ତାଙ୍କର ପ୍ରକୃତି ବିରୁଦ୍ଧ । ଏଇ ଅଳ୍ପ କେତୋଟି ମିନିଟ୍‍ ତାଙ୍କୁ ଲାଗୁଥିଲା ଗୋଟାଏ ଯୁଗପରି । ଖାଲି ଖାଲି ବସି ରହିବା ଅପେକ୍ଷା ବରଂ ଥରେ ଆଖପାଖ ଅଞ୍ଚଳଟା ଖୁବ୍‌ ଭଳକରି ଦେଖିନେଲେ ଭବିଷ୍ୟତରେ ଲାଭ ହୁଅନ୍ତା ବୋଲି ସେ ମନେ ମନେ ଭାବୁଥିଲେ । ଭାବାନା ସଙ୍ଗେ ସଙ୍ଗେ ଆଶଙ୍କା ଯେ ନଥିଲା ତା’ ନୁହେଁ, ଆଶଙ୍କାର କାରଣ ଥିଲା ଯଥେଷ୍ଟ–ପ୍ରଥମତଃ ସ୍ଥାନ ଥିଲା ଘୋର ନିର୍ଜନ । ଦ୍ୱିତୀୟତଃ ସେ ଥିଲେ ଏକାକୀ । ହଠାତ୍ ଦସ୍ୟୁ ଆକ୍ରମଣର ପ୍ରତିରୋଧ ପାଇଁ ନିଜର ବାହୁବଳ ଉପରେ ତାଙ୍କର ଯଥେଷ୍ଟ ଆସ୍ଥା ଥିଲେ ବି ତଦ୍ୱାରା କାର୍ଯ୍ୟ ସାଧନ ହୋଇପାରିବ ନାହିଁ–ଏହାହିଁ ଥିଲା ଗୋଟିଏ ଆଶଙ୍କା ।

 

ଯାହାହେଉ, ଖୁବ୍‌ ଧୈର୍ଯ୍ୟର ସହିତ ସେ ପ୍ରାୟ ଘଣ୍ଟାଏ କାଳ ସେଇଠି ସେହିପରି ଭାବରେ ବସିରହିଲେ । ବେଳ ଚାରିଟା ହେବ ପ୍ରାୟ ସେତେବେଳକୁ । ସମଗ୍ର ବନଭୂମି କ୍ରମେ ଅନ୍ଧକାର ହୋଇ ଆସୁଛି । ତା’ର ଭୀଷଣତା କ୍ରମେ ବଢ଼ିଉଠୁଚି । ମି: ଚୌଧୁରୀଙ୍କ ମନରେ ନାନା ପ୍ରକାର ଚିନ୍ତା ଉଦୟ ହୋଇ ତାଙ୍କୁ ଅସ୍ଥିର କରି ପକାଉଚି । ପ୍ରତି ମୁହୂର୍ତ୍ତରେ ସେ ଇଚ୍ଛା କରୁଚନ୍ତି–ଏଇ ଘରେ ପଶି ସୁନନ୍ଦା ଦେବୀଙ୍କୁ ମୁକୁଳାଇ ଦିଅନ୍ତେ; ଦୁସ୍ୟୁର ସବୁ ରହସ୍ୟ ପଦାରେ ପକାଇ ଦିଅନ୍ତେ । କିନ୍ତୁ ତା’ର ପର ମୁହୂର୍ତ୍ତରେ ମନ ଦବି ଯାଉଚି–‘ସେ ଏକାକୀ; ପାରିବେତ ? ’

 

ଏଇପ୍ରକାର ଭାବୁ ଭାବୁ ଆହୁରି ଅଧଘଣ୍ଟାଏ ବିତିଗଲା । ମି: ଚୌଧୁରୀ ଆଉ ସ୍ଥିରହୋଇ ବସିପାରିଲେ ନାହିଁ । ଏଥର ଉଠିଲେ । ତାଙ୍କର ଇଚ୍ଛା–ଘରର ଆରପଟକୁ ଯାଇ ସମୁଦ୍ର ସହିତ ଏହାର ଯୋଗାଯୋଗ କେଉଁଠି, ସେ ଜାଗାଟା ଟିକିଏ ଦେଖିନେବେ । ଏଇୟା ମନେ ମନେ ସ୍ଥିର କରି ସେ ଉଠିଲେ ଖୁବ୍‌ ସାବଧାନରେ ରିଭଲ୍‍ଭର୍‍କୁ ବାଗେଇ ଧରି ।

 

ସେହି ନିବିଡ଼ ଜଙ୍ଗଲ ଭିତରେ ଶିକାରୀ ବାଘ ପରି ପାଦ ଚିପି ଚିପି ମି: ଚୌଧୁରୀ ଛପି ଛପି ଯାଉଥିଲେ ଆରପଟକୁ । ବେଳେ ବେଳେ ନିଜର ପାଦ ଶବ୍ଦରେ ନିଜେ ଚମକି ପଡ଼ୁଥିଲେ । କେତେବେଳେ ବା ସାମାନ୍ୟ ଶବ୍ଦରେ ଚମକି ପଡ଼ି ସତର୍କ ଦୃଷ୍ଟି ପକାଉଥିଲେ ଚାରିଆଡ଼କୁ । ଏହିପରି ସନ୍ଧାନୀ ଦୃଷ୍ଟି ପକାଇ ଯାଇ ଯାଇ ସେ ଆରପଟରେ ପହଞ୍ଚଗଲେ । ସେ ଅନୁମାନ କରିଥିଲେ–ଆରପଟଟା ହୁଏତ ଆହୁରି ଜଙ୍ଗଲିଆ ହୋଇଥିବ; ମାତ୍ର ସେଠାରେ ପହଞ୍ଚି ତାଙ୍କର ସେ ଧାରଣା ବଦଳିଗଲା । ସେ ଦେଖିଲେ-ସେ ପଟଟାହିଁ ପ୍ରବେଶ ପଥ । ସେ ପାଖଟା ଅନ୍ୟ ତିନିପାଖ ଅପେକ୍ଷା ପରିଷ୍କାର ରାସ୍ତା ପଡ଼ିଚି ଆଗକୁ । ମି: ଚୌଧୁରୀ ଅନୁମାନ କଲେ–ସେଇଆଡ଼ଟା ସମୁଦ୍ର ହେବ ବୋଧହୁଏ । ତାଙ୍କୁ ସେ ପାଖରେ ସମୁଦ୍ର ଦେଖିବାକୁ ହେବ ଓ ଆଉ ଗୋଟାଏ ସୁବିଧା ଜାଗା ଠିକଣା କରିବାକୁ ହେବ । ମି: ଯୋଶେଫ୍‌ ରାତିରେ ଆସି ‌ଘାଟି ଘେରାଉ କରିବେ । ତାଙ୍କୁ ପୁଣି ଆଲୋକ ସଙ୍କେତ ଜଣାଇବାକୁ ହେବ ତ ? ଏଇୟା ଭାବି ରାସ୍ତା ଉପରେ ଖୁବ୍‌ ସତର୍କ ଦୃଷ୍ଟି ପକାଇ ଆଗକୁ ପାଦ ପକାଇଲେ ସେ । ହାତରେ ଅଟୋମେଟିକ୍‌ ରିଭଲ୍‍ଭର୍‍, ଆଉ ପାଖେ ପାଖେ ସୁ-ଶିକ୍ଷିତ ଟାଇଗର୍‍ ।

 

ପ୍ରଥମେ ମି: ଚୌଧୁରୀ ଅୁନସାନ କରିଥିଲେ ଯେ ସମୁଦ୍ରଟା ସେଠୁ କିଛି ଦୂର ହେବ ବୋଲି । ମାତ୍ର ଖଣ୍ଡେବାଟ ଆଗକୁ ଯାଇ ଦୁଇ ତିନିଟା ଝଙ୍କାଳିଆ ବୁଦା ପାରି ହୋଇଗଲା ପରେ ସେ ପରିଷ୍କାର ଦେଖିପାରିଲେ ଆଗର ଦିଗନ୍ତ ବିସ୍ତାରୀ ନୀଳ ସମୁଦ୍ର । ରାସ୍ତା ଆଡ଼କୁ ଆଉ ଟିକିଏ ଆଗେଇ ଆସି ସେ ଦେଖିଲେ ଖୁବ୍‌ ଲମ୍ବା ପଥର କାନ୍ଥିଟାଏ କୂଳଠାରୁ ପ୍ରାୟ ଦୁଇଶହ ଗଜ ଛଡ଼ାରେ ରହିଚି । ତାହାରି ଉହାଡ଼ରେ ରଖାଯାଇଚି କୂଳ ନିକଟରେ ତିନିଖଣ୍ଡ ଶକ୍ତିଶାଳୀ ମୋଟର ଲଞ୍ଚ୍‌ । ମି: ଚୌଧୁରୀ ଏଥର ସବୁ କଥା ସ୍ପଷ୍ଟ ଧାରଣା କରିନେଲେ । ପଥର କାନ୍ଥି ଉହାଡ଼ରେ ଲଞ୍ଚ୍‌ଗୁଡ଼ିକ ବେଶ୍‌ ସୁରକ୍ଷିତ । କାହାରି ଦୃଷ୍ଟି ତା’ ଉପରେ ପଡ଼ିବାର ଆଶଙ୍କା ନାହିଁ ଆଦୌ । ତା’ପରେ କାନ୍ଥି ଆଶ୍ରୟରେ ଏଠି ରୀତିମତ ଗୋଟାଏ ଛୋଟକାଟର ବନ୍ଦର ତିଆର ହୋଇଚି । ମନେ ମନେ ଦସ୍ୟୁର ସୁଚିନ୍ତିତ ଯୋଜନା ଆଉ ସ୍ଥାନ ନିର୍ବାଚନକୁ ପ୍ରଶଂସା କରୁଥିଲେ ସେ ।

 

ସେଇ ସ୍ଥାନଟାକୁ ଦେଖୁ ଦେଖୁ ନିଜର ଭବିଷ୍ୟତ କର୍ମପନ୍ଥା ସ୍ଥିର କରୁଥିଲେ ମି: ଚୌଧୁରୀ । ତାଙ୍କୁ ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଥିଲା ସେଠାରେ କୌଣସି ଲୋକକୁ ନ ଦେଖି । କ୍ରମେ ତାଙ୍କ ମନରେ ସନ୍ଦେହ କୁହୁଳି ଉଠୁଥିଲା–ଏମାନେ କ’ଣ ଆଉ ସାବଧାନ ହୋଇଗଲେ କି ? ଏ ପ୍ରକାର ସନ୍ଦେହ ତାଙ୍କ ମନରେ ଘନୀଭୂତ ହୋଇ ଆସିବା ସଙ୍ଗେ ସଙ୍ଗେ ଦସ୍ୟୁର ସେଇ ଆଶ୍ରୟ ସ୍ଥଳରେ ପଶି ଥରେ ଦେଖି ଆସିବା ପାଇଁ ଆଶା ଉଙ୍କି ମାରୁଥିଲା; ଅପେକ୍ଷା କରୁଥିଲେ ସେ କେବଳ ସନ୍ଧ୍ୟାକୁ । ସନ୍ଧ୍ୟା ହୋଇନି ସେ ପର୍ଯ୍ୟନ୍ତ । ସମୁଦ୍ରର ନୀଳ ଜଳରାଶି ଉପରେ ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣ ଲହରୀ ସାଙ୍ଗରେ ତାଳ ଦେଇ ନାଚି ବୁଲୁଚି । ତେବେ ବେଶି ଡେରି ନାହିଁ ସନ୍ଧ୍ୟା ହେବାକୁ । ମି: ଚୌଧୁରୀ ସେଠାରୁ ଫେରି ପୁଣି ଚାଲିଲେ ଘରଆଡ଼କୁ । ଯେଉଁଠାରୁ କି ସେ ସହଜରେ ଘରର ଭିତରେ ପଶିବାକୁ ସୁବିଧା କରି ପାରିବେ, ଏପରି ଗୋଟିଏ ସୁବିଧା ସ୍ଥାନର ସନ୍ଧାନରେ ।

 

-ଚଉଦ-

 

ସନ୍ଧ୍ୟା–

 

ନିବିଡ଼ ଅନ୍ଧକାର ଘୋଟିଗଲାଣି ଜଙ୍ଗଲସାରା । ବସ୍ୟୁପୁରୀର ଖୁବ୍‌ ନିକଟରେ ଗୋଟାଏ ଅଝାଲ ବୁଦା ଉହାଡ଼ରେ ଠିଆହୋଇ ମି: ଚୌଧୁରୀ ତୀକ୍ଷ୍ଣଦୃଷ୍ଟି ରଖିଥିଲେ ସଦର ଦରଜା ଉପରେ । ବାହାରେ ଜନପ୍ରାଣୀର ସୋର ଶବ୍ଦ ନାହିଁ । କେବଳ ଘର ଭିତରୁ ଗୋଟାଏ ଝରକା ଫାଙ୍କରେ ଆଲୋକର କ୍ଷୀଣ ରେଖାଟିଏ ଦିଶୁଚି ବାହାରକୁ । ଜଙ୍ଗଲରେ କିପରି ଗୋଟାଏ ପୈଶାଚିକ ବିଭୀଷିକା ଖୋଜି ବୁଲୁଚି । ମି: ଚୌଧୁରୀ ସେଇ ଝରକାର ଫାଙ୍କକୁ ଲକ୍ଷ୍ୟ କରି ଭାବୁଥିଲେ–‘ଫାଙ୍କବାଟେ ଆଲୁଅ ବାହାରକୁ ପଡ଼ୁଚି ଯେତେବେଳେ ଚାହିଁଲେ ଭିତରଟା ଦିଶିବ ନିଶ୍ଚୟ ।’ କିନ୍ତୁ ପାଦ ଦୁଇଟା ତାଙ୍କର କି ଗୋଟାଏ ଅଜଣା ଆଶଙ୍କାରେ ଆଗକୁ ଯିବାକୁ ଉଠୁ ନ ଥିଲା । ପବନ ଥଣ୍ଡା, ସାରା ବନଟା ଏକପ୍ରକାର ଅନାହାର, ତା’ପରେ ଏ ନିର୍ଜନ ବିପଦପୂର୍ଣ୍ଣ ଜଙ୍ଗଲରେ ଏକା ଏକା ନିଜକୁ ବଡ଼ ଅସହାୟ ମନେ କରୁଥିଲେ ସେ ।

 

ହଠାତ୍‌ ନାରୀ କଣ୍ଠର କରୁଣ ଚିତ୍କାରରେ ଘରଟା ଥରିଉଠିଲା । ପ୍ରଥମ ଥର ସେ ଶବ୍ଦ ଶୁଣି ମି: ଚୌଧୁରୀ ହଠାତ୍‌ କିଛି ଧାରଣା କରିପାରିଲେ ନାହିଁ । ସେ ଭାବିଲେ–‘ହୁଏତ କୌଣସି ବନ୍ୟପକ୍ଷୀ ବା ପଶୁର ଚିତ୍କାର ହେବ ।’ ମାତ୍ର ତା’ ପରେ ପରେ ଆଉ ଦୁଇ-ତିନିଥର ସେହି ଶବ୍ଦ ଶୁଣି ତାଙ୍କର ଅବିଶ୍ୱାସର କୌଣସି କାରଣ ରହିଲା ନାହିଁ । ମନେ ମନେ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ ସେ । ଘର ଆଡ଼କୁ ଟିକେ ଆଗେଇ ଯିବାପାଇଁ ବିବେକ ତାଙ୍କୁ ବାଧ୍ୟ କଲା । ଟାଇଗର୍‍ର ମୁଣ୍ଡକୁ ଥରେ ସାଉଁଳାଇ ଦେଇ ତା’ର ପିଠିକୁ ସେ ଟିକିଏ ଆଉଁସି ଦେଲେ । ପ୍ରଭୁଭକ୍ତ ଟାଇଗର୍‍ ମଧ୍ୟ ମି: ଚୌଧୁରୀଙ୍କ ମନକଥା ଜାଣିପାରିଲା ଭଳି ତାଙ୍କ ହାତକୁ ଚାଟିଦେଇ ତା’ର ପ୍ରତି ସ୍ନେହ ଜଣାଇଲା । ମନେ ମନେ ଈଶ୍ୱରଙ୍କ ନାମ ସ୍ମରଣ କରି ମି: ଚୌଧୁରୀ ଆଗକୁ ପାଦ ପକାଇଲେ ।

 

ଯେଉଁ ଝରକାର ଫାଙ୍କଦେଇ ଆଲୋକର କ୍ଷୀଣ ରେଖାଟିଏ ବାହାରକୁ ଦିଶୁଥିଲା, ସେ ଝରକାଟା ତାଙ୍କଠାରୁ ବେଶି ଦୂରରେ ନଥିଲା । ତଥାପି ପାଦ ଚିପି ଚିପି, ସବୁଆଡ଼କୁ ଦୃଷ୍ଟିରଖି ଯିବାକୁ ମି: ଚୌଧୁରୀଙ୍କୁ କିଛି ସମୟ ଲାଗିଗଲା । ଝରକା ପାଖରେ ପହଞ୍ଚି ସେ ଫାଙ୍କବାଟେ ଆଖି ସ୍ଥିର ରଖି ଦେଖିଲେ–ଘର ଭିତରେ ଗୋଟାଏ ଚୌକି ଉପରେ ଆସୀନ ଉଇଲିୟମ୍‌ ଜୋନସ୍‍ । ଆଗରେ ଟେବୁଲ୍‍, ତା’ ଉପରେ ଥୁଆ ହୋଇଚି ତିନିଚାରିଟା ପୂର୍ଣ୍ଣ ମଦବୋତଲ, ଆଉ ଖାଲି ଗ୍ଲାସ୍‍-। ଟେବୁଲ୍‍ର ଆଉ ଗୋଟାଏ ପାଖକୁ ଆଉ ଜଣେ କିଏ ବସିଚି । ଫାଙ୍କବାଟେ ପୂରା ଦେଖା ଯାଉନି-। ତଥାପି ତାକୁ ଦେଖିବା ପାଇଁ ମି: ଚୌଧୁରୀ ଟିକିଏ କଷ୍ଟକରି କଣେଇ ଦେଖିଲେ । ଲୋକଟାର ଉପରେ ତାଙ୍କର ଆଖି ପଡ଼ିଲା ମାତ୍ରେ ସେ ଅସମ୍ଭବ ଭାବରେ ଚମକି ପଡ଼ିଲେ–କିଏ ଏ ? ‘ନୀଳ ଦରିଆ ଟାପୁ’ର ବିଖ୍ୟାତ ଫେରାର ଦସ୍ୟୁ ଶୋଭାନ୍‌ ସିଂ ! ଯାହାକୁ ଧରିବା ପାଇଁ ଆଜି ହଜାର ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଚି । ଯେ ଦିନେ ତାଙ୍କରି ହାତ ମୁଠାରୁ ଖସି ଯାଇଥିଲା । ଯାହା ହେଉ; ଏଠି ମି: ଜୋନସ୍‌ଙ୍କ ସାଙ୍ଗରେ ତା’ର ଯୋଗ ‘ମଣିକାଞ୍ଚନ ଯୋଗ’ ହୋଇଚି, ତାହା ହେଲେ ଘୋର ହତାଶା ଭିତରେ ଶୋଭାନ୍‌ ସିଂକୁ ଧରିବାର କଳ୍ପନା ତାଙ୍କ ମନରେ ଅପୂର୍ବ ବଳ, ସାହସ ଭରି ଦେଇଥିଲା । ସେ ସ୍ଥିର ଦୃଷ୍ଟିରେ ଚାହିଁଥିଲେ ଭିତରକୁ । ଭିତରୁ କରୁଣ ଚିତ୍କାର ଆସିବାର କାରଣ ସେ ଭାବୁଥିଲେ । ବାହାରର ନିଜର ନିରାପତ୍ତା ବିଷୟରେ ସେ ନିଶ୍ଚିନ୍ତ ଥିଲେ । କାରଣ ଟାଇଗର୍‍ ଥିଲା ତାଙ୍କର ରକ୍ଷକ । ବାହାରେ କୌଣସି ବିପଦର ସମ୍ଭାବନା ପାଇବା ସଙ୍ଗେ ସଙ୍ଗେ ସେ ତାଙ୍କୁ ନିଶ୍ଚୟ ସାବଧାନ କରାଇ ଦେବ, ଏ ଶିକ୍ଷା ସେ ଖୁବ୍‌ କରି ପାଇଥିଲା ମି: ଚୌଧୁରୀଙ୍କ ଠାରୁ ।

 

ଝରକାର ଫାଙ୍କବାଟେ ମି: ଚୌଧୁରୀ ଉଭୟଙ୍କର ଗମ୍ଭୀର ନିର୍ବାକ୍‌ ମୁଖମଣ୍ଡଳରୁ ଅନୁମାନ କଲେ–‘ଉଭୟେ କୌଣସି ଗୁରୁତର ବିଷୟରେ ଗଭୀର ଚିନ୍ତା-ମଗ୍ନ । ସେଥି ସତ୍ତ୍ୱେ ବି ମଝିରେ ମଝିରେ ବୋତଲସ୍ଥିତ ପାନୀୟର ଯେ ସଦ୍‌ବ୍ୟବହାର ହେଉ ନଥାଏ ତା’ ନୁହେଁ ।

 

ପୁଣି ଥରେ ନିଃଶବ୍ଦ ବାୟୁମଣ୍ଡଳକୁ ଥରାଇ ଦେଇ କରୁଣ ଚିତ୍କାର ଆହୁରି କରୁଣ ହୋଇ ଭାସି ଆସିଲା ସେଇ ଘରୁ । ମି: ଚୌଧୁରୀ ଅନୁମାନ କଲେ–ଚିତ୍କାରଟି କ୍ଷୀଣରୁ କ୍ଷୀଣତର ହେବା ସଙ୍ଗେ ସଙ୍ଗେ କାହାର ଜୀବନ ଦୀପ ଯେପରି ତାରି ସାଙ୍ଗରେ ସମାନ ତାଳ ଦେଇ ଲିଭିଯାଉଚି । ଚିତ୍କାର ଶବ୍ଦ ଶୁଣାଯିବା ସଙ୍ଗେ ସଙ୍ଗେ ଉଇଲିୟମ୍‌ ଜୋନସ୍‍ ସାମାନ୍ୟ ବିଚଳିତ ହେଲାପରି ଜଣାଗଲା । ତାଙ୍କର କପାଳ ରେଖା କେତୋଟି କୁଞ୍ଚିତ ହୋଇ ଉଠିଲା ଅସମ୍ଭବ ଭାବରେ । ନିଃଶବ୍ଦରେ ବୋତଲରୁ ଗୋଟାଏ ଗ୍ଲାସ୍‍ ଗଡ଼ାଇ ଗ୍ଲାସ୍‍ଟାକୁ ଟେବୁଲ୍‍ ଉପରେ ଥୋଇଦେଇ ଚୌକି ଛାଡ଼ି ଉଠିଲେ ।

 

ଠିକ୍‌ ସେଇ ମୁହୂର୍ତ୍ତରେ ତାଙ୍କୁ କାରରେ ଘେନିଆସିଥିବା ନିଗ୍ରୋଟା ସେ ଘର ଭିତରକୁ ପଶିଆସି ଟେବୁଲ୍‍ ପାଖରେ ଠିଆହେଲା । ମି: ଜୋନସ୍‍ ପ୍ରଶ୍ନବାଚକ ଦୃଷ୍ଟିରେ ତାରି ଆଡ଼କୁ ଚାହିଁଲେ ।

 

‘‘ବେହୋସ୍‌’’

 

‘‘ବେହୋସ୍‌ ?’’ ....ବିସ୍ଫାରିତ ହୋଇ ଉଠିଲା ଆଖି ଦୁଇଟା ମି: ଜୋନସ୍‍ଙ୍କର ।

 

‘‘ମୁଁ ତୁମକୁ ଆରମ୍ଭରୁ ମନା କରୁଚି ମି: ଜୋନସ୍‍ ! ଏହା ଦେଇ ତୁମର ଲାଭ ହେବନି । ବରଂ ୟାକୁ ଯଥାଶୀଘ୍ର ଆଫ୍ରିକାକୁ ପଠାଅ । ଯାହାକିଛି ମିଳିବ ସେତିକି ଲାଭ । ଏମିତି ରଖି ତୁମର ଲାଭଟା କ’ଣ ? ଦୈବାତ୍‌ ଯଦି ମରିଯାଏ କମ୍ପାନୀର କ୍ଷତି’’–ଥଟ୍ଟାଳିଆ ସ୍ୱରରେ ମି: ଜୋନସ୍‍ଙ୍କୁ ଲକ୍ଷ୍ୟ କରି କହିଲା ଶୋଭନ୍‌ ସିଂ ।

 

ଶୋଭନ୍‌ ସିଂର କଥା ଖୁବ୍‌ ସମ୍ଭବ ବଡ଼ ବିରକ୍ତିକର ବୋଧ ହେଉଥିଲା ମି: ଜୋନସ୍‍ଙ୍କୁ । ତଥାପି ଅପରାଧୀ ପରି ସେ ଛିଡ଼ା ହୋଇ ଅତି ଗମ୍ଭୀର ଭାବରେ କ’ଣ ଚିନ୍ତା କରୁଥିଲେ । ନିଗ୍ରୋଟା ତାଙ୍କ ପାଖେ ପାଖେ ଠିଆ ହୋଇ ଅପେକ୍ଷା କରିଥିଲା ପରବର୍ତ୍ତୀ ଆଦେଶକୁ ।

 

କିଛି ସମୟ ଏହିପରି ନୀରବତା ଭିତରେ କଟିଗଲା; ଦୂରରୁ କାହାର ମୃଦୁ ପାଦ ଶବ୍ଦ ଶୁଣାଗଲା ମି: ଚୌଧୁରୀଙ୍କୁ । ନିକଟରେ ଶବ୍ଦ ଶୁଣି ଟାଇଗର୍‌ ବି ମି: ଚୌଧୁରୀଙ୍କ ପାଦକୁ ନଖରେ ଆମ୍ପୁଡ଼ି ଜଣାଇଦେଲା କେହି ଆସୁଥିବାର ସୂଚନା । କ୍ରମେ ଶବ୍ଦ ପାଖେଇ ଆସିଲା । ମି: ଚୌଧୁରୀ ଅନୁମାନ କଲେ ଶବ୍ଦ ଜଣକର ନୁହେଁ; ହୁଏତ ଦୁଇଜଣ ବା ତହିଁରୁ ଅଧିକ ଲୋକଙ୍କର ହୋଇପାରେ-

 

ମି: ଚୌଧୁରୀ ପ୍ରଥମେ ଯେଉଁ ବାଟେ ଆସିଥିଲେ ଶବ୍ଦଟା ସେଇଆଡ଼ୁ ଆସୁଥିଲା । ଶବ୍ଦଟା ନିକଟେଇ ଆସିବା ସଙ୍ଗେ ସଙ୍ଗେ ମି: ଚୌଧୁରୀ ଅନୁମାନ କଲେ–ଯେ କେହି ହେଉପଛେ, ଏଇ ତାଙ୍କରି ପାଖଦେଇ ଯିବ । ତେଣୁ ନିଜକୁ ଲୁଚାଇ ରଖିବାପାଇଁ ସେ କାନ୍ଥ ଦେହକୁ ଖୁବ୍‌ ଲାଗିଯାଇ ସଙ୍କୁଚିତ ହୋଇଗଲେ । ତାଙ୍କର କୌଶଳ ବ୍ୟର୍ଥ ହେବାର ନୁହେଁ । ଠିକ୍‌ ତା’ର ପରମୁହୂର୍ତ୍ତରେ ଦୁଇଜଣ ଲୋକ ଏକ ପ୍ରକାର ଦୌଡ଼ି ଦୌଡ଼ି ତାଙ୍କରି ପାଖ ଦେଇ ଧାଇଁଗଲେ ସଦର ଦରଜାଆଡ଼େ । ତା’ପରେ ଦରଜା ଧଡ଼ ଧଡ଼ କରି ପିଟିବାର ଶବ୍ଦ ।

 

ଘଟଣାଟା ବଡ଼ ଆଚାର୍ଯ୍ୟ ବୋଧହେଲା ତାଙ୍କୁ । ଏ ଦୁଇଜଣ ବା କିଏ ? ଏମାନଙ୍କର ଏପରି ବିବ୍ରତ ହୋଇ ଧାଇଁବାର କାରଣ ବା କ’ଣ ? ବାଟରେ ଏମାନେ ପୋଲିସ୍‍ ଆସିବାର ସନ୍ଧାନ ପାଇ ନାହାନ୍ତି ତ ଆଉ ? ଏପରି ନାନାପ୍ରକାର ଚିନ୍ତା ତାଙ୍କ ମୁଣ୍ଡରେ ଖେଳି ବୁଲୁଥିଲା । ଭିତରର ଘଟଣାଟା କ’ଣ ଜାଣିବାପାଇଁ ସେ ପୁଣି ଝରକାର ଫାଙ୍କବାଟେ ଚାହିଁଲେ ଭିତରକୁ; ଦେଖିଲେ ଉଇଲିୟମ୍‌ ଜୋନସ୍‍ ଆଉ ଶୋଭାନ ସିଂ ଦୁହେଁ ବ୍ୟଗ୍ର ହୋଇ ଚାହିଁ ରହିଚନ୍ତି ଦ୍ୱାର ଆଡ଼କୁ । ନିଗ୍ରୋଟା ନାହିଁ ସେଠି । ସମ୍ଭବ, ଦ୍ୱାର ଖୋଲି ଦେବାକୁ ଯାଇଚି ସେ ।

 

କେଇଟି ମୁହୂର୍ତ୍ତପରେ ଘର ଭିତରେ ପାଦ ଶବ୍ଦ ଶୁଣାଗଲା । ଆଗେ ଆଗେ ନିଗ୍ରୋଟା ପଶି ଆସଲା ଘର ଭିତରକୁ । ତା’ର ପଛରେ ଆଉ ଦୁଇଜଣ । ସେ ଦୁହିଁଙ୍କ ମଧ୍ୟରୁ ମି: ଚୌଧୁରୀ ଚିହ୍ନିଲେ–ଜଣେ ଫତୁରାମ୍‌, ଆଉ ଆରଜଣକ ଜଣେ ଅପରିଚିତ ଶ୍ୱେତାଙ୍ଗ । ଅନୁମାନ କଲେ–କେହି ଜଣେ ସେହି ଶ୍ରେଣୀର ମାର୍କାମରା ଲୋକ ହେବ ବୋଧହୁଏ । ଦୁହେଁ ଯେ ଅସ୍ତବ୍ୟସ୍ତ ହୋଇ ଉର୍ଦ୍ଧ୍ୱଶ୍ୱାସରେ ଛୁଟି ଆସିଥିଲେ, ଏଟା ତାଙ୍କ ପୋଷାକପତ୍ରରୁ ନିଃସନ୍ଦେହରୂପେ ଜାଣି ହେଉଥିଲା । ମଥାରେ କେଶଠାରୁ ଦେହର ପୋଷାକ ପର୍ଯ୍ୟନ୍ତ ସବୁ କିଛି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଦୁହିଁଙ୍କର । ଆଖିଗୁଡ଼ାକ ଥିଲା ଅସ୍ୱାଭାବିକ ଭାବରେ ଚଞ୍ଚଳ ।

 

ସେ ଦୁହେଁ ଘର ଭିତରେ ପାଦ ଦେଲାମାତ୍ରେ ଚିତ୍କାର କରି ଉଠିଲେ–‘ପୋଲିସ୍ ! ପୋଲିସ୍‌ ! ଚଞ୍ଚଳ, ଚଞ୍ଚଳ !’

 

ପୋଲିସ୍‍ର ନାମ ଶୁଣି ମି: ଜୋନସ୍‌, ଶୋଭାନ୍‌ ସିଂ ଆଉ ନିଗ୍ରୋଟା ମର୍ମାହତ ପରି ଚମକି ପଡ଼ିଲେ । ମି: ଜୋନସ୍‌ କିନ୍ତୁ ଧୈର୍ଯ୍ୟ ହରାଇ ନ ଥିଲେ । ସେ ଘଟଣାଟା କ’ଣ ଜାଣିବାପାଇଁ ଆଗନ୍ତୁକ ଶ୍ୱେତାଙ୍ଗକୁ ବାରମ୍ବାର ପ୍ରଶ୍ନ କଲେ ସୁଦ୍ଧା କିଛି ଉତ୍ତର ପାଇବା କଥା ଦୂରେ ଥାଉ; ବରଂ ସେ ସହି ‘ପୋଲିସ୍‌, ପୋଲିସ୍‌’ ଚିତ୍କାର ଛଡ଼ା ଆଉ ଦ୍ୱିତୀୟ କଥା ଶୁଣି ପାରିଲେ ନାହିଁ । ଫତୁରାମ୍‌ ଅବସ୍ଥା ମଧ୍ୟ ତଦ୍ରୂପ । ଶେଷକୁ ନିତାନ୍ତ ବିରକ୍ତ ହୋଇ ମି: ଜୋନସ୍‌ ଆଗନ୍ତୁକ ଶ୍ୱେତାଙ୍ଗର ବାହା ଦୁଇଟାକୁ ଧରି ଝୁଙ୍କାଇ ଦେଇ ଘଟଣା କ’ଣ ଜାଣିବା ପାଇଁ ପଚାରିଲେ । ତା’ ସଙ୍ଗେ ସଙ୍ଗେ ଗୋଟାଏ ଅଶ୍ଳୀଳ କଟୂକ୍ତି ମଧ୍ୟ ପ୍ରୟୋଗ କରିବାକୁ ଭୁଲିଲେ ନାହିଁ । ଲୋକଟା ଟିକିଏ ଦବିଗଲା ପରି ଜଣାଗଲା ଏଥିରେ । ତା’ପରେ ନିଜକୁ ସମ୍ଭାଳି ନେଇ ଭୟ କାତର ସ୍ୱରରେ ଅସ୍ତବ୍ୟସ୍ତ ହୋଇ କହିଲା–‘‘ପୋଲିସ୍‌ ! ମି: ଯୋଶେଫ୍‍ ତା’ର ଦଳବଳ ପ୍ରସ୍ତୁତ କରୁଚି । ଏଠିକା ଆଡ୍‌ଡାଟା ତାକୁ ମାଲୁମ୍‌ ହୋଇ ଯାଇଚି କେମିତି । ତା’ ଗାଡ଼ି ଏଇ ଆଡ଼ୁ ଫେରିଚି ମୁଁ ଭଲ କରି ଜାଣେ ।’’

 

‘‘ମି: ଯୋଶେଫ୍‌ !’’ –ଚମକିପଡ଼ି କହିଲେ ଉଇଲିୟମ୍‍ ଜୋନସ୍‍ । ‘ତେବେ ଉପାୟ-?’-–କହୁ କହୁ ଶୋଭନ୍‌ ସିଂ ଆଡ଼କୁ ଚାହିଁଲେ ସେ । ଶୋଭନ ସିଂ ଯଥେଷ୍ଟ ଭୟ ପାଇଥିଲେ ବି ବେପରବା ଭାବ ଦେଖାଇ କହିଲେ–‘‘ଆଃ ! ବନ୍ଦ କର । ମି: ଯୋଶେଫ୍‌ ଆସୁଚି ତ ଆସୁ । ଆମେ ଇଆଡ଼େ ଆମ ରାସ୍ତା ଦେଖି ନେବା । କିନ୍ତୁ ସେ ଏଠୁ ଯିମିତି ଆଉ ନ ଫେରେ ।’’

 

ମି: ଜୋନସ୍‍ ତା’ର କଥା ବୁଝି ନ ପାରି ବଲ ବଲ କରି ତା’ ମୁହଁକୁ ଚାହିଁଲେ ।

 

‘‘ଆରେ ! ଇମିତି ଭକୁଆଙ୍କ ପରି ଚାହିଁଛ କ’ଣ ମ ? ଚଟାପଟ୍‌ ମାଲ ବୋଝେଇ କର ଲଞ୍ଚରେ । ମୁଁ ଆଉ ଫତୁରାମ୍‌ ଗୋଟେ ଲଞ୍ଚରେ । ଆଉ ଗୋଟାକରେ ମାଲପତ୍ର ଧରି ଜଣେ ଯାଉ-। ଆଉ ରହିଲା ଗୋଟେ ଲଞ୍ଚ୍‌ । ସେଥିରେ ତୁମେ ଯାଅ । ଜଣେ ସେଟା ଚଳାଉ । ବେଶ୍‌ ହେଲାତ ? ବାକି ରହିଲା ମି: ଯୋଶେଫ୍‌ । ତା’ ପାଇଁ ଦଶ ପାଉଣ୍ଡିଆ ବମ୍‌ ଗୋଟାଏ ସଦର ଦରଜାର ଭିତର ପାଖରୁ ଥୋଇଦିଅ । ସେ ଆସି ଦରଜା ଠୁକାଇଳା ମାତ୍ରେ ଦଳବଳ ସହିତେ ଶେଷ ପାଇଯିବ । ତା’ ସାଙ୍ଗରେ ଏ ଘଟଣା ବି ଶେଷ ହୋଇଯିବ ।’’

 

‘‘ଠିକ୍‌ ଠିକ୍‌’’–ମି: ଜୋନସ୍‍ ମୁଣ୍ଡ ହଲାଇଲେ, ତା’ ସାଙ୍ଗେ ସାଙ୍ଗେ ଅନ୍ୟମାନେ ବି । ସାଙ୍ଗେ ସାଙ୍ଗେ କାମବି ଲାଗିଗଲା ।

 

ମି: ଚୌଧୁରୀ ସେତେବେଳେ ପରିଷ୍କାର ଜାଣିପାରିଲେ ଯେ, ମି: ଯୋଶେଫ୍‌ଙ୍କର ଅସାବଧାନତାରୁ ଏମାନେ ସବୁ ବିଷୟ ଜାଣି ପାରିଚନ୍ତି । ଯାହାହେଉ ଜଳପଥରେ ଘେରାଉ ହେବା କଥା ଏମାନେ ଜାଣିନାହାନ୍ତି । ହାତ ଘଡ଼ି ଉପରେ ନଜର ପକାଇଲେ ସେ–ଏଗାରଟା ବାଜିବ ପ୍ରାୟ । ରାତି ବାରଟା ସୁଦ୍ଧା ମି: ଯୋଶେଫ୍‌ଙ୍କର ବାଟ ଜଗିବା କଥା । ସେ କ’ଣ ଏତିକି ବେଳୁ ଆସିଥିବେ ? ଏପରି ଘଡ଼ିସନ୍ଧି ବେଳରେ ନିଜର କର୍ତ୍ତବ୍ୟ ସ୍ଥିର କରିବା ତାଙ୍କ ପକ୍ଷରେ ମୁଷ୍କିଲ୍‍ ହୋଇ ପଡ଼ିଲା । ଶେଷରେ ସ୍ଥିର କଲେ–ବର୍ତ୍ତମାନ ଲଞ୍ଚ୍‍ଘାଟ ଜଗିନାହିଁ ତାଙ୍କର ସବୁଠାରୁ ବଡ଼ କାମ । ଯେ କୌଣସି ପ୍ରକାରେ ହେଉ; ଦସ୍ୟୁଦଳକୁ ଅକ୍ତିଆରରେ ରଖିବାକୁ ହେବ । ଆଉ ଅପେକ୍ଷା କରିବା ଠିକ୍‌ ନୁହେଁ ଭାବି ଖୁବ୍ ସତର୍କ ଭାବରେ ସେଠାରୁ ସମୁଦ୍ରକୂଳ ଆଡ଼କୁ ଆଗେଇଲେ ସେ । ସାଙ୍ଗରେ ଟାଇଗର୍‍ ।

 

-ପନ୍ଦର-

 

ମି: ଚୌଧୁରୀ ଲଞ୍ଚ୍‍ଘାଟରେ ପହଞ୍ଚିଲାବେଳକୁ ସବୁ ଶୂନ୍‌ଶାନ । ସେତେବେଳଟାକୁ ସୁଯୋଗ ବେଳ ଭାବି ସେ ପକେଟରୁ ଟର୍ଚ୍ଚଟା ବାହାର କରି ସମୁଦ୍ର ଆଡ଼କୁ ଟିପି ଧରିଲେ । ସେଇ ନୀଳ ଆଲୋକର ରେଖା ସମୁଦ୍ରର ପ୍ରତ୍ୟେକ ଅଂଶକୁ ଦେଖାଇ ସେ ଧୀରେ ଧୀରେ ହଲାଇଲେ । କିନ୍ତୁ କୌଣସି ପ୍ରତିସଙ୍କେତ ନାହିଁ । ବଡ଼ ହତାଶ ହୋଇ ପଡ଼ିଲ ସେ । ଏଣେ ଶରତ୍‍ବାବୁଙ୍କର ମଧ୍ୟ ଦେଖାନାହିଁ । ମି: ଚୌଧୁରୀଙ୍କ ମନରେ ଆଶଙ୍କାହେଲା–ଯଦି କେହି ଯଥାସମୟରେ ଆସି ନ ପହୁଞ୍ଚନ୍ତି, ତେବେ ? ପର ମୁହୂର୍ତ୍ତରେ ମନରେ ପୁଣି ସାହସ ବାନ୍ଧୁଥାନ୍ତି ସେ–ଆଚ୍ଛା ଦେଖାଯାଉ; ବିପଦରେ ଈଶ୍ୱର ଅବଶ୍ୟ ସହାୟ ହେବେ ।

 

ତାଙ୍କର ଚିନ୍ତାରେ ବାଧାଦେଇ ନିକଟରେ ଦ୍ରୁତ ପାଦ ଶବ୍ଦ ଶୁଣାଗଲା । ମି: ଚୌଧୁରୀ ପ୍ରମାଦ ଗଣିଲେ ମନେ ମନେ । ଟାଇଗର୍‍କୁ ସାଥିରେ ଧରି ପାଖରେ ଗୋଟାଏ ବୁଦା ଉହାଡ଼କୁ ଚାଲିଗଲେ ସେ । ଅଳ୍ପ କେଇ ମୁହୂର୍ତ୍ତ ପରେ ଦେଖାଗଲା, ଦୁଇଜଣ ଲୋକ ଗୋଟାଏ ବାକ୍‌ସ ବଡ଼ କଷ୍ଟରେ ଟେକି ଟେକି ଆଣୁଚନ୍ତି । ସେଇଟାକୁ ଗୋଟାଏ ଲଞ୍ଚରେ ଲଦି ଦେଇ ସେମାନେ ବାହାରିଗଲେ ପୁଣି ସେଇ ଘରକୁ । ଏପରି ସ୍ଥଳେ କର୍ତ୍ତବ୍ୟ କିଛି ସ୍ଥିର କରି ନ ପାରି ମି: ଚୌଧୁରୀ ନୀରବ ହୋଇ ଠିଆ ହୋଇ ରହିଲେ ସେଇଠି, ଏହାର ପରବର୍ତ୍ତୀ ଘଟଣା କ’ଣ ଘଟୁଛି ଦେଖିବା ପାଇଁ । ତା’ର ଆଉ ଅଳ୍ପ ସମୟ ପରେ ପୁଣି ସେଇ ଲୋକ ଦୁଇଜଣ ଆଉ ଗୋଟାଏ ବାକ୍‌ସକୁ ଟେକି ଟେକି ଆଣି ଆଗରେ ଥିବା ଲଞ୍ଚରେ ଲଦିଲେ । ମି: ଚୈଧୁରୀ ଅନୁମାନ କଲେ–ସେ ଲୋକ ଦୁଇଜଣଙ୍କ ମଧ୍ୟରୁ ଜଣେ ସେ ନିଗ୍ରୋଟା; ଆର ଜଣକ ଆଗନ୍ତୁକ ଶ୍ୱେତାଙ୍ଗ ହେବ ବୋଧହୁଏ । ସେମାନେ ଏଥର ଚାଲିଗଲାପରେ ଆସିଲେ ଫତୁରାମ୍‍, ଆଉ ଜଳଦସ୍ୟୁ ଶୋଭାନ ସିଂ । ସେ ଦୁହେଁ ଆସିବା ସଙ୍ଗେ ସଙ୍ଗେ ଗୋଟାଏ ଲଞ୍ଚରେ ବସି ସଙ୍ଗେସଙ୍ଗେ ଷ୍ଟାର୍ଟ୍‍ କରିଦେଲେ । ଲଞ୍ଚ୍‌ର ଇଞ୍ଜିନ୍‍ ଗର୍ଜନ କରିବା ସଙ୍ଗେ ସଙ୍ଗେ ହୁ-ହୁ ହୋଇ ଭାସି ଚାଲିଲା ଆଗକୁ ।

 

ଅସଲଜଣେ ହାତ ମୁଠାରୁ ଖସିଯିବାର ଦେଖି ସୁଦ୍ଧା ମି: ଚୌଧୁରୀ ଟିକିଏ ହେଲେ ବିଚଳିତ ହେଲେ ନାହିଁ । ସେ ନିଶ୍ଚିତ ଭାବରେ ଧାରଣା କରିଥିଲେ ଯେ, ‘ଏଇ ଘଣ୍ଟାଏ ଦେଢ଼ଘଣ୍ଟା ଭିତରେ ମିଷ୍ଟର୍‍ ଯୋଶେଫ୍‌ ନିଶ୍ଚୟ ସଦଳବେଳେ ହାଜର ହେବେ । ଶୋଭନ୍‌ ସିଂ ଯେତେଦୂର ଯାଇଥାଉ ପଛେ, ତାକୁ ଅକ୍ଳେଶରେ ଧରିନେଇ ହେବ । ’

 

ଖୁବ୍‌ ନିକଟରେ ପାଦଶବ୍ଦ ଶୁଣାଗଲା । ମି: ଚୌଧୁରୀ ଟିକିଏ ସାବଧାନ ହୋଇଗଲେ । ସେ ଦେଖିଲେ–ଲୋକ ଦୁଇଟା ପୁଣି ଗୋଟାଏ କ’ଣ ବୋହି ଆଣୁଚନ୍ତି । କିନ୍ତୁ ଏଥର ଏଟା ବାକ୍‌ସ ନୁହେଁ; ଗୋଟାଏ ମନୁଷ୍ୟ । ପୋଷାକପତ୍ରରୁ ଦୂରରୁ ଥାଇ ମି: ଚୌଧୁରୀ ଅନୁମାନ କଲେ–‘ଜଣେ ସ୍ତ୍ରୀଲୋକ ହେବ ବୋଧହୁଏ ।’ ଲୋକ ଦୁଇଟା ଅନ୍ୟ ଗୋଟାଏ ଲଞ୍ଚରେ ତାକୁ ଲଦି ଦେଇ ବାହାରି ଗଲେ । ଏଇ ଲଞ୍ଚ୍‌ଟା ଥିଲା ଛାତଦିଆ । ପୁଣି ଅଳ୍ପସମୟ ପରେ ଏକା ନିଗ୍ରୋଲୋକଟା ଖୁବ୍‌ ଦ୍ରୁତପଦରେ ଆସି ଯେଉଁ ଲଞ୍ଚରେ ବାକ୍‍ସଗୁଡ଼ା ବୋଝେଇ ହୋଇଥିଲା ସେଇ ଲଞ୍ଚରେ ବସି ଷ୍ଟାର୍ଟ୍‍ ଦେଲା । ଲଞ୍ଚ୍‌ଟା ଖୁବ୍‌ ବେଗରେ ଭାସି ଚାଲିଲା ଶୋଭାନ୍‌ ସିଂ ଯାଇଥିା ବାଟ ଅନୁସରଣ କରି ।

 

ଦସ୍ୟୁମାନଙ୍କର ଗୋଟିକୁ ଗୋଟି ନିରାପଦରେ ଅନ୍ତର୍ଦ୍ଧାନ ହେବା ଦେଖି ମି: ଚୌଧୁରୀଙ୍କ ସମସ୍ତ ଆଶା କ୍ରମେ ଲୋପ ପାଇ ଆସୁଥିଲା । ସେ ଦେଖିଲେ–ଘାଟରେ ମହଜୁଦ ଅଛି ମାତ୍ର ଖଣ୍ଡିଏ ଲଞ୍ଚ୍‌; କନ୍ତୁ ତାଙ୍କ ଗୋଚରାନୁସାରେ ଲୋକ ଅଛନ୍ତି ଦୁଇଜଣ–ମିଷ୍ଟର୍‍ ଜୋନସ୍‍ ଆଉ ଶ୍ୱେତାଙ୍ଗ ଜଣକ । କ’ଣ ଭାବି ମି: ଚୌଧୁରୀ ଧଡ଼୍‌କରି ବୁଦା ଉହାଡ଼ରୁ ବାହରି ପଡ଼ିଲେ ବାହାରକୁ । ତା’ପରେ ଟାଇଗର୍‍କୁ ଟାଣି ଟାଣି ନେଇ ଲଞ୍ଚ୍‍ଘାଟ ପାଖରେ ପହଞ୍ଚିଗଲେ । ସେ ପର୍ଯ୍ୟନ୍ତ କାହାରି ଆସିବାର ସୂଚନା ମିଳୁନି ସେଠାକୁ । ଚଟାପଟ୍‌ ଟାଇଗର୍‍କୁ ଟେକି ନେଇ ଲଞ୍ଚ୍‌ ଉପରେ ଛାଡ଼ି ଦେଲେ । ତା’ପରେ ଖୁବ୍‌ ବେଗରେ ଧାଇଁଲେ ଘର ଆଡ଼କୁ । ଘୋର ଅନ୍ଧକାରଭିତରେ ଦେହକୁଦେହ ଦିଶୁନି । ଖାଲି ଶବ୍ଦବାରି ଯିବା ଆସିବା କରିବା କଥା । ଘରଆଡ଼େ ଭଲ କରି କାନେଇ ସେ ପାଦ ଚିପି ଚିପି ଯାଇ ସଦର ଦ୍ୱାର ପାଖରେ ପହଞ୍ଚଗଲେ । ଦେଖିଲେ–ଦ୍ୱାର ବନ୍ଦ ଅଛି । ଭିତରେ କାଠପେଟିର ଟଣାଘୋଷରା ଶବ୍ଦ ଶୁଭୁଛି । ରିଭଲ୍‌ଭର୍‍ଟା ବାଗେଇ ଧରି ଦ୍ୱାରର ଗୋଟାଏ କଡ଼କୁ କାନ୍ଥ ସହିତ ଲଗିରହିଲେ ସେ । ମନରେ ତାଙ୍କର ଅପାର ଆନନ୍ଦ । ଯାହାହେଉ, ନିଜର ପ୍ରାଣ ପଛେ ଯାଉ; କିନ୍ତୁ ଗୋଟାଏ କିନାରା କରିବେ ୟାର ନିଶ୍ଚୟ ।

 

ପ୍ରାୟ ଦୁଇ ମିନିଟ୍‍ ପରେ ଘର ଭିତରୁ କେହି ଆସିବାର ଖୁବ୍‍ ଦ୍ରୁତ ପାଦ ଶବ୍ଦ ଶୁଣାଗଲା-। ତା’ର ଠିକ୍‌ ପରେ ଦୁଇଜଣ ବାହାରି ଆସିଲେ ବାହାରକୁ । ‘‘ତୁମେ ବ୍ୟବସ୍ଥା କରି ଆସ ହଣ୍ଡରସନ୍‍ ! ମୁଁ ଆଗରେ ଯାଇ ଅପେକ୍ଷା କରିଚି ।’’ –କହିବା ସଙ୍ଗେ ସଙ୍ଗେ ଜଣେ ସେଇ ଅନ୍ଧାରରେ ଅଦୃଶ୍ୟ ହୋଇଗଲା । ଅନ୍ଧାରରେ ଦେଖିବାର ସୁବିଧା ନଥିଲେ ବି କଥା ଆଉ ସ୍ୱରରୁ ମି: ଚୌଧୁରୀ ଅନୁମାନ କଲେ–ଏ ଉଇଲିୟମ୍‌ ଜୋନସ୍‌ ହେବେ ବୋଧହୁଏ । ଦ୍ୱିତୀୟ ଲୋକଟି ହଣ୍ଡରସନ୍‌ ନାମଧାରୀ କେହି ଜଣେ ମାର୍କାମରା ଦସ୍ୟୁ କି ହତ୍ୟାକାରୀ ହୋଇପାରେ ।

 

ସେଇ ଘୋର ଅନ୍ଧକାର ଭିତରେ ଦେଖିପାରୁ ନ ଥିଲେ ବି ସାମନ୍ୟ ଶବ୍ଦରୁ ମି: ଚୌଧୁରୀ ଅନୁମାନ କଲେ–ହଣ୍ଡରସନ୍‌ ଦ୍ୱାର ପାଖରେ ନଇଁ ପଡ଼ି କିଛି ରଖୁଚି । କ’ଣ ହୋଇପାରେ ଆଉ, ପୋଲିସ୍‍ ବାହିନୀକୁ ଧୂଳିସାତ୍‌ କରିବାପାଇଁ ବୋମା ଛଡ଼ା ? ଏଇଟାଇ ତାଙ୍କ ପକ୍ଷରେ ସୁବର୍ଣ୍ଣ ସୁଯୋଗ । ଈଶ୍ୱର ଯୁଟାଉଛନ୍ତି ଯେତେବେଳେ, ତା’ର ସଦ୍‍ବ୍ୟବହାର କରିବାକୁ ହେବ ।

 

ସେ ନିଃଶବ୍ଦରେ ଆପଣାର ଆତ୍ମଗୋପନ କରିଥିବା ସ୍ଥାନରୁ ବାହାରିଯାଇ ହଣ୍ଡରସନ୍‍ର ଠିକ୍‌ ପଛରେ ଠିଆ ହୋଇଗଲେଣି । ହଣ୍ଡରସନ୍‌ କାର୍ଯ୍ୟ ବ୍ୟସ୍ତ । ଦ୍ୱାରର ପଛ ପାଖରେ ବୋମାଟିକୁ ରଖି ସେ ଖୁବ୍‌ ସାବଧାନରେ କବାଟଟି ଆଉଜାଇ ଦେଲା । ଯେପରି କେହି କବାଟଟାକୁ ଖୋଲିଲା ମାତ୍ରେ ତାହା ବୋମା ଦେହରେ ବାଜିବ ଆଉ ସେଟା ବି ସେଇ ମୁହୂର୍ତ୍ତରେ ଫୁଟି ଉଠିବ । ସେତକ କାମ କରିଦେଇ ସେ ଠିଆ ହେବା ମାତ୍ରେ ମି: ଚୌଧୁରୀ ବାଘ ପରି ତା’ ଉପରେ କୁଦି ପଡ଼ିଲେ । ହଣ୍ଡରସନ୍‌ ଏପରି ଅଚାନକ ଆକ୍ରମଣ ପାଇଁ ଆଦୌ ପ୍ରସ୍ତୁତ ନଥିଲା । ମିଷ୍ଟର୍‍ ଚୌଧୁରୀଙ୍କ ପ୍ରଚଣ୍ଡ ଆଘାତରେ ତା’ର ଚେତନା ଲୁପ୍ତ ହୋଇଗଲା । ତା’ର ହାତ ଗୋଡ଼କୁ ଭଲଭାବରେ ବାନ୍ଧି ଦେଇ ମି: ଚୌଧୁରୀ ତାକୁ ସେଇଠି ଶୁଆଇ ଦେଲେ ଏବଂ ଖୁବ୍‌ ସାବଧାନରେ ଦରଜା ଖୋଲି ବୋମାଟାକୁ ବାହାର କରି ଆଣିଲେ । ସେଟାକୁ ହଣ୍ଡରସନ୍‌ ପାଖରେ ରଖିଦେଇ ଯେତେଶୀଘ୍ର ପାରନ୍ତି ଧାଇଁଲେ ଲଞ୍ଚ୍‌ଘାଟାକୁ । ଲଞ୍ଚ୍‌ଘାଟ ସେତେବେଳକୁ ପୂରାପୂରି ଅନ୍ଧାର । ମି: ଜୋନସ୍‌ ଲଞ୍ଚରେ ଖଣ୍ଡିଏ ଆସନରେ ବସି ବ୍ୟଗ୍ର ହୋଇ ଅପେକ୍ଷେ କରିଥାନ୍ତି ହଣ୍ଡରସନ୍‌କୁ ।

 

ମି: ଚୌଧୁରୀଙ୍କ ପାଦଶବ୍ଦ ଶୁଣି ମିଷ୍ଟର୍‍ ଜୋନସ୍‍ ହଣ୍ଡରସନ୍‌ ଆସିଗଲା ବୋଲି ଅନୁମାନ କରି କହିଲେ–‘‘ଏତେ ଡେରି ! ଏଣେ ଏଟାର ଟିକିଏ ହୋସ୍‌ ଆସିଗଲାଣି ବୋଧହୁଏ ।’’

 

“ଆଚ୍ଛା ଆସୁ, ପରବାୟ ନାହିଁ ସେଥିଲାଗି । ଆଉ ଟିକକ ପରେ ସବୁ ଠିକ୍‌ ହୋଇଯିବ-।’’ –ନିଜର ସ୍ୱରକୁ ହଣ୍ଡରସନ୍‌ ସ୍ୱରପରି ଯଥାସମ୍ଭବ ମୋଟାକରି କହିଲେ ମି: ଚୌଧୁରୀ-। ତା’ପରେ ଚଟ୍‌କରି ଲଞ୍ଚ୍‌ ଉପରକୁ ଉଠିଯାଇ ଚାଳକ ଆସନରେ ବସିପଡ଼ି ଷ୍ଟାର୍ଟ୍‍ ଦେଇଦେଲେ-। ଇଞ୍ଜିନ୍‌ଟା ଗର୍ଜ୍ଜିଉଠିବା ସଙ୍ଗେସଙ୍ଗେ ପୁଣି ବନ୍ଦ କରିଦେଲେ । ତା’ପରେ ପୁଣି ଥରେ ଷ୍ଟାର୍ଟ୍‍ଦେଇ ବନ୍ଦ କରିଦେଲେ । ଏହିପରି ଚାରିପାଞ୍ଚଥର କଲାପରେ ‘କଣ ହେଲା’ ବୋଲି କହି ମିଷ୍ଟର୍‍ ଜୋନସ୍‍ ନିଜ ଆସନରୁ ଉଠିପଡ଼ି ଚାଳକ ଆସନ ପର୍ଯ୍ୟନ୍ତ ଚାଲିଗଲେ । ଲଞ୍ଚ୍‌ ଇଞ୍ଜିନ୍‌ର କୌଣସି ଗୋଳମାଳ ନଥିଲା, ଏଟା ନିଶ୍ଚିତ । ମି: ଚୌଧୁରୀ ଖାଲି ଗୋଳମାଳର ବାହାନାକରି ଏପରି କରୁଥିଲେ । ଉଦ୍ଦେଶ୍ୟ ଥିଲା–‘କୌଣସି ପ୍ରକାରେ ଟିକିଏ ଡେରି କରିଦେଲେ ଯଦି ମିଷ୍ଟର୍‍ ଯୋଶେଫ୍‌ ବା ଶରତ୍‍ବାବୁ କେହି ଆସିଯାଇ ପାରନ୍ତି ।’ କନ୍ତୁ ମିଷ୍ଟର୍‍ ଜୋନସ୍‍ଙ୍କର ସେଠାକୁ ଆସିବା ଦେଖି ସେ ଆଉ ବାହାନା କରିବାଟାକୁ ଉଚିତ ମନେକଲେନାହିଁ । ଲଞ୍ଚ୍‌ ଷ୍ଟାର୍ଟ୍‍ କରି ଛାଡ଼ିଦେଲେ । ଲଞ୍ଚ୍‌ର ଗତିକରିବା ଦେଖି ମିଷ୍ଟର୍‍ ଜୋନସ୍‍ ଆଶ୍ୱସ୍ତ ହୋଇ ନିଜ ଆସନରେ ବସି ପଡ଼ିଲେ ।

 

ମିଷ୍ଟର୍‍ ଚୌଧୁରୀଙ୍କର ମନ ଲଞ୍ଚ୍‍ ଚଳାଇବାରେ ନଥିଲା ଆଦୌ । ତାଙ୍କର ଦୃଷ୍ଟିଥିଲା ବହୁ ଦୂରରେ ଆବଦ୍ଧ । କେଉଁଠୁ ଯଦି ମି: ଯୋଶେଫ୍‍ଙ୍କର ନୀଳ ଆଲୋକ ସଙ୍କେତ ପାଆନ୍ତେ ତେବେ ସେଇ ମୁହୂର୍ତ୍ତରେ ମିଷ୍ଟର୍‍ ଜୋନସ୍‍ଙ୍କ ହାତରେ ଲୌହ ଶୃଙ୍ଖଳ ପିନ୍ଧାଇ ଦିଅନ୍ତେ । ନିଜେ ମଧ୍ୟ ମି: ଯୋଶେଫ୍‍ଙ୍କ ଉଦ୍ଦେଶ୍ୟରେ ସଙ୍କେତ ଦେଇପାରୁ ନାହାନ୍ତି; କାରଣ ଉଇଲିୟମ୍‌ ଜୋନସ୍‍ ତାଙ୍କ ପଛରେ ଆସୀନ । ଯଦି କିଛି ଠଉରାଇ ନିଅନ୍ତି ? ତାଙ୍କର ଦୃଷ୍ଟି ହାତ ଘଣ୍ଟା ଉପରେ ପଡ଼ିଲା–‘ଠିକ୍‌ ବାରଟା ।’

 

ଏଇ ଉପଯୁକ୍ତ ସମୟ ଆସି ପହଞ୍ଚିଲା । ଆଉ ଥରେ ଦିଗନ୍ତଭେଦୀ ଦୃଷ୍ଟି ପକାଇ ଚାହିଁଲେ ସମୁଦ୍ରର ଅନ୍ଧକାରମୟ ଛାତିଉପରକୁ । ଖାଲି ଅଗଣିତ ଜୁଳୁଜୁଳା ପୋକ କୂଳେ କୂଳେ ଉଡ଼ୁଥାନ୍ତି । ତା’ ଛଡ଼ା ଆଉ କିଛି ସୂଚନା ନାହିଁ କାହାରି । ଧୀର ମନ୍ଥର ଗତିରେ ଲଞ୍ଚ୍‌ଟା ଗତି କରୁଥାଏ ସେଇ ଅନ୍ଧକାର ଗର୍ଭରେ ।

 

‘‘ଆହୁରି ଜୋରରେ ଦକ୍ଷିଣକୁ ।’’–ପଛରୁ ଡାକିଦେଲେ ମିଷ୍ଟର୍‍ ଜୋନସ୍‍ । ଲଞ୍ଚ୍‍ର ଗତି ଖୁବ୍‍ ଧୀର ଗତିରେ ଜାଣିଶୁଣି ଚଳାଉଥିଲେ ମି: ଚୌଧୁରୀ । କୌଣସି ପ୍ରକାରେ କିଛି ସମୟ କଟାଇ ନେବା ଥିଲା ତାଙ୍କର ଲକ୍ଷ୍ୟ । ବର୍ତ୍ତମାନ ମିଷ୍ଟର୍‍ ଜୋନସ୍‍ଙ୍କ ତାଗିଦ୍‍ପାଇ ସେ ସ୍ପିଡ୍‌ ଟିକିଏ ବଢ଼ାଇ ଦେଲେ । ଅଳ୍ପ ସମୟ ପରେ ଗତିବେଗ ଯେତିକିକୁ ସେତିକି କରିଦେଲେ ।

 

ହଠାତ୍‌ଶୁଣାଗଲା, ଲଞ୍ଚ୍‍ ଭିତରେ ‘ହୋସ୍‌ଆସିଗଲାଣି ତେବେ’ କହି ଅସ୍ତବ୍ୟସ୍ତ ହୋଇ ଉଠିପଡ଼ି ପଛ ଆଡ଼କୁ ମୁହଁ ବୁଲାଇ ଚାହିଁଲେ ମିଷ୍ଟର୍‍ ଜୋନସ୍‌ । ଚଟାଣରେ ଶାୟିତା ନାରୀଟି ଆକୁଳରେ ଚିତ୍କାର କରୁଚି । କିଏ ଶୁଣୁଚି ତା’ ଡାକ ? ମି: ଚୌଧୁରୀଙ୍କ ହାତ ଅଟକିଗଲା । ସେ ଲଞ୍ଚ୍‍ର ଗତି ଆହୁରି ଟିକିଏ କମାଇ ଦେଲେ । ମନରେ ତାଙ୍କର ନାନା ଚିନ୍ତା ଖେଳିଗଲା–‘ଏଇ ଆତୁର ନାରୀଟି ହୁଏତ ନିଶ୍ଚୟ ସୁନନ୍ଦା । ଆଜି ପାପିଷ୍ଠଗୁଡ଼ାକଙ୍କ ହାତରେ ପଡ଼ି କି ଯମ ଯନ୍ତ୍ରଣା ନଭୋଗୁଚି ସତେ ?’ ମନଟା ତାଙ୍କର ଦୁଃଖରେ ପୂର୍ଣ୍ଣ ହୋଇଗଲା । ମିଷ୍ଟର୍‍ ଜୋନସ୍‍ଙ୍କୁ ଅନ୍ୟମନସ୍କ ଦେଖି ସେ ଖୁବ୍‍ ସାବଧାନରେ ନୀଳବର୍ଣ୍ଣର ଆଲୋକଟା କାଢ଼ି ଥରେ ସମୁଦ୍ରର ଚାରିଆଡ଼କୁ ଦେଖାଇ ଦେଲେ । ତାଙ୍କର ଏ କାମ ସେ ଯେତେ ସାବଧାନରେ କଲେ ସୁଦ୍ଧା ତାଙ୍କ ଅଜାଣତରେ ମି: ଜୋନସ୍‍ ସେଟା ଲକ୍ଷ୍ୟ କରିନେଲେ । ଆଲୋକ ଦେଖାଇସାରି ସେ ସମୁଦ୍ରର ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ–‘କେଉଁଠୁ ଯଦି କିଛି ପ୍ରତି-ସଙ୍କେତ ପାଆନ୍ତି ।’ କିନ୍ତୁ ନିରାଶ ହେବାକୁ ପଡ଼ିଲା ତାଙ୍କୁ । ମନରେ ମି: ଯୋଶେଫ୍‍ଙ୍କ ପ୍ରତି ତାଙ୍କର ଘୋର ଅବିଶ୍ୱାସ ଜାତ ହେଲା । ଘୃଣାରେ ନାକପୁଡ଼ା ଫୁଲି ଉଠିଲା ତାଙ୍କର । ମି: ଯୋଶେଫ୍‌ଙ୍କ ଦାୟିତ୍ୱହୀନତା ପ୍ରତି ମନେ ମନେ ଶତ ଧିକ୍‌କାର କଲେ ସେ ।

 

ପ୍ରାୟ ଦୁଇମିନିଟ୍‍ କଟିଗଲା ଏପରି । ଘୋର ଅନ୍ଧକାର ଗର୍ଭକୁ ଚାହିଁ ମି: ଚୌଧୁରୀ ଲଞ୍ଚ୍‍ର ଗତି ନିୟନ୍ତ୍ରଣ କରୁଥାନ୍ତି । ଠିକ୍‌ ଏତିକିବେଳେ ନିଜର ପିଠି ପାଖରେ କ’ଣ ଗୋଟାଏ ଶକ୍ତ ଜିନିଷର ସାମାନ୍ୟ ସ୍ପର୍ଶ ପାଇଲେ ସେ । ହଠାତ୍‌ ଚମକିପଡ଼ି ଚଟ୍‌କରି ବୁଲିପଡ଼ି ଚାହିଁଲେ ସେ । ଦେଖିଲେ ତାଙ୍କ ଛାତିକୁ ଲକ୍ଷ୍ୟକରି ମିଷ୍ଟର୍‍ ଜୋନସ୍‍ଙ୍କର ରିଭଲ୍‍ଭର୍‍ କ୍ଷୁଧିତ ଦୃଷ୍ଟିରେ ଚାହିଁ ରହିଛି ।

 

‘‘ବହୁତ ଚାଲାକି ଖେଳିଚୁ ବଦମାସ ଗୋଏନ୍ଦା ! ଏଥର ମରିବାପାଇଁ ପ୍ରସ୍ତୁର ହୋଇ ରହ ।’’ –କହିବା ସଙ୍ଗେ ସଙ୍ଗେ ବିକଟ ସ୍ୱରରେ ହସିଉଠିଲେ ମି: ଜୋନସ୍‍ । ଇସ୍‌ ! କି ବିଭତ୍ସ ହସ ସେ । ଭଦ୍ରମୁଖା ତଳେ ଏପରି କୁତ୍ସିତ ହସ ଦେଖି ମି: ଚୌଧୁରୀଙ୍କ ଅନ୍ତରାତ୍ମା ଥରିଉଠିଲା । ଏକାକୀ ଅସହାୟ ପରିସ୍ଥିତରେ ସେ । ଛାତିକୁ ଲାଗି ରିଭଲ୍‍ଭର୍‍ର ନଳୀ ଯେ କୌଣସି ମୁହୂର୍ତ୍ତରେ ତାଙ୍କର ପ୍ରାଣବାୟୁ ଟିକକ ବାହାର କରିନେବାକୁ ବ୍ୟଗ୍ରହୋଇ ଚାହିଁ ବସିଚି । ‘ଉପାୟ କ’ଣ-?’ –ତାହାହିଁ ଭାବୁଥିଲେ ସେ ।

 

ଆକସ୍ମିକ ଭାବରେ ଏକ ଅଦ୍ଭୁତ ଘଟଣା ଘଟିଲା । ସୁଶିକ୍ଷିତ ଟାଇଗର୍‍ ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟାଏ ଲମ୍ଫରେ ଯାଇ ପଡ଼ିଲା ମି: ଜୋନସ୍‍ଙ୍କର ରିଭଲ୍‍ଭର୍‍ ଧରା ହାତ ଉପରେ । ତା’ ସଙ୍ଗେ ସଙ୍ଗେ ତା’ର ବିରାଟ ପାଟିଟାରେ ମି: ଜୋନସ୍‍ଙ୍କର ହାତ କଚଟିକୁ ଧରି ଏପରି ଚାପି ଦେଲା ଯେ, ଯାହା ଫଳରେ ସେ ଚିତ୍କାର କରି ପଛକୁ ଦୁଇ ପାହୁଣ୍ଡ ହଟି ଆସିଲେ । ତା’ ସଙ୍ଗେ ସଙ୍ଗେ ରିଭଲ୍‍ଭର୍‍ଟା ମଧ୍ୟ ହାତରୁ ଛିଟକି ପଡ଼ିଲା ତାଙ୍କର ।

 

ମି: ଚୌଧୁରୀ ଏଇ ସୁଯୋଗ ଖୋଜୁଥିଲେ । ସେ ବାଘପରି ଗୋଟାଏ କୁଦାମାରି ପଡ଼ିଲେ ମି: ଜୋନସ୍‍ଙ୍କ ଉପରେ । ଗୋଟାଏ ଦିଇଟା ପ୍ରଚଣ୍ଡ ବିଧାରେ ସେ ଅତି ଅକ୍ଳେଶରେ ଧରାଶାୟୀ କରାଇଦେଲେ ମି: ଜୋନସ୍‍ଙ୍କୁ । ତା’ପରେ ତାଙ୍କର ହାତ ଗୋଡ଼କୁ ଖୁବ୍‌ ଭଲକରି ବାନ୍ଧିଦେଇ ଲଞ୍ଚ୍‍ର ଗତି ଆହୁରି ମନ୍ଥର କରିଦେଲେ । ପକେଟରୁ ନୀଳବର୍ଣ୍ଣର ଆଲୋକଟି କାଢ଼ି ନିର୍ଭୟରେ ଚତୁର୍ଦ୍ଦିଗକୁ ଦେଖାଇଲେ ସେ । ଏଥର ତାଙ୍କୁ ହତାଶ ହେବାକୁ ପଡ଼ିଲା ନାହିଁ । ଜଳ, ସ୍ଥଳ ବିଭିନ୍ନ ସ୍ଥାନରୁ ସେ ପ୍ରତିସଙ୍କେତ ପାଇଲେ ଏଥର । ସେଇ ଆଲୋକଟି ଜଳାଇରଖି ସେ ସମୁଦ୍ର ଆଡ଼କୁ ମୁହଁକରି ଲଞ୍ଚ୍‌ର ଛାତ ଉପରେ ରଖିଦେଲେ ।

 

ଇତି ମଧ୍ୟରେ ମି: ଜୋନସ୍‍ଙ୍କର ଚେତନା ଫେରି ଆସିଥିଲା । ସେ ଟାଣିହୋଇ ବନ୍ଧନରୁ ମୁକୁଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ମୁଣ୍ଡ ଉପରେ ବିରାଟକାୟ ଆଲସିସିଆନ୍‌ କୁକୁରକୁ ଜଗୁଆଳ ଦେଖି ଆଉ ହଲଚଲ ହେବାକୁ ସାହାସ କଲେନାହିଁ । ଚୁପ୍‍କରି ପଡ଼ି ରହିଲେ ସେମିତି । ମି: ଚୌଧୁରୀଙ୍କର ସଙ୍କେତର ପ୍ରତି-ସଙ୍କେତ ଦେଇ ଦେଇ ସମୁଦ୍ରର ବିଭିନ୍ନ ସ୍ଥାନରୁ ସେହିପରି କେତେ ସଙ୍କେତ କ୍ରମେ ପାଖେଇ ଆସୁଥିଲା ତାଙ୍କ ଆଡ଼କୁ ।

 

ପ୍ରାୟ ପନ୍ଦର ମିନିଟ୍‍ ମଧ୍ୟରେ ମି: ଯୋଶେଫ୍‌ ତାଙ୍କର ଦଳବଳ ସହିତ ପ୍ରାୟ ଦଶଖଣ୍ଡ ଲଞ୍ଚରେ ଆସି ପହଞ୍ଚଲେ ମି: ଚୌଧୁରୀଙ୍କ ଲଞ୍ଚ୍‍ ପାଖରେ । ସେତେବେଳକୁ ମି: ଚୌଧୁରୀଙ୍କ ଅଦମ୍ୟ ଚେଷ୍ଟା ଫଳରେ ସଂଜ୍ଞାହୀନା ନାରୀଟିର ଚେତନା ଫେରି ଆସିଲାଣି । ସେ ଯେ ସୁନନ୍ଦା, ଏହା ମି: ଚୌଧୁରୀ ନିଃସନ୍ଦେହ ରୂପେ ଜାଣି ପାରିଲେଣି ।

 

ବର୍ତ୍ତମାନ ମି: ଯୋଶେଫ୍‍ଙ୍କ ସହିତ ପରାମର୍ଶ କରି ମି: ଚୌଧୁରୀ ସ୍ଥିର କଲେ ଯେ–‘ଯେପରି ହେଉ ଦଳର ଅନ୍ୟ ତିନି ଜଣଙ୍କୁ ଧରି ତାଙ୍କ ହାତରୁ ଲୁପ୍ତ ଧନଗୁଡ଼ିକ ଉଦ୍ଧାର କରିବାକୁ ହେବ ।’ ସେହି ଅନୁଯାୟୀ ଦଶଖଣ୍ଡ ଲଞ୍ଚରେ କେତେଜଣ ସୁଶିକ୍ଷିତ ସିପାହୀଙ୍କୁ ଧରି ସେ ଅନ୍ୟ ଦିଗରୁ ତିନିଜଣଙ୍କ ସାଙ୍ଗରେ ବାହାରି ଗଲେ । ଚାରିଜର ପୋଲିସ୍‍ ଆଉ ଜଣେ ଦକ୍ଷ ପୋଲିସ୍‍ ଅଫିସ୍‍ର ଦସ୍ୟୁର ଲଞ୍ଚରେ ଜଗିରହିଲେ ସୁନନ୍ଦାଙ୍କୁ । ଦସ୍ୟୁମାନେ ଯେଉଁଆଡ଼େ ଯାଇଥିଲେ ସେହି ଦିଗକୁ ଲକ୍ଷ୍ୟକରି ଦଶଖଣ୍ଡି ଲଞ୍ଚ୍‌ ଛୁଟି ଚାଲିଲା ସେଇ ଘୋର ଅନ୍ଧାକାର ଭିତରେ-

 

ପ୍ରାୟ ଚାରିମାଇଲ ଯାଏ ଗଲାପରେ ମି: ଚୌଧୁରୀ ଦୂରରୁ ଲଞ୍ଚ୍‍ ଇଞ୍ଜିନ୍‌ର ଶବ୍ଦ ଶୁଣିପାରିଲେ । ଏଥର ସେ ବୁଝିପାରିଲେ ଯେ–ଶିକାର ବେଶି ଦୂରରେ ନାହିଁ । ତାଙ୍କ ଲଞ୍ଚ୍‍ଗୁଡ଼ିକ ସବୁ ଅନ୍ଧାର । ଆଲୋକର ବ୍ୟବସ୍ଥା ଥିଲେ ମଧ୍ୟ ଦସ୍ୟୁ କାଳେ ସାବଧାନ ହୋଇଯିବ, ଏହି ଭୟରେ ତା’ର ବ୍ୟବହାର କରିନାହାନ୍ତି । ବର୍ତ୍ତମାନ ଦସ୍ୟୁ ନିକଟବର୍ତ୍ତୀ ଜାଣି ସେ ମି: ଯୋଶେଫ୍‍ଙ୍କୁ ରିଭଲ୍‍ଭର୍‍ ଶବ୍ଦ ହେବା ମାତ୍ରେ ଯେପରି ସବୁ ଲଞ୍ଚ୍‍ ଆଲୋକିତ ହୋଇଉଠେ ଆଉ ଏକ ସମୟରେ ଦସ୍ୟୁର ଲଞ୍ଚ୍‍କୁ ଘେରଉ ଭିତରେ ପୂରାଇ ନିଆଯାଏ ସେପରି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ-। ମି: ଯୋଶେଫ୍‍ ସେଥିରେ ସମ୍ମତି ଜଣାଇବା ସଙ୍ଗେ ସଙ୍ଗେ ସେହି ଅନୁସାରେ ପ୍ରସ୍ତୁତ ହୋଇଯିବାକୁ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ।

 

-ଷୋହଳ-

 

ପୋଲିସ୍‍ ବାହିନୀର ଦଶ ଖଣ୍ଡ ଲଞ୍ଚ୍‍ ଖୁବ୍ ଦ୍ରୁତ ଗତିରେ ଆଗେଇ ଚାଲିଥିଲା । ସବୁଥିରେ ସୁ-ଶିକ୍ଷିତ ପୋଲିସ୍‍ମାନେ ବନ୍ଧୁକ ପ୍ରସ୍ତୁତ କରି ଚାହିଁ ବସିଥିଲେ ଆଦେଶ ଅପେକ୍ଷାରେ । ଖୁବ୍‌ ସମ୍ଭବ, ଦସ୍ୟୁମାନେ ଏତେ ଆୟୋଜନର ଲେଶ୍‌ ସୁଦ୍ଧା ଜାଣିପାରି ନ ଥିଲେ ।

 

ସମୁଦ୍ର ବକ୍ଷ ଉପରେ ଘୋର ଅନ୍ଧକାର । ତାରି ଭିତରେ ଦୁଇଖଣ୍ଡ ଲଞ୍ଚରେ ତିନିଜଣ ଦସ୍ୟୁ ମଧ୍ୟମ ଗତିରେ ଲଞ୍ଚ୍‍ ଛାଡ଼ି ଦେଇଥାନ୍ତି । ଲକ୍ଷ୍ୟସ୍ଥଳ କେବଳ ତାଙ୍କୁହିଁ ଜଣା । ଲଞ୍ଚରେ ପରିପୂର୍ଣ୍ଣ ରହିଚି ବହୁ ଲକ୍ଷ ଟଙ୍କାର ସୁନା ଆଉ ଜହରତ୍‍ । ଆର୍ଥିକ ଅଭାବର ଆଶଙ୍କା ନାହିଁ ଆଦୌ-

 

ହଠାତ୍‌ ସମୁଦ୍ର ବକ୍ଷ କମ୍ପମାନ କରି ରିଭଲ୍‍ଭର୍‍ ଗର୍ଜି ଉଠିଲା । ଦସ୍ୟୁ ତିନିହେଁ ଚମକି ପଡ଼ି ଘଟଣା କ’ଣ ବୁଝିବା ଆଗରୁ ଦେଖିଲେ–ସେମାନଙ୍କୁ ଘେରି ଖଣ୍ଡେ ଖଣ୍ଡେ ଦୂରରେ ପୋଲିସ୍‍ ଲଞ୍ଚ୍‍ ଆଲୋକିତ ହୋଇଉଠୁଚି ଗୋଟିକ ପରେ ଗୋଟିଏ । ଆଉ ପଳାୟନର ଉପାୟ ନାହିଁ । ପୋଲିସ୍‍ର ଘେର କ୍ରମେ ସଂକୁଚିତ ହୋଇ ଆସୁଛି । ତଥାପି ଆତ୍ମରକ୍ଷା ପାଇଁ କିଛି ସମୟ ଧରି ରିଭଲ୍‍ଭର୍‍ ବୁଲେଟ୍‌ ଆଦାନ ପ୍ରଦାନ ଚାଲିଲା । ଶେଷକୁ ପରାସ୍ତ ହୋଇ ଗୋଟ ଗୋଟି ଆତ୍ମସମର୍ପଣ କଲେ ପୋଲିସ୍‍ ହାତରେ । ମି: ଚୌଧୁରୀ ଶୋଭାନ୍‌ ସିଂ ଥିବା ଲଞ୍ଚ୍‍ ପାଖକୁ ଯାଇ ଦେଖିଲ, ଶୋଭନ୍‌ ସିଂ ନାହିଁ । ଚାଳକ ଆସନରେ ଫତୁରାମ୍‌ କେବଳ । ଚଢ଼େଇ ଯେ ଉଡ଼ିଯାଇଛି–ଏକଥା ବୁଝିବାରେ ଆଉ କିଛି ସନ୍ଦେହ ରହିଲା ନାହିଁ । ଫତୁରାମ୍‌ ହାତରେ ହାତକଡ଼ି ପିନ୍ଧାଇ ଦେଇ ସେ ଚିତ୍କାର କରି ଉଠିଲେ–‘‘ସର୍ଦ୍ଦାର ଖସି ଯାଇଚି ମି: ଯୋଶେଫ୍‌ ! ତାକୁ ଖୋଜି ବାହାର କରିବାକୁ ହେବ ।’’ ମି: ଚୌଧୁରୀଙ୍କଠାରୁ ଏତକ ଶୁଣିବାମାତ୍ରେ ସବୁ ଲଞ୍ଚ୍‍ରୁ ବଡ଼ ବଡ଼ ଶକ୍ତିଶାଳୀ ସର୍ଚ୍ଚଲାଇଟ୍‍ର ଉଜ୍ଜ୍ୱଳ ଆଲୋକରେଖା ବିଛାଡ଼ି ହୋଇ ପଡ଼ିଲା ନୀଳ ଜଳରାଶି ଉପରେ, ଅନ୍ଧାକାରର ବୁକୁ ଚିରି । କିନ୍ତୁ ସବୁ ବୃଥା । ଜଳଦସ୍ୟୁ ଶୋଭନ ସିଂ ଅସୀମ ଜଳରାଶି ଭିତରେ ମିଳାଇଗଲା ଯେପରି । ବିାରଟ ବିଜୟ ଭିତରେ ଏତକ ପରାଜୟର ଅପମାନ ଅନ୍ତରରେ ଧରି ମି: ଚୌଧୁରୀ ଫେରିଲେ ସହରକୁ ।

 

ଏକ ସପ୍ତାହ ବିତିଯାଇଚି ଏହା ମଧ୍ୟରେ । ପାଶ୍ଚାତ୍ୟ ପତ୍ରପତ୍ରିକାରେ ଭାରତୀୟ ଗୋଏନ୍ଦାଙ୍କର ଅପୂର୍ବ ସଫଳତା ଆଉ ତାଙ୍କର ପ୍ରଶଂସା ନେଇ ଯେତେ ବିବରଣୀ ବାହାରିଚି, ତା’ର ସୀମା ନାହିଁ । ଚିକିତ୍ସା ଫଳରେ ସୁନନ୍ଦା ତାଙ୍କର ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇଲେଣି । ଉଚ୍ଚଶିକ୍ଷା ପରିବର୍ତ୍ତେ ଘରକୁ ଫେରିଯିବାକୁ ତାଙ୍କର ମନ ଉଚ୍ଛନ୍ନ ହେଲାଣି ।

 

ମି: ଚୌଧୁରୀ ବର୍ତ୍ତମାନ ପ୍ରତ୍ୟେକ ଲଣ୍ଡନବାସୀଙ୍କର ଏକ ଦର୍ଶନୀୟବସ୍ତୁ ହୋଇ ପଡ଼ିଚନ୍ତି । ଦୈନିକ କେତେ ନିମନ୍ତ୍ରଣ, ଅଭିନନ୍ଦନ ଯେ ତାଙ୍କ ପାଖକୁ ଆସୁଚି ସେ ସବୁ ରକ୍ଷା କରିବା ତାଙ୍କ ପକ୍ଷେ ବଡ଼ କଷ୍ଟକର ହୋଇପଡ଼ିଲାଣି । ତାଙ୍କୁ ଶୀଘ୍ର ଫେରିଯିବାକୁ ହେବ ସ୍ୱଦେଶକୁ-

 

ପ୍ରାୟ ଦଶଦିନ ପରେ ବହୁ ଉପହାର, ପୁରସ୍କାର ଘେନି ମି: ଚୌଧୁରୀ ସ୍ୱଦେଶକୁ ଫେରିବା ଅଭିପ୍ରାୟରେ ଉପସ୍ଥିତ ହେଲେ ଲଣ୍ଡନ ବିମାନ ବନ୍ଦରରେ । ସାଙ୍ଗରେ ଶରତ୍‍ବାବୁ, ସୁନନ୍ଦା ଦେବୀ, ଆଇ ଟାଇଗର୍‍ । ତାଙ୍କୁ ବିଦାୟ ଦେବାଲାଗି ସେ ଦିନ ବିମାନ ବନ୍ଦରରେ ଅସମ୍ଭବ ଜନଗହଳି । ତାରି ଭିତରେ ଉପସ୍ଥିତ ଥିଲେ ଲଣ୍ଡନର ପୋଲିସ୍‍ ମହଲର ଉଚ୍ଚ କର୍ମକର୍ତ୍ତାଗଣ । ସମସ୍ତଙ୍କ ସହିତ କରମର୍ଦ୍ଦନ କରି ହସ ହସ ମୁହଁରେ ଉପସ୍ଥିତ ଜନତାର ବିପୁଳ ହର୍ଷଧ୍ୱନି ମଧ୍ୟରେ ବିମାନରେ ସେ ଆସନ ଗ୍ରହଣ କଲେ । ଶକ୍ତିଶାଳୀ ଜେଟ୍‌ ବିମାନଟି ପଙ୍ଖା ଘୂରାଇ ଉଡ଼ିଚାଲିଲା ଭାରତ ଅଭିମୁଖେ ।

 

ଏଣେ ନୂଆଦିଲ୍ଲୀର ପାଲାମ୍‌ ବିମାନଘାଟିରେ ଭାରତର ବହୁ ଉଚ୍ଚ ପାହ୍ୟା ପୋଲିସ୍‍ ଅଫିସର୍‍ ଆଉ ଅନ୍ୟାନ୍ୟ ବିଭାଗୀୟ ଉଚ୍ଚ କର୍ମଚାରୀଗଣ ଅପେକ୍ଷା କରିଥିଲେ ମି: ଚୌଧୁରୀଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ । ସେମାନଙ୍କ ଭିତରେ ଥିଲେ ରାୟଚୂଡ଼ାମଣି । ଅପଲକ ନେତ୍ରରେ ସେ ଚାହିଁ ରହିଥିଲେ ଆକାଶପଥକୁ । ଆଜି ତାଙ୍କର ପ୍ରାଣର ସୁନନ୍ଦା ଆସିବ !

 

ଭାରତରେ ପହଞ୍ଚିବାର ସାତଦିନ ବିତିଗଲାଣି । ମି: ଚୌଧୁରୀଙ୍କୁ ଆନୁଷ୍ଠାନିକ ଭାବରେ ସରକାରୀ ଓ ବେସରକାରୀ ବହୁ ସ୍ଥାନରୁ ବହୁ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଚି । ମି: ଚୌଧୁରୀ ଭାରତର ଗୌରବ । ସେ ଭାରତର ସମ୍ମାନ ବଜାୟ ରଖିଚନ୍ତି ।

 

ସେଦିନ ସକାଳେ ଚା’ ଖାଉ ଖାଉ ମି: ଚୌଧୁରୀ ଆଉ ଶରତ୍‍ବାବୁ ବସି ଖୁସିଗପରେ ମାତିଥିଲେ । ଏତିକିବେଳେ ଟେଲିଫୋନ୍‍ଟା ଝଣ୍‌ ଝଣ୍‌ ହୋଇ ବାଜି ଉଠିଲା । ମି: ଚୌଧୁରୀ ଉଠିଯାଇ ଫୋନ୍‍ ଧରିଲେ । ଶରତ୍‍ବାବୁ ଲକ୍ଷ୍ୟ କରୁଥାନ୍ତି ମି: ଚୌଧୁରୀଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇ ଉଠୁଥାଏ କ୍ରମେ । ପ୍ରାୟ ମିନିଟିକ ପରେ ସେ ରିସିଭର୍‍ଟା ରଖିଦେଇ ଉଠି ଆସିଲେ ନିଜ ଆସନକୁ । ତାଙ୍କର ଗମ୍ଭୀର ମୁହଁ ଦେଖି ଶରତ୍‍ବାବୁ ହଠାତ୍ କିଛି ପଚାରି ପାରିଲେ ନାହିଁ; କିନ୍ତୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଲେ ତାଙ୍କ ମୁହଁକୁ ।

 

ଶରତ୍‍ବାବୁଙ୍କ ଏ ଭାବ ବେଶ୍‍ ଠଉରାଇ ନେଲେ ମି: ଚୌଧୁରୀ । ସେ ତାଙ୍କ ସନ୍ଦେହ ଦୂର କରିବାପାଇଁ କହିଲେ–ଫୋନ୍‍ କରିଥିଲା ‘‘ସାଗର ସମ୍ରାଟ୍‌’’ ।

 

ନାଁଟା ଶୁଣି ଶରତ୍‍ବାବୁ କିଛି ଅନୁମାନ କରିନେଲେ । ସେ କଥାଟା ଟିକିଏ ହାଲୁକା କରି ପଚାରିଲେ–‘‘କିଏ, ଶୋଭାନ୍‌ ସିଂ ?’’ ‘‘ହୁଁ !’’ –ଗମ୍ଭୀରଭାବରେ ଏତକ କହି ଚୁପ୍‌ ରହିଲେ ମି: ଚୌଧୁରୀ ।

 

‘ସାଗର ସମ୍ରାଟ୍‍’ କି ଚାଞ୍ଚଲ୍ୟ ସୃଷ୍ଟି କଲା ଦେଶ ବିଦେଶରେ...ଅସୀମ ସାହାସୀ ମି: ଚୌଧୁରୀ କି କୌଶଳରେ ତାକୁ ହାତକଡ଼ା ପିନ୍ଧାଇଲେ....ଜାଣିବେ–ପଢ଼ିଲେ ତୃତୀୟ ଖଣ୍ଡ ‘‘ଫୋରାରୀ ଡାକୁ’’ ।

Image